ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ଦାରୁବିଗ୍ରହଙ୍କ ବର୍ଣ୍ଣ ବୃତ୍ତାନ୍ତ

– ଦେବପ୍ରସାଦ ମିଶ୍ର
ଶ୍ରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ କହିଛନ୍ତି – ଉତ୍କଳେ ନେତାର ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ

ଏହି ନାରାୟଣ ପ୍ରକୃତିରେ କିଭଳି ଜଗତରନାଥ ଜଗନ୍ନାଥ ଓ ସାରା ମାନବ ସମାଜର ପ୍ରତିନିଧିତ୍ୱ କରନ୍ତି ତାହା ବିଶ୍ଳେଷଣ କରିବାକୁ ଯାଇ ସେ ବୁଝାଉଥିଲେ ଯେ, ଶ୍ରୀ ମନ୍ଦିରରେ ବିରାଜିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଯଥାକ୍ରମେ କୃଷ୍ଣ, ଶ୍ୱେତ, ପୀତ ଓ ରକ୍ତ ବର୍ଣ୍ଣର ଦ୍ୟୋତକ। ସାରା ପୃଥିବୀରେ ଏହି ଚାରିବର୍ଣ୍ଣର ଲୋକ ଦେଖାଯାଆନ୍ତି, ତେଣୁ ପ୍ରକୃତପକ୍ଷେ ଜଗନ୍ନାଥ କହିଲେ, – ଏ ସମସ୍ତ ଦେବ ଦେବୀଙ୍କୁ ସନ୍ନିବେଶିତ କରି ବୁଝାଯାଉଥିବାରୁ ସମଗ୍ର ମନୁଷ୍ୟ ଜାତି ଏଥିରେ ପ୍ରତୀତ ହୁଅନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କର ଆରାଧ୍ୟ ଦେବତା ହୋଇ ପାରିଛନ୍ତି ଏବଂ ସେଥିପାଇଁ ସେମାନଙ୍କ ରୂପ ବିଗ୍ରହରେ ମଧ୍ୟ ସମସ୍ତ ବର୍ଣ୍ଣର ସମନ୍ୱୟ ଘଟିଛି।

ତ୍ରେତୟାଯୁଗରେ ବର୍ଣ୍ଣିତ ମାନବ ଲୀଳାକାରୀ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ଶ୍ୟାମଳ, ଲକ୍ଷ୍ମଣଙ୍କର ବର୍ଣ୍ଣ ଗୌର ଓ ଜାନକୀଙ୍କର ବର୍ଣ୍ଣ ସ୍ୱର୍ଣ୍ଣପ୍ରଭା ଥିବା ଏହା ସର୍ବବାଦୀ ସମ୍ମତ। ଖାଲି ସେତିକି ନୁହେଁ ରାମଙ୍କ ବିଚ୍ଛେଦକ୍ଲିଷ୍ଟ ରାଜା ଦଶରଥ ଓ ରାଣୀ କୌଶଲ୍ୟା ଙ୍କ ତପସ୍ୟା ଫଳରେ ପରବର୍ତ୍ତୀ ଯୁଗରେ ସେମାନେ ଯଥାକ୍ରମେ ରାଜା ବାସୁଦେବ ଓ ଦେବକୀଙ୍କ ଭାବରେ ଜନ୍ମଗ୍ରହଣ କରିବେ ଓ ସେମାନଙ୍କ ଔରସରୁ ପ୍ରଭୁ ରାମଚନ୍ଦ୍ର କୃଷ୍ଣ ରୂପରେ ଜନ୍ମଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କର ଅନୁଜ ଲକ୍ଷ୍ମଣ ତଥା ପତ୍ନୀ ସୀତା ଯଥାକ୍ରମେ ବଳରାମ ରାଧା ରୂପରେ ଜନ୍ମଗ୍ରହଣ କରିବେ ବୋଲି ବର ପ୍ରଦାନ କରିଥିବାର ପୌରାଣିକ ଉପାଖ୍ୟାନମାନ ରହିଛି। ଉଦାହରଣ ସ୍ୱରୂପ ଉତ୍କଳୀୟ ଧର୍ମ ଜଗତରେ ଅନ୍ୟତମ ବିଶିଷ୍ଟ ପଞ୍ଚଶଖା, ଭକ୍ତକବି ଅତିବଡି ଜଗନ୍ନାଥ ଦାସଙ୍କ ଦୀକ୍ଷାଗୁରୁ ବଳରାମ ଦାସ ତାଙ୍କ ଜଗମୋହନ ବା ଦାଣ୍ଡି ରାମାୟଣରେ ଉଲ୍ଲେଖ କରି ଅଛନ୍ତି।

