ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ଗାରିମାମୟ ଇତିହାସରେ ରକ୍ତତୀର୍ଥ ଇରମ

– ଦେବପ୍ରସାଦ ମିଶ୍ର
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଏକ ଗୌରବ ଗରିମାମୟ କାହାଣୀ। ଉକ୍ତ ସଂଗ୍ରାମରେ କେତେ ଯେ ଆନ୍ଦୋଳନ ବିପ୍ଳବ ଓ ଲୋମହର୍ଷଣକାରୀ ଘଡଣା ସଂଗଠିତ ହୋଇଛି, ତାର କଳନା ନାହିଁ। ତନ୍ମଧ୍ୟରୁ ୧୯୪୨ ମସିହାରେ ସଂଘଟିତ ଭାରତଛାଡ ଆନ୍ଦୋଳନ ବା ଅଗଷ୍ଟ ବିପ୍ଳବ ସ୍ୱାଧୀନତା ସଂଗ୍ରାମ ଇିତିହାସରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଘଟଣା ରୂପେ ବିବେଚିତ। ଫଳାଫଳ ଦୃଷ୍ଟିରୁ ଏହା ଆମ ଦେଶର ଇତିହାସରେ ଫରାସୀ ବିପ୍ଳବ ଓ ରୁଷ ବିପ୍ଳବର ସ୍ଥାନ ଅଧିକାର କରିଥାଏ। ଏହି ଭାରତ ଛାଡ ଆନ୍ଦୋଳନରେ ଭାରତର ଅନ୍ୟାନ୍ୟ ଅଞ୍ଚଳର ଅଧିବାସୀଙ୍କ ପରି ଓଡିଶା ବାସୀ ଏକ ଉଲ୍ଲେଖ ଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ। ବିଶେଷତଃ ଭଦ୍ରକ ସବ୍ ଡିଭିଜନ ଅର୍ନ୍ତଗତ ଈରମ ଅଞ୍ଚଳରେ ଏହି ଆନ୍ଦୋଳନ ଏକ ପ୍ରକାର ଅଭୂତପୂର୍ବ ରୂପ ଧାରଣ କରି ପରିଶେଷରେ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଦିନ ଏକ ହୃଦୟବିଦାରକ ଘଟଣାରେ ପରିସମାପ୍ତି ଘଟିଥିଲା। ପୋଲିସ ଗୁଳି ଚାଳନା କରି ୨୯ ଜଣଙ୍କର ପ୍ରାଣ ନେବା ସଙ୍ଗେ ସଙ୍ଗେ ୫୬ ଜଣଙ୍କୁ ଆହତ କରିଥିଲେ। ତାହା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ମର୍ମନ୍ତୁଦ ଅଧ୍ୟାୟ। ତାର ଏକ ସଂକ୍ଷିପ୍ତ ସୂଚନା ଏଠାରେ ଦିଆଯାଇଛି।

ଭଦ୍ରକ ସବଡିଭିଜନର ବାସୁଦେବପୁର ଥାନା ଅର୍ନ୍ତଗତ ଇରମ ହେଉଛି ଏକ ସୁପ୍ରତିଷ୍ଠିତ ଗ୍ରାମ। ଉକ୍ତ ଥାନାର ଅନ୍ୟ ଅଞ୍ଚଳ ଅପେକ୍ଷା ଏହି ଇରମରେ ଜନଜାଗରଣର ଉଜାଣି ସ୍ରୋତ ଅଧିକ ପ୍ରଖର ହୋଇଥିଲା। ଅବଶ୍ୟ ତା ମୂଳରେ କେତୋଟି କାରଣ ନିହିତ। ତାର ଗହନ କଥା ବାସୁଦେବପୁର ଥାନାର ଇତିହାସରେ ଏକ ରହସ୍ୟ ବିଜଡିତ ଅଧ୍ୟାୟ। ତଥାପି ଦୁଇ ତିନୋଟି କାରଣ ଏଠାରେ ଉଦ୍ଧାର କରାଯାଇପାରେ। ବିଧିପ୍ରେରିତ ହେବା ପରି ସେହି ଘୋର ଦୁର୍ଦ୍ଦିନରେ ଇରମ ଆକାଶରେ ଶୁକ୍ରତାରା ରୂପେ ପ୍ରତିଭାତ ହୁଅନ୍ତି କବି ବାଞ୍ଛାନିଧି ମହାନ୍ତି। ସେ ବହୁ ଉଚ୍ଚକୋଟୀର ଜାତୀୟବାଦୀ କବିତା ରଚନା କରିବା ସଙ୍ଗେ ସଙ୍ଗେ ନିଜେ ଏକ ଯାତ୍ରା ଦଳ ଗଠନ ପୂର୍ବକ ଅଭିନୀତ ନାଟକର ମଧ୍ୟେ ମଧ୍ୟେ ତାହା ଗାନ କରି ଶ୍ରୋତାମାନଙ୍କ ହୃଦୟରେ ଜାତୀୟତାର ତରଙ୍ଗକୁ ଉଦ୍ ବେଳିତ କରିପାରିଥିଲେ।

