Home ଓଡ଼ିଶା ଯିଏ ପଖାଳ ଖାଇଛି,ସେ ଗରମ ଖାଉ;ଯିଏ କିଛି ନ’ ଖାଇଛି ସେ ଗାଧେଇ ଯାଉ:ଓଡ଼ିଶା ଭାଜପା...

ଯିଏ ପଖାଳ ଖାଇଛି,ସେ ଗରମ ଖାଉ;ଯିଏ କିଛି ନ’ ଖାଇଛି ସେ ଗାଧେଇ ଯାଉ:ଓଡ଼ିଶା ଭାଜପା ନୀତି

1634

ଯିଏ ପଖାଳ ଖାଇଛି,ସେ ଗରମ ଖାଉ,,ଯିଏ କିଛି ନ’ ଖାଇଛି ସେ ଗାଧେଇ ଯାଉ

ଭୁବନେଶ୍ୱର:ଓଡ଼ିଆରେ ଢେଗ ଅଛି।ଯିଏ ପଖାଳ ଖାଇଛି,ସେ ଗରମ ଖାଉ,,ଯିଏ କିଛି ନ’ ଖାଇଛି ସେ ଗାଧେଇ ଯାଉ।ଏହି ନୀତିକୁ ପୁରାପୁରି ପାଳନ କରୁଛି ଭାରତୀୟ ଜନତା ପାର୍ଟି,ଓଡ଼ିଶା।ଟିକେଟ ବଣ୍ଟନ ପରେ ଓଡ଼ିଶା ଭାଜପାର ଏହି ନୀତି ଏବେ ପଦାରେ ପଡ଼ିଯାଇଛି।

ଦୀର୍ଘଦିନ ହେଲା ଭାଜପା ଓଡ଼ିଶା ଏକ ଗୋଷ୍ଠୀ ମଧ୍ୟରେ ସୀମିତ ରହିଛି।ଯାହା କିଛି ଘଟୁଛି ସେହି ଗୋଷ୍ଠୀର ମୁଖିଆଙ୍କ ନିର୍ଦ୍ଦେଶରେ ଘଟୁଛି।ନିର୍ଦ୍ଦେଶ ପାଳନ କରିବା ପାଇଁ ରହିଛନ୍ତି ଏକ ବଡ଼ ଗୋଷ୍ଠୀ।ଅହଙ୍କାରୀ ଗୋଷ୍ଠୀ।ସେଥିପାଇଁ ତ’ ବିଜେପି ଛାଡ଼ିଥିବା ଦଳର ରାଜ୍ୟ ଉପ ସଭାପତି ରାଜ କିଶୋର ଦାସ ଏପରି କହୁଛନ୍ତି।ଔରଙ୍ଗଜେବ ସହ ତୁଳନା କରୁଛନ୍ତି।ସେମାନଙ୍କ ହାତରେ ସବୁକିଛି।ଦଳୀୟ କ୍ଷମତା ସେମାନଙ୍କ ହାତରେ।ଲାଭଦାୟକ ସଂସ୍ଥାରେ ସେହିମାନେ।ଏବଂ ଏବେ ଟିକେଟ ବି ପାଇଲେ ସେହିମାନେ।ଅନ୍ୟ ଦଳରୁ ଆମଦାନୀ ନୀତି ଏପରି କରାଯାଇଛି,ଯେପରିକି ସେହି ସବୁ ଗୋଷ୍ଠୀଙ୍କ ଆସନ ଯେମିତି ସୁରକ୍ଷିତ ରହି ପାରିବ।ତେଣିକି ଚାହେଁ ସେ ୨/୪ ଥର ନିର୍ବାଚନ ହାରି ସାରିଥାଉ।

