Home Top News ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

26

ଜୁହାର!
ନମସ୍କାର !

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି।

ଆପଣମାନଙ୍କ ଭୋଟ୍ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି।

ଏହି ପବିତ୍ର ସଂସଦରୁ ମୁଁ ବିନମ୍ରତାର ସହ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସଂସଦ ଆଶା, ଆକାଂକ୍ଷା ଓ ଭାରତର ନାଗରିକମାନଙ୍କ ଅଧିକାରର ପ୍ରତୀକ।

ଆପଣମାନଙ୍କ ସ୍ନେହ, ଆସ୍ଥା ଓ ସମର୍ଥନ ମୋର କାର୍ଯ୍ୟ ଓ ଦାୟୀତ୍ୱ ନିର୍ବାହ କାଳରେ ବିରାଟ ଶକ୍ତି ଭାବେ କାର୍ଯ୍ୟ କରିବ।

ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ତଥା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ମତେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି।

ଆଜିଠାରୁ ଆଉ ଅଳ୍ପଦିନ ମଧ୍ୟରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ।

ଏହା ଏକ ଅପୂର୍ବ ସଂଯୋଗ ଯେ ଦେଶ ଯେତେବେଳେ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିଲା ସେତେବେଳେ ମୋର ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା।

ଆଉ ଆଜି ସ୍ୱାଧୀନତାର ୭୫ ବର୍ଷରେ ମୋତେ ନୂତନ ଦାୟୀତ୍ୱ ନିର୍ବାହ କରିବାକୁ ସୁଯୋଗ ମିଳିଛି।

ମୋର ସୌଭାଗ୍ୟ ଯେ ଏପରି ଏକ ଐତିହାସିକ କ୍ଷଣ ଯେତେବେଳେ ଭାରତ ଆଗାମୀ ୨୫ ବର୍ଷରେ ଏହାର ଲକ୍ଷ୍ୟ ସାଧନ ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଛି, ସେତେବେଳେ ମତେ ଏହି ଦାୟୀତ୍ୱ ମିଳିଛି।

ମୁଁ ମଧ୍ୟ ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି।

ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଅମୃତ କାଳରେ ଆମକୁ ସ୍ୱାଧୀନ ଭାରତର ନାଗରିକ ଭାବେ ଖୁବ ଦୃତଗତିରେ କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ।

ଏହି ୨୫ ବର୍ଷ ମଧ୍ୟରେ ଅମୃତ କାଳର ଲକ୍ଷ୍ୟ ପୂରଣ ଦୁଇଟି ବାଟରେ କରିବାକୁ ହେବ – ତାହା ହେଲା “ସବକା ପ୍ରୟାସ ଔର ସବକା କର୍ତ୍ତବ୍ୟ” (ପ୍ରତ୍ୟେକଙ୍କ ଉଦ୍ୟମ ଓ ପ୍ରତ୍ୟେକଙ୍କ କର୍ତ୍ତବ୍ୟ)। ଭାରତର ଉଜ୍ଜଳ ଭବିଷ୍ୟତ ନିମନ୍ତେ ନୂତନ ବିକାଶ ମାର୍ଗରେ କର୍ତ୍ତବ୍ୟ ପଥ ଅନୁସରଣ କରି ସମ୍ମିଳିତ ଉଦ୍ୟମ କରିବାକୁ ପଡିବ।

ଆସନ୍ତା କାଲି ଅର୍ଥାତ ଜୁଲାଇ ୨୬ ତାରିଖ ଦିନ ଆମେ କାରଗୀଲ ବିଜୟ ଦିବସ ପାଳନ କରିବୁ। ଏହା ଭାରତୀୟ ସଶସ୍ତ୍ର ସେନାର ଉଭୟ ଶୌର୍ଯ୍ୟ ଓ ସଂଯମର ପ୍ରତୀକ।

ଆଜି ମୁଁ ମୋର ଆଗୁଆ ଶୁଭେଚ୍ଛା ଦେଶର ସଶସ୍ତ୍ର ସେନା ଓ ସମସ୍ତ ନାଗରିକମାନଙ୍କୁ ଜଣାଉଛି।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଦେଶର ପୂର୍ବଭାଗ ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ମୁଁ ମୋ ଜୀବନ ଯାତ୍ରା ଆରମ୍ଭ କରିଥିଲି।