ଏତଦ୍ ବ୍ୟତୀତ ଇରମ ଅଞ୍ଚଳରେ ଅଭୁତପୂର୍ବ ଜନଜାଗରଣ ପାଇଁ ସେଠାକାର ତତ୍ କାଳୀନ ଜମୀଦାର ରାଧାକାନ୍ତ ପାଢୀ ଯେ କିୟଦଂଶରେ ଦାୟୀ, ତାହା ଅଶ୍ୱୀକାର କରିହେବ ନାହିଁ। ତାଙ୍କ ଅମଲାବୃନ୍ଦଙ୍କର ପ୍ରଜାମାନଙ୍କ ପ୍ରତି ଶୋଷଣ ନୀତି ଈରମ ଅଞ୍ଚଳର ଲୋକମାନଙ୍କୁ ପ୍ରତିକ୍ରୀୟାଶୀଳ କରାଇଥିଲା। ଅବଶ୍ୟ ଉକ୍ତ ଜମୀଦାର ୧୯୨୦ ର ଅସହଯୋଗ ଆନ୍ଦୋଳନଠାରୁ ୧୯୪୦ର ବ୍ୟକ୍ତିଗତ ସତ୍ୟାଗ୍ରହ ପର୍ଯ୍ୟନ୍ତ ସତ୍ୟାଗ୍ରହୀମାନଙ୍କୁ କିଛି ପରିମାଣରେ ସାହାଯ୍ୟ କରିଥିଲେ। ମାତ୍ର ଅଗଷ୍ଟ ବିପ୍ଳବ ସମୟରେ ସେମାନଙ୍କ ପ୍ରତି ବିରୋଧ ମନୋଭାବ ପୋଷଣ କରି ଇଂରେଜମାନଙ୍କୁ ସନ୍ତୁଷ୍ଟ କରି ରଖିବା ପାଇଁ ସେ ଚାହିଁଥିଲେ। ଫଳରେ ଅନ୍ୟ ଅଞ୍ଚଳ ଅପେକ୍ଷା ଇରମ ଅଞ୍ଚଳରେ ଜନଜାଗରଣ ସ୍ରୋତ ଅଧିକ ପ୍ରଖର ହୋଇଥିଲା। ପୁନଶ୍ଚ ଇରମ ଅଞ୍ଚଳରେ ଜନଜାଗରଣ ସ୍ରୋତ ଅଦିକ ବେଗଗାମୀ ହେବା ମୂଳରେ ଅନ୍ୟ ଗୋଟିଏ କାରଣ ଥିଲା ଉକ୍ତ ଅଞ୍ଚଳର ରାଜନୈତିକ ତତ୍ପରତା। ୧୯୨୦ ଖ୍ରୀଷ୍ଟାବ୍ଦର ଅସହ ଯୋଗ ଆନ୍ଦୋଳନଠାରୁ ଇରମ ଅଞ୍ଚଳଟି ସ୍ୱାଧିନତା ସଂଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଫଳରେ ଉକ୍ତ ଅଞ୍ଚଳରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଥିଲା। ବିଭିନ୍ନ ଅଞ୍ଚଳରୁ ସ୍ୱାଧୀନତା ସଂଗ୍ରାମର ମହାରଥୀମାନେ ଏହିଠାକୁ ଘନ ଘନ ଆସି ଜାତୀୟ କଂଗ୍ରେସର ବାତ୍ତ୍ ର୍ା ଓ କାର୍ଯ୍ୟକ୍ରମ ପ୍ରଚାର କରୁଥିଲେ। ସଭା ସମିତି ପାଇଁ ଏଠାରେ ମେଳନ ପଡିଆ ନାମରେ ଖ୍ୟାତ ଏକ ବିସ୍ତିର୍ଣ୍ଣ ପଡିଆ ରହିଥିଲା। ତେଣୁ ଅନାୟାସରେ ସେଠାରେ ସଭାସମିତିମାନ ଆହୂତ ହେଉଥିଲା। ବିଶେଷତଃ ୧୯୨୧ ମସିହା ଜୁନ ୧୪ ତାରିଖ ରଜ ସଂକ୍ରାନ୍ତି ଦିନ ଏହି ମେଳନ ପଡିଆରେ ଆହୂତଏକ ବିରାଟ ସାଧାରଣ ସଭାରେ ଗୋପବନ୍ଧୁ ଦାସଙ୍କର ହୃଦୟସ୍ପର୍ଶୀ ବାଣୀ ଓ ଓଜସ୍ୱିନୀ ବକ୍ତୃତା ଏବଂ ବାଞ୍ଛାନିଧି ମହାନ୍ତିଙ୍କର ଆବେଗଭରା ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କ ହୃଦୟତନ୍ତ୍ରୀରେ ଅପୂର୍ବ ଉନ୍ମାଦନା ସୃଷ୍ଟି କରିଥିଲା। ଗୋପବନ୍ଧୁ ଦାସ ଭାବବିହ୍ୱଳ ହୋଇ ଭାଷଣ ମାଧ୍ୟମରେ ଗାଇଥିଲେ –

ଦେଶ ଜାତି ପ୍ରତି ସରସ୍ୱତୀ ନଦୀ
ବହୁଛି ଇରମେ ଶତ ମାର୍ଗ ଭେଦି।

ଅନ୍ତଃସଲିଳା ଏ ସାରା ଭାରତେ
ଜାତୀୟତା ଧାରେ ବହିବ ନିରତେ।

ଦେଶାତ୍ମ ବୋଧର ଚାରୁଗନ୍ତାଘର
