ad
ଓଡ଼ିଶା

ଉପଭୋକ୍ତାଙ୍କ ଖର୍ଚ୍ଚକୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ୭୩ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା

– ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଅର୍ଥ ଖର୍ଚ୍ଚ କରାଯିବ; କର୍ମଚାରୀମାନେ ଏଲ୍‌ଟିସି ପରିବର୍ତ୍ତେ ଛୁଟି ବେତନ ବାବଦ ନଗଦ ଅର୍ଥ ପାଇବେ
– ସ୍ୱତନ୍ତ୍ର ଉତ୍ସବ ଅଗ୍ରୀମ ଯୋଜନା ଥରକ ପାଇଁ ପୁନଃ ପ୍ରବର୍ତ୍ତିତ, ଉଭୟ ଗେଜେଟେଡ ଓ ଅଣଗେଜେଟେଡ କର୍ମଚାରୀ ଏହି ଅଗ୍ରୀମ ପାଇବେ
– ସ୍ୱତନ୍ତ୍ର ସୁଧମୁକ୍ତ ୫୦ ବର୍ଷିଆ ଋଣ ଯୋଜନାରେ ରାଜ୍ୟମାନଙ୍କୁ ୧୨ ହଜାର କୋଟି ଟଙ୍କା ପୁଞ୍ଜି ବ୍ୟୟ ବାବଦରେ ମିଳିବ
– ୨୦୨୦ କେନ୍ଦ୍ର ବଜେଟରେ ପୁଞ୍ଜି ବ୍ୟୟ ବାବଦରେ ଅଧିକ ୪.୧୩ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ବ୍ୟତୀତ ୨୫୫ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ବ୍ୟବସ୍ଥା

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) କରୋନା ମହାମାରୀଜନିତ ଲକ୍‌ଡାଉନ ଯୋଗୁଁ ଦେଶର ଅର୍ଥନୀତିରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ତାହାର ମୁକାବିଲା କରି ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସୋମବାର ୭୩ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ଖାଉଟି ବା ଉପଭୋକ୍ତାଙ୍କ ଖର୍ଚ୍ଚ ବୃଦ୍ଧି ପାଇଁ ଏହି ପ୍ୟାକେଜ ମୁଖ୍ୟତଃ ଅଭିପ୍ରେତ। ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ଅର୍ଥ ସଚିବ ଡଃ ଅଜୟଭୂଷଣ ପାଣ୍ଡେ, ବିତ୍ତୀୟ ସେବା ସଚିବ ଶ୍ରୀ ଦେବାଶିଷ ପଣ୍ଡା ଏବଂ ଅର୍ଥ ବ୍ୟାପାର ବିଭାଗ ସଚିବ ଶ୍ରୀ ତରୁଣ ବଜାଜ ପ୍ରମୁଖ ଉପସ୍ଥିତ ଥିଲେ।