ନୀଳ ଧବଳ ବର୍ଣ୍ଣ ଯେ ଅଳକାର ମୂର୍ତ୍ତି
ତ୍ରିବିଧ ରୂପ ଦେଖିଲେ ତହିଁ ସୀତାପତି
ଜଗନ୍ନାଥ ଛାମୁରେ ଶ୍ରୀରାମ ଉଭା ହୋଇ
ଲକ୍ଷ୍ମଣ ବଳରାମଙ୍କ ସାନ୍ନିଧ୍ୟକୁ ଯାଇ
ସୀତା ସୁଭଦ୍ର ଯେ ହେଉଛନ୍ତି ଭେଟ ବେନି
ତିନି ଦେବତା ହୋଇ ସେ ତିନିମୂର୍ତ୍ତି ଘେନି।ା

ଏହାଛଡା ଜଗନ୍ନାଥଙ୍କ ଆଦିମ ବିଗ୍ରହ କାଷ୍ଠ ନିର୍ମିତ କି ପ୍ରସ୍ତର ପ୍ରସ୍ତୁତ, ସେଥିପାଇଁ କିଛିଟା ବିବାଦ ଉପଜାତ ହୋଇଥିଲେ ହେଁ ଯାହା କି ଏ ପ୍ରବନ୍ଧର ବିଷୟ ବସ୍ତୁ ନୁହେଁ। ଏହା ଅବିବାଦୀୟ ଭାବରେ ସ୍ୱୀକୃତ ଯେ, ଇନ୍ଦ୍ରଦ୍ୟୁମ୍ନଙ୍କ ଆଗମନ ପୂର୍ବରୁ ବିଶ୍ୱାବସୁ ଶବରଙ୍କଦ୍ୱାରା ନୀଳଗିରିରେ ନୀଳମାଧବ ବା ନୀଳମଣି ପ୍ରସ୍ତରଖଣ୍ଡ ଭାବରେ ପୂଜିତ ହେଉଥିଲେ। ତେଣୁ ଏହି ନୀଳ ବା ଶ୍ୟାମ ବର୍ଣ୍ଣର ସାମଞ୍ଜସ୍ୟ ଜଗନ୍ନାଥଙ୍କ ପାଖରେ ରହିବ ହିଁ ରହିବ। ଜଗନ୍ନାଥଙ୍କ ସମ୍ବନ୍ଧରେ ଅନ୍ୟତମ ପ୍ରାମାଣିକ ଗ୍ରନ୍ଥ ପଦ୍ମପୁରାଣରେ ମଧ୍ୟ ଏହା ସ୍ୱୀକୃତ। ଏତଦ୍ବ୍ୟତୀତ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ( ଆଦିଶଙ୍କର ) ଜଗନ୍ନାଥଙ୍କୁ କୃଷ୍ଣ ରୂପରେ ଆରାଧନା କରି ସେ ଅତୀତରେ କାଳନ୍ଦୀ ତଟରେ ରହି ଗୋପୀମାନଙ୍କର ବଦନ କମଳର ସ୍ୱାଦୁ ଢ଼ଧୁପ ଭଳି ଚାଖୁଥିବା ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କ ବିଗ୍ରହର ନିମ୍ନାଂଶ ପୀତ ସଂଯୁକ୍ତ ଶ୍ୱେତ ଏବଂ ଉର୍ଦ୍ଧ୍ୱାଂଶ ମୁଖ୍ୟତଃ କୃଷ୍ଣ ବର୍ଣ୍ଣ ହୋଇଥିବାରୁ ସେହି ଅଷ୍ଟକରେ ତାଙ୍କୁ ରସାନନ୍ଦୋ ରାଧା ସରସ ବପୁଗାଲିଙ୍ଗନ ସୁଖୋ ଭାବରେ ସମ୍ବୋଧନ କରିଅଛନ୍ତି।