Home Top News ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

200

ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଶୁଭାରମ୍ଭ କରାଯାଏ। ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଏବଂ ମୁଠି ଅନୁକୂଳ କରେ। ଏହାକୁ ଅକ୍ଷିମୁଠି କୁହାଯାଏ। ଅକ୍ଷୟ ତୃତୀୟା ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତୋପନୟନ ପ୍ରଭୃତି ଶୁଭକାର୍ଯ୍ୟ କରାଯାଇଥାଏ।

ରଥ ନିର୍ମାଣ ଅନୁକୂଳ ଏବଂ ଚନ୍ଦନଯାତ୍ରା ଆରମ୍ଭ –
ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥାଏ। ସେହିପରି ଅକ୍ଷୟ ତୃତୀୟା ତିଥିଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଓଡ଼ିଶାର ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଇଥାଏ। ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ। ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ। ଗତବର୍ଷ କୋଭିଡ୍‌ କଟକଣା ଯୋଗୁ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଦୁଇ ମୁଖ୍ୟ ପର୍ବ ବାହାର ଚନ୍ଦନ ଯାତ୍ରା ଓ ତିନିରଥ ନିର୍ମାଣ ଅନୁକୂଳ ପର୍ବ ଶ୍ରୀମନ୍ଦିର ଭିତରେ ପାଳନ ହୋଇଥିଲା। ଚଳିତ ବର୍ଷ କଟକଣା ଭିତରେ ଶ୍ରୀମନ୍ଦିର ବାହାରେ ଅକ୍ଷୟ ତୃତୀୟା ପର୍ବର ନୀତି ପାଳନ ହେବ। ନୀତି ନିର୍ଘଣ୍ଟ ମୁତାବକ ଭୋର ୩ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ଭୋର ୪ଟାରେ ହେବ। ପୂର୍ବାହ୍ନ ଏବଂ ମଧ୍ୟାହ୍ନର ବିଭିନ୍ନ ନୀତି ପରେ ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ପାଇଁ ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ଏହାପରେ ମହାପ୍ରଭୁ ବାହାର ଚନ୍ଦନ ଯାତ୍ରାକୁ ମଣି ବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିଜେ କରିବେ। ବଡ଼ଦାଣ୍ଡ ଚନ୍ଦନ ଶୋଭାଯାତ୍ରାରେ ସାମିଲ ହେବେ ପଞ୍ଚ ମହାଦେବଙ୍କ ବିମାନ ଓ ରାମକୃଷ୍ଣଙ୍କ ପାଲଙ୍କି। ରାତି ୧୦ଟାରେ ଚନ୍ଦନ ଠାକୁର ବଡ଼ ଦେଉଳ ଫେରିବା ପରେ ଅନ୍ୟ ନୀତି ଏବଂ ରାତି ସାଢ଼େ ୧୨ଟା ସୁଦ୍ଧା ଠାକୁରଙ୍କ ରାତି ପହୁଡ଼ ନୀତି ସମ୍ପନ୍ନ କରାଯିବ।
– ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.