ଅର୍ଥମନ୍ତ୍ରୀ ଶ୍ରମତୀ ସୀତାରମଣ ଆଜି ଏହି ଚାହିଦା ପ୍ରୋତ୍ସାହନ ଘୋଷଣା କରିବା ସମୟରେ କହିଛନ୍ତି ‘ଯାହା ସୂଚନା ମିଳୁଛି ଯେ ସରକାରୀ ଏବଂ ସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କର ଜମା ବୃଦ୍ଧି ପାଇଛି। ତେଣୁ ଏହି ବର୍ଗର ଲୋକମାନଙ୍କୁ ପ୍ରୋତ୍ସାହିତ କରି ବଜାରରେ ଚାହିଦା ସୃଷ୍ଟି କରିବା ପାଇଁ ଆମେ ଆଗ୍ରହୀ। ଏହାଦ୍ୱାରା ଯେଉଁମାନଙ୍କ ପାଖରେ ନଗଦ ନାହିଁ ସେମାନେ ଉପକୃତ ହୋଇପାରିବେ’। ସେ ଆହୁରି କହିଛନ୍ତି ଯେ ଆଜି ଯେଉଁ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଗଲା ତଦନୁସାରେ ଯଦି ବଜାର ଚାହିଦା ବୃଦ୍ଧି ପାଏ, ତାହାର କୁପ୍ରଭାବ କୋଭିଡ୍‌ଦ୍ୱାରା ପ୍ରଭାବିତ ଲୋକମାନଙ୍କ ଉପରେ ପଡିବ। କାରଣ ପ୍ରଭାବିତ ଏହିସବୁ ଜନତା ଏବେ ନିଜ ନିଜର ବେପାର ବଣିଜ ବଢାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ବଜାରରେ ସାମଗ୍ରୀର ଚାହିଦା ବଢିଲେ ବିକ୍ରିବଟା ବୃଦ୍ଧି ପାଇବ ଏବଂ ସେମାନଙ୍କ ହାତକୁ ଦି’ପଇସା ଯିବ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଜିର ସମାଧାନ ସୂତ୍ର ଆସନ୍ତାକାଲିର ସମସ୍ୟା ନ ହେଉ। ସରକାର ଏହି ନୀତିରେ ବିଶ୍ୱାସ କରନ୍ତି। ଅଧିକରୁ ଅଧିକ ଆର୍ଥିକ ପ୍ରୋତ୍ସାହନ ଦେଇ ନିଜର ଋଣ ବୋଝକୁ ଅଣାୟତ୍ତ କରିବାକୁ ସରକାର ଚାହାନ୍ତି ନାହିଁ। ଆହୁରି ମଧ୍ୟ ମୁଦ୍ରାସ୍ଫୀତି ବୃଦ୍ଧିପାଇଁ ସାଧାରଣ ଲୋକଙ୍କ ନିମନ୍ତେ ଯେପରି ବୋଝ ନ ହୁଏ ସେଥିପ୍ରତି ସରକାର ତତ୍ପର ଅଛନ୍ତି।

ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଜି ଘୋଷିତ ହୋଇଥିବା ପ୍ରସ୍ତାବଗୁଡିକ ଆର୍ଥିକ ଦୃଷ୍ଟିରୁ ବିଚାରବନ୍ତ ମାର୍ଗରେ ବ୍ୟୟ ହେବାକୁ ଉଦ୍ଦିଷ୍ଟ। ଏହାଦ୍ୱାରା ସରକାରଙ୍କ ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ଏହାର ସୁଦୂର ପ୍ରସାରୀ ପ୍ରଭାବ ଅର୍ଥନୀତି ଉପରେ ରହିବ ଏବଂ ଜିଡିପି ଏହାଦ୍ୱାରା ସିଧାସଳଖ ବଢିବ। ଅର୍ଥମନ୍ତ୍ରୀ ଆଜି ଘୋଷଣା କରିଥିବା ପ୍ୟାକେଜଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି।

(କ) ଉପଭୋକ୍ତ ବା ଖାଉଟି ବ୍ୟୟ

(୧) ଏଲ୍‌ଟିସି କ୍ୟାଶ ଭାଉଚର ସ୍କିମ୍‌

ଏହି ସ୍କିମ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ କର୍ମଚାରୀମାନେ ଏଲ୍‌ଟିସି କ୍ୟାଶ ଭାଉଚର ଯୋଜନାରେ ସିଧାସଳଖ ଆର୍ଥିକ ପ୍ରୋତ୍ସାହନ ପାଇବେ। ୨୦୨୧ ସୁଦ୍ଧା ଶେଷ ହେଉଥିବା ୪ ବର୍ଷିଆ ବ୍ଲକ ମଧ୍ୟରେ କର୍ମଚାରୀମାନେ ଚାହିଁଲେ ଏହି ଏଲଟିସି କ୍ୟାଶ ଭାଉଚରର ଆର୍ଥିକ ଲାଭ ଉଠାଇପାରିବେ। ଯେଉଁମାନେ ଏହି ଏଲ୍‌ଟିସି ସୁବିଧା ଚଳିତବର୍ଷ ଓ ଆସନ୍ତାବର୍ଷ ନେବେ ନାହିଁ ସେମାନଙ୍କୁ ଏହି ପ୍ରୋତ୍ସାହନ ରାଶି ହରାଇବାକୁ ପଡିବ। ତେଣୁ ସେମାନେ ଏହାର ସୁଯୋଗ ନେଇ ଏଲଟିସି ବାବଦ କ୍ୟାଶ ଭାଉଚର ଆକାରରେ ଅର୍ଥ ନେଇ ନିଜ ପରିବାର ପାଇଁ ଆଗାମୀ ପୂଜାପାର୍ବଣ ସମୟରେ ଜିନିଷପତ୍ର କିଣିପାରିବେ।

