Home Top News ତୁମ୍ ଇତନା ଜୋ ମୁସ୍କୁରା ରହେ ହୋ, କ୍ୟା ଗମ୍ ହେ ଜିସକା ଛୁପା ରହେ...

ତୁମ୍ ଇତନା ଜୋ ମୁସ୍କୁରା ରହେ ହୋ, କ୍ୟା ଗମ୍ ହେ ଜିସକା ଛୁପା ରହେ ହୋ ?

151

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହୋଇ ସାରିଛି। ଓଡ଼ିଶାରୁ ଥିବା ଦୁଇ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କଠାରୁ ମନ୍ତ୍ରୀପଦ ଛଡ଼ାଇ ନିଆଯାଇଛି, ଆଉ ଜଣଙ୍କର ବଦଳେଇ ଦିଆଯାଇଛି। ତେବେ, ଓଡ଼ିଶା ପ୍ରତି ବଦାନ୍ୟତା ଦେଖାଇ ମୋଦି ଗୋଟେ ମନ୍ତ୍ରୀ ପଦ ନେଇଥିଲେ ମଧ୍ୟ ଓଡ଼ିଶାକୁ ଦୁଇଟି ମନ୍ତ୍ରୀ ପଦ ଦେଇଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କୁ ହଟାଇ ଦିଆଯାଇ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳେଇ ଦିଆଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରରୁ ଏବେ ସେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ। ତା’ ସହ ବିଜେପି – ବିଜେଡି ମିଳିତ ପାର୍ଥି ରାଜ୍ୟସଭା ଏମପି ଅଶ୍ୱିନୀ ବୈଷ୍ଣବଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରଳାୟ ସହ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ଆଦିବାସୀ ନେତା ବିଶେଶ୍ୱର ଟୁଡୁ ହୋଇଛନ୍ତି କେନ୍ଦ୍ର ରାଜ୍ୟ ମନ୍ତ୍ରୀ। ପୁର୍ବରୁ ମନ୍ତ୍ରୀପଦ ପାଇଁ ପ୍ରମୂଖ ଆଲୋଚନାରେ ଥିବା ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ, ଏହି ମନ୍ତ୍ରୀପଦ ବଣ୍ଟନଙ୍କୁ ନେଇ ଓଡ଼ିଶା ବିଜେପିର ଆଗାମୀ ଗତିବିଧି ନିର୍ଭିର କରୁଛି। ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ କୁହାଯାଏ। ତାଙ୍କ ସମର୍ଥକ ମାନେ ଓଡ଼ିଶା ପାଇଁ ହେଉଥିବା ଯେ କୌଣସି କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନା ବା ସହାୟତାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ଶ୍ରେୟ ଦେଇଥାଆନ୍ତି। ଓଡ଼ିଶାରୁ କିଏ କେନ୍ଦ୍ରମନ୍ତ୍ରୀ ହେଲେ ଏପରି କି ରାଜ୍ୟପାଳ ହେଲେ ମଧ୍ୟ ଏମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ହେଲା ବୋଲି କହିଥାଆନ୍ତି। କିନ୍ତୁ ଏବେ ଅଶ୍ୱିନୀ ବୈଷ୍ଣବଙ୍କ କଥାରେ କହିବେ କ’ଣ? ଅଶ୍ୱିନୀ ତ’ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପେକ୍ଷା ଏକ ବଡ଼ ତଥା ଭାରତୀୟ ଜୀବନଶୈଳୀର ମେରୁଦଣ୍ଡ କୁହାଯାଉଥିବା ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରାଳୟ ଦାୟିତ୍ୱ ପାଇଛନ୍ତି। ଏମିତିରେ ଅଶ୍ୱିନୀ ବିଜେଡି ସମର୍ଥନରେ ବିଜେପି ପାର୍ଥି ହୋଇ ରାଜ୍ୟସଭାକୁ ଯାଇଛନ୍ତି। ତାଙ୍କୁ ବିଜେଡି – ବିଜେପିର ମିଳିତ ପାର୍ଥି ବୋଲି କୁହାଯାଇ ପାରେ। ତେଣୁ ହୁଏତ ମୋଦୀ – ନବୀନ ଡିଲ୍ ହୋଇ ତାଙ୍କୁ ପୂର୍ବ ଚୁକ୍ତି ମୁତାବକ ମନ୍ତ୍ରୀପଦ ଦିଆଯାଇ ଥାଇପାରେ ବୋଲି ଆଲୋଚନା ହେଉଛି। ବିଶେଶ୍ୱର ଟୁଡୁ ମଧ୍ୟ ଆଦିବାସୀ ନେତା। ତେଣୁ ଏଠି ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ବୋଲି ତ’ କୁହାଯାଇ ପାରିବନି? ଏବେ, ଓଡ଼ିଶା ବିଜେପିରେ କିଏ ହେବେ ପ୍ରମୂଖ ଚେହେରା? କିଏ ଏମାନଙ୍କ ମଧ୍ୟରୁ ବଡ଼ ମୁଣ୍ଡ? ଅଶ୍ୱିନୀଙ୍କର ତ’ ବଡ଼ ମୁଣ୍ଡ। ସେ ତ’ ସବୁଥିରେ ଆଗରେ? ସେ ତ’ ଆଉ ଜୁଏଲ ଓରାମ ନୁହଁନ୍ତି ଯେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଦାବିଦେବେ? ସେ ତ’ ପ୍ରତାପ ଷଡ଼ଙ୍ଗୀ ନୁହଁନ୍ତି ଯେ ଜୁଏଲ ଓରାମଙ୍କ ପଦାଙ୍କ ଅନୁଶରଣ କରିବେ? ଓଡ଼ିଶା ବିଜେପିର ଦୂତୀୟ , ତୃତୀୟ, ଚତୁର୍ଥ ପୀଢ଼ି ନେତୃତ୍ୱ କାର୍ଯ୍ୟକର୍ତ୍ତା ତ’ ଆଉ ଜୁଏଲ କିମ୍ବା ପ୍ରତାପଙ୍କ ପରି ଅଶ୍ୱିନୀଙ୍କୁ ଗୁରୁତ୍ବହୀନ ମଣି ପାରିବିନି? ପାର୍ଟି ଅଫିସ ଠାରୁ ତଳସ୍ତର କାର୍ଯ୍ୟକ୍ରମ ଯାଏଁ ବ୍ୟାନର ଆଉ ପୋଷ୍ଟରରେ ତ’ ଆଉ ଧର୍ମେନ୍ଦ୍ରଙ୍କର ବଡ଼ ମୁଣ୍ଡ ଆଉ ଜୁଏଲ, ପ୍ରତାପଙ୍କର ଛୋଟମୁଣ୍ଡ ପରି ଅଶ୍ୱିନୀଙ୍କର ତ’ ଛୋଟ ମୁଣ୍ଡ ଲଗାଇ ହେବନି? କିମ୍ବା ସଂପୂର୍ଣ୍ଣ ଅଣଦେଖା କରିହେବନି? ଓଡ଼ିଶାରେ ରେଳ ବିଭାଗର କୌଣସି ଅନୁଦାନ ପାଇଁ ଭିଡ଼ି ଟାଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ତ’ ଆଉ ଶ୍ରେୟ ଦେଇ ହେବ ନାହିଁ? ଆଉ ସବୁଠାରୁ ବଡ଼ କଥା ବିଜେପି – ବିଜେଡି ଭିତରେ ଅଦୃଶ୍ୟ ମେଣ୍ଟର ପରିଣାମ ସ୍ୱରୂପ କୌଣସି ଡିଲ୍ କରିବାରେ ମୋଦି – ପିଏମଓ – ଅଶ୍ୱିନୀ -ନବୀନ – ତୃତୀୟ ମହଲା ଥାଉ ଥାଉ ଧର୍ମେନ୍ଦ୍ର ତ’ ଆଉ ଏକୁଟିଆ ପ୍ରମୂଖ ଭୂମିକା ଗ୍ରହଣ କରିପାରିବେନି? ତେଣେ ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମହତ୍ୱକାଂକ୍ଷା ଉପରେ ତ’ ଅଙ୍କୁଶ ଲଗାଇ ହେବନି? ଏସବୁ ଭିତରେ ରାଜ୍ୟ ବିଜେପିରେ ଆଗାମୀ ସାଙ୍ଗଠନିକ ଦାୟିତ୍ୱ ପରିବର୍ତ୍ତନ ହେଉ ଅବା ଟିକେଟ ବଣ୍ଟନ କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଚାଟିଆ ଅଧିକାର ତ’ ଆଉ ରହିବନି? ଏବେ ଓଡ଼ିଶା ବିଜେପିରେ ଧୀରେ ଧୀରେ ଅନେକ ପରିବର୍ତ୍ତନ ହେବ। ଆଇଓସିଏଲ୍ ଗେଷ୍ଟ ହାଉସରୁ ତ’ ଆଉ ଓଡ଼ିଶା ବିଜେପି ପରିଚାଳିତ ହୋଇପାରିବ ନାହିଁ? ଦିନେ ଯେଉଁ ତୈଳ ବିଭାଗର ମନ୍ତ୍ରୀ କାଲି ସରକାରଙ୍କୁ ଅର୍ଥ ସଂଗ୍ରହ କରି ଯୋଗାଉଥିଲେ, ଆଜି ତାଙ୍କର ନୂଆ ମନ୍ତ୍ରାଳୟ, ଶିକ୍ଷା ବିଭାଗ ନିମନ୍ତେ ବଜେଟ ପାଇଁ ଆବେଦନ କରିବାକୁ ପଡ଼ିବ। ତୈଳ ବିଭାଗରୁ ଅର୍ଥ ଆଣି ଅନ୍ୟାନ୍ୟ ସାମାଜିକ କଲ୍ୟାଣ ଦିଗରେ ଖର୍ଚ୍ଚ କରି ନିଜେ ନାଁ’ ନେବା ପରି ଶିକ୍ଷା ବିଭାଗ ପାଇଁ ଅନୁମୋଦିତ ଅର୍ଥ ଅନ୍ୟାନ୍ୟ ଦିଗରେ ଖର୍ଚ୍ଚ କରିବାରେ ଆଉ ସେ ସୁଯୋଗ ତ’ ରହିବନି ?

ଶିକ୍ଷା ବିଭାଗ ନିଶ୍ଚିତ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। କିନ୍ତୁ, ଏଠାରେ ଜାଣିବା ଉଚିତ୍ ଯେ ସଂଘ ଆଉ ବିଜେପି ଭିତରେ ସଂପର୍କକୁ ଦେଖିଲେ ଜଣାପଡ଼େ ଯେ ସିଧାସଳଖ ଭାବରେ କିଏ ସଙ୍ଗଠନ ସମ୍ପାଦକ ହେବ ସମେତ କିଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବ, କିଏ ପ୍ରଧାନମନ୍ତ୍ରୀ ହେବ, କିଏ ରାଜ୍ୟ ମାନଙ୍କରେ ମୁଖ୍ୟମନ୍ତ୍ରୀ ହେବ ବ୍ୟତୀତ ସଂଘ ବିଜେପିର ଆନ୍ତରୀଣ ରାଜନୀତି କ୍ଷେତ୍ରରେ ସେପରି ହସ୍ତକ୍ଷେପ କରେ ନାହିଁ। କିନ୍ତୁ, ବିଶେଷ ଭାବରେ ଶିକ୍ଷା କ୍ଷେତ୍ର ପ୍ରତି ସଂଘର ଏକ ସ୍ୱତନ୍ତ୍ର ଦୃଷ୍ଟି ରହିଛି। ସ୍ୱାଧୀନତା ପରଠାରୁ ରହି ଆସିଥିବା ମାକୁଲେ ଶିକ୍ଷା ପଦ୍ଧତିର ପରିବର୍ତ୍ତନ ସଂଘ ଚାହିଁ ଆସୁଛି। ତେଣୁ ଶିକ୍ଷା କ୍ଷେତ୍ରରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସଂଘ ବିଚାରଧାରା ଲୋକ ଅବସ୍ଥାପତ ହୋଇ ସାରିଛନ୍ତି। ପରିବର୍ତ୍ତନର କାମ ଆରମ୍ଭ ହୋଇସାରିଛି। ଏବେ ସେହି ବିଭାଗ ଦାୟିତ୍ୱ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ। ଅର୍ଥାତ୍ ସଂଘ ବିଚାରଧାରାକୁ ପ୍ରୟୋଗ କରିବା କାର୍ଯ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ରହିବ। ଖୁବ୍ ଗୁରୁତ୍ୱପୂର୍ଣ୍ଣ କାମ। ଧର୍ମେନ୍ଦ୍ର ମଧ୍ୟ ଖୁବ୍ ପରିଶ୍ରମୀ। ତାଙ୍କଠାରୁ ସଫଳତା ପୂର୍ଣ୍ଣ କାର୍ଯ୍ୟ ଆଶା କରାଯାଇ ପାରେ। କିନ୍ତୁ, ଆମେ ଧର୍ମେନ୍ଦ୍ର (ଡିପି)ଙ୍କ ଲୋକ କହି ତାଙ୍କର ଚାଟୁକାରୀ କରି ଓଡ଼ିଶା ବିଜେପିରେ ପଦପଦବୀ ଠାରୁ ବିଭିନ୍ନ ଫାଇଦା ଉଠାଇ ଚାଲିଥିବା ଲୋକଙ୍କ ପାଇଁ ବହୁତ କଷ୍ଟ ହୋଇଯିବ। ଯିଏ ବୁଝି ପାରୁଥିବ, ସିଏ ଶିକ୍ଷା ବିଭାଗ ଭଳି ମେରୁଦଣ୍ଡ ବିଭାଗର ଦାୟିତ୍ୱ କହି ଚିତ୍କାର କରି ସୋସିଆଲ୍ ମିଡିଆରେ ଖୁସି ପ୍ରକଟ କଲେ ମଧ୍ୟ, ନିଜର ପୂର୍ବ ଭଳି ଫାଇଦା କଥା ନେଇ ଚିନ୍ତିତ ଥିବ। ଯିଏ ବୁଝୁନଥିବ, ତାଙ୍କ କଥା ଛାଡ଼ନ୍ତୁ। କିନ୍ତୁ ଯିଏ ବୁଝୁଥିବ, ତାଙ୍କ ପାଇଁ, “ତୁମ୍ ଇତନା ଜୋ ମୁସ୍କୁରା ରହେ ହୋ, କ୍ୟା ଗମ୍ ହେ ଜିସକା ଛୁପା ରହେ ହୋ?”
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.