ଯେଉଁ ପୃଷ୍ଠଭୂମିରୁ ମୁଁ ଆସିଛି ସେଠାରେ ପ୍ରାଥମିକ ଶିକ୍ଷାଲାଭ କରିବା ଏକ ସ୍ୱପ୍ନଭଳି।

ମାତ୍ର ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମୋ ସଂକଳ୍ପ ଦୃଢ଼ ଥିଲା ଓ ମୁଁ ଆମ ଗ୍ରାମର ପ୍ରଥମ ଝିଅ ଭାବେ କଲେଜରେ ପ୍ରବେଶ କଲି।

ମୁଁ ଏକ ଆଦିବାସୀ ସମାଜରୁ ଆସିଛି। ମୁଁ ଜଣେ ୱାର୍ଡ କାଉନସିଲରରୁ ଭାରତର ରାଷ୍ଟ୍ରପତି ହେବାର ସୁଯୋଗ ପାଇଛି। ଗଣତନ୍ତ୍ରର ଜନନୀ ଭାରତ ବର୍ଷର ଏହାହିଁ ହେଉଛି ମହାନତା।

ଆମ ଗଣତନ୍ତ୍ରର ଶକ୍ତି ପ୍ରତି ଏହା ହେଉଛି ଶ୍ରଦ୍ଧାଞ୍ଜଳି ଯେ ଗରୀବ ଘରେ ତଥା ଦୁର୍ଗମ ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇଥିବା ଜଣେ ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିପାରିଛି।

ମୁଁ ରାଷ୍ଟ୍ରପତି ପଦରେ ଆସୀନ ହେବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ପ୍ରତ୍ୟେକ ଗରିବ ବ୍ୟକ୍ତିର ସଫଳତା।

ମୋର ନିର୍ବାଚିତ ହେବା ଏକ ବାସ୍ତବିକ ପ୍ରମାଣ ଯେ ଜଣେ ଗରୀବ ବ୍ୟକ୍ତି ମଧ୍ୟ ତାର ସ୍ୱପ୍ନକୁ ସାକାର କରିପାରିବ।

ମୋ ପାଇଁ ଏକ ପରମ ସନ୍ତୋଷର ବିଷୟ ଏହି ଯେ ଯେଉଁମାନେ ଶହ ଶହ ବର୍ଷ ଧରି ବଞ୍ଚିତ ଓ ଯେଉଁମାନେ ବିକାଶର ସୁଫଳ ପାଇନାହାନ୍ତି ସେହି ଗରୀବ, ଦଳିତ, ଅନଗ୍ରସର ଓ ଆଦିବାସୀମାନେ ମୋ ମଧ୍ୟରେ ସେମାନଙ୍କ ପ୍ରତିଛବି ଦେଖିପାରୁଥିବେ।

ମୋର ଏହି ନିର୍ବାଚନ ପଛରେ ଦେଶର ଗରୀବମାନଙ୍କ ଆଶୀର୍ବାଦ ରହିଛି। ଦେଶର କୋଟି କୋଟି ମହିଳା ଓ ଝିଅମାନଙ୍କ ସ୍ୱପ୍ନ ଓ ସାମର୍ଥ୍ୟରେ ଏହା ପ୍ରତିଫଳିତ ହୋଇଛି।

ମୋର ଏହି ନିର୍ବାଚନ ଆଜିର ଭାରତୀୟ ଯୁବ ସମାଜ ମନରେ ସାହସ ସଞ୍ଚାର କରିଛି, ଯେ କି ନୂତନ ରାସ୍ତାରେ ଚାଲିବାକୁ ଓ ଘାତପ୍ରତିଘାତକୁ ଭ୍ରୁକ୍ଷେପ ନକରିବାକୁ ପ୍ରସ୍ତୁତ। ଆଜି ମୁଁ ଏପରି ଏକ ପ୍ରଗତିଶୀଳ ଭାରତକୁ ନେତୃତ୍ୱ ଦେବାରେ ଗର୍ବ ଅନୁଭବ କରୁଛି।

ଆଜି ମୁଁ ମୋର ଦେଶର ନାଗରିକ ବିଶେଷ କରି ଯୁବସମାଜ ଓ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ମୋର ଏହି ପଦବୀରେ କାର୍ଯ୍ୟ କଲାବେଳେ ସେମାନଙ୍କ ଇଚ୍ଛାଶକ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ହେବ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ମୋ ଆଗରେ ଭାରତର ରାଷ୍ଟ୍ରପତିତ୍ୱର ଏପରି ଏକ ମହାନ ପ୍ରତିଷ୍ଠା ରହିଛି ଯାହା ନିରବିଚ୍ଛିନ୍ନ ଭାବେ ବିଶ୍ୱରେ ଭାରତୀୟ ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବାରେ ଲାଗିଛି।

ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କଠାରୁ ଆରମ୍ଭ କରି ଶ୍ରୀ ରାମନାଥ କୋବିନ୍ଦଜୀଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିମାନେ ଏହି ପଦରେ ଆସୀନ ହୋଇଛନ୍ତି।

ଏହି ପଦବୀ ସହ ଦେଶର ପରମ୍ପରାର ମଧ୍ୟ ପ୍ରତିନିଧିତ୍ୱ କରିବା ପାଇଁ ମତେ ଦାୟୀତ୍ୱ ମିଳିଛି।

ସମ୍ବିଧାନ ଅନୁସାରେ ମୁଁ ସର୍ବୋଚ୍ଚ କର୍ମନିଷ୍ଠା ସହ ମୋର ଦାୟୀତ୍ୱ ନିର୍ବାହ କରିବି।

ମୋ ପାଇଁ ଭାରତର ଗଣତାନ୍ତ୍ରିକ, ସାଂସ୍କୃତିକ ଆଦର୍ଶ ଓ ସମସ୍ତ ନାଗରିକ ଶକ୍ତିର ଉତ୍ସ ହୋଇ ରହିବେ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଆମ ଦେଶର ନୂତନ ଯାତ୍ରାପଥର ମାନଚିତ୍ର ଆମ ସ୍ୱାଧୀନତା ସଂଗ୍ରାମ ପ୍ରସ୍ତୁତ କରିଛି।

ଆମ ସ୍ୱାଧୀନତା ସଂଗ୍ରାମ ଥିଲା ଅନେକ ସଂଗ୍ରାମ ଓ ତ୍ୟାଗର ଧାରା ଯାହା ସ୍ୱାଧୀନ ଭାରତ ନିମନ୍ତେ ଅନେକ ଆଦର୍ଶ ଓ ସମ୍ଭାବନା ଦ୍ୱାରା ସମୃଦ୍ଧ ହୋଇଛି।

ଭାରତୀୟ ସାଂସ୍କୃତିକ ଆଦର୍ଶକୁ ବୁଝିବା ପାଇଁ ପୂଜ୍ୟ ବାପୁ ସ୍ୱରାଜ, ସ୍ୱଦେଶୀ, ସ୍ୱଚ୍ଛତା ଓ ସତ୍ୟାଗ୍ରହ ଜରିଆରେ ପଥ ପ୍ରଦର୍ଶନ କରିଯାଇଛନ୍ତି।

ଦେଶର ଗର୍ବକୁ ସବୁଠାରେ ଆଗରେ ରଖିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନେହରୁଜୀ, ସର୍ଦ୍ଦାର ପଟେଲ, ବାବା ସାହେବ ଆମ୍ବେଦକର, ଭଗତ ସିଂ, ସୁଖଦେବ, ରାଜଗୁରୁ ଓ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ଅସଂଖ୍ୟ ବ୍ୟକ୍ତିତ୍ୱ ଆମକୁ ଶିକ୍ଷା ଦେଇଯାଇଛନ୍ତି।

ରାଣୀ ଲକ୍ଷୀବାଈ, ରାଣୀ ଭେଲୁ ନାଚିୟାର, ରାଣୀ ଗାଇଦିନଲ୍ୟୁ ଓ ରାଣୀ ଚେନ୍ନାମ୍ମାଙ୍କ ଭଳି ଅନେକ ସାହସୀ ମହିଳା ଦେଶର ସୁରକ୍ଷା ଓ ଗଠନ ଦିଗରେ ଅସାଧାରଣ ଶୌର୍ଯ୍ୟ ଓ ତ୍ୟାଗ ପ୍ରଦର୍ଶନ କରିଛନ୍ତି।

ସାନ୍ତାଳ ବିପ୍ଳବଠାରୁ ଆରମ୍ଭ କରି, ପାଇକ ବିପ୍ଳବ, କୋଲ ବିପ୍ଳବ ଓ ଭିଲ ବିପ୍ଳବ ଭଳି ପ୍ରତ୍ୟେକ ବିପ୍ଳବ, ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ଓ ପରାକ୍ରମର ପରିଚୟ ପ୍ରଦାନ କରିଥାଏ।

