Home ଓଡ଼ିଶା ଓଡ଼ିଶା ଲୋକ ଚାହୁଁଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ରାଜ୍ୟରେ ନବୀନ।କିନ୍ତୁ,,

ଓଡ଼ିଶା ଲୋକ ଚାହୁଁଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ରାଜ୍ୟରେ ନବୀନ।କିନ୍ତୁ,,

4458

ଭୁବନେଶ୍ୱର:ଓଡ଼ିଶାରେ ଲୋକ ଚାହୁଁଛନ୍ତି,କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର।ମୋଦୀଙ୍କର ଲୋକପ୍ରିୟତା ଆଶାତୀତ ଭାବରେ ବୃଦ୍ଧି ପାଇଛି।ମୋଦୀ କିମ୍ବା ବିଜେପି ସରକାରର ବିକାଶମୂଳକ ଯୋଜନା ପାଇଁ ଲୋକେ ବିଜେପି ପ୍ରତି ଯେତିକି ଆକୃଷ୍ଟ ହେଉଛନ୍ତି, ତା’ ଠାରୁ ଅଧିକ ମୋଦିଙ୍କ ବୈଦେଶିକ ନୀତି, ବିଦେଶରେ ଭାରତର ପ୍ରଭାବ ବୃଦ୍ଧି ଏବଂ ବିଶେଷ କରି ପାକିସ୍ଥାନରେ ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ ବିଜେପି ଏବଂ ମୋଦିଙ୍କର ଲୋକପ୍ରିୟତାକୁ ଯଥେଷ୍ଟ ବଢାଇଛି।ଏବଂ ଏଣେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଅପରିପକ୍ୱତା ମୋଦିଙ୍କୁ ଅଧିକ ସହାୟକ ହେଉଛି।କଂଗ୍ରେସ ଏବଂ ମହାମେଣ୍ଟ ଏକ ରାଷ୍ଟ୍ର ବିରୋଧୀ ମେଳି ବୋଲି ଲୋକଙ୍କ ଭିତରେ ଏକ ଧାରଣା ସୃଷ୍ଟି ହୋଇଛି।ପ୍ରତିପକ୍ଷର ଦୁର୍ବଳ ନେତୃତ୍ୱ ଏବଂ ଭୁଲ ପଦକ୍ଷେପ କାରଣରୁ ଜନମତ ବିଜେପିକୁ ସୁହାଉଛି।

ମୋଦିଙ୍କ ଲୋକ ପ୍ରିୟତା ଯେତେ ବୃଦ୍ଧି ପାଇଲେ ମଧ୍ୟ ଓଡ଼ିଶାରେ କିନ୍ତୁ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଅତୁଟ ରହିଛି।ଓଡ଼ିଶା ଲୋକ ମୋଦିଙ୍କୁ ସିନା ପସନ୍ଦ କରୁଛନ୍ତି।କିନ୍ତୁ ଓଡ଼ିଶାର ବିଜେପି ନେତୃତ୍ୱ ଲୋକଙ୍କର ଆସ୍ଥାଭାଜନ ହୋଇ ପାରିନାହିଁ।ମୋଦି ଅନ୍ୟାନ୍ୟ ରାଜ୍ୟ ଗୁଡ଼ିକ ଗସ୍ତ କାଳରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି।ସେମାନଙ୍କର ନାଁ’ ନେଇ ବ୍ୟକ୍ତିଗତ ସ୍ତରରେ ସେମାନଙ୍କୁ ଆକ୍ଷେପ କରି ସେମାନଙ୍କର ଦୁର୍ନୀତିର ପେଡ଼ି ଖୋଲୁଛନ୍ତି।କିନ୍ତୁ,ଓଡ଼ିଶା ଗସ୍ତ ସମୟରେ ମୋଦୀ ସେତେ ଆକ୍ରମଣାତ୍ମକ ହେଉ ନାହାଁନ୍ତି।ସମାଲୋଚନା କଲା ବେଳେ ନବୀନ ପଟ୍ଟନାୟକଙ୍କ ନାଁ’ ଧରୁ ନାହାଁନ୍ତି।ନବୀନ ପଟ୍ଟନାୟକ ମଧ୍ୟ ସେହିପରି କେନ୍ଦ୍ରୀୟ ଅବହେଳା କଥା କହି କେନ୍ଦ୍ର ସରକାରଙ୍କୁ ସିନା ଆକ୍ଷେପ କରୁଛନ୍ତି,କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେପରି କିଛି ଆକ୍ଷେପ କରି କହୁ ନାହାଁନ୍ତି।