ଭାଜପା ହେଉଛି ସଂଘ (ଆରଏସଏସ) ବିଚାରଧାରାକୁ ନେଇ ଗଠିତ ରାଜନୈତିକ ଦଳ।କିନ୍ତୁ ଓଡ଼ିଶା ଭାଜପାରେ ସଂଘର ବିଚାରଧାରା ବୋଲି କିଛି ନାହିଁ।ପଦ ପଦବୀକୁ ମାଡ଼ି ବସିଥିବା କିମ୍ବା ଟିକେଟ ପାଇଥିବା ଅଧିକାଂଶ ନେତା ଆଦୌ ସଂଘ ବିଚାରଧାରାର ନୁହଁ।କିପରି ବା ଆସିବ?ଗୋଷ୍ଠୀ ମୁଖିଆ ନିଜେ ତ’ ନୁହଁ! ଏବଂ ପଦପଦବୀରେ ଥିବା ଅଧିକାଂଶ ହେଲେ ଚାଟୁକାର।ଏମାନେ ତ’ ପୁଣି କ୍ଷମତା ମୋହରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ ଭୁଲି ଯାଇଥିଲେ।ଏବେ ବି ସେହି ପ୍ରକୃତି ରହିଛି।ଓଡ଼ିଶାରୁ କିପରି ଅଧିକ ସଂଖ୍ୟାରେ ସାଂସଦ ଦିଲ୍ଲୀ ପଠାଇ ପାରିବା କିମ୍ବା ମିଶନ ୧୨୦ ଏମାନଙ୍କର ଉଦ୍ଦେଶ୍ୟ ନୁହଁ।କେବଳ ନିଜର ଫାଇଦା।ମୁଖ୍ୟମନ୍ତ୍ରୀର ସ୍ୱପ୍ନ।ନ’ ହେଲେ କାଳେ ଉପ ମୁଖ୍ୟମନ୍ତ୍ରୀ! ଆଗକୁ ମେଣ୍ଟ ଆବଶ୍ୟକ ହେଲେ କିମ୍ୱା ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ।ଜିତିବା ପାଇଁ ନୁହେଁ,ନିର୍ବାଚନରେ ନିଜ ଗୋଷ୍ଠୀ,ଅନୁଗତଙ୍କୁ ଟିକେଟ ଦେଇ ନିଜ ହାତରେ କ୍ଷମତା ରଖିବାର ଉଦେଶ୍ୟ।ଭଲ ଟଙ୍କା ବି ଆସିବ।ହଡ଼ପ କରିବାର ଯୋଜନା।ଯେପରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକ୍ରମ ଓଡ଼ିଶାରେ କରିବା ନାମରେ ଚଳୁ କରି ଦେଇଛନ୍ତି ଏହି ଗୋଷ୍ଠୀ।ଯିଏ ସ୍କୁଟରରେ ବୁଲୁଥିଲା ଏବେ ତାର ଦାମୀକିଆ ଚାରିଚକିଆ।ଯିଏ ଗାଁ’ କୁ ଯିବାକୁ ଲିଫ୍ଟ ଅପେକ୍ଷାରେ ଛକରେ ଘଣ୍ଟା ଘଣ୍ଟା ଗୋଡ଼ ଭାଙ୍ଗି ଠିଆ ହେଉଥିଲା,ସେ ଏବେ ଦାମୀ କାରରେ ଯାଉଛି।