ସାମାଜିକ ଉତଥାନ ଓ ଦେଶପ୍ରେମର ଉତ୍ସାହ ଆମେ ଧରଣୀ ଆବବା ଭଗବାନ ବିର୍ସାମୁଣ୍ଡାଜୀଙ୍କ ତ୍ୟାଗରୁ ପାଇଛୁ।

ମୁଁ ଖୁସୀ ଯେ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମ ପାଇଁ ଉତ୍ସର୍ଗୀକୃତ ଅନେକ ଆଦିବାସୀ ଗୋଷ୍ଠୀର ବୀରମାନଙ୍କ ସଂଗ୍ରହାଳୟମାନ ସ୍ଥାପିତ ହେଉଛି।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

୭୫ବର୍ଷର ସଂସଦୀୟ ଗଣତନ୍ତ୍ର ଭାବେ ଭାରତ ବିକାଶର ସଂକଳ୍ପକୁ ଭାଗିଦାରୀତା ଓ ସହମତି ଭିତ୍ତିରେ ଆଗେଇ ନେଇଛି।

ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟ ଓ ଜୀବନଶୈଳୀ ଏବଂ ପ୍ରଥା ଇତ୍ୟାଦିକୁ ଗ୍ରହଣ କରି ଏକ ଭାରତ, ଶ୍ରେଷ୍ଠ ଭାରତ ନିର୍ମାଣରେ ଲାଗି ପଡିଛୁ।

ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଉପନୀତ ଏକ ଅମୃତକାଳ ଭାରତର ନୂତନ ସଂକଳ୍ପ ପାଇଁ ଉଦ୍ଦିଷ୍ଟ।

ନୂତନ ଭାବନା ସହ ମୋ ଦେଶ ଆଜି ନୂଆ ଯୁଗକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ, ଆଜି ତାହା ମୁଁ ବେଶ ଦେଖିପାରୁଛି।

ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନୂତନ ଅଧ୍ୟାୟ ଯୋଡୁଛି।

କରୋନା ମହାମାରୀ ଭଳି ବୈଶ୍ୱିକ ସ୍ଥିତିର ମୁକାବିଲା ଦିଗରେ ଭାରତ ଯେଉଁ ସାମର୍ଥ୍ୟ ପ୍ରଦର୍ଶନ କରିଛି ତାହା ଭାରତର ସୁଖ୍ୟାତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିପାରିଛି।

ଭାରତୀୟ ଭାବେ ଆମେ କେବଳ ଏହି ବୈଶ୍ୱିକ ଆହ୍ୱାନର ସାମ୍ନା କରିନାହୁଁ ବରଂ ଆମ ଉଦ୍ୟମ ଦ୍ୱାରା ଆମେ ବିଶ୍ୱରେ ଏକ ମାନକ ପ୍ରତିଷ୍ଠା କରିଛୁ।

ଏଇମାତ୍ର କିଛି ଦିନ ଆଗରୁ ଭାରତ ୨୦୦ କୋଟି କରୋନା ଟୀକା ପ୍ରଦାନ କରି ଏକ ରେକର୍ଡ ସ୍ଥାପନ କରିଛି।

ଯେଉଁ ଧୈର୍ଯ୍ୟ, ସାହସ ଓ ସହଯୋଗ ଭାରତବାସୀ ଏହି ସମୂହ ସଂଗ୍ରାମରେ ପ୍ରଦର୍ଶନ କରିଛନ୍ତି ତାହା ଆମର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ସମ୍ବେଦନଶୀଳ ସମାଜର ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ।

ଏଭଳି କଠିନ ପରିସ୍ଥିତିରେ ଭାରତ କେବଳ ନିଜର ଯତ୍ନ ନେଇନାହିଁ ବରଂ ବିଶ୍ୱକୁ ସାହାଯ୍ୟ କରିଛି। କରୋନା ବୈଶ୍ୱିକ ମହାମାରୀ ଯୋଗୁଁ ଯେଉଁଭଳି ବାତାବରଣ ସୃଷ୍ଟି ହେଲା, ଆଜି ବିଶ୍ୱ ଭାରତକୁ ନୂତନ ଆତ୍ମବିଶ୍ୱାସର ସହ ଦେଖୁଛି।

