Home ଓଡ଼ିଶା କରୋନା ମହାମାରୀ ପ୍ରକୋପ ସମୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ହେଲିକପ୍ଟରରେ ଦକ୍ଷିଣ ଓଡିଶା ଗସ୍ତର ଉଦ୍ଦେଶ୍ୟ...

କରୋନା ମହାମାରୀ ପ୍ରକୋପ ସମୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ହେଲିକପ୍ଟରରେ ଦକ୍ଷିଣ ଓଡିଶା ଗସ୍ତର ଉଦ୍ଦେଶ୍ୟ କଣ? : ବିଜେପି

106

ଭୁବନେଶ୍ୱର, ୨୦/୦୭ (ଓଡ଼ିଆ ପୁଅ) : ଓଡିଶା ସରକାରଙ୍କ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଲମ୍ବା ପ୍ରବାସ ପରେ ତା-୧୮-୦୭-୨୦୨୦ ଦିନ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି। ଏହି ଗସ୍ତକୁ ନେଇ ବିଭିନ୍ନ ମହଲରେ ବହୁତ ପ୍ରଶ୍ନ ଉଠୁଛି। ଯୋଜନା ବୋର୍ଡ ଅପାଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଭ୍ରମଣ ସୂଚୀରୁ ଜଣାପଡୁଛି ଯେ ସେ ତା- ୧୩-୦୭-୨୦୨୦ରେ ଭୁବନେଶ୍ୱରରୁ ବାହାରି ଗଜପତି ଜିଲ୍ଲାରେ ରାତ୍ରି ଯାପନ କଲେ। ତା ପର ଦିନ ରାୟଗଡାର ଗୁଣୁପୁର ଓ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ରାୟଗଡାରେ ରାତ୍ରିଯାପନ କଲେ। ତା- ୧୬–୭-୨୦୨୦ ଦିନ ନବରଙ୍ଗପୁର ଉମରକୋଟ, ଝରିଗାଁ ଓ ଦାବୁ ଗାଁ ବିଧାନସଭା ମଣ୍ଡଳୀର ଗସ୍ତ କାର୍ଯ୍ୟକ୍ରମ ଥିଲା।

ତାଙ୍କ କାର୍ଯ୍ୟସୂଚୀ ଅନୁସାରେ କେବଳ ଗଜପତି, ରାୟଗଡା ଓ ନବରଙ୍ଗପୁରଠାରେ ସରକାରୀ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ଜିଲ୍ଲାପାଳଙ୍କ ସହିତ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସହ ଅନ୍ୟାନ୍ୟ ଯୋଜନାର ସମୀକ୍ଷା ବିଷୟ ତାଙ୍କ ଭ୍ରମଣ କାର୍ଯ୍ୟସୂଚୀରୁ ଜଣାପଡୁଛି। କୋରାପୁଟ ଦେଇଯାଇଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ ରଖିନଥିଲେ। ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ୬ ଦିନର ଭ୍ରମଣ କାର୍ଯ୍ୟରେ କେବଳ ୩ ଦିନ ସରକାରୀ ସମୀକ୍ଷା ବୈଠକ ରଖାଯାଇଥିଲା। ଅନ୍ୟାନ୍ୟ ଦିନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ଭ୍ରମଣ କରିବାର ଥିଲା। ଏଠାରେ ମନେ ପକାଇବାକୁ ଚାହେଁ ଯେ, ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସହିତ ବିଜୁ ଜନତା ଦଳର ସାଧାରଣ ସଂପାଦକ ଓ ବିଜୁ ଜନତା ଦଳର ରାୟଗଡା ଓ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ମଧ୍ୟ ଅଛନ୍ତି। ଏହି ଭ୍ରମଣ ସମୟରେ ସେ ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହିତ ମିଶିଥିବା ଓ ଗୁଡାଏ ଦଳୀୟ କାର୍ଯ୍ୟକ୍ରମ ରଖିଥିଲେ ବୋଲି ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି।

କୋଭିଡ ମହାମାରୀ ପ୍ରଭାବ ପାଇଁ ଅର୍ଥାଭାବ ଯୋଗୁଁ ରାଜ୍ୟ ସରକାର ତାଙ୍କ ଚିଠି ମାଧ୍ୟମରେ ବହୁତ ଖର୍ଚ୍ଚ କାଟର ଘୋଷଣା କରିଛନ୍ତି। ତା ମଧ୍ୟରେ ପ୍ରମୁଖ ହେଉଛି ଗସ୍ତ ନକରି ଭିଡିଓ କନଫରେନ୍ସି ଯୋଗେ ବୈଠକ କରିବା। ଜରୁରୀକାଳୀନ ପରିସ୍ଥିତିରେ ଗସ୍ତ ପାଇଁ ସାଧାରଣ ସମୟରେ ଯେଉଁ ପ୍ରାଧିକାରୀ ଅନୁମୋଦନ ଦିଅନ୍ତି, ତାଙ୍କଠୁ ଏକ ପଦ ଉପରିସ୍ତ ପ୍ରାଧିକାରୀଙ୍କ ଅନୁମୋଦନ କ୍ରମେ ଉଡାଜାହାଜରେ ଯାତ୍ରା କରି ପାରିବେ ବୋଲି ଶ୍ରୀ ମାଝୀ କହିଛନ୍ତି।

