Home ଓଡ଼ିଶା “ଜନୌଷଧି ସୁଗମ” ମୋବାଇଲ ଆପ୍ ର ଶୁଭାରମ୍ଭ: – ଜୈବିକ ଔଷଧ ଓ ଜନୌଷଧି କେନ୍ଦ୍ର...

“ଜନୌଷଧି ସୁଗମ” ମୋବାଇଲ ଆପ୍ ର ଶୁଭାରମ୍ଭ: – ଜୈବିକ ଔଷଧ ଓ ଜନୌଷଧି କେନ୍ଦ୍ର ସନ୍ଧାନରେ ହେବ ସହାୟକ – ମାତ୍ର ୧ ଟଙ୍କାରେ ମିଳିବ ଜନୌଷଧି ସୁବିଧା ନାପ୍ କିନ

213

ନୂଆ ଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ନୂଆଦିଲ୍ଲୀଠାରେ ‘ଜନୌଷଧି ସୁଗମ’ ମୋବାଇଲ ଆପ୍ ର ଶୁଭାରମ୍ଭ କରିଛନ୍ତି। ଏଥିସହିତ “ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳିବ ବୋଲି ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ।

ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ବିଷୟରେ ଘୋଷଣା କରି ଶ୍ରୀ ଗୌଡ଼ା କହିଥିଲେ ଯେ ଏକ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଥିଲେ। ଯାହା ଏବେ ପୂରଣ ହୋଇଛି। ସେ କହିଥିଲେ ଯେ “ଜନୌଷଧି ସୁଗମ” ଆପ ମାଧ୍ୟମରେ ଲୋକମାନେ ଜୈବିକ ଔଷଧ ଏବଂ ଜନୌଷଧି କେନ୍ଦ୍ର ସମ୍ପର୍କରେ ସୂଚନା ପାଇବାରେ ସଫଳ ହେବେ।

ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଥିଲେ ଯେ ଭଲ ସାନିଟାରୀ ନାପକିନ ଅଭାବ କାରଣରୁ ୨ କୋଟି ୮୦ ଲକ୍ଷ କିଶୋରୀ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି। କାରଣ ନାପକିନ ପ୍ୟାଡ ସେମାନଙ୍କୁ ଉଚିତ ଦାମରେ ମିଳିନଥାଏ। ସେ କହିଥିଲେ ଯେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ନେଟୱାର୍କ ଜରିଆରେ ସମସ୍ତ କିଶୋରୀମାନଙ୍କୁ ଶସ୍ତା ଦରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ଲାଗି ସରକାର ପ୍ରତିବଦ୍ଧ। ଏହି ପଦକ୍ଷେପ ଦ୍ୱାରା ଗରିବଙ୍କ ଔଷଧ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।

ଭାରତ ସରକାର ୪ ଜୁନ, ୨୦୧୮ରେ ବିଶ୍ୱ ପରିବେଶ ଦିବସର ପୂର୍ବ ସନ୍ଧ୍ୟାରେ ପ୍ୟାଡ ପିଛା ଅଢ଼େଇ ଟଙ୍କା ଦରରେ ‘ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନ୍ୟାପକିନ’ ଯୋଗାଣ ଯୋଜନାର ଶୁଭାରମ୍ଭ କରିଥିଳେ। ଜନୌଷଧି ସୁବିଧା ନାପକିନର ବିଶେଷତ୍ୱ ହେଉଛି ଯେ ଏହା ବ୍ୟବହାର ପରେ ଅକ୍ସିଜେନର ସଂସ୍ପର୍ଶରେ ଆସିବା କ୍ଷଣି ଜୈବିକ ପ୍ରକ୍ରିୟାରେ ନଷ୍ଟ ହୋଇଯାଇଥାଏ। ୩୧, ଜୁଲାଇ ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଜରିଆରେ ୧.୩୦ କୋଟିରୁ ଅଧିକ ପ୍ୟାଡ ବିକ୍ରି ହୋଇସାରିଛି।

ଦେଶର ମହିଳାମାନଙ୍କୁ ଆହୁରି ଶସ୍ତା ଦରରେ ସାନିଟାରୀ ପ୍ୟାଡ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ସରକାର ପ୍ରତି ପ୍ୟାଡ ମାତ୍ର ୧ ଟଙ୍କାରେ ବିକ୍ରି କରିବା ଲାଗି ନିଷ୍ପତି ନେଇଛନ୍ତି। ଲୋକସଭା ନିର୍ବାଚନ-୨୦୧୯ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଇଥିବା ଏହି ପ୍ରତିଶ୍ରୁତିକୁ ଏବେ ପୂରଣ କରାଯିବ।

ବଜାରରେ ସାନିଟାରୀ ପ୍ୟାଡ ଶସ୍ତା ଦରରେ ଉପଲବ୍ଧ ହେବା ଫଳରେ ଦେଶର ବହୁ ସଂଖ୍ୟକ ମହିଳା ଋତୁସ୍ରାବ ସମୟରେ ନିଜର ସ୍ୱାସ୍ଥ୍ୟ ସୁନିଶ୍ଚିତ କରିପାରିବେ। ଏହାଦ୍ୱାରା ଦେଶର ଗରିବ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସୁବିଧା ସୁନିଶ୍ଚିତ ହୋଇପାରିବ।

ଏହି ପଦକ୍ଷେପ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ‘ସ୍ୱଚ୍ଛ ଭାରତ, ସବୁଜ ଭାରତ’ ମଧ୍ୟ ପୂରଣ ହୋଇପାରିବ। କାରଣ ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ପରିବେଶ ଅନୁକୂଳ ଅଟେ। ଏହି ନାପକିନ ସାରା ଦେଶର ୫୫୦୦ରୁ ଅଧିକ ଜନୌଷଧି କେନ୍ଦ୍ରରେ ମିଳିବ।

‘ଜନ ଔଷଧି ସୁଗମ’ ମୋବାଇଲ ଆପ ନିକଟସ୍ଥ ଜନୌଷଧି କେନ୍ଦ୍ରର ଅବସ୍ଥିତି ସମ୍ପର୍କରେ ସୂଚନା ଗୁଗଲ ମ୍ୟାପର ଉପଯୋଗ କରି ପ୍ରଦାନ କରିବ। ଏହାଛଡ଼ା ଜୈବିକ ଔଷଧ, ଔଷଧର ମୂଲ୍ୟ, ଜୈବିକ ଏବଂ ବ୍ରାଣ୍ଡେଡ ଔଷଧର ତୁଳନା, ଖର୍ଚ୍ଚରେ ହେଉଥିବା ସଂଚୟ ବିଷୟରେ ସୂଚନା ମଧ୍ୟ ଏଥିରୁ ମିଳିପାରିବ। ଏହି ମୋବାଇଲ ଆପ୍ଲିକେସନ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ। ଏହାକୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.