କେନ୍ଦ୍ର ସରକାରୀ କର୍ମଚାରୀମାନେ ୪ ବର୍ଷିଆ ବ୍ଲକରେ ଥରେ ଏଲଟିସି ସୁବିଧା ପାଆନ୍ତି। ସେଥିପାଇଁ ସେମାନଙ୍କୁ ରେଳ ଓ ବିମାନ ଭଡା ନିଜ ବେତନ ଓ ପଦ ଅନୁସାରେ ମିଳିଥାଏ। ଏହାଛଡା ସେମାନେ ୧୦ ଦିନର ଛୁଟି ଦରମା (ପେ ଯୁକ୍ତ ଡିଏ) ପାଇଥାନ୍ତି। ତେବେ କରୋନା ମହାମାରୀ ଯୋଗୁଁ କର୍ମଚାରୀମାନେ ୨୦୧୮-୨୧ ବ୍ଲକରେ ଏଲଟିସି ନେବାର ସୁଯୋଗ ଆଉ ନ ଥିବାରୁ ସେମାନଙ୍କ ପାଇଁ ଏହି ଭାଉଚର ସୁବିଧା କରାଯାଇଛି। ତେଣୁ ସରକାର ୨୦୧୮-୨୧ ବର୍ଷ ନିମନ୍ତେ ଏଲଟିସିରେ ଯିବାକୁ ଯୋଗ୍ୟ କର୍ମଚାରୀଙ୍କୁ ନଗଦ ଆକାରରେ ଏ ବାବଦ ଅର୍ଥ ଯୋଗାଇଦେବେ।

– ଲିଭ୍‌ଏନ୍‌କ୍ୟାଶମେଣ୍ଟ ବ୍ୟବସ୍ଥାରେ କର୍ମଚାରୀଙ୍କୁ ପୂର୍ଣ୍ଣ ପ୍ରାପ୍ୟ ମିଳିବ।

– ୩ଟି ଫ୍ଲାଟରେଟ ସ୍ଲାବରେ କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ। ଯିଏ ଯେଉଁ ବର୍ଗରେ ନିଜର ପ୍ରାପ୍ୟ ପାଇବାକୁ ହକ୍‌ଦାର ସେମାନଙ୍କୁ ସେହି ହିସାବରେ ଅର୍ଥ ପ୍ରଦାନ କରାଯିବ

– ଭଡା ବାବଦ ଖର୍ଚ୍ଚ ପାଇଁ କର୍ମଚାରୀଙ୍କୁ ଟିକସ ଦେବାକୁ ପଡିବ ନାହିଁ। ଭଡା ଦେୟକୁ ଟିକସମୁକ୍ତ କରାଯାଇଛି।

ଜଣେ କର୍ମଚାରୀ ଏହି ସ୍କିମ୍‌କୁ ଗ୍ରହଣ କଲେ ତାଙ୍କୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିଜ ଏଲଟିସି ବାବଦ ଭଡାର ୩ ଗୁଣ ମୂଲ୍ୟର ସାମଗ୍ରୀ କିମ୍ବା ସେବା କିଣିବାକୁ ପଡିବ। ଏହା ସହିତ ଲିଭ୍‌ଏନ୍‌କ୍ୟାଶମେଣ୍ଟ ବାବଦରେ ଯେତିକି ପ୍ରାପ୍ୟ ସରକାରଙ୍କଠାରୁ ପାଇବେ ସେହି ଅର୍ଥକୁ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ।

