ଭୁବନେଶ୍ୱର: ରାଜ୍ୟରେ କିପରି ଚାଲିଛି ଶିକ୍ଷା ବ୍ୟବସ୍ଥା?କେତେ ପାରଦର୍ଶିତାର ସହ ହେଉଛି କାର୍ଯ୍ୟକାରିତା?ତାହା ଜଣାପଡୁଛି ରାଜଧାନୀ ଭୁବନେଶ୍ବର ଠାରୁ ୫୦ କିଲୋମିଟର ଦୂର ଏକ ଗ୍ରାମରୁ।ବେସରକାରୀ ବିଦ୍ୟାଳୟ ଗୁଡ଼ିକ ତୁଳନାରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଦୃବଳ ପ୍ରଦର୍ଶନକୁ ନେଇ ଆଲୋଚନା ହେଉଛି।ସରକାର ଏ’ ନେଇ ଚିନ୍ତିତ ଥିବା କୁହାଯାଉଛି।ଏହାର ପ୍ରତିକାର ପାଇଁ ସରକାର ନୂଆ ପ୍ରୟୋଗ ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି।କିନ୍ତୁ ପ୍ରତିକାର କରିପାରୁ ନାହାଁନ୍ତି।ସଫଳତା ମିଳି ପାରୁନାହିଁ।କାରଣ ସରକାର ବାସ୍ତବ ତୃଟିକୁ ବୋଧେ ଧରି ପାରୁ ନାହାଁନ୍ତି।ଏଣେ ଏବେ କେତୋଟି ପିରିୟଡ଼୍ ୪୫ ମିନିଟରୁ ବୃଦ୍ଧି କରି ଦେଢ଼ ଘଣ୍ଟା କରିବା ପାଇଁ ଚିନ୍ତା କରାଯାଇଛି।
ସମସ୍ତଙ୍କୁ ଶିକ୍ଷା ବ୍ୟବସ୍ଥା ପାଇଁ ସର୍ବ ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି।ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ସାଇକେଲ ବଣ୍ଟନ, ପୋଷାକ ବଣ୍ଟନ ଆଦି ଯୋଜନା କରାଯାଇଛି।ହୁଏତ ଏସବୁ ପ୍ରୟୋଗ ଦ୍ୱାରା ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାରେ କିଛିଟା ସଫଳତା ମିଳିଥାଇ ପାରେ।କିନ୍ତୁ ଶିକ୍ଷାର ମାନ ବୃଦ୍ଧି ହୋଇ ପାରିନାହିଁ।ପରିଣାମ ସ୍ୱରୂପ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଫଳାଫଳ ନିରାଶ ଜନକ ରହୁଛି।ଏହାର ଉଦାହରଣ ଦେଖିବାକୁ ମିଳୁଛି ରାଜଧାନୀ ଭୁବନେଶ୍ବର ଠାରୁ ମାତ୍ର ୫୦ କିଲୋମିଟର ଦୂର ତଥା ସବୁଠାରୁ ଉନ୍ନତ ଜିଲ୍ଲା କୁହା ଯାଉଥିବା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଳବାଇ ଶାସନ ଗ୍ରାମରେ।
https://twitter.com/odiapuanews/status/1163348212402380800
ଗୋଳବାଇ ଶାସନ ଅନ୍ତର୍ଗତ ଭଗବତୀ ନୋଡାଲ ଉଚ୍ଚ ବିଦ୍ୟାଳୟ।ଏଠାରେ ଛାତ୍ରଛାତ୍ରୀ ସଂଖ୍ୟା ୬୮୦।ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ୧୫, ଏବଂ ୫ ଜଣ ଅନ୍ୟାନ୍ୟ ଷ୍ଟାଫ।ବିଦ୍ୟାଳୟରେ ଥିବା ପୁସ୍ତକ, ଆଲମାରୀ, ଆସବାପତ୍ରରେ ଏଠି ଉଇ ଲାଗିଯାଏ।ଗତ ନବମ ଶ୍ରେଣୀ ପରୀକ୍ଷାର ଫଳାଫଳ ଶିକ୍ଷାଦାନର ପାରିବା ପଣିଆକୁ ବଖାଣୁଛି।ପ୍ରଧାନ ଶିକ୍ଷୟତ୍ରୀ ଏବଂ ଷ୍ଟାଫ ଏତେ ଦାୟିତ୍ୱବାନ ଯେ ପିଲା ନବୋଦୟ ପ୍ରବେଶିକା ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି।ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା, ଭୁବନେଶ୍ୱରରେ ରୁହନ୍ତି ଏବଂ ପ୍ରତ୍ୟହ ଯାତାୟତ କରନ୍ତି।ବାତ୍ୟା “ଫନି” ସମୟରେ ଏବଂ ପରେ କାର୍ଯ୍ୟରେ ସଜାଗ ରହିବାକୁ ସରକାରୀ କର୍ମଚାରୀ ମାନଙ୍କୁ ସିନା ସରକାର ଆଲର୍ଟ କଲେ, କିନ୍ତୁ ଏଠି ପ୍ରଧାନ ଶିକ୍ଷୟତ୍ରୀ ଫନିର ଦୀର୍ଘ ଦିନ ଯାଏଁ ଦେଖା ଦେଇନଥିଲେ।ବିଦ୍ୟାଳୟରେ କ’ଣ କ୍ଷତି ହେଲା କେତେ ଗଛ ପଡ଼ିଲା ତାଙ୍କର ସତେ ଯେପରି ଯା’ଆସ ନଥିଲା।ମୂଳ ଯେପରି ଡାଳ ବି ସେପରି।ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ସେହିପରି ପ୍ରଦର୍ଶନ କରୁଛନ୍ତି।ଶିକ୍ଷାଦାନ ଅପେକ୍ଷା ଏମାନେ ସୋସିଆଲ ମିଡିଆରେ ଅଧିକ ଗୁରୁତ୍ୱ ଦେଉଛନ୍ତି।ପାଠ୍ୟ ପୁସ୍ତକ ଅପେକ୍ଷା ମୋବାଇଲରେ ବୁଡ଼ି ରହୁଛନ୍ତି।ପିଲା ମନ ଇଚ୍ଛା ପଢ଼ୁଛନ୍ତି, ମନ ଇଚ୍ଛା ବୁଲୁଛନ୍ତି।ରାସ୍ତାରେ ବୁଲି ବୁଲି ମଧ୍ୟାହ୍ନ ଭୋଜନ କରୁଛନ୍ତି।ଏଠାରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ଦେଖିଲେ ଏକ ସମ୍ଭାବ୍ୟ ବିପଦ ଆଡ଼କୁ ସତର୍କ କରାଉଛି।ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରୋଷେଇ ହେଉଛି।ରୋଷେଇ ଶାଳ ବା ସ୍ଥାନ ପାଖରେ ଛେଳି, କୁକୁର ବୁଲୁଛନ୍ତି।ପିଲା ବ୍ୟବସ୍ଥିତ ଢଙ୍ଗରେ ଭୋଜନ ନ’କରି ଥାଳି ଧରି ରାସ୍ତା ଉପରେ ବୁଲିବୁଲି ଭୋଜନ କରୁଛନ୍ତି, ଅଧା ଖାଉଛନ୍ତି, ଅଧା ଫିଙ୍ଗୁଛନ୍ତି।ବିଦ୍ୟାଳୟ କଡ଼ ଦେଇ ଯାଇଥିବା ମୁଖ୍ୟ ରାସ୍ତା ଅତିକ୍ରମ କରି ଅପରପାର୍ଶ୍ଵରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଯାଇ ଥାଳି ଧୋଉଛନ୍ତି, ପାଣି ପିଉଛନ୍ତି।ଏପରି ରାସ୍ତା ଅତିକ୍ରମ ହୁଏତ କେତେବେଳ ଏକ ସାମ୍ଭାବ୍ୟ ବିପଦକୁ ଟାଣି ଆଣିପାରେ।କିନ୍ତୁ, କହିବାକୁ କେହି ନାହିଁ।ଦୀର୍ଘ ଦିନ ହେଲା ବିଦ୍ୟାଳୟରେ ଗ୍ରାମ୍ୟ ଶିକ୍ଷା କମିଟି ନଥିଲା।ଏବେ ଗଠନ ହେଇଛି।ସଭାପତି, ସମ୍ପାଦକ ଚୟନ ବାକି ଅଛି।ସ୍ଥାନୀୟ ଜନ ପ୍ରତିନିଧିଙ୍କ ଆଖି ସାମ୍ମାରେ ଏସବୁ ଘଟୁଛି।କିନ୍ତୁ ତାଙ୍କର ବୋଧେ ଏଥିରେ ପରବାୟ ନାହିଁ।ଗାଁ’ ରେ ଜଳ ଯୋଗଣର ସୁବ୍ୟବସ୍ଥା ଅଛି।ସ୍ଥାନୀୟ ୱାର୍ଡମେମ୍ବରଙ୍କ ଘରକୁ କଂକ୍ରିଟ ରାସ୍ତା ଖୋଳି ପାଇପ ପାଣି ଘରକୁ ଯାଇ ପାରୁଛି।କିନ୍ତୁ ବିଦ୍ୟାଳୟ ପିଲା ରାସ୍ତା ଅତିକ୍ରମ କରି ଆସି ଥାଳି ଧୋଉଛନ୍ତି, ପାଣି ପିଉଛନ୍ତି ପଞ୍ଚାୟତ କାର୍ଯ୍ୟାଳୟରେ!//ଦେବଦତ୍ତ ରଥ