Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଗୋଳବାଇର ଦଶଦୋଳ ଯାତ୍ରା

ଗୋଳବାଇର ଦଶଦୋଳ ଯାତ୍ରା

478

-ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ

ଦୋଳଯାତ୍ରା ଉତ୍କଳର ଏକ ସ୍ୱତନ୍ତ୍ର ପରମ୍ପରା।ଏହି ପରମ୍ପରାରେ ଗୋଳବାଇର ଦଶଦୋଳ ଯାତ୍ରା ଅନ୍ୟତମ। ଚୈତ୍ରମାସ କୃଷ୍ଣ ପକ୍ଷ ଦଶମୀ ତିଥି ମଧ୍ୟରାତ୍ରୀର ନୀତି ନିର୍ଘଣ୍ଟ ନିର୍ଦ୍ଧାରିତ ଏକ ଅମୃତ ବେଳାରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ନିଜ ମନ୍ଦିର ଆସ୍ଥାନକୁ ତ୍ୟାଗ କରି ଉତ୍କୁଣ୍ଠିତ ନୟନରେ ଚାହିଁ ରହିଥିବା ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସହିତ ମହା ପଟୁଆରରେ ସୁସଜ୍ଜିତ ଦୋଳ ବିମାନରେ ଆସି ସାମିଲ ହୁଅନ୍ତି।ବିଶ୍ୱ କଲ୍ୟାଣମୟୀ ମା’ ଭଗବତୀଙ୍କ ଅଗମନୀରେ ହରିବୋଲ, ହୁଳହୁଳି ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠେ।ବାଜି ଉଠନ୍ତି ଶୁଭଶଙ୍ଖ,ଘଣ୍ଟ-ଘଣ୍ଟା,ଭେରୀ-ତୁରୀ,ଟମକ-କାହାଳୀ, ଢୋଲ-ମହୁରୀ ଏବଂ ଖୋଳ-ତାଳର ସୁମଧୁର ମୂର୍ଚ୍ଛନା। ନାନା ରଙ୍ଗ ନୃତ୍ୟ ରସରେ ନାଚି ଉଠନ୍ତି ନୃତ୍ୟକାରୀମାନେ।ଚଇତି ଘୋଡ଼ା ନୃତ୍ୟ, ନାଗା ନୃତ୍ୟ, ପରୀ ନୃତ୍ୟ, ବାଘ ନୃତ୍ୟ, ପାଇକ ଆଖଡା ନୃତ୍ୟ, କଣ୍ଢେଇ ନୃତ୍ୟ, ବିଭିନ୍ନ ଦେବଦେବୀଙ୍କ ପ୍ରତିମାଧାରୀ କଳ ନୃତ୍ୟ, କଳ ଘୋଡ଼ା ନୃତ୍ୟ ସାଙ୍ଗକୁ ଆଧୁନିକ ଯାନ୍ତ୍ରିକ ବାଦ୍ୟ ରସରେ ଆଚ୍ଛାଦିତ ଅଲୋକମାଳାର ଅପୂର୍ବ ଦୃଶ୍ୟରାଜି ସତେ ଯେମିତି ଶୋଭାଯାତ୍ରାର ରୂପକୁ ସ୍ବର୍ଗୀୟ ଭୂଷଣରେ ବିମଣ୍ଡିତ କରିଦିଏ।ଆଗକୁ ଆଗକୁ ଶୋଭାଯାତ୍ରା ବାଦ୍ୟର ନିର୍ଘୋଷ ନାଦରେ ମାଡିଚାଲେ।ପୂର୍ବ ନିର୍ଦ୍ଧାରିତ ଅଖାପାଖି ପ୍ରାୟ ୨୦ ଟି ମୌଜାରୁ ୫୦ରୁ ଉର୍ଦ୍ଧ୍ବ ନିମନ୍ତ୍ରିତ ଦେବଦେବୀମାନେ ଦୋଳବିମାନରେ ଆସି ସାମିଲ ହୋଇ ଏହି ମହାପଟୁଆରର ଦୃଶ୍ୟରାଜିକୁ ବହୁଗୁଣିତ କରି ଦିଅନ୍ତି।ଦଶମୀର ଉଷା ମୁହୂର୍ତ୍ତରେ ଶୋଭାଯାତ୍ରାର ଭ୍ରମଣ ସରନ୍ତେ , ନିଜ ଯାତ୍ରାର ସ୍ବୟଂ ସ୍ଥାନାଧିପତିନୀ ମା’ ଭଗବତୀ ନିଜର ସୁସଜ୍ଜିତ ଦୋଳ ବେଦୀ ପରେ ଉପବେଶନ କରିବା ସହିତ ନିମନ୍ତ୍ରିତ ଦେବଦେବୀମାନେ ପୂର୍ବ ନିର୍ଦ୍ଧାରିତ ମଣ୍ଡପରେ ଅସୀନ ହୁଅନ୍ତି।