Home Top News ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ: ୨୦ ପରେ ତୀବ୍ର ହେବ ବିବାଦ! ନିଜକୁ କିରାଣୀ ଭାବୁଛନ୍ତି...

ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ: ୨୦ ପରେ ତୀବ୍ର ହେବ ବିବାଦ! ନିଜକୁ କିରାଣୀ ଭାବୁଛନ୍ତି ଜିଲ୍ଲା ସଭାପତି!

105

ଭୁବନେଶ୍ୱର: ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ କେବେଠାରୁ ଲାଗି ରହି ଆସିଛି। ଜିଲ୍ଲାର ଦୁଇ ପ୍ରମୂଖ ନେତୃତ୍ୱ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏବଂ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ମଧ୍ୟରେ ଭିତରେ ଭିତରେ ଏକ ଶୀତଳ ଯୁଦ୍ଧ ଲାଗି ରହି ଆସିଥିବା କୁହାଯାଏ। ଏବେ ଯଦିବା ସେମାନଙ୍କ ଭିତରେ କିଛିଟା ଦୂରତ୍ୱ କମିବାକୁ ଯାଉଛି, ତାହାକୁ କିନ୍ତୁ କମାଇବାକୁ ଦେଉନାହାନ୍ତି କିଛି ବିଜେପି ଗୋଷ୍ଠୀ। ଦୁଇ ଜଣଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ସୋସିଆଲ୍ ମିଡିଆ ମାଧ୍ୟମରେ ଏକ ପ୍ରତିଯୋଗିତା କରାଇ ଉଭୟଙ୍କ ମଧ୍ୟରେ ଦୂରତ୍ୱ ସେହିପରି ବଜାୟ ରଖିବାକୁ ଉଦ୍ୟମ କରୁଛନ୍ତି ସେହି ଗୋଷ୍ଠୀ। ଏଣେ ଭଦ୍ରକ ସମେତ ଭଣ୍ଡାରପୋଖରୀ ଏବଂ ବାସୁଦେବପୁର ବିଧାନସଭା ଆସନରେ ଆସନ୍ତା ଥର ପାର୍ଥି ପରିବର୍ତ୍ତନ ହେବା ଆଶାରେ ଅନେକ ପୁରୁଣା ସମେତ କିଛି ନୂଆ ମୁହଁ ମଧ୍ୟ ମୁଣ୍ଡ ଟେକିଲେଣି। ଏବେଠାରୁ ସେମାନେ ତାଙ୍କର ଗୋଟିଚାଳନା ଆରମ୍ଭ କରିଦେଲେଣି। ପ୍ରତ୍ୟେକ ପ୍ରତ୍ୟେକକୁ ଏକ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଜିଲ୍ଲା ଟିମ୍ ଭିତରେ ଅନେକ ଗୋଷ୍ଠୀବାଦ ଭିତରେ ରହି ଯାଇଥିବା ବେଳେ, ତେଣେ ଦଳର ଦୁଇ ଛାମୁଆ ସଙ୍ଗଠନ ମହିଳା ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚା ଭିତରେ ଯୁବ ମୋର୍ଚ୍ଚାରେ ଏକ ପାରାଲାଲ୍ ସଙ୍ଗଠନ କାମ କରୁଛି। ଯୁବ ମୋର୍ଚ୍ଚା ସଭାପତି ନିଜକୁ ଅସହାୟ ମନେ କଲା ପରି ଅନୁଭବ ହେଉଛି। ଏଣେ ପ୍ରତିପକ୍ଷ ଯୁବା ଗୋଷ୍ଠୀ ନିଜର ପ୍ରଭାବ ଜାହିର କରୁଛି। ନୂତନ ଭାବରେ ଦାୟିତ୍ୱ ନେଇଥିବା ମହିଳା ମୋର୍ଚ୍ଚା ସଭାନେତ୍ରୀ ସକ୍ରିୟ ହୋଇ କାମ କରୁଥିବା ବେଳେ ତେଣେ, ତାଙ୍କର ଗୋଡ଼ ଟାଣିବାକୁ ଏକ ଗୋଷ୍ଠୀ ରୀତିମତ ଉଦ୍ୟମ କରୁଛନ୍ତି। ବିପକ୍ଷ ଦଳର ନୁହେଁ, ବରଂ ନିଜ ଦଳରେ ହିଁ ଏକ ଗୋଷ୍ଠୀ ତାଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ଆକ୍ଷେପ କରି ଲେଖୁଥିବା ଦେଖିବାକୁ ମିଳୁଛି। ଏସବୁ ଭିତରେ ଏଣେ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ ନିଜକୁ ଅସହାୟ ଅନୁଭବ କରୁଛନ୍ତି। ଦଳ ଭିତରେ ନିଜକୁ ନିଜେ ସେ ଏକ କିରାଣୀ ସଦୃଶ୍ୟ ଅନୁଭବ କରୁଛନ୍ତି!

