Home Coronavirus Outbreak ୩୦ ଏପ୍ରିଲ ଯାଏଁ ଓଡ଼ିଶାରେ ବଢ଼ିଲା ଲକଡାଉନ ଅବଧି – ସମସ୍ତ ବିଦ୍ୟାଳୟ, କଲେଜ ଏବଂ...

୩୦ ଏପ୍ରିଲ ଯାଏଁ ଓଡ଼ିଶାରେ ବଢ଼ିଲା ଲକଡାଉନ ଅବଧି – ସମସ୍ତ ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନ ୧୭ ଜୁନ୍ ପର୍ଯ୍ୟନ୍ତ ବନ୍ଦ

2335

ଭୁବନେଶ୍ୱର ୯-୪ (ଓଡ଼ିଆ ପୁଅ) ଓଡ଼ିଶା ସରକାର ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଇଛନ୍ତି ଏବଂ ରେଳ ଏବଂ ବିମାନ ଯୋଗାଯୋଗକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ସମସ୍ତ ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନ କରୋନା ଭାଇରସ୍ କାରଣରୁ ୧୭ ଜୁନ୍ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଓଡିଶା କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଓଡିଶାର ଲୋକମାନେ ଯେଉଁମାନେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି, ସେମାନଙ୍କ ବିଷୟରେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ହୋଇଛି। କରୋନା ମୁକାବିଲା ପାଇଁ ଭବିଷ୍ୟତ ରଣନୀତି ନେଇ ପ୍ରସ୍ତାବ ପାରିତ ହୋଇଛି। ଜରୁରୀକାଳୀନ ପାଣ୍ଠି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ପାରିତ ହୋଇ ଥିବା ବେଳେ କୋଭିଡ-୧୯ ନିୟମାବଳୀ ୨୦୨୦ରେ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି। ଏହି ଗୁରୁତର ସଙ୍କଟ ପରିସ୍ଥିତିରେ ଓଡ଼ିଶା ବାସୀଙ୍କର ସାହାଯ୍ୟ ଏବଂ ସହଯୋଗ ପାଇଁ ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ପଟ୍ଟନାୟକ।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ ପ୍ରକାଶ କରିଛନ୍ତିଯେ, “ଅପାଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଭଳି ଭାବରେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି।

ମୁଁ ଜାଣେ ଏଥି ପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡୁଛି। ଅନେକ ତ୍ୟାଗ କରିବାକୁ ପଡ଼ୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ବାଟ।

ତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା କେସ୍ ଆସିଲା ତା ପରଠାରୁ ଆଜି ପର୍ଯ୍ୟନ୍ତ ୪୨ଟି କେସ୍ ଆସିଛି। ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି।

ଏହି ସମୟ ମଧ୍ୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା କେସ୍ ୩୦୦୦ ରୁ ଆସି ୪ ଲକ୍ଷରେ ପହଁଞ୍ଚିଛି। ୯/୧୧ର ଆତଙ୍କବାଦୀ ଆକ୍ରମଣ ଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳୀ ଦେଇଥିଲେ ତା ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି। ତଥାପି ଆମେରିକା ସମ୍ପୂର୍ଣ୍ଣଭାବରେ ଲକଡାଉନ୍ କରି ନାହିଁ।

ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିଛି। ଏହି କଠିନ ପରିସ୍ଥିତିରେ ମଣିଷ ଜୀବନକୁ ହିଁ ଅଧୁକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଛୁ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲଡାଉନ୍ ସମୟସୀମା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି କଲୁ। ରାଜ୍ୟ କ୍ୟାବିନେଟ୍ ଆଜି ଲକଡାଉନ୍ ସମୟ ସୀମା ଏପ୍ରିଲ୍ ୩୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛି। ସେହିପରି ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ରେଳ ଓ ବିମାନ ସେବା ବନ୍ଦ ରଖିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ।

ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଯାଇଥିବା ଆମର ଶ୍ରମିକ ଭାଇ ଭଉଣୀମାନଙ୍କ ଯତ୍ନ ନେବା ପାଇଁ ଆମେ ସେସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ। ଓଡ଼ିଶା ସରାକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକ ବନ୍ଧୁମାନଙ୍କର ଯତ୍ନ ନେଉଛନ୍ତି।

ଏହି ଲଡାଉନ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନ୍.ଆର୍.ଇ.ଜି.ଏସ୍. କାର୍ଯ୍ୟକ୍ରମ ଜାରି ରହିବ। କିନ୍ତୁ ଏ ସବୁ କାମରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରାଯିବ। ଲୋକଙ୍କ ଖାଦ୍ୟ ନିରାପତ୍ତା ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକଡାଉନ୍ ସମୟରେ ଯେପରି ମାଲ୍ ପରିବହନରେ ବାଧା ସୃଷ୍ଟି ନ ହୁଏ ସେଥି ପାଇଁ ସରାକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ କୋଭିଡ଼ର ଟେଷ୍ଟିଙ୍ଗ୍ ଓ ଚିକିତ୍ସା ପାଇଁ ରାଜ୍ୟ ସରାକର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି। ଖୁବ୍ ଶୀଘ୍ର ରାଜ୍ୟରେ ୧ ଲକ୍ଷ ରାପିଡ୍ ଟେଷ୍ଟିଙ୍ଗ୍ ସୁବିଧା ବିକାଶ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ।

ଯେଉଁ ଡାକ୍ତରମାନେ ମୋର ଅନୁରୋଧ ରକ୍ଷାକରୀ ଟେଲିମେଡ଼ିସିନ୍ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଘୋଷଣା କରୁଛି ରାଜ୍ୟର ସବୁ ସ୍କୁଲ୍ କଲେଜ୍ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

 

କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତୃଭାବରେ ଦେଖାଦେଇଛି। ଜୀବନ ଯାତ୍ରା ଆଉ ଆଗଭଳି ରହିନାହିଁ। ଆମେ ସମସ୍ତେ ଏହା ବୁଝିବା ଦରକାର ଏବଂ ସାହାସର ସହ ମିଳିତଭାବରେ ଏହାର ମୁକାବିଲା ପଇଁ ରହିବା ଦରକାର। ମହାପ୍ରଭୁଙ୍କ ଆର୍ଶୀବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏ କଠିନ ପରିସ୍ଥିତିରୁ ଆମକୁ ଶୀଘ୍ର ମୁକାଳାଇ ପାରିବ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.