Home ଓଡ଼ିଶା ମୁକ୍ତି

ମୁକ୍ତି

283

– ବୁଢ଼ା କଲମ

ସକାଳୁ ସକାଳୁ ଗୋଧୋଇ ପାଧୋଇ ବାହାରିପଡ଼ିଲା ସାନୁ। ଆଜି ମଦମୁକ୍ତି ଅଭିଯାନରେ ଏକ ମହା ଆନ୍ଦୋଳନ। ସମଗ୍ର ସହରରେ ବାହାରିବ ବିରାଟ ରାଲି। କିଛି ଦିନ ପୂର୍ବେ ସାନୁ ମଦମୁକ୍ତି ଅଭିଯାନର ଜଣେ ସଦସ୍ୟ ହୋଇଛି। ଏହି ମଦ ତା ବାପାକୁ ତା’ଠାରୁ ଛଡେ‌ଇ ନେଇଛି। ଆଉ କାହା ମୁଣ୍ଡରୁ ଯେପରି ବାପାର ହାତ ନହଜିଯାଉ, ଆଉ କାହା ପରିବାର ଯେପରି ଛାରଖାର ନହେଉ ସେଇ ଲକ୍ଷ୍ୟରେ ଏ ଅଭିଯାନ। ସାନୁ ତ ନିଜେ ଭୁକ୍ତ ଭୋଗୀ ଏ ସମସ୍ୟାର। ସେ କେମିତି ଆଉ ଏଥିରୁ ବାଦ ରହିବ।

ସମୟ ସକାଳ ୧୦ଟା। ଠିକ ସମୟରେ ପହଞ୍ଚିଗଲା ନିର୍ଦ୍ଧାରିତ ସ୍ଥାନରେ। ଶହ ଶହ ଲୋକ। ଆଗରେ ପାଦଚଲା ମହିଳା ସେନା। ହାତରେ ସରକାରଙ୍କ ବିଫଳତା ବଖାଣୁଥିବା ବଡ଼ ବଡ଼ ପୋଷ୍ଟର। ଏଇ ମଦ ମୋତେ ବିଧବା କରିଛି, ଏହି ମଦ ମୋ ପୁଅକୁ ନେଇଛି ଏମିତି କେତେ କଣ। ତା’ପଛରେ ପୁରୁଷଙ୍କ ଲମ୍ବା ଧାଡ଼ି। ଠିକ ପଛକୁ ଲାଗି ରହିଛି ମଦମୁକ୍ତି ଯୁବ ବାହିନୀଙ୍କ ଶହ ଶହ ବାଇକ୍‌ ଆଉ କଳା ଚଷମା ପିନ୍ଧା ବାଇକର୍‌, । ଶେଷରେ ଜିପ୍‌ ଉପରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତା। ବେକରେ ଲମ୍ବା ଲମ୍ବା ଫୁଲମାଳ। ମୁଣ୍ଡରେ ଗାନ୍ଧୀ ଟୋପି। ଆଉ ଆଖି ଉପରେ ଲାଗିଛି ଦାମିକା ରେବ୍ୟାନ ଚଷମା। ଗର୍ଜୁଛି ସମଗ୍ର ଅଞ୍ଚଳ। ମଦ ନିଏ ଜୀବନ; ମଦ ଦିଏ ନବୀନ, ମଦ ହଟାଅ, ଦେଶ ବଞ୍ଚାଅ; ମଦ ହଟିବ ଓଡ଼ିଶା ଉଠିବ ଏମିତି ନାନା ପ୍ରକାରର ଗଳାଫଟା ଚିତ୍କାର। ସମଗ୍ର ପରିବେଶରେ ଯେମିତି ଏକ ଅଦ୍‌ଭୁତ୍ ପୂର୍ବ ଆନ୍ଦୋଳନର ବହ୍ନି ବାରି ହୋଇଯାଉଛି।