ଏଣେ, ଏ’ ଭିତରେ ଭଦ୍ରକ ଉପରେ ନଜର ପକାଇଲେଣି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ଆସନ୍ତା ୨୦ ତାରିଖରେ ସେ ନିଜସ୍ୱ ମିଳିତ ସଙ୍ଗଠନ “ଆମ ପରିବାର” ନାମରେ ଭଦ୍ରକ ଜିଲ୍ଲାକୁ ନେଇ କରିବାକୁ ଯାଉଛନ୍ତି ଏକ ଭ୍ରଚ୍ୟୁଆଲ୍ ମିଟିଂ। ରାୟଗଡ଼ା, କୋରାପୁଟ, ଯାଜପୁର, ଗଞ୍ଜାମ, ପୁରୀ, ମୟୁରଭଞ୍ଜ ଏବଂ କଟକ ଆଦି ପରେ ଭଦ୍ରକରେ ସେ କରିବାକୁ ଯାଉଛନ୍ତି ଏହି ମିଟିଂ। ସୂଚନା ମୁତାବକ ଏଥିରେ ସାମିଲ ହେବା ପାଇଁ ଏବେ ଠାରୁ ଅନେକ ହ୍ଵାଟ୍ସଆପ ଗୃପ ମାଧ୍ୟମରେ ଯୋଡ଼ି ହେଲେଣି। ଅପରାଜିତଙ୍କ ଟିମ୍ ମଧ୍ୟ ଭଦ୍ରକରେ ଏହାର ଏକ ବଡ଼ ସଫଳତା ନେଇ ଆଶା ରଖିଛନ୍ତି। ଅପରାଜିତାଙ୍କ ଏହି କାର୍ଯ୍ୟକ୍ରମକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତିତ ଅଛନ୍ତି ବୋଲି କୁହାଯାଉଛି। ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଏହାକୁ ବିଫଳ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ହୁଏତ ଭିନ୍ନ କାରଣ ଦର୍ଶାଇଲେ ମଧ୍ୟ ଏହି ଆମ ପରିବାରର ଆବାହକ ଭଦ୍ରକ ଜିଲ୍ଲାର ମୂଳ ନିବାସୀ ମନ୍ମଥ ମଲ୍ଲିକଙ୍କୁ ଦଳ ଏହି କାରଣରୁ ହିଁ ନିଲମ୍ବିତ କରିଛି ବୋଲି କୁହାଯାଉଛି। ଏଣେ ଅପରାଜିତାଙ୍କ କାର୍ଯ୍ୟକ୍ରମ ସଫଳ ହେବା ନେଇ ଭଦ୍ରକ ଜିଲ୍ଲାର ଜଣେ ପ୍ରମୂଖ ନେତୃତ୍ୱ ଭିତିରିଆ ସହଯୋଗ କରୁଥିବା କୁହାଯାଉଛି। ତେଣେ, ଅସନ୍ତୁଷ୍ଟ ହୋଇ ରହିଥିବା ଜିଲ୍ଲାର ଆଉ କିଛି ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତା ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ସମର୍ଥନ ଦେଉଛନ୍ତି। ତନ୍ମଧ୍ୟରୁ କେତେଜଣ ଖୁବ୍ ଚାଲାକାତାର ସହ ଏ’ଘର ମାଉସି ସେ ଘର ପିଉଷୀ ପରି କାମ କରୁଛନ୍ତି। ଏପରି ବି କିଛି ଅଛନ୍ତି, ଯେଉଁମାନେ ଏକ ଗୋଷ୍ଠୀ ତିଆରି କରି ସେଥିରୁ ଦଳେ ଏପଟେ ଏବଂ ଦଳେ ସେପଟେ ରହୁଛନ୍ତି। ଯାହା ଜଣାପଡ଼ୁଛି, ଭଦ୍ରକ ଜିଲ୍ଲା ବିଜେପିରେ ରହି ଆସିଥିବା ଗୋଷ୍ଠୀ ବିବାଦ ୨୦ ତାରିଖରେ ଅପରାଜିତାଙ୍କ କାର୍ଯ୍ୟକ୍ରମ ପରେ ଅଧିକ ବଢ଼ିବାରେ ସମ୍ଭାବନା ରହିଛି।
– ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.