Home Ganesh Puja ଗଣେଶ ପୂଜା; ବିଦ୍ୟା ଅନୁକୂଳର ଦିନ ଖଡ଼ିଛୁଆଁ: ଏକ ନିଆରା ଓଡ଼ିଆ ପରମ୍ପରା ..

ଗଣେଶ ପୂଜା; ବିଦ୍ୟା ଅନୁକୂଳର ଦିନ ଖଡ଼ିଛୁଆଁ: ଏକ ନିଆରା ଓଡ଼ିଆ ପରମ୍ପରା ..

25

ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ ହୋଇଥାଏ। ତେବେ, ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇ ରହିଛି। ତାହା ହେଲା ଖଡ଼ିଛୁଆଁ। ବିଦ୍ୟା, ବୁଦ୍ଧି ଏବଂ ସିଦ୍ଧିଦାତା ଭାବରେ ବିଘ୍ନ ବିନାଶକ ଗଣେଶଙ୍କୁ ସମସ୍ତେ ପୂଜା କରିଥାଆନ୍ତି। ତେଣୁ ପାରମ୍ପରିକ ଗଣେଶ ପୂଜା ଦିନ ଖଡ଼ିଛୁଆଁ ବିଧିରୁ ଓଡ଼ିଆ ମାନଙ୍କ ବିଦ୍ୟା ଶିକ୍ଷାର ଶୁଭାରମ୍ଭ କରାଯାଏ। ଓଡ଼ିଶାର ହିନ୍ଦୁ ଧର୍ମୀମାନେ ଗଣେଶ ଚତୁର୍ଥୀ ସମେତ ବସନ୍ତ ପଞ୍ଚମୀକୁ (ସରସ୍ୱତୀ ପୂଜା) ମଧ୍ୟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି ବିଶ୍ୱାସ କରନ୍ତି। ଯେଉଁଦିନ ବାଲ୍ୟକାଳରେ ସିଲଟ ଉପରେ ପ୍ରଥମ ଅକ୍ଷର ଲେଖି ବିଦ୍ୟାର ବୀଜ ବୁଣନ୍ତି। ଏହି ବିଦ୍ୟାରମ୍ଭ ଉତ୍ସବକୁ “ଖଡ଼ିଛୁଆଁ” କୁହାଯାଏ। ଏହା ଏକ ଶୁଭ ଅବସର, ଯେଉଁଦିନ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ ବୁଝାଯାଏ। ଏହି ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି। ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀ ମାନଙ୍କରେ ଆୟୋଜିତ ହୁଏ। ସକାଳୁ ପିତାମାତା ମାନେ ପିଲାଙ୍କୁ ଗାଧୋଇ ପାଧୋଇ (କେହି କେହି ପିଲାଙ୍କୁ ପୂର୍ବରୁ ଲଣ୍ଡା କରେଇ ଥାଆନ୍ତି) ନୂଆ ଜାମା ପିନ୍ଧାଇ ପ୍ରସ୍ତୁତ କରନ୍ତି। ଖଡ଼ି, ସିଲଟ, ଛଞ୍ଚା, ଧୂପ ଦୀପ, ଫୁଲ ଆଦି ପୂଜା ସରଞ୍ଜାମ, ଭୋଗରାଗ ସହ ଦକ୍ଷିଣା ନେଇ ପହଞ୍ଚନ୍ତି ପୂଜା ସ୍ଥଳୀରେ। ଗଣେଶଙ୍କ ମଙ୍ଗଳାଚରଣ ଓ ପୁଷ୍ପାଞ୍ଜଳି ପରେ ଖଡ଼ି ସିଲଟ ପୂଜା ହୁଏ। ଆଚାର୍ଯ୍ୟ ସ୍ତୁତି ପଠନ କରି କୁନି ପିଲାଙ୍କ ହାତ ଧରି ସିଲଟ ଉପରେ ପାଣ ମଡ଼ାନ୍ତି (ଲେଖିବାରେ ସହଯୋଗ କରନ୍ତି)। ଖଡ଼ିରେ “ॐ ଶ୍ରୀ” ଲେଖନ୍ତି। କେହି କେହି କେବଳ ତିନୋଟି ମୁଣ୍ଡଳୀ ବୁଲେଇ ଦିଅନ୍ତି ବା “ସିଦ୍ଧରସ୍ତୁ” ଲେଖନ୍ତି। ତିନୋଟି ମୁଣ୍ଡଳୀ ହେଉଛି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର। ”ସିଦ୍ଧରସ୍ତୁ” ଅର୍ଥ ବିଦ୍ୟା ସିଦ୍ଧି ହେଉ। ଲେଖି ସାରିବା ପରେ ଚାଟ, ଠାକୁର ଓ ଆଚାର୍ଯ୍ୟଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷାକରନ୍ତି ଓ ଦକ୍ଷିଣା ଦେଇ ସ୍ଵଗୃହକୁ ଫେରି ଆସନ୍ତି।

ଦକ୍ଷିଣ ଓଡ଼ିଶାରେ ଏହି ବିଧି ଭିନ୍ନ ଏକ ଢଙ୍ଗରେ ଦେଖିବାକୁ ମିଳେ। ଆଚାର୍ଯ୍ୟ ପିଲାଙ୍କୁ ଅରୁଆ ଚାଉଳ ପୂର୍ଣ୍ଣ ପିତ୍ତଳ ଥାଳିରେ ହଳଦୀ ଖଣ୍ଡଟିଏ ଧରି ଏକ ଅକ୍ଷର ଲେଖାନ୍ତି। ଚାଉଳର ଅର୍ଥ ଉତ୍ପାଦକତା ଓ ହଳଦୀର ଅର୍ଥ ପବିତ୍ରତାକୁ ସୂଚାଏ। ଉତ୍ପାଦକତା ଓ ପବିତ୍ରତା ହେଉଛି ଶିକ୍ଷାର ମୂଳ ମନ୍ତ୍ର। ଖଡ଼ିଛୁଆଁ ବିଧି ପରେ ପିଲା ଚାଟ ବା ଛାତ୍ର ବୋଲାନ୍ତି। ଚାଟଶାଳୀ ବା ବିଦ୍ୟାଳୟରେ ଭର୍ତ୍ତି ହୁଅନ୍ତି। ଏହିଦିନୁ ଛାତ୍ର ପ୍ରତ୍ୟହ ବିସ୍ତାନୀ ଧରି ଅବଧାନଙ୍କ ପାଖକୁ ଯାଇ ଶିକ୍ଷା ଗ୍ରହଣ କରନ୍ତି। ପିଲାଙ୍କ ବୋଧ ଆସିବା ପରଠୁ ପିତାମାତା ସେମାନଙ୍କ ଶିକ୍ଷା ବ୍ୟବସ୍ଥା କଥା ଚିନ୍ତା କରନ୍ତି।
/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.