ଇରମ ସୁରମ୍ୟ ଜାତୀୟ ନଗର।

ଏହିଠାରେ ମଧ୍ୟ ବିଭିନ୍ନ ସମୟରେ ବହୁ ନେତା ଓ ସେବାର ନିଷ୍ଠାପର ପୂଜାରୀ ବାରମ୍ବାର ପଦାର୍ପଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜୀବରାମ କଲ୍ୟାଣଜୀ, ଆଚାର୍ଯ୍ୟ ହରିହର ଦାସ, ଗୋପବନ୍ଧୁ ଚୌଧୁରୀ, ରମା ଦେବୀ, ନବକୃଷ୍ଣ ଚୌଧୁରୀ ଓ ହରେକୃଷ୍ଣ ମହତାବଙ୍କ ନାମ ଉଲ୍ଲେଖ ଯୋଗ୍ୟ। ସେମାନେ ଯେତେ ଥର ଇରମରେ ବିଭିନ୍ନ ସମୟରେ ପଦାର୍ପଣ କରୁଥାନ୍ତି ସଂଗ୍ରାମର ଲହରୀ ସେତେ ବେଶୀ ଉଦ୍ ବେଳିତ ହେଉଥାଏ। ଏହିପରି ଭାବେ ଇରମ ଅଞ୍ଚଳରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇପାରିଥିଲା। ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଦିନ ଇରମରେ ସଂଘଟିତ ଲୋମହର୍ଷଣକାରୀ, ଅମାନୁଷିକ ଓ ନାରକୀୟ ଗୁଳିକାଣ୍ଡ ସେ ଦିନର ଏକ ଆକସ୍ମିକ ଘଟଣା ନଥିଲା। ଏହାର ପୁଷ୍ଠ ଭୂମୀରେ ବହୁ ଘଟଣା ନିହିତ। ଏହାଥିଲା ୧୯୪୨ ମସିହାର ଭାରତ ଛାଡ ଆନ୍ଦୋଳନର କଥା। ସେହିବର୍ଷ ଅଗଷ୍ଟ ୨୭ ତାରିଖଠାରୁ ଇରମ ଭୂମୀରେ ଉକ୍ତ ଆନ୍ଦୋଳନ ଏକ ନୂତନ ରୂପ ଧାରଣ କରିଥିଲା। ସେହିଦିନଠାରୁ ଇରମର ମେଳନ ପଡିଆରେ ସତ୍ୟାଗ୍ରହୀମାନେ ମିଳିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣପୂର୍ବକ ତାହା ପାଳନ କରୁଥିଲେ। ତନ୍ମଧ୍ୟରୁ ଚୌକିଦାର ଦଫାଦାରଙ୍କର ପୋଷାକ ପୋଡିବା ହାଟ ଓ ଶିକ୍ଷାନୁଷ୍ଠାନରେ ହରତାଳ ପାଳନ କରିବା ବାସୁଦେବପୁରର ତତ୍କାଳୀନ ୟୁନିୟନ ପ୍ରେସିଡେଣ୍ଟ ନାରାୟଣ ମାନ୍ଧାତା ଜଣେ ଉଗ୍ରସ୍ୱାଭାବର ବ୍ୟକ୍ତି ଥିବାରୁ ତାଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାପାଇଁ ବାଧ୍ୟ କରିବା, ତାଙ୍କର କାଗଜପତ୍ର ସର୍ବସାଧାରଣରେ ପୋଡି ପକାଇବା ଓ ତାଙ୍କ ଘରର ଝରକା ଭାଙ୍ଗିବା ଏବଂ ତତôକାଳୀନ ଜମୀଦାର ରାଧାକାନ୍ତ ପାଢୀଙ୍କର ପଢୁଅାଁ ସ୍ଥିତ ଅମାର ଭାଙ୍ଗିବା ଆଦି କାର୍ଯ୍ୟକ୍ରମ ଥିଲା ଉଲ୍ଲେଖ ଯୋଗ୍ୟ। ମାତ୍ର ତନ୍ମଧ୍ୟରୁ ଗୋଟିଏ କାର୍ଯ୍ୟକ୍ରମ ଥିଲା ଅଧିକ ତାତ୍ପର୍ଯ୍ୟପୁର୍ଣ୍ଣ। ତାହା ଥିଲା ଇରମ ଅଞ୍ଚଳରେ ଏକ ସମାନ୍ତରାଳ ସ୍ୱାଧୀନ ସରକାର ଗଠନ। ୧୯୪୨ ମସିହା ସେପ୍ଟେମ୍ବର ୧୭ ତାରିଖ ଦିନ ଇରମର ମେଳନ ପଡିଆରେ ଏପରି ଏକ ସରକାର ଗଠନର ନିଷ୍ପତ୍ତି ନିଆଯାଇ ତାକୁ ଜାତୀୟକବି ବାଞ୍ଛାନିଧି ମହାନ୍ତିଙ୍କର ନାମାନୁସାରେ ସ୍ୱାଧୀନ ବାଞ୍ଛାନିଧି ଚକଲା ଘୋଷଣା କରାଯାଇଥିଲା। ୬ଟି ପଞ୍ଚାୟତକୁ ନେଇ ଚକଲାର ଆୟତନ ଥିଲା ୧୯ ବର୍ଗ ମାଇଲ। ଉତ୍ତରରେ କଂଶବାଂଶ ନଦୀ ପର୍ଯ୍ୟନ୍ତ ଏହାର ଥିଲା ଚତୁଃସୀମା। ଏଥିରେ ମୋଟ ୨୬ଟି ଗ୍ରାମ ଅର୍ନ୍ତଭୁକ୍ତ ହୋଇଥିଲା। ଉକ୍ତ ସରକାର ପରିଚାଳନା ନିମନ୍ତେ ୫ଜଣ ସଦସ୍ୟଙ୍କୁ ନେଇ ଏକ ସର୍ବୋଚ୍ଚ କମିଟି ଗଠନ କରାଯାଇ ଗୌରାଙ୍ଗଚନ୍ଦ୍ର ମହାନ୍ତିଙ୍କୁ ଏହାର ସଭାପତି ଓ କମଳା ପ୍ରସାଦ କରଙ୍କୁ ପରିଚାଳକ ବା ପ୍ରଧାନ ସେନାପତି ଭାବେ ମନୋନୀତ କରାଯାଇଥିଲା। ଏହି ନବଗଠିତ ସରକାରରେ ଗୌରାଙ୍ଗବାବୁଙ୍କୁ ରାଷ୍ଟ୍ରପତି ଓ କମଳାବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କର କ୍ଷମତା ଦିଆଯାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଉକ୍ତ କମିଟିର ଅନ୍ୟ ସଦସ୍ୟ ଥିଲେ ପ୍ରଭାକର ତ୍ରୀପାଠୀ, ଅନିରୁଦ୍ଧ ମହାନ୍ତି ଓ ଶ୍ୟାମସୁନ୍ଦର ପାଣିଗ୍ରାହୀ। ଉକ୍ତ ସରକାରର ଅଫିସ କାର୍ଯ୍ୟ ପରିଚାଳନା ନିମନ୍ତେ ସେମାନେ ଅର୍ଜୁନ ବିଶ୍ୱାଳଙ୍କର ଘର ନେଇଥିଲେ। ଏହାକୁ ସେମାନେ ସତ୍ୟାଗ୍ରମ ଆଶ୍ରମ ନାମରେ ନାମିତ କରାଇଥିଲେ। ଉକ୍ତ ଆଶ୍ରମ ଉପରେ କଂଗ୍ରେସ ପତାକା ଉଡାଯାଇ ପ୍ରତ୍ୟହ ସନ୍ଧ୍ୟାରେ ତାର ଅବତରଣ କରାଯାଉଥିଲା। ବିଭିନ୍ନ ସମୟରେ ଏହି ନବଗଠିତ ସରକାରଙ୍କ ଦ୍ୱାରା ଘୋଷିତ ଆଇନ ଅମାନ୍ୟ କଲେ ବା କୌଣସି ଲୋକ ଗୁପ୍ତଚର ବୃତ୍ତି ଅବଲମ୍ବନ କଲେ ବା କଂଗ୍ରେସ ଓ ମହାତ୍ମାଗାନ୍ଧୀଙ୍କୁ ଭତ୍ସର୍ନା କଲେ ସେଥିପାଇଁ ଦଣ୍ଡବିଧିର ବ୍ୟବସ୍ଥା କରାଯାଇଥିଲା।ଏଥିପାଇଁ ଇରମର କୃଷ୍ଣଚନ୍ଦ୍ର ପାଣିଙ୍କ ସିଧା ହାଟ ଘର ବିଚାରାଳୟ ରୂପେ ଓ ବାଙ୍କବିହାରୀ ତ୍ରିପାଠୀଙ୍କ ଘର ଜେଲଖାନା ରୂପେ ବ୍ୟବହାର କରାଯିବାର ନିଷ୍ପତ୍ତି ନିଆଯାଇଥିଲା କୃଷ୍ଣଚନ୍ଦ୍ର ପାଣି ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ। ତାଙ୍କ ବିଚାର ବିରୁଧରେ ଲୋକେ ପୁନର୍ବିଚାର ପାଇଁ ଏକ ଉଚ୍ଚଅଦାଲତ କମିଟି ନୂଆ ଗାଁର ପାଣୁ ଦାସଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା। ଇରମର ଉଗି ସିଂ ଓ ତାଙ୍କ ପୁତ୍ର ରାମ ସିଂ କଂଗ୍ରେସର କାର୍ଯ୍ୟକ୍ରମ ପ୍ରତି ବିରୋଧ ମନୋଭାବ ପୋଷଣ କରିଥିବାରୁ ସେମାନଙ୍କୁ ଦୁଇଦିନ ପାଇଁ ଜେଲଖାନାରେ ଅଟକ ରଖାଯାଇଥିବାର ଜଣାଯାଏ। କେବଳ ସେତିକି ନୁହେଁ, ନବ ଗଠିତ ସରକାର ଅଧିନରେ ମୁଖ୍ୟତଃ ୩ଟି ବିଭାଗ ରଖାଯାଇଥିଲା। ଯଥା – ସୈନ୍ୟ ବିଭାଗ, ଗୁପ୍ତଚର ବିଭାଗ ଓ ରସଦ ବିଭାଗ। ସୈନ୍ୟ ବିଭାଗର ୨ଦୁଇଟି ଅଙ୍ଗଥିଲା – ମରଣ ସେନା ଓ ଶାନ୍ତି ସେନା। ଏହାପରେ ଇରମ ଅଞ୍ଚଳରେ ଘଟଣା ଗୁଡିକ କ୍ଷିପ୍ରଗତିରେ ଗଡି ଚାଲିଥିଲା। ଏହାଥିଲା ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ସୋମବାର ଦିନର ଘଟଣା। ୟୁନିୟନ ପ୍ରେସିଡେଣ୍ଟଙ୍କର ଝରକା ଭଙ୍ଗାରୁଜା ତଥା ଜମୀଦାରଙ୍କର ପଢୁଅାଁ ସ୍ଥିତ ଅମାର ଭାଙ୍ଗିବା ପାଇଁ ଧମକ ଆଦି ତଦାରଖ କରିବା ସଙ୍ଗେ ସଙ୍ଗେ ଅଗଷ୍ଟ ଆନ୍ଦୋଳନର ପୁରୋଭାଗରେ ଥିବା ନେତାଙ୍କୁ ଗିରଫ କରିବା ପାଇଁ ବାସୁଦେବପୁର ଥାନାରୁ ଏକ ପୋଲିସ ଫୌଜ. ଡି.ଏସ.ପି କୁଞ୍ଜବିହାରୀ ମହାନ୍ତିଙ୍କର ଅଧିନାୟକତ୍ୱରେ ଇରମ ଅଭିମୁଖେ ଯାତ୍ରା କରିଥିଲେ। ସେଥିରେ ୧୮ ଜଣ ପୋଲିସ ଫୌଜ, ଜଣେ ଅସ୍ଥାୟୀ ଗୋଇନ୍ଦା ପୋଲିସ, ଜଣେ ଜମାଦାର, ଜଣେ ଇନ୍ ସ୍ପେକ୍ଟର ଓ ଜଣେ ସବ୍ ଇନ୍ ସ୍ପେକ୍ଟର ରହିଥିଲେ। ସେମାନେ ରାମେଇ ନାମ୍ନୀ ଏକ ନଦୀ ଘାଟରେ ପହଞ୍ଚି ନାଉରୀକୁ ପାରି କରିବାକୁ କହିବାରୁ ସେ ତାହା କରି ନଥିଲେ। ଶେଷରେ ନିଜେ ଡଙ୍ଗା ବାହି ପୋଲିସ ଫଉଜ ଇରମ ଅଭିମୁଖେ ଯାତ୍ରା କରିଥିଲେ। ଏହା ଦେଖି ପୂର୍ବରୁ କଂଗ୍ରେସ ନେତାଙ୍କର ନିଦେ୍ର୍ଦାନୁସାରେ ଶଙ୍ଖଧ୍ୱନୀ କରାଯାଇଥିଲା। ସେତେବେଳେ କୌଣସି ସମୟରେ ପୋଲିସ ବା ଇଂରେଜ କର୍ମଚାରୀ ଆସୁଥିବାର ଦେଖିଲେ ଶଙ୍ଖଧ୍ୱନୀ କରିବାର ନିଷ୍ପତ୍ତି ନିଆଯାଇଥିଲା। ଫଳରେ ଚତୁର୍ଦ୍ଦିଗରୁ ଜନତାର ସ୍ରୋତ ଛୁଟିଥିଲା ଇରମ ଆଡକୁ। ଚାହୁଁ ଚାହୁଁ ଇରମର ମେଳନ ପଡିଆରେ ୬୦୦୦ ରୁ ୭୦୦୦ ଲୋକ ସମବେତ ହୋଇଯାଇଥିଲେ। ପୋଲିସ ଫୌଜ ପ୍ରାୟ ସନ୍ଧ୍ୟା ୬ଟାରେ ଇରମ ରେ ପହଞ୍ଚି ଜମୀଦାରଙ୍କ ଘରେ ବିଶ୍ରାମ ନେଇଥିଲେ। ପଛରେ ପୋଲିସ ଫୌଜଙ୍କ ବିଛଣା ପତ୍ର ଧରି ଆସୁଥିଲେ ଚୌକୀଦାର ଓ ଅସ୍ଥାୟୀ ଗୋଇନ୍ଦା ପୋଲିସ। ତାହା ଦେଖି ସଭାସ୍ଥାଳରେ ୨ଜଣ ସତ୍ୟାଗ୍ରହୀ ଗୋଲାମମାନଙ୍କର ବେଡିଂ ତୁମେ ନେଇପାରିବ ନାହିଁ ବୋଲି କହି ତାହା ତାଙ୍କଠାରୁ ଛଡାଇନେଲେ। ଠିକ୍ ପରେ ପରେ ଉଭୟ ଚୌକୀଦାର ଓ ଅସ୍ଥାୟୀ ଗୋଇନ୍ଦା ପୋଲିସ ଜମୀଦାରଙ୍କ ବାସଭବନକୁ ଯାଇ ପୋଲିସ ଫୌଜଙ୍କ ଆଗରେ କାନ୍ଦ କାନ୍ଦ ହୋଇ ତଳେ ଗଡିଯିବାର ବାହାନା କରି ବୟାନ କରିଥିଲେ ଯେ, ବେଡିଂ ଛଡାଇନେବା ସଙ୍ଗେ ସଙ୍ଗେ ତାଙ୍କୁ ବହୁସଂଖ୍ୟକ ଲୋକ ଘେରିଥିଲେ ମାରିଦେବା ପାଇଁ। ମାତ୍ର ଏହା ଯେ ସଂପୂର୍ଣ୍ଣ ମିଥ୍ୟା ଏଥିରେ ସନ୍ଦେହ ନାହିଁ। ବରଂ ବିଛଣାପତ୍ରକୁ ନିରାପଦରେ ରଖିବା ପାଇଁ ସେମାନେ ସ୍ୱେଚ୍ଛାସେବୀଙ୍କୁ ମୁତୟନ କରିଥିଲେ। ସେ ଯାହାହେଉ ଏହି ଖବର ପାଇ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ପୋଲିସ ସବ୍ ଇନ୍ ସ୍ପେକ୍ଟର କହିଥିଲେ ଟୁଡେ ସିଓର ଫାୟାର ଅର୍ଥାତ ଆଜି ନିଶ୍ଚିତ ଗୁଳି ଚାଲିବ। ସେହିପରି ଡି.