Home Top News ଆଗାମୀ ନିର୍ବାଚନରେ ଶାସକ ବିଜେଡିକୁ ୫୦୦ କୋଟି ଟଙ୍କାର ଚାନ୍ଦା ଦେବା ପାଇଁ ମିଲର୍ସ ମାନଙ୍କୁ...

ଆଗାମୀ ନିର୍ବାଚନରେ ଶାସକ ବିଜେଡିକୁ ୫୦୦ କୋଟି ଟଙ୍କାର ଚାନ୍ଦା ଦେବା ପାଇଁ ମିଲର୍ସ ମାନଙ୍କୁ ଯାଇଛି ନିର୍ଦ୍ଦେଶ: ପ୍ରଦୀପ ପୁରୋହିତ

63

ଭୁବନେଶ୍ୱର: ରାଜ୍ୟ ସରକାର ଏବଂ ମିଲର୍ସ ମାନଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶା ସରକାର ଚାଷୀଙ୍କ ପାଇଁ ନୁହେଁ ବରଂ ମିଲର୍ସ ମାନଙ୍କ ସହାୟତାରେ କୋଟି କୋଟି ଟଙ୍କା ହରିଲୁଟ୍ କରୁଛନ୍ତି। ଚଳିତ ରବି ଚାଷ ଧାନ କିଣାବିକାରେ ୫୦୦ କୋଟି ଟଙ୍କାର ଚାନ୍ଦା ଶାସକ ବିଜେଡିକୁ ଦେବା ପାଇଁ ଓଡ଼ିଶା ସରକାର ମିଲର୍ସ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏଥି ପାଇଁ ପ୍ରାକ୍ ପ୍ରସ୍ତୁତ କରିଛନ୍ତି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୫୦୦ କୋଟି ଟଙ୍କାର ଚାନ୍ଦା ଶାସକ ବିଜେଡିକୁ ଦେବା ପାଇଁ ମିଲର୍ସ ସଙ୍ଗଠନକୁ କୁହାଯାଇଛି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେବାକୁ ଥିବା ୨୦ ହଜାର କୋଟି ଟଙ୍କା ଉପରେ ରାଜ୍ୟ ସରକାର ଓ ମିଲର୍ସଙ୍କ ଆଖି। ଗତ ଥର ରାଜ୍ୟରେ ୫୯୦୦ଟି ମଣ୍ଡି ଖୋଲିଥିବାବେଳେ ଚଳିତ ସିଜିନ ପାଇଁ ବର୍ତ୍ତମାନ ସୁଦ୍ଧା ୧୧ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଗୋଟିଏ ହେଲେ ମଣ୍ଡି ଖୋଲାଯାଇ ନାହିଁ ଏବଂ ସମଗ୍ର ରାଜ୍ୟରେ ମାତ୍ର ୧୮୦୦ଟି ମଣ୍ଡି ଖୋଲାଯାଇଛି ଏବଂ ପାଖାପାଖି ୭୦ ପ୍ରତିଶତ ମଣ୍ଡି ବର୍ତ୍ତମାନ ସୁଦ୍ଧା ଖୋଲାଯାଇ ନାହିଁ। ମଣ୍ଡି ନଖୋଲିଥିବା କାରଣରୁ ଚାଷୀ ଅଭାବି ବିକ୍ରୀର ଶିକାର ହୋଇ ବାଧ୍ୟବାଧକତାରେ ଧାନ କ୍ୱିଂଟାଲ ପ୍ରତି ୯୦୦/୧୦୦୦ ଟଙ୍କାରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି। ଟୋକନ୍ ଅବ୍ୟବସ୍ଥା, ମଣ୍ଡି ଭିତିଭୂମି ଅଭାବ ସୃହ୍‌ଟି କରାଯାଇ ଚାଷୀଙ୍କଠାରୁ ସିଧାସଲଖ ୯୦୦/୧୦୦ ଟଙ୍କାରେ ଧାନ ବିକ୍ରି କରାଯିବାର ବିରାଟ ଷଡ଼ଯନ୍ତ ରଚାଯାଇଛି। ପ୍ରତି କ୍ୱିଂଟାଲରେ ୨୦୦ ଟଙ୍କା ହିସବାରେ ଚାହୀଙ୍କ ଟୋକନ କିଣୁଛନ୍ତି ମିଲର୍ସ। ଆରଏମସି ଓ ସମବାୟ ବିଭାଗର ଷଡ଼ଯନ୍ତ୍ରର ଶିକାର ହୋଇ ଚାଷୀ ମଣ୍ଡିକୁ ଧାନ ନନେଇ ସିଧାସଲଖ ମିଲର୍ସମାନଙ୍କ ପାଖକୁ ପହଞ୍ଚାଉଛି।କାଗଜପତ୍ରରେ ମଣ୍ଡିରେ ପ୍ରବେଶ ଦେଖାଇ ସିଧାସଲଖ ମିଲକୁ ଯାଉଥିବା ଧାନରେ କ୍ୱିଂଟାଲ ପ୍ରତି ୧୨ ଟଙ୍କା ଆଏମସି ଓ ପାକ୍ସକୁ ଲାଂଚ ଦେଉଛି ଚାଷୀ। ଏଥିରେ ବର୍ଷକୁ କୋଟି କୋଟି ଟଙ୍କା ଅଧିକାରୀମାନେ ଲୁଟି ନେଉଛନ୍ତି। ଟୋକନ୍ ଅବ୍ୟବସ୍ଥା କାରଣରୁ ମିଲର୍ସ, ଆରଏମସି ଓ ପାକ୍ସ ଅଧିକାରୀମାନ ମଧୁଚନ୍ଦ୍ରିକା କରି ବ୍ୟାପକ ଅର୍ଥ ହରିଲୁଟ୍ କରୁଛନ୍ତି ଏବଂ ଅନ୍ୟ ପକ୍ଷରେ ନିରୀହ ଚାଷୀ ଆତ୍ମହତ୍ୟା କରୁଛି। ସତ୍ ସାହାସ ଥିଲେ ରାଜ୍ୟ ସରକାର ଦୁର୍ନୀତି କରୁଥିବା ମିଲର୍ସମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦୀପ ପୁରୋହିତ ଦାବି କରିଛନ୍ତି।

