Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଡଃ ପିକେ ମିଶ୍ର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଡଃ ପିକେ ମିଶ୍ର

243

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ନିଯୁକ୍ତ ହୋଇଛନ୍ତି। ସେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି। ବିଶେଷ କରି କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି କ୍ଷେତ୍ର, ଭିତିଭୂମି ପାଇଁ ପୁଞ୍ଜି ଲଗାଣ ଏବଂ ନିୟାମକ ପ୍ରସଙ୍ଗ ଉପରେ ତାଙ୍କର ବ୍ୟାପକ ପରିଚାଳନାଗତ ଦକ୍ଷତା ରହିଛି। ଏହାଛଡା ତାଙ୍କର ଦୀର୍ଘ କ୍ୟାରିଅର ମଧ୍ୟରେ ନୀତି ନିର୍ଦ୍ଧାରଣ, କାର୍ଯ୍ୟକ୍ରମ ରୂପାୟନ, ପ୍ରକଳ୍ପ ପରିଚାଳନା ସହିତ ଗବେଷଣା ଏବଂ ଗବେଷଣା ଲବ୍ଧ ଜ୍ଞାନର ପ୍ରକାଶନ ମାଧ୍ୟମରେ ସେ ସ୍ୱତନ୍ତ୍ର ଜନ ପରିଚୟ ପାଇଛନ୍ତି। ନୀତି ନିର୍ଦ୍ଧାରଣ ଓ ଉତମ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ଅନୁଭୂତି ଯୋଗୁ ଡଃ ମିଶ୍ରଙ୍କୁ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟରେ ଉଚ୍ଚ ପଦ-ପଦବୀରେ କାର୍ଯ୍ୟ କରିବାର ଦକ୍ଷତା ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ, ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ପଦଭାର ଅନ୍ୟତମ। ଅଧିକନ୍ତୁ କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ସେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନ ଆରମ୍ଭ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।

୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଡଃ ମିଶ୍ର ମାନବ ସମ୍ବଳ ପରିଚାଳନା ବିଶେଷକରି ବରିଷ୍ଠ ପଦ-ପଦବୀରେ ନିଯୁକ୍ତି କ୍ଷେତ୍ରରେ ଅଭିନବ ଓ ସଂସ୍କାରମୂଳକ ପରିବର୍ତ୍ତନ ଆଣିଛନ୍ତି।

ଆନ୍ତର୍ଜାତିକ ସ୍ତରରେ ମଧ୍ୟ ତାଙ୍କର ଅନେକ ଗବେଷଣାତ୍ମକ ଓ ପ୍ରଶାସନିକ ଅନୁଭୂତି ରହିଛି। ବ୍ରିଟେନର ଇନଷ୍ଟଚ୍ୟୁଟ ଅଫ ଡେଭଲପମେଂଟ ଷ୍ଟଡିଜରେ ସେ ୪ ବର୍ଷ ଶୈକ୍ଷିକ ଓ ଗବେଷଣାତ୍ମକ କାର୍ଯ୍ୟ କରିଛନ୍ତି। ଏହାଛଡା ତାଙ୍କର ଅନେକ ବିଶ୍ୱବ୍ୟାଙ୍କ ଓ ଏସୀୟ ଉନୟନ ବ୍ୟାଙ୍କ ପ୍ରକଳ୍ପ ଲାଗି ବୁଝାମଣା ଓ ସେଗୁଡିକର ଫଳପ୍ରଦ କାର୍ଯ୍ୟାନ୍ୱୟନ, ଆନ୍ତର୍ଜାତିକ ସେମି-ଏରିଡ ଟ୍ରପିକ୍ସ ଶସ୍ୟ ଗବେଷଣା ପ୍ରତିଷ୍ଠାନର ପରିଚାଳନା ବୋର୍ଡର ସଦସ୍ୟ ଏବଂ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ବିଶେଷଜ୍ଞ ହିସାବରେ ଭାଗ ନେବାର ଅନୁଭୂତି ରହିଛି।

ସମ୍ପ୍ରତି ଡଃ ମିଶ୍ରଙ୍କୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ୨୦୧୯ ମସିହାର ଜାତିସଂଘ ସାସାକାୱା ପୁରସ୍କାରରେ ସମ୍ମାନିତ କରାଯାଇଛି।

ଡଃ ମିଶ୍ର ୧୯୭୦ ମସିହାରେ ତତକାଳୀନ ଗଙ୍ଗାଧର ମେହେର କଲେଜ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)ରୁ ଅର୍ଥନୀତି ବିଷୟରେ ସ୍ନାତକ (ଅନର୍ସ) ପାଠ୍ୟକ୍ରମରେ ପ୍ରଥମଶ୍ରେଣୀରେ ଉତୀର୍ଣ୍ଣ ହେବା ସହ ଅନ୍ୟାନ୍ୟ ବିଷୟରେ ଡିଷ୍ଟିଙ୍କସନ୍ ରଖିଥିଲେ। ସେତେବେଳେ ଓଡିଶାର ସବୁ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବାରେ ସେ ପ୍ରଥମ ଛାତ୍ର ଥିଲେ। ସମ୍ବଲପୁରରୁ କଲେଜ ଶିକ୍ଷା ସାରି ସେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରୁ ଅର୍ଥନୀତିରେ ପ୍ରଥମଶ୍ରେଣୀ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ଡଃ ମିଶ୍ର ସସେକ୍ସ ବିଶ୍ୱବିଦ୍ୟାଳୟରୁ ଡେଭଲପମେଂଟ ଇକୋନମିକ୍ସରେ ସ୍ନାତକୋତର ଡିଗ୍ରୀ ପାଇ ସେଠାରେ ପିଏଚଡି କରିଥିଲେ।

ତାଙ୍କର ଅନେକ ଗବେଷଣାତ୍ମକ ଓ ଉଚ୍ଚ ଅଧ୍ୟୟନମୂଳକ ପ୍ରବନ୍ଧ ଆନ୍ତର୍ଜାତିକ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଆସୁଛି। ଡଃ ମିଶ୍ରଙ୍କ ଲିଖିତ କିଛି ପୁସ୍ତକ ମଧ୍ୟରେ ରହିଛି ନିମ୍ନଲିଖିତ ରଚନା ସମ୍ଭାର…

• The Kutch Earthquake 2001: Recollection Lessons and Insights, National Institute of Disaster Management, New Delhi, India (2004).

• Agricultural Risk, Insurance and Income: A Study of the Impact and Design of India’s Comprehensive Crop Insurance Scheme, Avebury, Aldershot, UK (1996).

• Edited Development and Operation of Agricultural Insurance Schemes in Asia, Asian Productivity Organization, Tokyo, Japan (1999).

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.