ଏଠି କିଏ ଅନୁମୋଦନ ଦେଲେ ତାହା ବଡ କଥା ନୁହେଁ, କଥା ହେଉଛି ଯତାର୍ଥତା ଓ ଉଦ୍ଦେଶ୍ୟ। ଓଡିଶା ସରକାର ତା -୧୭-୦୭-୨୦୨୦ ରୁ ତା- ୩୧-୦୭-୨୦୨୦ ପର୍ଯ୍ୟନ୍ତ ଭୁବନେଶ୍ୱର ସହରରେ ତାଲା ବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ରହିବ। ଏପରି ସ୍ଥଳେ ଏମିତି କଣ ଜରୁରୀ ଅବସ୍ଥା ଆସିଲା ଯେ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଫେରିବା ନିହାତି ଦରକାର ପଡିଲା । ତାଙ୍କ ଗସ୍ତ କାର୍ଯ୍ୟକ୍ରମ ତାଲା ବନ୍ଦର ବହୁତ ପୂର୍ବରୁ ଅର୍ଥାତ ୮ ତାରିଖରୁ ପ୍ରସ୍ତୁତ ହୋଇଥିଲା। ଫେରିବା ଦିନ ଅର୍ଥାତ୍ ତା- ୧୮-୦୭-୨୦୨୦ ଶନିବାର ଥିଲା। ସେ ଯେଉଁ ଗାଡିରେ ଯାଇଥିଲେ ସେଥିରେ ଫେରିଥିଲେ ୧୦ ଘଂଟାରେ ଭୁବନେଶ୍ୱର ପହଂଚି ଥାନ୍ତେ। ହେଲିକପ୍ଟରରେ ଆସିବା ଦ୍ୱାରା ଓଡିଶାବାସୀଙ୍କୁ ୫/୬ ଲକ୍ଷ ଟଙ୍କାର ଚୁନା ଲାଗିଲା ଓ ତାଙ୍କ ଗାଡି ନବରଙ୍ଗପୁରରୁ ଖାଲି ଫେରିଲା। ଏହି ସମୟରେ ଅନ୍ୟମାନଙ୍କୁ ଟ୍ରେନରେ ପ୍ରଥମ ଶ୍ରେଣୀ ଏସିରେ ଯିବାକୁ ମନା ଥିବାବେଳେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ହେଲିକପ୍ଟର ଯାତ୍ରା ନିଶ୍ଚିତ ଭାବେ ମହଙ୍ଗା ମନେ ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି।

କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ କିମ୍ବା ରାଜନୈତିକ ସଭା ସମିତି ବାରଣ ଥିବା ସମୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଲମ୍ବା ଗସ୍ତ ଓ ଏତେ ଗୁଡାଏ ସରକାରୀ ଓ ରାଜନୈତିକ ସଭା କରିବା ଏହି ଅଂଚଳକୁ ବିପଦ ଡାକିବା ଛଡା କିଛି ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି।

ଯୋଜନା ବୋର୍ଡର କାମ ହେଉଛି ପ୍ରଦେଶ ପାଇଁ ଦୀର୍ଘ ମିଆଦି ଯୋଜନାର ଖସଡା ପ୍ରସ୍ତୁତ କରିବା ଯାହାକୁ ନେଇ ପ୍ରଦେଶ ଆଗକୁ ବଢିବ। ତେଣୁ କେନ୍ଦ୍ର ସରକାରଙ୍କ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ତଦାରଖ କରିବା କେତେ ଦୂର ଯତାର୍ଥ ତାହା ପ୍ରଶ୍ନବାଚୀ। ଏଇଠି ଆହୁରି ମଧ୍ୟ ଦେଖାଦେଇଛି ଯେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହିତାଧିକାରୀମାନଙ୍କୁ ରାସନ କାର୍ଡ ବାଂଟୁଛନ୍ତି। ଏହାଦ୍ୱାରା ଗୋଟିଏ ସମ୍ବିଧାନିକ ପଦର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରାଯାଇଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।

ଏହି ଗସ୍ତରେ ସରକାରୀ କାମ କମ ଓ ଦଳୀୟ କାମ ବେଶି ଥିବା ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି। ଏହା ତାଙ୍କ ଭ୍ରମଣ ସୂଚୀରୁ ମଧ୍ୟ ପ୍ରତିତ ହେଉଛି, ଯେଉଁଠି ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ଭ୍ରମଣ କଥା ଉଲ୍ଲେଖ ଅଛି। ଏତଦ ବ୍ୟତୀତ, ତାଙ୍କ ଭ୍ରମଣ ସୂଚୀରେ କେବଳ ରାୟଗଡା ଏବଂ ନବରଙ୍ଗପୁରର ସାଂସଦ, ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କୁ ଆମନ୍ତ୍ରଣ କରା ଯାଇଛି, ଯାହାର ସେ ବିଜୁ ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଛନ୍ତି, ଅଥଚ ଏହି ଅଂଚଳର ବରିଷ୍ଠ ରାଜ୍ୟସଭା ସାଂସଦଙ୍କୁ ଆମନ୍ତ୍ରଣ ନକରିବା ଦର୍ଶାଉଛି ଯେ ଏହା ଆଦୌ ସରକାରୀ କାର୍ଯ୍ୟକ୍ରମ ନଥିଲା। ଏହି ପରିପ୍ରେକ୍ଷୀରେ ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି ଯେ ହେଲିକପ୍ଟର ଭଡା ଖର୍ଚ୍ଚ ଓଡିଶା ସରକାର ବହନ କଲେ କି ରାଜ୍ୟ ସରକାର ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.