ଗତ ମାର୍ଚ୍ଚ ମାସ ୧୬ ତାରିଖ ଦିନ ରାଜ୍ୟର ବିଜେପି ସାଂସଦ ମାନେ କେନ୍ଦ୍ରମନ୍ତ୍ରୀ ପିୟୁଶ ଗୋଏଲଙ୍କୁ ଭେଟି ଓଡ଼ିଶା ରାଜ୍ୟର ଧାନ କିଣାବିକାର ଅବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ।କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଓ ଏଫସିଆଇ ଅଧିକାରୀମାନେ ରାଜ୍ୟର ବିଭିନ୍ନ ମଣ୍ଡିକୁ ଯାଇ ସରଜମିନ ତଦନ୍ତ କରି ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୧୫୧ ଦିନ ପର୍ଯ୍ୟନ୍ତ ମଣ୍ଡି ଖୋଲିବା, ମିଲର୍ସଙ୍କ ଦ୍ୱାରା ଚାଷୀଙ୍କ ଧାନ କଟନୀ ଛଟନୀକୁ ବନ୍ଦ କରିବା, କେନ୍ଦ୍ର ସରକାର ପଠାଉଥିବା ଅଖା, ପରିବହନ ଖର୍ଚ୍ଚ ଆଦି ଚାଷୀଙ୍କୁ ସୁରୁଖୁରୁରେ ଯୋଗାଇଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଚଳିତ ମାସ ୨୨ ତାରିଖରେ ନୂଆଦିଲ୍ଲୀ ଠାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ପିୟୁଶ ଗୋଏଲଙ୍କୁ ପୁଣି ଥରେ ଓଡ଼ିଶାର ସାଂସଦ ମାନେ ଭେଟି ଧାନ କିଣାବିକାର ଅବ୍ୟବସ୍ଥା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ରାଜ୍ୟ ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ପାଇଁ ଅନୁରୋଧ ଜଣାଇଛନ୍ତି।

ଚାଷୀ ନିଜ ଅମଳ ଧାନକୁ କେବେ ବିକ୍ରି କରିବ ଧାନ ବିକ୍ରି ପାଇଁ ପଂଜୀକରଣ ସମୟରେ ଏକ ସ୍ୱତନ୍ତ୍ର ଫର୍ମରେ ଉଲ୍ଲେଖ କରୁଥିଲେ ମଧ୍ୟ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ନିଜ ମନଇଚ୍ଛା ମୁତାବକ ଟୋକନ ବଣ୍ଟନ କରୁଛନ୍ତି। ମଧ୍ୟସ୍ଥିଙ୍କ ଠାରୁ କମ୍ ଦରରେ ଧାନ କିଣିବା ପରେ ଚାଷୀ ପାଇଥିବା ଟୋକନକୁ ୧୦୦-୨୦୦ ଟଙ୍କାରେ କିଣି ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାର ଲାଭ ଉଠାଉଛି ମିଲର୍ସ। କମ୍ ଦରରେ ଧାନ କିଣିଲେ ମିଲର୍ସମାନଙ୍କୁ ଗିରଫ କରାଯିବ ବୋଲି ରାଜ୍ୟର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ବକ୍ତବ୍ୟରୁ ରାଜ୍ୟ ସରକାର ମିଲର୍ସମାନଙ୍କୁ ଧାନ କିଣିବାର ସଂପୂର୍ଣ୍ଣ ଦାୟୀତ୍ୱ ଦେଇଥିବା ପରୋକ୍ଷରେ ସ୍ୱୀକାରୋକ୍ତି କରିଛନ୍ତି ବୋଲି ପ୍ରଦୀପ କହିଛନ୍ତି। ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଶ୍ରୀରଂଜନ ମଙ୍ଗରାଜ, ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ, ଗଣମାଧ୍ୟମ ରାଜ୍ୟ ସହ ପ୍ରମୁଖ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.