Home ଓଡ଼ିଶା ଅଭିଭାବକଙ୍କୁ ସ୍କୁଲରେ ନୋ’ ଏଣ୍ଟ୍ରି! କାହିଁକି ଏ’ ଭୟ? ରାଜ୍ୟରେ ଭୁଶୁଡ଼ି ଯାଉଥିବା ଶିକ୍ଷା ବ୍ୟବସ୍ଥାର...

ଅଭିଭାବକଙ୍କୁ ସ୍କୁଲରେ ନୋ’ ଏଣ୍ଟ୍ରି! କାହିଁକି ଏ’ ଭୟ? ରାଜ୍ୟରେ ଭୁଶୁଡ଼ି ଯାଉଥିବା ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୂନା: ଗୋଳବାଇ ରୁ ଗୋପାଳପୁର..

363

ଭୁବନେଶ୍ୱର: ବେସରକାରୀ ବିଦ୍ୟାଳୟ ଗୁଡ଼ିକ ତୁଳନାରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ପ୍ରଦର୍ଶନ ନିମ୍ନ ମାନର ରହୁଛି।ସରକାର ମଧ୍ୟ ଏ’ ନେଇ ଚିନ୍ତିତ ଅଛନ୍ତି।ସର୍ବ ଶିକ୍ଷା ଅଭିଯାନ ଯୋଜନାରେ ମଧ୍ୟାହ୍ନ ଭୋଜନ, ପୋଷାକ ବଣ୍ଟନ, ସାଇକେଲ ବଣ୍ଟନ ଆଦି କରାଯାଇ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ଉପସ୍ଥାନ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି।ଶିକ୍ଷାର ମାନ ବୃଦ୍ଧି ପାଇଁ ମଧ୍ୟ ବିଭିନ୍ନ ଯୋଜନା କରାଯାଉଛି।କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ପ୍ରଦର୍ଶନ ବେସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମତୁଲ୍ୟ ହୋଇପାରୁ ନାହିଁ।ତେବେ, ତୃଟି ରହୁଛି କେଉଁଠି?

ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ପଞ୍ଚାୟତ ଅନ୍ତର୍ଗତ ଭଗବତୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଗେଟ୍ ପାଖ କାନ୍ଥରେ ଏକ ବିଜ୍ଞାପନ ବ୍ୟାନର ମରାଯାଇଛି।ସ୍କୁଲ କତ୍ତୃପକ୍ଷ ଏହି ବ୍ୟାନର ମାରିଛନ୍ତି।ବ୍ୟାନରରେ ଲେଖାଯାଇଛି, ଅଣ ଛାତ୍ରଛାତ୍ରୀ ବା ଅଭିଭାବକ ହୁଅନ୍ତୁ, ବିନା ଅନୁମତିରେ ବିଦ୍ୟାଳୟ ଭିତରକୁ ପ୍ରବେଶ ନିଷେଧ।ଯେଉଁ ଛାତ୍ରଛାତ୍ରୀ ବା ଅଭିଭାବକ ବିଦ୍ୟାଳୟ ବିଷୟରେ ଅଭିଯୋଗ କରିବେ, ତାହା ଦରଖାସ୍ତ ମାଧ୍ୟମରେ ଅଭିଯୋଗ ବାକ୍ସରେ ପକାଇ ଆବେଦନ କରିବେ।ତେବେ, ଏଠି ପ୍ରଶ୍ନ ଉଠେ ଏପରି ବିଜ୍ଞାପନ କାହିଁକି?ଅଣ ଛାତ୍ରଛାତ୍ରୀଙ୍କ କଥା ଛାଡ଼ନ୍ତୁ।କ’ଣ ସ୍କୁଲ ଭିତରକୁ ଅଭିଭାବକ ମାନେ ମନଇଚ୍ଛା ପଶି ଯାଉଛନ୍ତି କି?କିଛି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି କି?ନାଁ, ବିଦ୍ୟାଳୟକୁ ସରସ, ସୁନ୍ଦର ରୂପେ ଗଢ଼ି ତୋଳିବାର ନାଁ’ରେ ଏପରି ବ୍ୟାନର ମାରି ବିଦ୍ୟାଳୟ ଭିତରର ଚପି ରହିଥିବା କିଛି ଅସୁନ୍ଦରତାକୁ ଆଉ ଲୁଚାଇବାକୁ ଚେଷ୍ଟା କରୁ ନାହାଁନ୍ତି ତ’ ବିଦ୍ୟାଳୟ କତ୍ତୃପକ୍ଷ?

ଅନୁସନ୍ଧାନରୁ ଜଣାପଡ଼େ, ବିଦ୍ୟାଳୟରେ ସବୁ କିଛି ଠିକ୍ ନାହିଁ।ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୦୦+ ଏବଂ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ୩ ଜଣ ପିଅନ।ଏଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କିଛି ଷ୍ଟାଫଙ୍କୁ ଧରି ମନମାନି ଚଲାଇଛନ୍ତି।ମନଇଚ୍ଛା ଆସନ୍ତି ମନଇଚ୍ଛା ଯାଆନ୍ତି।ପ୍ରଧାନ ଶିକ୍ଷୟତ୍ରୀ ରୁହନ୍ତି ଭୁବନେଶ୍ୱରରେ, ଏବଂ ପ୍ରତ୍ୟେହ ଯିବା ଆସିବା କରନ୍ତି।ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ପ୍ରତି ତାଙ୍କର ସେମିତି ଦାୟିତ୍ୱବୋଧ ନାହିଁ।ଫନି ପରେ ବିଦ୍ୟାଳୟର ଅବସ୍ଥା କ’ଣ ହେଲା କ’ଣ ନାହିଁ ଜାଣିବାକୁ ଚେଷ୍ଟା କରି ନ’ଥିଲେ ପ୍ରଧାନ ଶିକ୍ଷୟତ୍ରୀ।ଫନିର ଦୀର୍ଘ ଦିନ ପରେ ବିଦ୍ୟାଳୟରେ ତାଙ୍କର ପାଦ ପଡ଼ିଥିଲା।ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଏଠି ପୂରା ଅବ୍ୟବସ୍ଥିତ।ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରୋଷେଇ ହେଉଛି ମଧ୍ୟାହ୍ନ ଭୋଜନ।ପାଖରେ ବୁଲୁଛନ୍ତି ଛେଳି ଆଉ କୁକୁର।ପିଲାଏ ରାସ୍ତାରେ ବୁଲି ବୁଲି ଥାଳି ଧରି ଅଧା ଖାଉଛନ୍ତି ଆଉ ଅଧା ଫିଙ୍ଗୁଛନ୍ତି ଖାଦ୍ୟ।ରାସ୍ତା ପାରି ହୋଇ ପଞ୍ଚାୟତ ଅଫିସକୁ ଯାଇ ଥାଳି ଧୋଉଛନ୍ତି।ଯାହାକି ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ।କ୍ଲାସରୁମ୍ ଏଠି ପିଲାମାନେ ଓଳାଇ ଥାଆନ୍ତି। ବିଦ୍ୟାଳୟରେ ଥିବା ଅନେକ ଆସବାପତ୍ର ଭଙ୍ଗାରୁଜା ହୋଇପଡ଼ିଛି।ଆଲମାରୀ, ବହି ପତ୍ରରେ ଉଇ ଲାଗି ଯାଉଛନ୍ତି।ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ସେହିପରି।ଗତ ନବମ ଶ୍ରେଣୀ ପରୀକ୍ଷାରେ ମୋଟ ୧୧୩ ପିଲାଙ୍କ ମଧ୍ୟରୁ ମାତ୍ର ୮ ଜଣ ପିଲା ମେରିଟ୍ ନମ୍ବର ରଖି ପାସ୍ କରିପାରିଛନ୍ତି।ବାକି ୧୦୫ ଜଣ ପିଲା ଇ- ଗ୍ରେଡରେ ପାସ୍ କରିଛନ୍ତି।ଏହା ପ୍ରଧାନ ଶିକ୍ଷୟତ୍ରୀ ଏବଂ ତାଙ୍କ ଷ୍ଟାଫଙ୍କ ପାରିବା ପଣିଆକୁ ଦର୍ଶାଉଛି।ନବମ ଶ୍ରେଣୀ ପରୀକ୍ଷାରେ ଏହି ରେଜଲ୍ଟ ଦେଖି ଏମାନେ ମାଟ୍ରିକ ପରୀକ୍ଷାରେ କିପରି ରେଜଲ୍ଟ କରିବେ ଚିନ୍ତା ହେଉଛି।ପାସ୍ କଲେ ମଧ୍ୟ କେଉଁ କଲେଜରେ ସିଟ୍ ପାଇବେ ତ’ ନେଇ ଅଭିଭାବକ ଚିନ୍ତିତ।ଠିକ୍ ସମୟରେ ସୂଚନା ନ’ ପାଇବାରୁ ଏହି ସ୍କୁଲର ପିଲା ନବୋଦୟ ଏଣ୍ଟ୍ରାନ୍ସ (ପ୍ରବେଶିକା) ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି।ଏହା ପ୍ରଧାନ ଶିକ୍ଷୟତ୍ରୀ ଏବଂ ତାଙ୍କ ଷ୍ଟାଫଙ୍କର ଦାୟିତ୍ୱହୀନତାକୁ ଦର୍ଶାଉଛି।ତେଣୁ ଏସବୁ ଅବ୍ୟବସ୍ଥାକୁ ଲୁଚାଇବା ପାଇଁ “ପ୍ରବେଶ ନିଷଧ” ବ୍ୟାନର ମରାଯାଇଥିବା କୁହାଯାଉଛି।