ଅର୍ଥାତ – ତ୍ରେତାର – ରାମ, ଲକ୍ଷ୍ମଣ, ସୀତା, ଦ୍ୱାପରରେ – କୃଷ୍ଣ, ବଳରାମ, ରାଧା, କଳିରେ – ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ହୋଇଥିବାର କ୍ରମ ଅବ୍ୟାହତ ରହିବାରୁ ଜଗନ୍ନାଥାଦି ବିଗ୍ରହମାନଙ୍କର ବର୍ଣ୍ଣ ଏଭଳି ହୋଇଥିବା କହିବା ସ୍ୱାଭାବିକ। ଲକ୍ଷ୍ମଣ ସାନ ଭାଇ ହୋଇଥିଲେ ହେଁ ଅଧିକତର ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିବାରୁ ପରବର୍ତ୍ତୀ ସମୟରେ ସେ ବଡଭାଇ ଅର୍ଥାତ ବଳରାମ ଭାବରେ ଠିକ ଅନ୍ୟ ଏକ ଜନନୀଙ୍କ ଗର୍ଭରୁ ଜନ୍ମ ହୋଇ ଅଧିକତର ସୁଖ ସ୍ୱାଚ୍ଛନ୍ଦ୍ୟ ଭୋଗ କରିବେ ବୋଲି ଭଗବାନ ରାମଚନ୍ଦ୍ର ଅଭୟ ଦେଇଥିବା କୁହାଯାଏ ତେଣୁ ସାନଭାଇ କୃଷ୍ଣ ଅସୁରମାନଙ୍କୁ ମାରିବାଠାରୁ ଆରମ୍ଭ କରି ମହାଭାରତ ଯୁଦ୍ଧର ସମସ୍ତ ଦାତ୍ତ୍ୱ ବହନ କରିବା ବେଳେ ବଳରାମ ଆରାମରେ ଜୀବନଯାପନ କରିବା ସହିତ ମହାଭାରତ ଯୁଦ୍ଧ ସମୟରେ ତୀର୍ଥାଟନ କରିବାକୁ ବାହାରିବା ସ୍ୱାଭାବିକ। ସମନ୍ୱିତ ଜଗନ୍ନାଥ ଧର୍ମତତ୍ତ୍ୱକୁ ଅନ୍ୟଦୃଷ୍ଟିରୁ ବିଚାରକଲେ ଅର୍ଥାତ୍ ବୈଷ୍ଣବ, ଶୈବ, ଶାକ୍ତ ତତ୍ତ୍ୱର ସମ୍ମିଶ୍ରଣ ଯେଉଁଠାରେ ସନାତନ ଧର୍ମ ଧାରାରେ ଗୃହୀତ ବିଷ୍ଣୁ, ଶିବ ଓ ଦୁର୍ଗା ବା ଶକ୍ତିଙ୍କର ବର୍ଣ୍ଣରେ ଯଥାକ୍ରମେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ପ୍ରତିଫଳନ ଘଟିବ ହିଁ ଘଟିବ। ଯେଉଁ ତାନ୍ତ୍ରୀକମାନେ ଜଗନ୍ନାଥଙ୍କୁ ଭଦ୍ରକାଳୀ ଭାବରେ ଆରାଧନା କରନ୍ତି ଏବଂ ବସ୍ତୁତଃ ନିରାକାରବାଦୀଙ୍କ ଦୃଷ୍ଟିଭଙ୍ଗୀକୁ ବାଦଦେଲେ ବି ଯେହେତୁ ବ୍ରହ୍ମର କୌଣସି ରୂପ ବା ଆକାର ନଥାଏ। ଯେଉଁମାନେ ତାଙ୍କର ନାକ ନଥାଇ ନାକରେ ବସଣୀ ଦେଖନ୍ତି, ସେମାନେ ତାଙ୍କୁ କଳାବର୍ଣ୍ଣା କାଳୀ ବୀତୀତ ଆଉ କଣ ବା ବିଚାରିବେ ?