ସମବେତ ଶ୍ରଦ୍ଧାଳୁଙ୍କ ଭିଡରେ ଏହିପରି ଦଶମୀ ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ମହା ଆଡମ୍ବର ସହକାରେ ଦୀର୍ଘ ୪ ଦିନ ଧରି ଯାତ୍ରା ଚାଲେ।ମେଳଣ ପଡ଼ିଆର ଶୋଭାକୁ ବହୁମ୍ମୁଖୀ କରିଥାଏ ଶହ ଶହ ଦୋକାନର ଭିଡ଼।ବିଭିନ୍ନ ଗୃହ ଉପକରଣୀୟ ସାମଗ୍ରୀର ବିକାକିଣା ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟପଦାର୍ଥରେ ଅସଂଖ୍ୟ ଶ୍ରଦ୍ଧାଳୁ ମଜା ନିଅନ୍ତି।ଏହା ଏକ ଭାଇଚାରାର ପର୍ବ। ବର୍ଷକରେ ଥରେ ମେଳଣ ପଡ଼ିଆରେ ବହୁଦିନର ପୁରୁଣା ବନ୍ଧୁଙ୍କ ସହ ଭେଟ-ଭାଟ ହେବାରେ ଏକ ନିଆରା ଆନନ୍ଦ ମିଳେ।କାନ୍ଧକୁ କାନ୍ଧ ମେଳାଇ ପରସ୍ପର ମଧ୍ୟରେ କୋଳାଗ୍ରତ ହେବାର ଆନନ୍ଦ ଏହି ମେଳଣ ପଡ଼ିଆ ହିଁ ତାର ମୁକସାକ୍ଷୀ।ଦର୍ଶକଙ୍କ ରାତ୍ରି ମନରଞ୍ଜନ ନିମିତ୍ତ ଓଡ଼ିଶାର ବହୁ ଲୋକପ୍ରିୟ ଅପେରା ପାର୍ଟି ଦୀର୍ଘ ରାତ୍ରି ବ୍ୟାପୀ ସେମାନଙ୍କର କଳା ପରିବେଷଣ କରି ଦର୍ଶକଙ୍କ ମନକୁ କିଣି ନିଅନ୍ତି।ପରେ ପରେ ସରିଆସେ ତ୍ରୟୋଦଶୀ ରାତ୍ରି।ଠିକ୍ ଚତୁର୍ଦ୍ଦଶୀର ଉଷା ପ୍ରହରକୁ ସମସ୍ତଙ୍କର ଅପେକ୍ଷା।ମା’ଭଗବତୀ ନିଜର ଚତୁର୍ଦିନ ଯାତ୍ରା ଆସନକୁ ପରିତ୍ୟାଗ କରି ଉଠନ୍ତି ମହା ମେଳଣ ପର୍ବରେ ସାମିଲ ହେବା ପାଇଁ। ମା’ଙ୍କ ସହିତ ଉଠିଆସନ୍ତି ବିମାନାରୁଢ଼ ନିମନ୍ତ୍ରିତ ଦେବଦେବୀମାନେ ରତ୍ନ ବେଦୀର ଚତୁପାର୍ଶ୍ଵକୁ।ଅସଂଖ୍ୟ ଭକ୍ତଗଣ ଫଗୁ,ରଙ୍ଗ,ଅବିର ଧରି ଏକ ଅପୂର୍ବ ମୁହୂର୍ତ୍ତର ମହାମିଳନ ଘଟେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ।ଭକ୍ତଗଣ ଆତୁର କଣ୍ଠରେ ନିଜର ଦୂରବସ୍ଥା ଜଣାନ୍ତି
ଦେବଦେବୀଙ୍କୁ ଏହି ମେଳନର ରଙ୍ଗ ଅର୍ପଣରେ।ତାପରେ ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରନ୍ତି,,,,ପୁଣି ଭକ୍ତ ଅପେକ୍ଷା ରଖେ ଆର ବର୍ଷକୁ,,,, ସେହି କଲ୍ୟାଣମୟୀ ବିଶ୍ବକୁ ଅମୃତ ଦୃଷ୍ଟିରେ ଚାହିଁଥାଉ,,,ଏହା ହିଁ ପ୍ରାର୍ଥନା,,, ଜୟ ମା’ ଭଗବତୀ//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.