ସେହିପରି କେନ୍ଦ୍ର ସରକାରଙ୍କର ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ ସମୟରେ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ଅନେକ ଥର ପ୍ରଶଂସା କରି ଯାଇଛନ୍ତି।ଏବଂ ନବୀନ ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ,ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ,ଜିଏସଟି ଆଦି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମୟରେ ନରେନ୍ଦ୍ର ମୋଦୀ ସରକାରକୁ ସମର୍ଥନ ଦେଇଛନ୍ତି।ବିଜେପିର ରାଜ୍ୟ ନେତୃତ୍ୱ ନବୀନ ପଟ୍ଟନାୟକଙ୍କୁ ଯେତେ ଗାଳି କଲେ କ’ଣ ହେଲା?ମେଣ୍ଟ ଭାଙ୍ଗିବା ପରେ ମେଣ୍ଟ ରଖିବା ପାଇଁ ବିଜେପି ଦୁଇ ଦୁଇ ଥର ସେବେକାର ଓଡ଼ିଶା ବିଜେପି ପ୍ରଭାରୀ ଚନ୍ଦନ ମିତ୍ରଙ୍କୁ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇବା ଲୋକେ ଦେଖିଛନ୍ତି।ମୋଦିଙ୍କର “କଂଗ୍ରେସ ମୁକ୍ତ” ନ୍ୟାରାକୁ ଓଡ଼ିଶାରେ ବିଜେପି ନେତା ନୁହଁ ବରଂ ନବୀନ ପଟ୍ଟନାୟକ ସଫଳ କରାଇଛନ୍ତି।ସଂପ୍ରତି ରାଜନୈତିକ ପରିସ୍ଥିତି ଭିତରେ ଯେତେବେଳେ ସପା, ବସପା, ଟିଏମସି, କଂଗ୍ରେସ,ଆରଜେଡି, ବାମପନ୍ଥୀ ଆଦି ପରସ୍ପର ବିରୋଧୀ ବିଜେପିକୁ ଶାସନରୁ ଦୂରେଇ ରଖିବା ପାଇଁ ପରସ୍ପର ହାତ ମିଳାଉଛନ୍ତି, ନବୀନ ପଟ୍ଟନାୟକ ସେତେବେଳ ଉଭୟଙ୍କଠୁ ସମଦୂରତା କରି ରଖୁଛନ୍ତି।ଏହା ଓଡ଼ିଶା ଲୋକଙ୍କ ଭିତରେ ପ୍ରଭାବ ପକାଇବା ସହ ଏଥିପାଇଁ ନରେନ୍ଦ୍ର ମୋଦୀ ଯେ,ଏବେ ବି ନବୀନ ପଟ୍ଟନାୟକଙ୍କ ସହ ମେଣ୍ଟ ପାଇଁ ଆଗ୍ରହୀ ବୋଲି ପ୍ରତିପାଦିତ ହେଉଛି।ଓଡ଼ିଶାର ଲୋକ ଚାହୁଁଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର।ତେଣୁ ଏପରି ପରିସ୍ଥିତିରେ ନବୀନ ପଟ୍ଟନାୟକ କିମ୍ବା ବିଜେଡି,ମୋଦୀ କିମ୍ବା ବିଜେପିକୁ ଅଧିକ ସମାଲୋଚନା କରିବା କିମ୍ବା ମୋଦୀ ଏବଂ ବିଜେପି,ନବୀନ ପଟ୍ଟନାୟକ କିମ୍ବା ବିଜେଡିକୁ ଅଧିକ ସମାଲୋଚନା କରିବା ଓଡ଼ିଶା ଲୋକ ଗ୍ରହଣ କରୁ ନାହାଁନ୍ତି।ଯିଏ ବି ଏପରି କରୁଛି,ବରଂ ତା’ର ହିଁ କ୍ଷତି ହେଉଛି।ତେଣୁ ଓଡ଼ିଶା ଲୋକଙ୍କର ଭାବନାକୁ ବୁଝିପାରି ବିଜେପି କିମ୍ବା ବିଜେଡି ପରସ୍ପରକୁ ଆକ୍ଷେପ କରିବା ଅପେକ୍ଷା ନିଜ ନିଜର ବ୍ୟବସ୍ଥା କରିବା ଉଭୟଙ୍କ ପାଇଁ ସହାୟକ ହେବ ବୋଲି ଅନୁଭବ ହେଉଛି।

ଏମିତିରେ ମୋଦିଙ୍କର ପ୍ରାଥମିକତା ନିଶ୍ଚିତ ୨୧ଟି ଲୋକସଭା ଆସନ।୨୦୧୪ରେ ପାଇଥିଲେ ମାତ୍ର ଗୋଟାଏ।ବାକି ୨୦ ବିଜେଡିର।ସେହି ୨୦ ସାଂସଦଙ୍କର ସମର୍ଥନ ମିଳିଛି ରାଷ୍ଟ୍ରପତି,ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଦି ପରି ସମୟରେ।ଏବେ ମୋଦୀ ଡବଲ ଇଞ୍ଜିନ କଥା କହିଲେଣି।ସେକେଣ୍ଡ ଇଞ୍ଜିନ କଥା କହୁକହୁ ଏପରି ନ’ ହେଉ ୨୧ଟି ସାଂସଦ ସିଟ ମଧ୍ୟରୁ କିଛି ବି କଂଗ୍ରେସ ହାତକୁ ଚାଲିଯାଉ।ଯାହା ବିଜେପି ପାଇଁ ଘାତକ।ସେହିପରି ମୋଦୀ ଲହର ଭିତରେ ବିଜେଡି ମଧ୍ୟ ମୋଦିଙ୍କୁ ସେପରି ବିଶେଷ ଆକ୍ଷେପ ନ’ କରୁ ଯେପରି ବିଜେଡିର କିଛି ଆସନ ହାତରୁ ଖସି ଯାଇ ନବୀନଙ୍କୁ ସରକାର ଗଢ଼ିବାକୁ କାହାର ସହଯୋଗ ନେବାକୁ ପଡ଼ିବ।ଆଉ ଏ’ ଭିତରେ ପରସ୍ପରକୁ ଆକ୍ଷେପ କରି ଭାଷଣବାଜୀ କରୁଥିବା ବିଜେପି ଏବଂ ବିଜେଡି ନେତା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ନେତାଙ୍କଠାରୁ ଅଧିକ ଲଢ଼େଇ କରୁଥିବା ଉଭୟ ଦଳର କର୍ମୀ ଭବିଷ୍ୟତରେ ଏକ ସମ୍ଭାବ୍ୟ ମେଣ୍ଟ ପରିସ୍ଥିତିକୁ ନେଇ ଏବେଠୁ ଚିନ୍ତା କରନ୍ତୁ ତ’!//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.