ଆଉ ଏକ ଉଦାହରଣ :-
ରାଜ୍ୟରେ ଭୁଷୁଡ଼ି ପଡ଼ିବାରେ ଲାଗିଥିବା ଶିକ୍ଷା ବ୍ୟବସ୍ଥାର ଏହିପରି ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ।ମଧ୍ୟାହ୍ନ ଭୋଜନର ଅନିୟମିତତା ନେଇ ଅଭିଭାବକ ପ୍ରଶ୍ନ କରିବାରୁ ପିଲାମାନଙ୍କୁ ପ୍ରଧାନଶିକ୍ଷକ ବିଦ୍ୟାଳୟରୁ ବାହାର କରି ଦେଇଥିବା ଭଳି ସଙ୍ଗିନ୍ ଅଭିଯୋଗ ଉଠିଛି।ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ମଧ୍ୟାହ୍ନ ଭୋଜନକୁ ନେଇ ପ୍ରଶ୍ନ କରିବାରୁ ତାଙ୍କ ପିଲା ଶିକ୍ଷାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି।ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଡାଲି, ଚାଉଳ ସବୁକୁ ବାହାରେ ବିକ୍ରୀ କରି ଦିଆଯାଉଛି ଏବଂ ପିଲାମାନଙ୍କୁ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ କରିବାରୁ ଦୁଇ ଜଣ ଅଭିଭାବକଙ୍କର ୪ ଜଣ ପିଲାଙ୍କୁ ବର୍ଷେ ହେଲା ସ୍କୁଲ ବାରଣ କରାଯାଇଥିବା ଅଭିଯୋଗ ହୋଇଛି।ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ସ୍କୁଲ ହେଉ ଅବା ଜଗତସିଂହପୁରର ଗୋପାଳପୁର ସ୍କୁଲ,ଏଭଳି ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ, ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭଲ ପ୍ରଦର୍ଶନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏବଂ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ଯୋଜନା ପ୍ରତି ଏକ ଉପହାସ ସୃଷ୍ଟି କରୁଛି।//-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.