ଏହି ଯୋଜନା ଅନୁସାରେ କର୍ମଚାରୀମାନଙ୍କୁ ମିଳିବାକୁ ଥିବା ଅର୍ଥ ନିଶ୍ଚିତଭାବେ ଖର୍ଚ୍ଚ କରିବାକୁ ହେବ। ଯେଉଁସବୁ ସାମଗ୍ରୀ ଉପରେ ୧୨ ଶତାଂଶ କିମ୍ବା ତା’ଠାରୁ ଅଧିକ ଜିଏସ୍‌ଟି ଲାଗୁ ହୋଇଛି ସେହିଭଳି ସାମଗ୍ରୀ କିଣିବାକୁ ହେବ ଏବଂ ଏ ବାବଦ ସମସ୍ତ କାରବାର ଡିଜିଟାଲ ବ୍ୟବସ୍ଥାରେ କରାଯିବ। କେବଳ ପଞ୍ଜୀକୃତ ବିକ୍ରେତାଙ୍କ ମାଧ୍ୟମରେ ଏହି କ୍ରୟ ବ୍ୟବସ୍ଥା ସଂପନ୍ନ ହେବ। ଏହି ଯୋଜନାର ଲାଭ ପାଇବା ପାଇଁ କର୍ମଚାରୀଙ୍କୁ ଜିଏସ୍‌ଟି ଇନ୍‌ଭଏସ୍‌ଦାଖଲ କରିବାକୁ ପଡିବ।

ଯଦି କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ ଏହି ଯୋଜନାକୁ ଗ୍ରହଣ କରନ୍ତି ତେବେ ଏ ବାବଦରେ ସରକାରଙ୍କର ମୋଟ ୫୬୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ। ସେମାନେ ଏଥିରେ ସାମିଲ ହେଲେ ଏ ବାବଦରେ ମୋଟ ଆଉ ୧୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏବଂ ଘରୋଇ ଉଦ୍ୟୋଗ ପାଇଁ ମଧ୍ୟ ଟିକସ ରିଆତି ବ୍ୟବସ୍ଥା ଲାଗୁ ହେବ। ଯେଉଁ କର୍ମଚାରୀମାନେ ଏବେ ଏଲ୍‌ଟିସି ସୁବିଧା ପାଉଛନ୍ତି ସେମାନେ ଚାହିଁଲେ ଏହାର ସୁଯୋଗ ନେଇପାରିବେ। ଏହି ନୂଆ ବ୍ୟବସ୍ଥା ପ୍ରବର୍ତ୍ତିତ ହେଲେ ଏବଂ ସବୁ କର୍ମଚାରୀ ଏହାର ଲାଭ ଉଠାଇଲେ ଏହାଦ୍ୱାରା ଅର୍ଥନୀତି ଉପରେ ଅନୁକୂଳ ପ୍ରଭାବ ପଡିବ। ଉଭୟ କେନ୍ଦ୍ରୀୟ କର୍ମଚାରୀ ଓ କେନ୍ଦ୍ରୀୟ ଉଦ୍ୟୋଗର କର୍ମଚାରୀମାନେ ଏଥିରେ ଅନ୍ତର୍ଭୁକ୍ତ ହେଲେ ସେମାନଙ୍କ ହାତକୁ ୧୯୦୦୦ କୋଟି ଟଙ୍କାର ନଗଦ ଯିବ ଏବଂ ସେମାନେ ଜିନିଷପତ୍ର କିଣିବାରେ ଖର୍ଚ୍ଚ କରିବେ। ଫଳରେ ଅର୍ଥନୀତି ଉପରେ ଏହାର ଅନୁକୂଳ ପ୍ରଭାବ ପଡିବ। ସେହିଭଳି ରାଜ୍ୟ ସରକାରୀ କର୍ମଚାରୀମାନେ ଏହାର ଲାଭ ଉଠାଇଲେ ଅର୍ଥନୀତିରେ ଆଉ ୯୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ଆସିବ। ତେଣୁ ମୋଟାମୋଟି ଦେଖିଲେ ଏହି ଯୋଜନାରେ ମୋଟ ୨୮୦୦୦ କୋଟି ଟଙ୍କାର ଅତିରିକ୍ତ ଖାଉଟି ଚାହିଦା ସୃଷ୍ଟି ହେବ।