ବୈଶ୍ୱିକ ଆର୍ଥିକ ସ୍ଥିରତା, ଯୋଗାଣ ବ୍ୟବସ୍ଥା ସୁପରିଚାଳନା ଓ ଶାନ୍ତି ନିମନ୍ତେ ଆଜି ଆନ୍ତର୍ଜାତିକ ସମୁଦାୟର ଭାରତ ଉପରେ ଉଚ୍ଚ ଆଶା ରହିଛି।

ଭାରତ ନିଜର ଅଧ୍ୟକ୍ଷତାରେ ଆଗାମୀ ମାସରେ ଜି-୨୦ ଗ୍ରୁପ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି।

ଭାରତ ଅଧ୍ୟକ୍ଷତାରେ ଏଥିରେ ଥିବା ବିଶ୍ୱର ୨୦ଟି ଦେଶ ବୈଶ୍ୱିକ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରିବେ।

ଭାରତରେ ଏହି ଆଲୋଚନା ଯୋଗୁଁ ଯେଉଁ ଉପସଂହାରରେ ସେମାନେ ଉପନୀତ ହେବେ ତାହା ଆଗାମୀ ଦଶନ୍ଧି ନିମନ୍ତେ ବିଭିନ୍ନ ସମସ୍ୟାର ଦିଗ ନିର୍ଦ୍ଧାରଣ କରିବ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଏକ ଦଶନ୍ଧି ଆଗରୁ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମତେ ଜଣେ ଶିକ୍ଷକ ହିସାବରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା।

ଅଳ୍ପକିଛି ଦିନ ପରେ ଆମେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରିବା।

ଶ୍ରୀ ଅରବିନ୍ଦଙ୍କ ଶିକ୍ଷା ଦର୍ଶନ ମତେ ଉତ୍ସାହିତ କରିଛି।

ଶିକ୍ଷା ଅନୁଷ୍ଠାନ ଗୁଡିକ ସହ ମୋର ସକ୍ରିୟ ସହଯୋଗ ରହିଛି।

ବିଭିନ୍ନ ପଦପଦବୀରେ ଜନ ପ୍ରତିନିଧି ଭାବେ ଓ ପରେ ରାଜ୍ୟପାଳ ଭାବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ କାର୍ଯ୍ୟ କରିଛି।

ମୁଁ ଦେଶର ଯୁବଶକ୍ତିର ଉତ୍ସାହ ଓ ଆତ୍ମବିଶ୍ୱାସକୁ ଅତି ନିକଟରୁ ଅନୁଭବ କରିଛି।

ଆମର ଆଦରଣୀୟ ଅଟଳଜୀ କହିଥିଲେ ଯେତେବେଳେ ଦେଶର ଯୁବଶକ୍ତି ଉନ୍ନତି କରେ ସେମାନେ କେବଳ ନିଜର ଭାଗ୍ୟ ନିର୍ମାଣ କରିନ୍ତି ନାହିଁ ବରଂ ଦେଶର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆଣିଥାନ୍ତି। ଆଜି ଏହା ସତ ହେଉଥିବା ଆମେ ଲକ୍ଷ୍ୟ କରୁଛୁ।

ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ରହିଛି। “ଭୋକାଲ ଫର ଲୋକାଲ ଠାରୁ ଡିଜିଟାଲ ଇଣ୍ଡିଆ” ପର୍ଯ୍ୟନ୍ତ ଆଜିର ଭାରତ ବିଶ୍ୱସହ ପାଦ ମିଳାଇ ଚାଲୁଛି ଓ ଶିଳ୍ପବିପ୍ଳବ ଫୋର ପଏଣ୍ଟ ଜିରୋ ସହ ସମକକ୍ଷ ହେବାକୁ ଯାଉଛି।

ଭାରତୀୟ ଯୁବସମାଜ ରେକର୍ଡ ସଂଖ୍ୟକ ଷ୍ଟାର୍ଟଅପ୍ସ ସହ ଅନେକ ନବୋନ୍ମୋଷ ଓ ଦୂରଦୂରାନ୍ତରେ ଡିଜିଟାଲ ବୈଷୟିକ ଜ୍ଞାନ ପ୍ରସାରରେ ରେକର୍ଡ ସୃଷ୍ଟି କରୁଛନ୍ତି।

