Home ଓଡ଼ିଶା ମହାମାରୀ କରୋନା ଯୋଗୁଁ ଫିକା ଗଣପର୍ବ ‘ରଜ’

ମହାମାରୀ କରୋନା ଯୋଗୁଁ ଫିକା ଗଣପର୍ବ ‘ରଜ’

79

ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) – ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଉତ୍କଳୀୟ ସଂସ୍କୃତିର ଅନ୍ୟତମ ଗଣପର୍ବ ରଜ ମଉଜ ଫିକା ପଡ଼ିଯାଇଥିବା ଲକ୍ଷ୍ୟ କରାଯାଇଛି। ଆଷାଢ଼ ମାସ ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ପହିଲି ରଜରୁ ଆରମ୍ଭ ହେଉଥିବା ଏହି ପର୍ବ ସକ୍ରାନ୍ତି ପରଦିନ ଭୂଇଁ ଦହନରେ ଶେଷ ହୋଇଥାଏ। କୃଷି ଭିତ୍ତିକ ଏହି ଗଣପର୍ବକୁ ତିନିଦିନ ଧରି ଓଡ଼ିଶାରେ ସବୁ ବର୍ଗର ଲୋକେ ବେଶ ଉତ୍ସାହ ଉଦ୍ଦିପନା ମଧ୍ୟରେ ପାଳନ କରିଥା’ନ୍ତି। ସମସ୍ତଙ୍କ ଘରେ ବନ୍ଧୁବାନ୍ଧିବଙ୍କ ଗହଳି ଲାଗିବା ସହିତ ପିଠପଣା ଓ ଫଳମୂଳ ସାଙ୍ଗକୁ ଦୋଳି, ବାଗୁଡ଼ି ଓ ତାସ ଖେଳରେ ସମୟ ବିତିଥାଏ। ଗାଁ ଦାଣ୍ଡରେ ଝିଅମାନଙ୍କ ଦଳଦଳ ହୋଇ ରଜଗୀତ ଗାଇ ଦୋଳି ଖେଳ ସାଙ୍ଗକୁ ଯୁବକଙ୍କ ପ୍ରତିଯୋଗିତା ଭିତ୍ତିରେ ବାଗୁଡ଼ି ଖେଳ ରଜ ମଉଜକୁ ଦ୍ୱିଗୁଣିତ କରିଥାଏ। ସଂଧ୍ୟାରେ ବିଭିନ୍ନ ସ୍ଥାନରେ ସାସ୍କୃତିକ କାର୍ଯ୍ୟକ୍ରମ ରଜପର୍ବକୁ ଅଧିକ ଆକର୍ଷଣୀୟ କରିଥାଏ। ଓଡ଼ିଶାର ଘରେ ଘରେ ଆବଳ ବୃଦ୍ଧ ବନୀତା ରଜପର୍ବକୁ ମନଭରି ଉପଭୋଗ କରିଥା’ନ୍ତି। ମାତ୍ର ଚଳିତବର୍ଷ କରୋନା ପାଇଁ ଏହା ସମ୍ପୂର୍ଣ୍ଣ ଭିନ୍ନ ଧାରାରେ ପାଳିତ ହେଉଛି। ଏହି ଗଣପର୍ବର ଖୁସୀ ଏବେ କେବଳ ପରିବାର ମଧ୍ୟରେ ସୀମିତ ରହିଛି। କରୋନା ସମସ୍ତଙ୍କୁ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କଠାରୁ ଦୂରେଇ ଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକୁ ମାନି ସମସ୍ତେ ବାହାରକୁ ନ ବାହାରି ଘରେ ପରିବାର ମଧ୍ୟରେ ଏହାକୁ ପାଳନ କରୁଥିବା ଦେଖିବାକୁ ମିଳିଛି। ତେବେ ବାଲେଶ୍ୱରରେ ସଟ୍‌ଡାଉନ୍ ଲାଗୁ ହୋଇଥିବା ବେଳେ କେହି କାହା ଘରକୁ ନ ଯାଇ ସମସ୍ତେ ଘରେ ରହି ଫଳମୂଳ ପିଠାପଣା ଆଦି ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି। ସେହିଭଳି ଛୋଟ ଛୋଟ ପିଲାମାନେ ଘର ଅଗଣାରେ ବନ୍ଧାଯାଇଥିବା ଦୋଳିରେ ଖେଳୁଥିବା ଦେଖିବାକୁ ମିଳିଛି। ଝିଅମାନେ ସଜବାଜ ହେଉଛନ୍ତି, ମେହେନ୍ଦି ଲଗାଉଛନ୍ତି ସତ, ମାତ୍ର ସଂସ୍କୃତି ଓ ପରମ୍ପରା ରକ୍ଷା କରିବା ପାଇଁ ସମସ୍ତେ କେବଳ ଘରେ ରହି ଆଜିର ପହିଲି ରଜକୁ ପାଳନ କରୁଛନ୍ତି। ମହାମାରୀ କରୋନାର ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ମାନି ବାଲେଶ୍ୱରବାସୀ ଘରେ ରହି ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧି ଏହି ରଜକୁ ପାଳନ କରୁଥିବା ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.