Home Top News “ନାରୀ ଶକ୍ତି ପୁରସ୍କାର”: ମନୋନୟନ ଦାଖଲ ପାଇଁ ବଢ଼ିଲା ଅବଧି

“ନାରୀ ଶକ୍ତି ପୁରସ୍କାର”: ମନୋନୟନ ଦାଖଲ ପାଇଁ ବଢ଼ିଲା ଅବଧି

39

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ମସିହା ପାଇଁ ସମ୍ମାନଜନକ ନାରୀଶକ୍ତି ପୁରସ୍କାର ନିମନ୍ତେ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି। ଏଥିପାଇଁ ୨୦୨୧ ମସିହା ଫେବୃୟାରୀ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିମାନେ ଆବେଦନ କରିପାରିବେ। ପ୍ରତିବର୍ଷ ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ ଦ୍ୱାରା ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ମାନଙ୍କ କୃତିକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଏ। ଏହି ନାରୀଶକ୍ତି ପୁରସ୍କାର ବ୍ୟକ୍ତିଗତ ଭାବରେ, ଦଳଗତ ଭାବରେ, ଅନୁଷ୍ଠାନ ଭିତ୍ତିରେ ଏବଂ ବେସରକାରୀ ସଂଗଠନ ଭିତ୍ତିରେ ପ୍ରଦାନ କରାଯାଏ। ଏଥିରେ ମହିଳା ମାନଙ୍କର ଅଂଶଗ୍ରହଣ, ସିଦ୍ଧାନ୍ତ ନେବାର କ୍ଷମତା, ପାରମ୍ପରିକ ଏବଂ ଅଣପାରମ୍ପରିକ କ୍ଷେତ୍ରରେ କୌଶଳ ବିକାଶ, ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁଯୋଗ ସୃଷ୍ଟି କରିବା, ବିଜ୍ଞାନ ଓ ବୈଷୟିକ କ୍ଷେତ୍ର ଭଳି ଅଣପାରମ୍ପରିକ କ୍ଷେତ୍ରରେ ମହିଳା ମାନଙ୍କୁ ଉତ୍ସାହିତ କରିବା, କ୍ରୀଡ଼ା, କଳା ଓ ସାହିତ୍ୟ ସଂସ୍କୃତି ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଆଯାଇଥାଏ। ଏଥି ସହିତ ମହିଳାମାନଙ୍କ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା, ମହିଳାମାନଙ୍କ ସମ୍ମାନରକ୍ଷା ଭଳି କ୍ଷେତ୍ରକୁ ମଧ୍ୟ ଏହି ପୁରସ୍କାର ପାଇଁ ଗ୍ରହଣ କରାଯାଇଛି ।

ଏହି ପୁରସ୍କାର ପାଇଁ ଆବେଦନର ଯୋଗ୍ୟତାଭାବରେ ସର୍ବନିମ୍ନ ୨୫ ବର୍ଷ ବୟସ ଏବଂ ଅନୁଷ୍ଠାନଗୁଡିକ ପାଇଁ ଅନ୍ୟୂନ ୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ। ବୟସ, ଭୌଗୋଳିକ ସ୍ଥିତ, ଦୁର୍ଗମ ସ୍ଥାନ ଆଦି ସତ୍ତ୍ୱେ ନିଜର ସ୍ୱପ୍ନ ସାକାର କରିବା କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ଏହି ପୁରସ୍କାର ମାଧ୍ୟମରେ ସ୍ୱୀକୃତି ଦିଆଯାଇଥାଏ। ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି ସମାଜକୁ ଅନୁପ୍ରାଣିତ କରିଥାଏ। ବିଶେଷକରି ଦେଶର ଯୁବଗୋଷ୍ଠୀଙ୍କ ମନରେ ପାରମ୍ପାରିକ ଭାବେ ରହିଥିବା ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଏ। ଲିଙ୍ଗଗତ ବୈଷମ୍ୟ ତଥା ଭେଦଭାବ ଦୂର କରି ପୁରୁଷ ନାରୀ ମଧ୍ୟରେ ସମାନ ପ୍ରକାରର ଭାବନା ସୃଷ୍ଟି ପାଇଁ ଉତ୍ସାହିତ ମଧ୍ୟ କରାଯାଏ। ଆଧୁନିକ ସମାଜରେ ମହିଳା ମାନେ ସେମାନଙ୍କ ସହଭାଗୀ ପୁରୁଷମାନଙ୍କ ସହ ସମାନ ସାମାଜିକ ସ୍ଥିତିକୁ ଆସିବା ପାଇଁ ମଧ୍ୟ ଏହି ପୁରସ୍କାର ଉତ୍ସାହିତ କରିଥାଏ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.