ତେବେ ଏହିସବୁ ବିଗ୍ରହଙ୍କ ବର୍ଣ୍ଣ ସମ୍ବନ୍ଧରେ ଜଗନ୍ନାଥଙ୍କ ବୃତ୍ତାନ୍ତ ସମ୍ବନ୍ଧିତ ଅନ୍ୟ ଏକ ଶାସ୍ତ୍ର ବ୍ରହ୍ମପୁରାଣକୁ ଏଠାରେ ଉଦ୍ଧାର କରିବା ଆବଶ୍ୟକ ଏଥିରେ କୁହାଯାଇଛି –

ପ୍ରଥମ ଶୁକ୍ଳବର୍ଣ୍ଣାଭଂ ଶାରଦେନ୍ଦୁ ସମପ୍ରଭମ୍
ଆରକ୍ତାକ୍ଷଂ ମହାକାୟଂ ସ୍ଫଟା ବି ଟ ମସ୍ତକମ୍।
ନୀଳାମ୍ବରଧରଂ ଚୋଗ୍ରବଳଂ ବଳମଦୋଦ୍ଧିତମ୍
କୁଣ୍ଡଳୈକଧରଂ ଦିବ୍ୟଂ ଗଦାମୁଶଳ ଧାରିଣାମ୍।
ଦ୍ୱିତୀୟଂ ପୁଣ୍ଡରୀକାକ୍ଷଂ ନୀଳଜୀମୂତ ସନ୍ନିଭମ୍
ଅତସୀ ପୁଷ୍ପ ସକାଶଂ ପଦ୍ମପତ୍ରାୟତେ କ୍ଷମମ, ।
ପୀତବାସ ସମତ୍ୟୁଗ୍ରଂ ଶୁଭଂ ଶ୍ରୀବତ୍ସଲକ୍ଷଣମ୍
ଚକ୍ରପୂର୍ଣ୍ଣକରଂ ଦିବ୍ୟଂ ସର୍ବପାପହରଂ ହରିମ୍।
ତୃତୀୟାଂ ସ୍ୱର୍ଣ୍ଣବର୍ଣ୍ଣାଭାଂ ପଦ୍ମପତ୍ରାୟତେ କ୍ଷଣାମ୍
ବିଚିତ୍ର ବସ୍ତସଂଚ୍ଛନ୍ନାଂ ହାରକେୟୁର ଭୂଷିତାମ୍।
ବିଚିତ୍ରାଭରମୋପେତଂ ରତ୍ନହାରା ବଲ୍ଲମ୍ବି ତାମ୍
ପୀନୋନ୍ନତକୁଚାଂ ରମ୍ୟାଂ ବିଶ୍ୱକର୍ମା ବିନିର୍ମମେ।

ଅବଶ୍ୟ ଏହା ସତ୍ୟ ଯେ ଏହି ତ୍ରିମୂର୍ତ୍ତିରେ କଳା, ଧଳା ଓ ହଳଦିଆ ରଙ୍ଗର ଯଥାକ୍ରମେ ପ୍ରାଧାନ୍ୟ ରହିଥରଲେ ହେଁ, ପ୍ରତ୍ୟେକ ମୂର୍ତ୍ତିରେ ଅନ୍ୟାନ୍ୟ ରଙ୍ଗର ମଧ୍ୟ ଆନୁପାତିକ ସ୍ଥାନ ରହିଛି। ସେହିଭଳି ମହାପ୍ରଭୁଙ୍କର ମୁଖ୍ୟଯାତ୍ରା ଘୋଷପର୍ବ ପାଇଁ ଯେଉଁ ତିନିଗୋଟି ରଥ ପ୍ରସ୍ତୁତ ହୁଏ ଯଥା – ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବଦଳନ ସେ ସବୁରେ ଯଥାକ୍ରମେ ହଳଦିଆ ନେଳୀ ଓ କଳା ବର୍ଣ୍ଣର ପ୍ରାଧାନ୍ୟ ଥିଲେ ହେଁ ଏସବୁ ବର୍ଣ୍ଣ ସମେତ ଅନ୍ୟାନ୍ୟ ବର୍ଣ୍ଣର କନା ମଧ୍ୟ ପ୍ରତ୍ୟେକରେ ସନ୍ନିବେଶିତ ଥାଏ। ଜଗନ୍ନାଥ ପୀତବାସ, ବଳଭଦ୍ର ନୀଳକଣ୍ଠ, ସୁଭଦ୍ରା ଶକ୍ତିସ୍ୱରୂପା ଇତ୍ୟାଦି କେତକ ଗ୍ରହଣୀୟ ଯୁକ୍ତି ଏଥିପାଇଁ ମଧ୍ୟ ଦର୍ଶାଯାଇପାରେ। ଠିକ ସେହିଭଳି ପ୍ରତ୍ୟେକ ବିଗ୍ରହ ମଧ୍ୟ ସବୁ ବର୍ଣ୍ଣର ସମନ୍ୱିତ ସ୍ୱରୂପ ବୋଲି ମଧ୍ୟ କୁହାଯାଇପାରେ।

