କେନ୍ଦୁଝର, ୧୪ ଜୁନ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଗଣ ପର୍ବ ପବିତ୍ର ରଜ ପର୍ବ ଅବସରରେ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଦୁଖଃଦ ଘଟଣା। ମହାଲକ୍ଷୀଙ୍କ ବାହାନ ଭାବେ ଓଡିଆ ଦ୍ୱାରା ପୂଜା ପାଉଥିବା ଗଜାନନଙ୍କ ମୃତ ଦେହ ଠାବ ହୋଇଛି। ଗଜାନନଙ୍କ ପାଇିଁ ସଙ୍କଟ ଦିନକୁ ଘନେଇବାରେ ଲାଗିଥିବା ଲକ୍ଷ୍ୟ କରାଯାଉଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ, ଯୋଡା ଫରେଷ୍ଟ ବିଟ ଅନ୍ତର୍ଗତ ଗୁରୁବେଡା ସଂରକ୍ଷିତ ଜଙ୍ଗଲ ରେ ଏକ ସଙ୍ଗେ ଦୁଇଟି ଗଜରାଜଙ୍କ ମୃତ ଦେହ ଠାବ କରାଯାଇଛି। ସ୍ଥାନୀୟ ଲୋକମାନେ ଗଜରାଜଙ୍କ ମୃତଦେହ ଠାବ କରି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଠାବ କରାଯାଇଥିବା ଦୁଇ ମୃତ ଦେହ ମଧ୍ୟରୁ ଗୋଟିଏ ପୁରୁଷ ହୋଇଥିବା ବେଳେ ଅନ୍ୟଟି ମାଈ ବୋଲି ଜଣାପଡିଛି। ମୃତ ପୁରୁଷ ଗଜରାଜଙ୍କର ବୟସ ୨୨ ବର୍ଷ ଓ ମାଈ ହାତୀର ବୟସ ୨୦ ବୋଲି ଅନୁମାନ କରାଯାଉଅଛି। ପୁରୁଷ ଗଜରାଜର ଦୁଇଟି ଦାନ୍ତ ଉପୁଡା ଯାଇଥିବା ଜଣା ପଡିଛି। ଯେଉଁଥିରେ ତାର ଶୁଣ୍ଢରେ କ୍ଷତ ଚିହ୍ନ ରହିଥିବା ଦେଖାଯାଇଛି। ଗଜରାଜ ଦ୍ୱୟଙ୍କର ମୃଦେହ ପାଖାପାଖି ପଡିଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁ ବିଦ୍ୟୁତ କରେଟଂ କିମ୍ବା ବିଷ ପ୍ରକ୍ରିୟା ଯୋଗୁଁ ହୋଇଛି ତାହା ସ୍ଫଷ୍ଟ ହୋଇ ପାରିନାହିଁ। କେନ୍ଦୁଝର ଡି- ଏଫ- ଓ- ସଦଳେବଳେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଅବଶ୍ୟ ବିଗତ ଦିନ ଭଳି ଏଥର ମଧ୍ୟ କର୍ତବ୍ୟର ଅବହେଳା ଆରୋପରେ ବନ ବିଭାଗର କୌଣସି ଜଣେ ଅଧେ ଗାର୍ଡ ହୁଏତ ନିଲମ୍ବିତ କରି ବନ ବିଭାଗ ଉଚ୍ଚ ପଦାଧିକାରୀ ସେମାନଙ୍କ ଦାୟିତ୍ୱ ଶେଷ କରିଦେବେ। କିନ୍ତୁ ଜିଲ୍ଲାରେ ଗଜରାଜଙ୍କ ପ୍ରତି ବିଭିନ୍ନ ସମୟରେ ଆସୁ ଥିବା ଏଭଳି ସଙ୍କଟର ସ୍ଥାୟୀ ସମାଧାନ ଦିଗରେ ଉଚିତ ପଦକ୍ଷେପ ନିଆଯିବା ବ୍ୟବସ୍ଥା ଶୀତଳଭଣ୍ଡାରରେ ରହିଯିବା।ଏହା ହିଁ ହୁଏତ ଆମର ବ୍ୟବସ୍ଥା।







