Home Top News ଏ’ ବିଚରା ତ’ ଜଞ୍ଜିରରେ ବନ୍ଧା: ମହିଳା ସଂରକ୍ଷଣ ନେଇ ଡ୍ରାମା କାହିଁକି?

ଏ’ ବିଚରା ତ’ ଜଞ୍ଜିରରେ ବନ୍ଧା: ମହିଳା ସଂରକ୍ଷଣ ନେଇ ଡ୍ରାମା କାହିଁକି?

73

ଭୁବନେଶ୍ୱର: ସଂସଦରେ “ନାରୀଶକ୍ତି ବନ୍ଦନ ଅଧିନିୟମ- ୨୦୨୩” ଗୃହିତ ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ପ୍ରଦାନ କରି ଦେଶବ୍ୟାପୀ ବିଜେପି ଆୟୋଜିତ କରୁଛି କାର୍ଯ୍ୟକ୍ରମ। ମହିଳା ସମ୍ବଦ୍ଧିତ ବିଷୟ ହୋଇଥିବାରୁ ବିଶେଷ କରି ବିଜେପି ମହିଳା ମୋର୍ଚ୍ଚା ଆୟୋଜିତ କରୁଛି ଏହି କାର୍ଯ୍ୟକ୍ରମ। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ “ନାରୀଶକ୍ତି ବନ୍ଦନ ଅଧିନିୟମ- ୨୦୨୩” ଗୃହିତ ହେବା ପରେ ମୋଦୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ କରୁଛି ବିଜେପି ମହିଳା ମୋର୍ଚ୍ଚା। ଓଡ଼ିଶାରେ ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ଏପରି କାର୍ଯ୍ୟକ୍ରମ। କେତେକ ଜିଲ୍ଲାରେ ମଧ୍ୟ ହୋଇଛି କାର୍ଯ୍ୟକ୍ରମ। ତେବେ, ଭଦ୍ରକ ଜିଲ୍ଲାରେ ହୋଇଥିବା ଏହି କାର୍ଯ୍ୟକ୍ରମ ହାସ୍ୟାସ୍ପଦ ତଥା ଏକ ଡ୍ରାମା ସଦୃଶ ଲାଗୁଛି! ଏହାର କାରଣ ମଧ୍ୟ ରହିଛି। କିଛିଦିନ ତଳେ ଓଡ଼ିଶା ବିଜେପିର ଜଣେ ରାଜ୍ୟ ମହିଳା ପ୍ରବକ୍ତା ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନରେ ୫୦% ସଂରକ୍ଷଣ ଉପରେ ପ୍ରଶ୍ନ ଉଠାଇ ଲେଖିଥିଲେ, ଯଦି ନେତାଙ୍କ ସ୍ତ୍ରୀ ନେତ୍ରୀ ହେବେ, ତେବେ ଏ’ ୫୦% ମହିଳା ସଂରକ୍ଷଣର ଡ୍ରାମା କାହିଁକି? ଚେହେରା ବଦଳିଲେ କଣ ଆଭିମୁଖ୍ୟ ବଦଳିଯିବ କି? କିଛି ଦିନ ପରେ ଆଉ ଏକ ପୋଷ୍ଟ୍ କରି ସେ ଲେଖିଥିଲେ, ମହିଳା ସଶକ୍ତ ହେଲେ ସମାଜର ପଟ୍ଟ ପରିବର୍ତ୍ତନ ହୁଏ। କିନ୍ତୁ ସଶକ୍ତ ଜଞ୍ଜିର ଯଦି ପୁରୁଷ ହାତରେ ରୁହେ ତେବେ?ଜଞ୍ଜିର ତ’ ରହିଛି! ବାସ୍ତବରେ ଏଠି ସାଙ୍ଗଠନିକ ଦାୟିତ୍ୱ କ୍ଷେତ୍ରରେ ହେଉ ଅବା ଟିକେଟ୍ ବଣ୍ଟନ କ୍ଷେତ୍ରରେ ହେଉ ଦକ୍ଷତା କିମ୍ବା ସଙ୍ଗଠନ ପ୍ରତି ସମର୍ପିତ ଆଧାରରେ ନୁହେଁ, ନେପୋଟିଜିମ୍, ଗଡ଼ଫାଦରଙ୍କ ସୁପାରିଶ କିମ୍ବା ପ୍ରିୟାପ୍ରୀତି ତୋଷଣରେ ହିଁ ସୁଯୋଗ ମିଳିଥାଏ। ଗତ ପଞ୍ଚାୟତ ନିର୍ବାଚନ କ୍ଷେତ୍ରରେ ମଧ୍ୟ ଏପରି ଦେଖିବାକୁ ମିଳିଛି। ଦକ୍ଷତା ଆଧାରରେ କିମ୍ବା ସଙ୍ଗଠନ ପ୍ରତି ସମର୍ପିତ ଆଧାରରେ ନୁହେଁ, ପାରିବାରିକ ରାଜନୀତି ଆଧାରରେ ଯେପରି କି ପୁଅ – ଝିଅ, ପତ୍ନୀ କିମ୍ବା କେଉଁ ନେତାଙ୍କ ଅନୁଗ୍ରହରେ ବା କୌଣସି ଗଡ଼ଫାଦରଙ୍କ ଆଧାରରେ ଏଠି ସୁଯୋଗ ମିଳୁଛି। ଭଦ୍ରକ ଜିଲ୍ଲା ବିଜେପିରେ ଏପରି ଉଦାହରଣ ଦେଖିବାକୁ ମିଳିଛି। ଦକ୍ଷତାକୁ ଦମନ କରାଯାଇଛି। ସଙ୍ଗଠନ ପ୍ରତି ସମର୍ପିତ, ସଙ୍ଗଠନ ପାଇଁ ସମୟ ଦେଉଥିବା ଆଶାୟୀଙ୍କୁ ଟିକେଟ୍ ଦିଆନଯାଇ ନେତା ବା କାର୍ଯ୍ୟକର୍ତ୍ତାଙ୍କ ପୁଅ, ପତ୍ନୀଙ୍କୁ ମିଳିଛି ସମର୍ଥନ ବା ଟିକେଟ୍। ତେବେ ସବୁଠାରୁ ବଡ଼ ଦୁଃଖର କଥା, ଗତ ଜିଲ୍ଲା ପରିଷଦ ନିର୍ବାଚନରେ ୨୦୧୭ ମସିହାର ଜଣେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟାଙ୍କ ଟିକେଟ୍ କାଟି ତାଙ୍କ ସ୍ୱାମୀଙ୍କୁ ଦିଆଗଲା ଟିକେଟ୍। କିନ୍ତୁ ପତ୍ନୀ କୁଆଡ଼େ ଭାରୀ ଖୁସି ଥିଲେ! ସେହି ଆସନଟି ସାଧାରଣ ବର୍ଗର ହୋଇଯିବାରୁ ତାଙ୍କ ସ୍ୱାମୀ ହୋଇଥିଲେ ପାର୍ଥି। ତେଣୁ ସେ ଖୁସି। ପତ୍ନୀ ଧର୍ମ ପାଳନ ପୂର୍ବକ ପତିଙ୍କ ଖୁସିରେ ଖୁସି ହୋଇ ସେ ନିଜ ଖୁସିକୁ ମାରି ଦେଇଥିଲେ। ଏମିତିରେ ସେ ପୂର୍ବରୁ କେବଳ ଏକ ରବର ଷ୍ଟାମ୍ପ ଜିଲ୍ଲା ପରିଷଦ ସଭ୍ୟା ଥିଲେ ବୋଲି କୁହାଯାଏ।ଏଠାରେ ସେହି ବିଜେପି ମହିଳା ପ୍ରବକ୍ତାଙ୍କ ପ୍ରଶ୍ନକୁ ଚାଲି ଆସନ୍ତୁ। ମହିଳା ସଶକ୍ତ ହେଲେ ସମାଜର ପଟ୍ଟ ପରିବର୍ତ୍ତନ ହୁଏ। କିନ୍ତୁ, ସଶକ୍ତ ଜଞ୍ଜିର ଯଦି ପୁରୁଷ ହାତରେ ରୁହେ ତେବେ? ଏଠି ତ’ ଜଞ୍ଜିର ରହିଲା ଟିକେଟ୍ ବଣ୍ଟନ କରିଥିବା ପୁରୁଷ ନେତାଙ୍କ ହାତରେ! ପରିବାରବାଦ ଭିତରେ ବାପ ପରେ ପୁଅ ହାତରେ! ନିଜ ଦଳରେ, ଦଳୀୟ ନେତା, ଦଳୀୟ କାର୍ଯ୍ୟକର୍ତ୍ତା ନିଜ ପରିବାରରେ ଜଣେ ନେତ୍ରୀଙ୍କୁ ଜଞ୍ଜିର ଭିତରେ ରଖିଦେଲେ! ଏବେ ନିଜ ଦଳରେ ନିଜ ଘରେ ନିଜର ଅଧିକାର ହରାଇଥିବା ସେହି ନେତ୍ରୀ ଜଣଙ୍କ ‘ନାରୀଶକ୍ତି ବନ୍ଦନ ଅଧିନୟମ’ ପାରିତ ନେଇ ମୋଦୀଙ୍କୁ ଧନ୍ୟବାଦ ଜଣାଇ କରୁଛନ୍ତି କାର୍ଯ୍ୟକ୍ରମ! ମହିଳା ସଂରକ୍ଷଣ ନେଇ ଏ ଡ୍ରାମା କାହିଁକି?
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.