Home ଓଡ଼ିଶା ମୋଦୀ ସରକାର ହଳଧର ନାଗ୍ ଭଳି ଜଣେ ମଳିମୁଣ୍ଡିଆ ଲୋକକୁ ପଦ୍ମ ପୁରସ୍କାର ଦେଇଥିଲା –...

ମୋଦୀ ସରକାର ହଳଧର ନାଗ୍ ଭଳି ଜଣେ ମଳିମୁଣ୍ଡିଆ ଲୋକକୁ ପଦ୍ମ ପୁରସ୍କାର ଦେଇଥିଲା – ଧର୍ମେନ୍ଦ୍ର ପ୍ରଧାନ

612

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ଜନ ସମ୍ବାଦ ରାଲି”ର ଆୟୋଜନ କରାଯାଉଛି। ଯେଉଁଥିରେ ସାମାଜିକ ଦୂରତା ରକ୍ଷା କରି ମୋଦୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଛନ୍ତି। ତଦ୍ ଅନୁଯାୟୀ ରବିବାର ଦିନ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଯାହାର ନାମ ଥିଲା “ଓଡ଼ିଶା ଜନ ସମ୍ବାଦ ରାଲି”। ଅମିତ ଶାହା ତାଙ୍କ ସମ୍ବୋଧନରେ ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଗୁଡ଼ିକ ଉପରେ କହିବା ସହ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ରହିଥିବା ଅବଦାନ ଗୁଡ଼ିକୁ ବଖାଣି ଥିଲେ। ଶାହାଙ୍କ ସହିତ ଉପସ୍ଥିତ ଥିଲେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ। ପ୍ରତାପ ଷଡ଼ଙ୍ଗୀଙ୍କୁ ତ’ କହିବାର ସୁଯୋଗ ମିଳିନଥିଲା। ତେବେ, ଶାହାଙ୍କ ବକ୍ତବ୍ୟ ପୂର୍ବରୁ ବକ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ମଧ୍ୟ ତାଙ୍କ ବକ୍ତବ୍ୟରେ ଅନ୍ୟ ସରକାର ତୁଳନାରେ ମୋଦୀ ସରକାରଙ୍କର ଓଡ଼ିଶା ପ୍ରତି ରହିଥିବା ଅବଦାନ ଗୁଡ଼ିକୁ ବଖାଣି ଥିଲେ। ତେବେ ଏହା ଭିତରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହଳଧର ନାଗଙ୍କ କଥା କହିବାକୁ ଯାଇ ଧର୍ମେନ୍ଦ୍ର କହିଥିଲେ, ଯେ କୋଉ ସରକାର ଥିଲା ଯିଏ, ହଳଧର ନାଗ୍ ଭଳି ଜଣେ ମଳିମୁଣ୍ଡିଆ ଲୋକକୁ ପଦ୍ମ ପୁରସ୍କାର ଦେଇଥିଲା, ଓଡ଼ିଆ ଜାତିକୁ ସମ୍ମାନ କରିଥିଲା, ଗୌରବ ଆଣିଥିଲା। ଏଠାରେ ଧର୍ମେନ୍ଦ୍ର ପ୍ରଧାନ ହଳଧର ନାଗଙ୍କ ପାଇଁ କେଉଁ ମର୍ମରେ ‘ମଳିମୁଣ୍ଡିଆ’ ଶବ୍ଦ ବ୍ୟବହାର କଲେ, ତାହା ତ’ ଜଣାପଡ଼ୁନି। କିନ୍ତୁ, ହଳଧର ନାଗ୍ ଯେ, ମଳିମୁଣ୍ଡିଆ କି ସଫା ସୂତୁରା କିମ୍ୱା କଳା, ଗୋରା ଆଧାରରେ ପଦ୍ମଶ୍ରୀ ପାଇନଥିଲେ। ହଳଧର ଜଣେ କବି ଏବଂ ଲେଖକ ଆଧାରରେ ପଦ୍ମଶ୍ରୀ ପାଇଥିଲେ। ଏଥିପାଇଁ କଳା – ଗୋରା କିମ୍ୱା ମଳିମୁଣ୍ଡିଆ କି ସଫା ସୂତରାର କୌଣସି ମାନେ ନାହିଁ।

ପଦ୍ମଶ୍ରୀ ବିଜେତା ହଳଧର ନାଗ୍ ଓଡ଼ିଶାର ଜଣେ ସମ୍ମାନିତ କବି ଓ ଲେଖକ। କୋଶଳି ଭାଷାରେ ସାହିତ୍ୟ ସର୍ଜନା କରି, ସେ ପ୍ରାୟ ୩୩୦ରୁ ଉର୍ଦ୍ଧ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ହଳଧର ନାଗ୍ ୨୦୧୬ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଏହା ବ୍ୟତିତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ବ୍ରହ୍ମପୁତ୍ର ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଆଦି ପୁରସ୍କାର ପ୍ରାପ୍ତ କରିଛନ୍ତି। ସେହିପରି ହଳଧର ନାଗ୍ ଲୋକ କବିରତ୍ନ, କୋଶଳ କୁଇଲି, ଯାଦବ କୁଳ ଗୌରବ, କୋଶଳ ରତ୍ନ ଏବଂ ଯାଦବ ରତ୍ନ ଆଦି ଉପାଧିରେ ଭୂଷିତ ହୋଇଛନ୍ତି। ତେଣୁ, ହଳଧର ନାଗ୍ ଭଳି ଜଣେ ମଳିମୁଣ୍ଡିଆ ଲୋକକୁ ମୋଦୀ ସରକାର ପଦ୍ମ ପୁରସ୍କାର ଦେଇଥିଲା କହି ବାସ୍ତବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦି ଏବଂ ବିଜେପି ସରକାରର ପ୍ରଶଂସା କରିଛନ୍ତି, ନାଁ ହଳଧର ନାଗ୍ ଏବଂ ଜଣେ ମଳିମୁଣ୍ଡିଆର ଅପମାନ କରିଛନ୍ତି, ତାହା ବିଚାର୍ଯ୍ୟ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.