(୨) ସ୍ୱତନ୍ତ୍ର ଉତ୍ସବ ଅଗ୍ରୀମ ଯୋଜନା

ଅର୍ଥମନ୍ତ୍ରୀ ଆଜି ଘୋଷଣା କରିଥିବା ପ୍ୟାକେଜରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ନିମନ୍ତେ ପୂଜା ଅଗ୍ରୀମ ଯୋଜନା ରହିଛି। ଉଭୟ ଗେଜେଟେଡ ଓ ଅଣଗେଜେଟେଡ କର୍ମଚାରୀମାନେ ଏହାର ଲାଭ ଉଠାଇପାରିବେ। ପୂଜା ଅଗ୍ରୀମ ବ୍ୟବସ୍ଥାର ଉଚ୍ଛେଦ ଘଟିଥିଲେ ମଧ୍ୟ ଚଳିତବର୍ଷ ସରକାର ଅର୍ଥନୀତିକୁ ବଢାଇବା ପାଇଁ ଗୋଟିଏ ଥରପାଇଁ ଏହି ବ୍ୟବସ୍ଥାର ପୁନଃ ପ୍ରଚଳନ କରିଛନ୍ତି। ତଦନୁସାରେ ସବୁ କେନ୍ଦ୍ରୀୟ ସରକାରୀ କର୍ମଚାରୀ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଅଗ୍ରୀମ ପାଇପାରିବେ। ତେବେ ଏହି ଅର୍ଥକୁ ସେମାନଙ୍କୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିଜର ଇଛା ଅନୁସାରେ ପୂଜାପାର୍ବଣରେ ଖର୍ଚ୍ଚ କରିବାକୁ ପଡିବ। ସଂପୃକ୍ତ କର୍ମଚାରୀଙ୍କୁ ଏ ବାବଦ ଅର୍ଥ ୧୦ଟି କିସ୍ତିରେ ଶୁଝିବାକୁ ପଡିବ।

କର୍ମଚାରୀମାନଙ୍କୁ ଏଥିପାଇଁ ୧୦ ହଜାର ଟଙ୍କାର ପ୍ରିଲୋଡେଡ ରୂପେ କାର୍ଡ ପ୍ରଦାନ କରାଯିବ। ସରକାର ଏ ବାବଦ ବ୍ୟାଙ୍କ କମିସନି ଖର୍ଚ୍ଚ ବହନ କରିବେ। ରୂପେକାର୍ଡ ମାଧ୍ୟମରେ ଏହି ଅଗ୍ରୀମ ଦିଆଯାଉଥିବାରୁ ଏହା ସଚ୍ଚୋଟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ସହ ଟିକସ ରାଜସ୍ୱ ବଢାଇବାରେ ସହାୟକ ହେବ।

ସ୍ୱତନ୍ତ୍ର ଉତ୍ସବ ଅଗ୍ରୀମ ଯୋଜନାରେ ମୋଟ ୪୦୦୦ କୋଟି ଟଙ୍କା କର୍ମଚାରୀଙ୍କ ହାତକୁ ଯିବ ବୋଲି ଆଶା କରାଯାଉଛି। ସବୁ ରାଜ୍ୟ ସରକାର ଯଦି ସମାନ ଢଙ୍ଗରେ ନିଜ କର୍ମଚାରୀଙ୍କୁ ପୂଜା ଅଗ୍ରୀମ ଦିଅନ୍ତି ତେବେ ଏ ବାବଦରେ ମୋଟ ୮୦୦୦ କୋଟି ଟଙ୍କା ଅର୍ଥନୀତିରେ ପଶିବାର ସମ୍ଭାବନା ରହିଛି।

(ଖ) ପୁଞ୍ଜି ବ୍ୟୟ

(୧) ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା

ପୁଞ୍ଜି ବ୍ୟୟ ସଂକ୍ରାନ୍ତ ପଦକ୍ଷେପ ଘୋଷଣା କରିବା ଅବସରରେ ଅର୍ଥମନ୍ତ୍ରୀ ଶ୍ରମତୀ ସୀତାରମଣ କହିଛନ୍ତି ଯେ ଭିତ୍ତିଭୂମି ନିର୍ମାଣ ଓ ସମ୍ବଳ ସୃଷ୍ଟି ବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହାର ଗୁଣିତକ ପ୍ରଭାବ ଅର୍ଥନୀତି ଉପରେ ପଡିବ। ଏହା କେବଳ ସାଂପ୍ରତିକ ଜିଡିପିରେ ଉନ୍ନତି ଆଣିବ ନାହିଁ, ଭବିଷ୍ୟତରେ ଏହାର ଉନ୍ନତି ବିଧାନରେ ସହାୟକ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପୁଞ୍ଜି ବ୍ୟୟକୁ ସରକାର ଅଗ୍ରାଧିକାର ଦେଉଛନ୍ତି।

ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସୁଧମୁକ୍ତ ୫୦ ବର୍ଷିଆ ଋଣ ପ୍ରଦାନ ଯୋଜନା ରାଜ୍ୟମାନଙ୍କ ପାଇଁ ପ୍ରବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିରେ ମୋଟ ୧୨୦୦୦ କୋଟି ଟଙ୍କା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ। ଏହା ୩ ଭାଗରେ ବିଭକ୍ତ।

ଏହି ଯୋଜନା ସଂପର୍କରେ ସବିଶେଷ ନିମ୍ନରେ ଆଲୋଚନା କରାଯାଇଛି।

ଭାଗ-୧: ପଚାଶ ବର୍ଷିଆ ସୁଧମୁକ୍ତ ସ୍ୱତନ୍ତ୍ର ଋଣ ସହାୟତା ଯୋଜନାରେ ୮ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପ୍ରତ୍ୟେକ ୨୦୦ କୋଟି ଟଙ୍କା ଲେଖାଏଁ ଋଣ ପାଇବେ। ଏ ବାବଦରେ ଏହି ୮ ରାଜ୍ୟକୁ ୧୬୦୦ କୋଟି ଟଙ୍କା ଯୋଗାଇ ଦିଆଯିବ। ସେହିଭଳି ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ପ୍ରତ୍ୟେକ ୪୫୦ କୋଟି ଟଙ୍କା ଲେଖାଏଁ ମୋଟ ୯୦୦ କୋଟି ଟଙ୍କା ପାଇବେ।

ଭାଗ-୨: ଏହି ଯୋଜନାରେ ଅବଶିଷ୍ଟ ରାଜ୍ୟଗୁଡିକୁ ପଞ୍ଚଦଶ ଅର୍ଥ କମିସନଙ୍କ ସମ୍ବଳ ବଣ୍ଟନ ସୂତ୍ରରେ ୭୫୦୦ କୋଟି ଟଙ୍କା ଋଣ ଆକାରରେ ବିନା ସୁଧରେ ୫୦ ବର୍ଷ ପାଇଁ ଯୋଗାଇ ଦିଆଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଉଭୟ ଭାଗ-୧ ଓ ଭାଗ-୨ ସୁଧମୁକ୍ତ ଋଣ ବାବଦ ଅର୍ଥକୁ ସଂପୃକ୍ତ ରାଜ୍ୟମାନଙ୍କୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖର୍ଚ୍ଚ କରିବାକୁ ପଡିବ। ଏଥିପାଇଁ ୫୦ ଭାଗ ଅର୍ଥ ପ୍ରାରମ୍ଭିକ ଅବସ୍ଥାରେ ଯୋଗାଇ ଦିଆଯିବ। ଅବଶିଷ୍ଟ ୫୦ ଭାଗ ଅର୍ଥ ପ୍ରଥମ ଦଫାରେ ଦିଆଯାଇଥିବା ଅର୍ଥର ବିନିଯୋଗ ଭିତ୍ତିରେ ପ୍ରଦାନ କରାଯିବ।

ଭାଗ-୩: ଏହି ଯୋଜନାରେ ରାଜ୍ୟମାନଙ୍କୁ ମୋଟ ୧୨୦୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ। ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘୋଷଣା ହୋଇଥିବା ୪ଟି ସଂସ୍କାର ମଧ୍ୟରୁ ଯେଉଁ ରାଜ୍ୟମାନେ ୩ଟି ପୂରଣ କରିଥିବେ ସେମାନଙ୍କୁ ପ୍ରତ୍ୟେକ ୨୦୦୦ କୋଟି ଟଙ୍କା ଲେଖାଏଁ ଏହି ଋଣ ମିଳିବ। ଯେଉଁ ରାଜ୍ୟମାନେ ଏହି ସର୍ତ୍ତ ପୂରଣ କରିଥିବେ ସେମାନଙ୍କୁ ଅନ୍ୟାନ୍ୟ ଋଣ ସୀମା ବାହାରେ ଏହି ଅତିରିକ୍ତ ୨୦୦୦ କୋଟି ଟଙ୍କା ସୁଧମୁକ୍ତ ବ୍ୟବସ୍ଥାରେ ଯୋଗାଇ ଦିଆଯିବ।