ତେବେ ବର୍ତ୍ତମାନ ପୃଥିବୀରେ ସଂପୂର୍ଣ୍ଣ ଭାବରେ ଲୋପ ପାଇନଥିବା ବର୍ଣ୍ଣ ଭିତ୍ତିକ ଦ୍ୱେଷ, ହିଂସା ବା ଆଚରଣ ଦୃଷ୍ଟିରୁ ରତ୍ନ ସିଂହାସନରେ ବିରାଜିତ ଥିବା ବିଭିନ୍ନ ରଙ୍ଗର ବିଗ୍ରହଗୁଡିକୁ ଦେଖିଲେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥ ଧର୍ମ ଯେ କିଭଳି ଏକ ମହାନ ସମନ୍ୱୟ ତଥା ସହାବସ୍ଥାନ ଏବଂ ଭ୍ରାତୃତ୍ୱର ପ୍ରତୀକ ଭାବରେ ପ୍ରତୀୟମାନ ହୁଏ, ତାହା ଯେ କେହି ଦର୍ଶକ ଅନାୟାସରେ ଉପଲବ୍ଧି କରିପାରିବେ।

ପୂର୍ବେ ସତ୍ୟବାଦୀ ବନ ବିଦ୍ୟାଳୟରେ ବାଣୀ ଆରାଧନା ପ୍ରାର୍ଥନା ସଭାରେ ପଣ୍ଡିତ ଗୋପବନ୍ଧୁ, ନୀଳକଣ୍ଠ, ଓ ଆଚାର୍ଯ୍ୟ ମହାଶୟଙ୍କ ସମେତ ଅନ୍ୟ ଶିକ୍ଷକମାନେ ବିଦ୍ୟାର୍ଥୀ ମାନଙ୍କୁ ଯେଉଁ ଉପଦେଶ ଦେଉଥିଲେ ତହିଁରେ ମହାପ୍ରଭୁ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି କିପରି ସମଗ୍ର ବିଶ୍ୱକୁ ପ୍ରତିନିଧିତ୍ୱ କରନ୍ତି ତାର ଉଦାହରଣ ଦେଇ ଯାହା ବର୍ଣ୍ଣନା କରିଥିଲେ ତାର କିଛି ଅଂଶ ବନବିଦ୍ୟାଳୟର ପ୍ରାକ୍ତନ ଛାତ୍ରଙ୍କଠାରୁ ସଂଗୃହିତ। ହରିହର ବାହନୀପତି ପୁରୀରୁ ନିର୍ମାଲ୍ୟ ନାମକ ପତ୍ରିକାରେ ଏହାକୁ ବିଭିନ୍ନ ସ୍ଥାନରୁ ସଂଗ୍ରହକରି ପତ୍ରିକାରେ ସ୍ଥାନିତ କରୁଥିଲେ, ଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ ଉପରେ ପ୍ରାୟ ଅଧିକାଂଶ ଦିନ ଆଲୋଚନା ହେଉଥିଲା।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top