ଏସ.ପି ରଣ ହୁଙ୍କାର ଦେଇ କହିଥିଲେ ଆଜି ମୁଁ ନରମେଧ ଯଜ୍ଞ କରିବି। ଠିକ୍ ପରେ ପରେ ପୋଲିସ ଫୌଜ ସଭାସ୍ଥଳରେ ପହଞ୍ଚି ଯାଇଥିଲେ। ଏହା ଠିକ ସନ୍ଧ୍ୟା ୬.୩୦ ସମୟର କଥା। ସୂର୍ଯ୍ୟ ଅସ୍ତଗାମୀ ହେବାକୁ ଯାଉଥାଆନ୍ତି। ସଭାସ୍ଥଳରେ ସେମାନଙ୍କୁ ପହଞ୍ଚିବାର ଦେଖି ଉପସ୍ଥିତ ଜନତା କିଂ-କର୍ତ୍ତବ୍ୟବିମୂଢ ହୋଇ ପଡିଲେ। ପଡିଆର ତିନି ଦିଗ ଏକପ୍ରକାର ରୁଦ୍ଧ ହୋଇଥିବାରୁ ଗୋଟିଏ ମାତ୍ର ଗୋହିରୀ ରାସ୍ତାରେ ସେମାନେ ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେହିଦିଗରୁ ପୋଲିସ ଆସୁଥିବାରୁ ତାହା ସମ୍ଭବପର ହୋଇ ନଥିଲା। ଏହି ସମୟରେ ଡି.ଏସ.ପି ଙ୍କ ଆଦେଶ କ୍ରମେ ପୋଲିସ ଗୁଳିଚାଳନା କରିଥିଲେ। ଫଳରେ ସ୍ଥଳ ଭାଗରେ ୨୮ ଜଣ ଟଳି ପଡିଥିଲେ ଓ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା କୋରାପୁଟ ଜେଲରେ। ଏଥି ସହିତ ୫୬ ଜଣ ଲୋକ ମଧ୍ୟ ଆହତ ହୋଇଥିଲେ। ସେମାନେ ସର୍ବମୋଟ ୩୦୪ଟି ଗୁଳି ମାରିବାର ଜଣାଯାଏ ଏହିପରି ଭାବେ ସୂର୍ଯ୍ୟଙ୍କର ଶେଷ ରଶ୍ମିର ଛଟାରେ ମେଳନ ପଡିଆ ଲାଲରଙ୍ଗରେ ରଞ୍ଜିତ ହେବା ସଙ୍ଗେ ସଙ୍ଗେ ଗୁଳି ଚୋଟରେ ମୃତ ଓ ଆହାତ ଜନତାଙ୍କର ରକ୍ତରେ ଉକ୍ତ ପଡିଆ ରଞ୍ଜିତ ହୋଇଥିଲା। ଏପରିକି କିଛି ରକ୍ତ ବୋହିଯାଇ ନିକଟବର୍ତ୍ତୀ ପୋଖରୀରେ ପଡି ଥିବାର ଦେଖାଯାଇଥିଲା। ଉକ୍ତ ଦୃଶ୍ୟ ଥିଲା ଲହୁ ଓ ଲୁହର ଏକ କରୁଣ ସମାବେଶ। କେବଳ ମାତ୍ର ଅଧାଘଣ୍ଟାଏ ମଧ୍ୟରେ ସବୁ ଘଟଣା ଶେଷ ହୋଇଥିଲା। ଗୁଳିକାଣ୍ଡର ଦୃଶ୍ୟ ଉପରେ ଏକ ପ୍ରତ୍ୟକ୍ଷଦର୍ଶୀ ବର୍ଣ୍ଣନା ଦେଇ ଜଣେ ସ୍ଥାନୀୟ କବୀ ଲେଖିଛନ୍ତି –

ପଳାଇ ଯିବାକୁ ପଥ ନ ମିଳିଲା
ଛିଡା ହେଉଁ ହେଉଁ ଗୁଳି ଚୋଟ ହେଲା

ହୋଇଗଲା ଆସି ସନ୍ଧ୍ୟା ସମାଗମ
ତଥାପି ହେଉଛି ଗୁଳିର ବର୍ଷଣ

ଶବ ପରେ ଶବ ହୋଇଗଲା ଗଦା
ରକତ କର୍ଦ୍ଦମ ହୋଇଗଲା ପଦା