ଏହି ଯୋଜନା ଅନୁସାରେ ସଂପୃକ୍ତ ଅର୍ଥ ନିମ୍ନଲିଖିତ କାର୍ଯ୍ୟରେ ଖର୍ଚ୍ଚ ହୋଇପାରିବ।

– ନୂଆ କିମ୍ବା ପ୍ରଚଳିତ ପୁଞ୍ଜି ପ୍ରକଳ୍ପ ଯେଉଁଠି ଅର୍ଥର ଆବଶ୍ୟକତା ରହିଛି ସେ ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇପାରିବ। ଏସବୁ ପ୍ରକଳ୍ପରେ କଣ୍ଟ୍ରାକ୍ଟରଙ୍କ ଦେୟ ପ୍ରଦାନ ଓ ଯୋଗାଣକାରୀଙ୍କ ପ୍ରାପ୍ୟ ପ୍ରଦାନରେ ମଧ୍ୟ ଏହି ଅର୍ଥ ଖର୍ଚ୍ଚ ହୋଇପାରିବ। ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଅର୍ଥ (କ୍ୟାପେକ୍ସ)କୁ ବିନିଯୋଗ କରିବାକୁ ହେବ। ରାଜ୍ୟମାନେ ଏବେ ଯେଉଁସବୁ ଋଣ ସୁବିଧା ପାଇଛନ୍ତି ତା ବାହାରେ ଅତିରିକ୍ତଭାବେ ଏହି ଋଣ ଯୋଗାଣ ବ୍ୟବସ୍ଥା କରାଯାଇଛି। ଏ ବାବଦ ଋଣ ୫୦ ବର୍ଷ ପରେ ରାଜ୍ୟମାନଙ୍କୁ ଶୁଝିବାକୁ ପଡିବ। ଏହି ୫୦ ବର୍ଷ ମଧ୍ୟରେ ସେମାନଙ୍କୁ କୌଣସି ସୁଧ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ ନାହିଁ।

(୨) ଅଧିକ ବଜେଟ ବ୍ୟବସ୍ଥା

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସଡକ, ପ୍ରତିରକ୍ଷା, ଜଳଯୋଗାଣ, ସହରାଞ୍ଚଳ ବିକାଶ ଏବଂ ଘରୋଇଭାବେ ଉତ୍ପାଦିତ ମୂଳଧନୀ ସାମଗ୍ରୀ ଆଦି କ୍ଷେତ୍ର ପାଇଁ ଚଳିତବର୍ଷ ବଜେଟରେ ଯେଉଁ ୪.୧୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହୋଇଥିଲା ତାହାକୁ ଛାଡି ପୁଞ୍ଜି ବ୍ୟୟ ବଢାଇବାକୁ ବଜେଟରେ ୨୫୦୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି।

ସରକାରୀ ବ୍ୟାପାରକୁ ସୁରୁଖୁରୁରେ ସଂପାଦିତ କରିବା ପାଇଁ ଆଗାମୀ ସଂଶୋଧିତ ବଜେଟ ଆକଳନରେ ଏହି ଅର୍ଥ ବରାଦ କରାଯିବ। ଏଥିପାଇଁ ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା କରି ଅର୍ଥ ମନ୍ତ୍ରଣାଳୟ ଚୂଡାନ୍ତ ନିଷ୍ପତ୍ତି ନେବ।

ଏଠାରେ ସ୍ମରଣଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ୨୬ ତାରିଖରେ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହାଛଡା ଚଳିତବର୍ଷ ମେ ୧୨ ତାରିଖରେ ଆତ୍ମନିର୍ଭର ଭାରତ ପ୍ୟାକେଜରେ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ବ୍ୟାପକ ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଏହି ପ୍ୟାକେଜର ପରିମାଣ ଥିଲା ଭାରତୀୟ ଜିଡିପିର ୧୦ ଶତାଂଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନର ଆହ୍ୱାନ ଦେଇଥିଲେ। ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ସଶକ୍ତ ଜନସଂଖ୍ୟା ଓ ଚାହିଦା ଏହି ୫ଟି ସ୍ତମ୍ଭ ଉପରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top