ସାନୁ ନିଜକୁ ସାମିଲ କରିନେଲା ଏ ଅଭିଯାନରେ। ଆରମ୍ଭ ହୋଇଗଲା ପଦଯାତ୍ରା। ସମଗ୍ର ଦୋକାନ ବଜାର ବନ୍ଦ। ମିଡ଼ିଆ ବାଲା ଏପରି ଏକ ଦୃଶ୍ୟରୁ ଦୂରେଇ ରହିବେ କିପରି। ପୁରା କଭରେଜ୍। ଆଣ୍ଠେଇ, ପେଟେଇ, ଗଛ ଉପରେ ଚଢ଼ି, ବାଇକ୍‌ରେ ଓଲଟା ବସି, ଯେପ୍ରକାରେ ସମ୍ଭବ ଶୁଟିଂ କରିବାରେ ବ୍ୟସ୍ତ। ଜଣ ଜଣ କରି ସମସ୍ତଙ୍କ ବାଇଟ୍‌ ନେବାରେ ଲାଗିଛନ୍ତି। ତାଙ୍କ ଭିତରେ କାହାର ଜଣେ ନଜରକୁ ଆସିଗଲା ସାନୁ। ବୟସ ପନ୍ଦର କି ଷୋହଳ ହେବ। ଏବୟସର ପିଲା ତ କାହିଁ କେହି ଦେଖା ଯାଉ ନାହାଁନ୍ତି। ସାନୁ ଘରେ ଏକେଲା। ପିଲାଟି ଦିନରୁ ମାଁକୁ ହରାଇଛି। ମଦର ଅଭିଶାପରେ ବାପା ଚାଲିଗଲେ। ନିଜର ଏକମାତ୍ର ସାହାରାକୁ ମଦ ଛଡେଇ ନେଲା ତ’ଠାରୁ। ଏ କରୁଣ କାହାଣୀ ମିଡ଼ିଆରେ ଲାଇଭ୍‌ ହେବାରେ ଲାଗିଲା। ସାନୁ ହୋଇଗଲା ଏକ ମହା ଆନ୍ଦୋଳନର ପୋଷ୍ଟର ବଏ। ଉଠାଇ ନିଆଗଲା ତାକୁ ଜିପ୍‌ ଉପରକୁ। ବେକରେ ଦୁଇ-ତିନୋଟି ମାଳ ତୁରନ୍ତ ପକାଇ ଦେଲେ ମଦମୁକ୍ତି ବାହିନୀ। ଆହୁରି ତେଜିଲା ଆନ୍ଦୋଳନ। ରାସ୍ତାରେ ଟାୟାର ଜାଳି, ରାସ୍ତା ରୋକ କରାଗଲା। ସରକାରଙ୍କ ବିରୋଧରେ ମାଇକ୍‌ ଆହୁରି ଜୋରରେ କର୍କଶ ସ୍ୱରରେ ଚିତ୍କାର କଲା। ସମଗ୍ର ସହର ପରିକ୍ରମା କରାଗଲା। ଦୁଇ ତିନିଘଣ୍ଟା ଭିତରେ ଆନ୍ଦୋଳନ ପହଞ୍ଚିଲା ତାର ଅନ୍ତିମ ଚରଣରେ। କିଛି ଆଗ ଧାଡ଼ିର ନେତା, ଯୁବବାହିନୀଙ୍କୁ ଛାଡ଼ି ସମସ୍ତ ଫେରିଲେ ନିଜ ନିଜ ଘରକୁ। ସାନୁ ଠିକ ବାହାରିଲା ବେଳେକୁ ନେତା ଜଣକ ପଛରୁ ଡାକି କହିଲେ, କିରେ କୁଆଡ଼େ ଯାଉଛୁ। ତୁ ପରା ଆଜିର ହିରୋ ଆମର। ଖାଇବା ପିଇବା ବ୍ୟବସ୍ଥା ହୋଇଛି ସରକାରୀ ବଙ୍ଗଳାରେ। ସେପଟେ ହେଇକି ଯିବୁ। ଏତେ ବଡ଼ ଲୋକଙ୍କ କଥାକୁ ନାଁ ବି କେମିତି କରିବ ସେ। ପୁରା ବଜାର ବନ୍ଦ ଆଜି। ଖାଇବ କେଉଁଠି। ମୁଣ୍ଡ ଟୁଙ୍ଗାରି ସମ୍ମତିଟି ଜଣାଇଲା। ନେତାଙ୍କ ଏବାଣୀ ଶୁଣି ସାନୁକୁ ବାଇକ୍‌ରେ ବସେଇ ପହଞ୍ଚେଇ ଦିଆଗଲା ବଙ୍ଗଳାରେ।

ବଙ୍ଗଳାର ଦୃଶ୍ୟ ଓ ପରିବେଶ ସମ୍ପୂର୍ଣ୍ଣ ଅଲଗା। ମଟନ୍‌ ବାସ୍ନାରେ ଚଉଦିଗ ମହକି ଉଠୁଛି। ଟିକିଏ ଭିତରକୁ ପସିଲା ବେଳେ ସାନୁ ଦେଖିଲା ସେଇ ମିଡିଆ ବାଲାଙ୍କୁ ଯାହାଙ୍କର ଅବଦାନ ଆନ୍ଦୋଳନଟିକୁ ସଫଳ କରାଇବାରେ କିଛି କମ ନୁହେଁ। ଟେବୁଲ୍‌ ଉପରେ ନାନାଦି କିସମର ବୋତଲ। କିଏ ବିଅର ପିଉଛି ତ କିଏ ହ୍ୱିସକି। କାହା ହାତରେ ରମ୍। ଥାଳିରେ ମାଛ, ଚିକେନ୍‌ ଆଉ ମଟନ୍‌ କଷା। ହାତରେ ସିଗାରେଟ୍। ଚର୍ଚ୍ଚାରେ ରାଜ୍ୟ ରାଜନୀତି। ଗୋଟିଏ କୋଣରେ ରଖା ହେଇଛି ପେଟି ପେଟି ମଦ। ଏଥିରେ ବି ସୁବ୍ୟବସ୍ଥା। ଯୁବବାହୀନିଙ୍କୁ ଗୋଟି ଗୋଟି କରି ବୋତଲ ବଢେଇ ଦେଉଛି ଜଣେ କର୍ମୀ। ସହରର କିଛି ନାମୀ ଦାମୀ ଲୋକଙ୍କ ଗହଣରେ ବସିଗଲେ ଆନ୍ଦୋଳନର ମୁଖ୍ୟ ନେତୃତ୍ୱ ନେଇଥିବା ନେତା ଓ ତାଙ୍କ ଅତି ନିକଟର ଚେଲା ଚାମୁଣ୍ଡା। ସହରର ନାମୀ ଦାମୀ ଲୋକଙ୍କ ଭିତରେ ରହିଛନ୍ତି କିଛି ମଦ ଦୋକାନୀ ମାଲିକ ଆଉ ନାମୀ କଣ୍ଟ୍ରାକ୍ଟର। ଆଉ ଆଗକୁ ପାଦ ବଢ଼ିଲାନି ସାନୁର। ଏକା ନିଶ୍ୱାସରେ ଦଉଡିଲା ଘର ମୁହାଁ ହୋଇ ଆଉ ମନରେ ଖୋଜୁଥିଲା ମୁକ୍ତିର ବାଟ।


 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.