ସଂଘ ବିଚାରଧାରାରୁ ଆସି ପୂର୍ବ ନିର୍ବାଚନରେ ପ୍ରତିପକ୍ଷକୁ ସବୁଠାରୁ କଡ଼ା ମୁକାବିଲା ଦେଇ(ଜିତିଥିବା ସୁନ୍ଦରଗଡ଼ ଆସନକୁ ଛାଡ଼ି) ବରଗଡ଼ରୁ ସୁବାସ ଚୌହାନଙ୍କ ଟିକେଟ କାଟିଦିଆ ଯାଇଛି।କିନ୍ତୁ ମନ୍ତ୍ରୀପଦ ପାଇ ମେଣ୍ଟ ଭାଙ୍ଗିବା ପରେ ଦୁଇ ଦୁଇ ଥର ହାରି ସାରିଥିବା ସୁରମା ପାଢ଼ୀଙ୍କୁ ଟିକେଟ ଦିଆଯାଉଛି।ଏ’ ଦୃଷ୍ଟି କୋଣରୁ ନୟନ ମହାନ୍ତିଙ୍କ ପରି ନେତାଙ୍କ ରେକର୍ଡ ତ’ କାହିଁ କେତେ ଭଲ!କୋରାପୁଟ ନ’ ହେଲେ ବି ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୃଗୁ ବକ୍ସିପାତ୍ରଙ୍କୁ ପାର୍ଥି କରାଯାଉଛି।ଯେତେବେଳେ କି ଲୋକେ କହିଲେଣି ଟିକେଟ ବଣ୍ଟନ ପରେ ହିଁ ବିଜେପି ବ୍ରହ୍ମପୁରରେ ହାତ ଟେକି ଦେଇଛି।ସେହିମାନେ ସାଙ୍ଗଠନିକ ଦାୟିତ୍ୱରେ ରହି କାର୍ଯ୍ୟକ୍ରମ ମାଧ୍ୟମରେ ଚଳୁ କଲେ।ସେହିମାନେ ହିଁ ଲାଭ ଦାୟକ ସଂସ୍ଥା ପଦବୀରେ ନିଯୁକ୍ତି ପାଇଲେ।ଆଉ ଏବେ ସେହିମାନଙ୍କୁ ହିଁ ଟିକେଟ।ନିର୍ବାଚନ ସରିବା ପରେ ସାଙ୍ଗଠନିକ ଦାୟିତ୍ୱ ପରିବର୍ତ୍ତନ ହେବ।କାରଣ ସମୟ ତ’ ପୁରି ସାରିଛି।ତେଣୁ ଏବେ ସୁବାସ ଚୌହାନଙ୍କୁ ଉପ ସଭାପତି ଦାୟିତ୍ୱ ଦେବାର ମାନେ ଅବା କ’ଣ?ସୁବାସ ଚୌହାନ ଦୀର୍ଘ ବର୍ଷର ସଂଘ କାର୍ଯ୍ୟକର୍ତ୍ତା।ପ୍ରଚାରକ ଜୀବନ।ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ଆଦି ପରି ଅନେକ ସଙ୍ଗଠନ ଦାୟିତ୍ୱରେ ରହିବା ସହ ସେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଏବଂ ରାଷ୍ଟ୍ରୀୟ ସଂଯୋଜକ ଦାୟିତ୍ୱରେ ରହି ସାରିଛନ୍ତି।ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ତାଙ୍କର ସଙ୍ଗଠନ ସହ ପରିଚୟ ରହିଛି।ସାଙ୍ଗଠନିକ ଦକ୍ଷତା ରହିଛି।ତେବେ ଆଜି ଯାଏଁ ତାଙ୍କୁ ଭାଜପା କୌଣସି ଦାୟିତ୍ୱ ଦେଇ ନ’ ଥିଲା କାହିଁକି?ଆଜି କାହିଁକି ଦେଲା?ବାଜପେୟୀ ସରକାର ଭାଙ୍ଗିଥିବା ଗିରିଧର ଗମାଙ୍ଗଙ୍କୁ ଗୁରୁତ୍ୱ ଦେଲା,ମଞ୍ଚରେ ବସାଇଲା ଏପରିକି ବାଜପେୟଙ୍କ ଅସ୍ଥି କଳସ ଯାତ୍ରାରେ ରଥରେ ବସାଇ ବୁଲେଇଲା।ଯୋଗ୍ୟତା ନଥିବା ଅନେକ ନେତାଙ୍କୁ ରାଜ୍ୟ ସାଙ୍ଗଠନିକ ପଦ ପଦବୀରେ ରଖିଲା।କିନ୍ତୁ ସାଙ୍ଗଠନିକ ଦକ୍ଷତା ଏବଂ ଲୋକ ପ୍ରିୟତା ଥିବା ସୁବାସ ଚୌହାନ,ପ୍ରତାପ ଷଡ଼ଙ୍ଗୀ,ଜୟ ନାରାୟଣ ମିଶ୍ର ଆଦି ପରି ନେତାଙ୍କୁ କଣ ଠେସା କରି ରଖିଲା।ତେଣୁ ଏ’ ସବୁକୁ ଦେଖିଲେ ଲାଗୁଛି ଓଡ଼ିଶା ବିଜେପି ବୋଧେ ଯିଏ ପଖାଳ ଖାଇଛି,ସେ ଗରମ ଖାଉ,,ଯିଏ କିଛି ନ’ ଖାଇଛି ସେ ଗାଧେଇ ଯାଉ ନୀତିକୁ ମାନି ନେଇଛି।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.