ପ୍ରକୃତ ପକ୍ଷେ ଆହତ ବ୍ୟକ୍ତିଙ୍କର କରୁଣ ଓ ମର୍ମନ୍ତୁଦ ଆର୍ତ୍ତନାଦ ଓ ଚିତ୍କାରରେ ମେଳନ ପଡିଆର ବାୟୁମଣ୍ଡଳ ବେଦନାକ୍ତ ହୋଇ ଉଠିଥିଲା। ସେଠାରେ ପାଣି ଟୋପାଏ ଦେବାକୁ ବି କେହି ନଥିଲେ। ପଡିଆରେ ମଧ୍ୟ ପୋଲିସର ଚରମ ଅମାନୁଷିକତା ପ୍ରକାଶ ପାଇଥିଲା। ପୋଲିସ ଗୁଳିରେ ଯେଉଁମାନେ ମୁମୂର୍ଷୂ ଅବସ୍ଥାରେ ପଡି ରହିଥିଲେ, ପୋଲିସ ଫୌଜ ସଙ୍ଗୀନ ମୁନରେ ସେମାନଙ୍କୁ ଭୁଷି ମାରିଦେଇଥିଲେ।ତାଙ୍କର ଅମାନୁଷିକତା ମଧ୍ୟ ପ୍ରକାଶ ପାଇଥିଲା ସମବେତ ନିରୀହ ସ୍ତ୍ରୀ ଲୋକଙ୍କ ଠାରେ। ସେମାନଙ୍କୁ ଗୋଡାଇ ଗୋଡାଇ ମାରିବା ସଙ୍ଗେ ସଙ୍ଗେ ଗୁଳି ମାରିବାକୁ ମଧ୍ୟ ପୋଲିସ ଫୌଜ କୁଣ୍ଠା ପ୍ରକାଶ କରିନଥିଲେ। ଗୁଳିମାଡରେ ଇରମର ପରୀ ବେଓା ନାମ୍ନୀ ଏକ ସ୍ତ୍ରୀ ଲୋକର ମୃତ୍ୟୁ ହୋଇଥିଲା। ସେହିପରି ଚରମ ଅମାନୁଷିକତା ପ୍ରକାଶ ପାଇଥିଲା ଅନ୍ୟ ଏକ କ୍ଷେତ୍ରରେ। ପ୍ରଥମେ ଗୁଳିମାଡ ଖାଇ ଜୈନିକ ସତ୍ୟାଗ୍ରହୀ ଅନୁରୋଧ କରିଥିଲେ ଆଉ ଗୁଳି ନ ମାରିବା ପାଇଁ। ଛାତିରୁ ବୋହୁଥିବା ରକ୍ତକୁ ଚିପି ହାତ ଯୋଡି ପୋଲିସମାନଙ୍କୁ ବୁଝାଉଥିଲେ ଯେ ତୁମପାଇଁ ମଧ୍ୟ ସ୍ୱାଧୀନତା ଆସିବ ଓ ତୁମର ଭଲ ହେବ ଏବେ ଗୁଳି ବନ୍ଧୁକ ରଖିଦିଅ। ଏହା କହୁଥିବା ସମୟରେ ପୁଣି ତାଙ୍କ ଦେହକୁ ଲକ୍ଷ୍ୟକରି ଗୁଳି ମରାଯାଇଥିଲା ଓ ସେହିଠାରେ ହିଁ ସେ ମୃତ୍ୟୁ ବରଣ କରିଥିଲେ। ଈତିମଧ୍ୟରେ ଗୁଳି ଖବର ଚତୁର୍ଦ୍ଦିଗକୁ ବିଜୁଳି ବେଗରେ ବ୍ୟାପି ଯାଇଥିଲା। ତେଣୁ ସେ ପର୍ଯ୍ୟନ୍ତ ଘରେ ପହଞ୍ଚିନଥିବା ବ୍ୟକ୍ତିଙ୍କ ଆତ୍ମୀୟସ୍ୱଜ୍ଜନମାନଙ୍କର ସୁଅ ଛୁଟିଥିଲା ମେଳନ ପଡିଆକୁ। ମୃତ ବ୍ୟକ୍ତିଙ୍କ ଆତ୍ମୀୟସ୍ୱଜ୍ଜନଙ୍କର ମେଳନ ପଡିଆରେ ସେହି କାଳ ପଡିଆରେ କି ବୁକୁଫଟା କ୍ରନ୍ଦନ ! କେତେ ନବ ବିବାହିତା ରୂପସୀ ବଧୂ ନିଜର ସ୍ୱାମୀଙ୍କୁ, କେତେ ବୃଦ୍ଧା ସେମାନଙ୍କ ପ୍ରାଣର ସନ୍ତାନଙ୍କୁ ହରାଇ ପାଗଳ ପରି ପଡିଆରେ ଯେଉଁ ଆର୍ତ୍ତନାଦ କରୁଥିଲେ ତାର ଦୃଶ୍ୟ ଥିଲା ଖୁବ କରୁଣ ଓ ହୃଦୟ ବିଦାରକ। ସେହି ସମୟରେ ଆକାଶ ମାର୍ଗରେ ଖୁବ୍ ନିକଟରେ ଗୋଟିଏ ଉଡାଜାହାଜ ଉଡୁଥିବାରୁ ଦେଖି ଲୋକମାନେ ଅଧିକ ଭୟବୀତ ହୋଇଯାଇ ଥିଲେ। ସେଠାରେ ପଡିଥିବା ଶବଗୁଡିକ ମଧ୍ୟରୁ ୧୧ଟି ଆତ୍ମୀୟସ୍ୱଜ୍ଜନ ମାନେ ନିଜ ନିଜର ଘରକୁ ନେଇଯାଇ ଥିଲେ ଅନ୍ୟ

ମାନଙ୍କର ଶେଷ ଦର୍ଶନ ନିମିତ୍ତ। ଅନ୍ୟ ୧୭ଟି ଶବ ଏକତ୍ର କରି ରଖାଯାଇଥିଲା। ଘଟଣାର ୩ଦିନ ପରେ ଭଦ୍ରକ ଡାକ୍ତରଖାନାରୁ ଆସିଷ୍ଟାଣ୍ଟ ସର୍ଜନ ନିୟମକୁ ଆଖିଠାର ମାରି ଶବ ବ୍ୟବଚ୍ଛେଦ କରିବା ପରେ ସେଗୁଡିକୁ ଅନତିଦୂରରେ ପୋଡି ଦିଆଯାଇଥିଲା। ଜଘନ୍ୟ ନରସଂହାର ପରେ ଇରମରେ ଅଗଷ୍ଟ ବିପ୍ଳବ ନାଟକଟିରେ ବିରତୀ ହୋଇ ନଥିଲା। ଗୁଳି କାଣ୍ଡର ଠିକ ପରେ ପରେ ହୋଇଥିଲା ପୋଲିସଙ୍କର ଦମନନିତୀର ନାରକୀୟ କାଣ୍ଡ। ଗ୍ରାମେ ଗ୍ରାମେ ବୁଲି ପୋଲିସ ନାନା ଅତ୍ୟାଚାର କରିଥିଲେ। ଉକ୍ତ ଅତ୍ୟାଚାରରେ ଭୟଭୀତ ହୋଇ ଲୋକମାନେ ପିଲାଛୁଆ ଧରି ଗ୍ରାମର ନିକଟବର୍ତ୍ତୀ ଜଙ୍ଗଲକୁ ପଳାଇଯାଇ ଥିଲେ। ଏପରିକି ସେଠାରେ ଗର୍ଭବତୀ ମହିଳା ପ୍ରସବ କରିଥିବାର ଜଣାଯାଏ। ଏଣେ ଘର ଛାଡି ଲୋକେ ପଳାଇଯିବା ପରେ ପୋଲିସ ପଶି ଦୁଧ, ଘିଅ, ଚାଉଳ, ଛେଳି, କୁକୁଡା ଆଦି ନେଇଯାଇ ପ୍ରତ୍ୟହ ଭୋଜିଭାତ କରି ଦିନ ବିତାଉଥିଲେ। ମନେ ହେଉଥିଲା ପ୍ରାଚୀନ ଯୁଗରେ ରୋମ ନଗରୀ ଅଗ୍ନିକାଣ୍ଡରେ ଭସ୍ମୀଭୂତ ହେଉଥିବା ସମୟରେ ସେଠାକାର ଅତ୍ୟାଚାରୀ ସମ୍ରାଟ ନିରୋଙ୍କ ପରି ଆନନ୍ଦ ବିହ୍ୱଳ ହୋଇ ସେମାନେ ଭୋଜିଭାତ କରି ଖାଉଛନ୍ତି। ତା ସହିତ ଆରମ୍ଭ ହୋଇଥିଲା ବ୍ୟାପକ ଗିରଫଦାରୀ, ମାତ୍ର ଜେଲ ବରଣକୁ ସମ୍ମାନସୂଚକ ଭାବି ସେମାନେ ହସି ହସି କାରାଗାର ମଧ୍ୟକୁ ଯାଉଥିଲେ।

ଏହାଥିଲା ଭାରତର ସ୍ୱାଧିନତା ସଂଗ୍ରାମର ଓଡିଶାରେ ଏକ ମର୍ମନ୍ତୁଦ କାହାଣୀ। ଇରମରେ ସଂଘଟିତ ଗୁଳିକାଣ୍ଡ ପାଇଁ ଉକ୍ତ ସ୍ଥାନକୁ ଭାରତର ଦ୍ୱିତୀୟ ଜାଲିଆନାଓାଲାବାଗ କହିଲେ ଅତ୍ୟୁକ୍ତି ହେବନାହିଁ। ଜାଲିଆନାଓାଲାବାଗକୁ ଛାଡିଦେଲେ ଗୁଳିକାଣ୍ଡ ଯୋଗୁଁ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକ ଭାରତର ଅନ୍ୟ କୌଣସି ସ୍ଥାନରେ ମୃତାହାତ ହୋଇ ନାହାନ୍ତି। ଉଭୟ ସ୍ଥାନରେ ପରିବେଶ ମଧ୍ୟ ଥିଲା ପ୍ରାୟ ଏକ ପ୍ରକାରର। ଜାଲିଆନାଓାଲାବାଗ ପରି ଇରମରେ ମଧ୍ୟ ସେଦିନ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ସଭା କରୁଥିଲେ। ସେମାନେ ବିଛଣା ଛଡାଇ ନେବା ବ୍ୟତୀତ ଅନ୍ୟ କୌଣସି ହିଂସାର ଆଶ୍ରୟ ନେଇ ନଥିଲେ। ସେମାନେ ଜମିଦାର, ୟୁନିୟନ ପ୍ରେସିଡେଣ୍ଟ ବା ପୋଲିସକୁ ଆଘାତ କରିବା ଦୂରେ ଥାଉ, କୌଣସି ତାଚ୍ଛଲ୍ୟସୂଚକ ମନ୍ତବ୍ୟ ମଧ୍ୟ ଦେଇ ନଥିଲେ। ତେଣୁ ଭାରତୀୟ ଜାତୀୟ ସଂଗ୍ରାମର ଗୌରବ ଗାରିମାମୟ ଇତିହାସରେ ଇରମ ଏକ ରକ୍ତତୀର୍ଥର ସ୍ୱାକ୍ଷର ବହନ କରିଛି। ଏଥି ସହିତ ଏହି ମର୍ମନ୍ତୁଦ କାହାଣୀ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡିଶାକୁ ମହିମାନ୍ୱିତ କରିଛି। ଐତିହାସିକ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଓ ପଞ୍ଚଶଖା ଆଚାର୍ଯ୍ୟ ହରିହର ଦାସଙ୍କଠାରୁ ଶୁଣିଥିବା ସ୍ୱାଧୀନତା ଆନ୍ଦୋଳନର କାହାଣୀରୁ ଗୋଟିଏ।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top