ମହିଳା ସଶକ୍ତିକରଣ ଦିଗରେ ପ୍ରଣୀତ ନୀତି ଓ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଏକ ନୂତନ ଶକ୍ତିର ସଞ୍ଚାର ହୋଇଛି।

ମୁଁ ଚାହେଁ ଆମର ସମସ୍ତ ଭଉଣୀ ଓ ଝିଅମାନେ ଅଧିକରୁ ଅଧିକ ସଶକ୍ତ ହେଲେ ସେମାନେ ଦେଶ ଗଠନର ସବୁ କ୍ଷେତ୍ରରେ ଅବଦାନ ଦେଇପାରିବେ।

ମୁଁ ଆମ ଦେଶର ଯୁବପୀଢ଼ିକୁ କହିବାକୁ ଚାହେଁ ଯେ ତୁମେମାନେ କେବଳ ନିଜର ଭବିଷ୍ୟତ ଗଠନ କରୁନାହଁ, ବରଂ ଦେଶ ଭବିଷ୍ୟତ ଗଠନର ମୂଳଦୂଆ ସ୍ଥାପନ କରୁଛି।

ଦେଶର ରାଷ୍ଟ୍ରପତି ଭାବେ ମୁଁ ସଦାସର୍ବଦା ଆପଣମାନଙ୍କୁ ସହଯୋଗ କରିବି।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଅଭିବୃଦ୍ଧି ଓ ଅଗ୍ରଗତି ଅର୍ଥ ହେଲା ସବୁବେଳେ ଆଗକୁ ଆଗକୁ ଯିବା। ମାତ୍ର ଅତୀତ ସମ୍ପର୍କରେ ସଚେତନତା ସବୁବେଳେ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ।

ଆଜି ଯେତେବେଳେ ବିଶ୍ୱ ଦୀର୍ଘସ୍ଥାୟୀ ଓ ନିରନ୍ତର ପୃଥିବୀ ଉପରେ କହୁଛି ସେତେବେଳେ ଭାରତୀୟ ପ୍ରାଚୀନ ପରମ୍ପରା ଓ ଜୀବନଚର୍ଯ୍ୟା ଖୁବ ଗୁରୁତ୍ୱପୂର୍ଣ୍ଣ ମନେହୁଏ।

ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି।

ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବୁଝିଛି।

ଆମେ ଦରକାରୀ ସମ୍ବଳ ପ୍ରକୃତିରୁ ନେଉ ଓ ସମ ପରିମାଣରେ ପ୍ରକୃତି ଉପାସନା କରୁ।

ଏହି ସମ୍ବେଦନଶୀଳତା ଆଜି ବିଶ୍ୱ ପାଇଁ ଅତ୍ୟାବଶ୍ୟକ ହୋଇପଡିଛି।

ମୁଁ ଖୁସୀ ଯେ ଭାରତ ବିଶ୍ୱକୁ ପରିବେଶ ସୁରକ୍ଷା ଉପରେ ମାର୍ଗଦର୍ଶନ ଦେଉଛି।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଆଜି ପର୍ଯ୍ୟନ୍ତ ମୁଁ ମୋ ଜୀବନରେ ଜୀବନକୁ ଜନସେବା ମାଧ୍ୟମରେ ଜାଣିଛି।

ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ପ୍ରସିଦ୍ଧ କବି ଭୀମଭୋଇଙ୍କ ଏକ କବିତା ଅଛି “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ।”

ନିଜ ସ୍ୱାର୍ଥଠାରୁ ଜଗତ କଲ୍ୟାଣ କାହିଁ କେତେ ଗୁଣରେ ମହାନ।

ବିଶ୍ୱ କଲ୍ୟାଣର ଏହି ଉତ୍ସାହ ସହ ମୁଁ ଆପଣମାନଙ୍କ ଆସ୍ଥା ଭାଜନ ହୋଇ ସମ୍ପୂର୍ଣ୍ଣ ଉତ୍ସାହୀ ଓ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବି।

ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଉତ୍ସର୍ଗୀକୃତ ମନୋଭାବ ସହ କର୍ତ୍ତବ୍ୟ ପଥରେ ଆଗେଇ ଏକ ଗୌରବମୟ ଓ ଆତ୍ମନିର୍ଭର ଭାରତ ଗଠନ କରିବା।

ଧନ୍ୟବାଦ

ଜୟହିନ୍ଦ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.