Home Coronavirus Outbreak କୋଭିଡ୍ ନିୟମ ଉଲଘଂନ ଏବଂ ଅପରାଜିତାଙ୍କ ରଣହୁଙ୍କାର: ଗୁଆ ଗଛକୁ ଚଡ଼କ ମାରିଲେ ତାଳ ଗଛ...

କୋଭିଡ୍ ନିୟମ ଉଲଘଂନ ଏବଂ ଅପରାଜିତାଙ୍କ ରଣହୁଙ୍କାର: ଗୁଆ ଗଛକୁ ଚଡ଼କ ମାରିଲେ ତାଳ ଗଛ ପୋଡ଼ିଯାଉଛି !

214

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ହେବା ପରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଲେ। ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଦିଆଗଲା ବିପୁଳ ସମ୍ବର୍ଦ୍ଧନା। ଅଭିଯୋଗ ହେଲା ଖୋଲାଖୋଲି ହେଲା କୋଭିଡ୍ ନିୟମର ଉଲଘଂନ। ଏହାପରେ ଅପରାଜିତା ଗଲେ ଲିଙ୍ଗରାଜ ମନ୍ଦିର ଏବଂ ପୁରୀ। ସେଠାରେ ମଧ୍ୟ କୋଭିଡ୍ ନିୟମର ଉଲଘଂନ ହୋଇଥିବା କୁହାଗଲା। କଥା ସେତିକିରେ ରହିଗଲାନି। ଏହାପରେ ପୁଣି ଅଭିଯୋଗ ହେଲା ଯେ, କୋଭିଡ୍ ନିୟମର ଉଲଘଂନ କରି ଅପରାଜିତା ପାଳିଲେ ନିଜର ଜନ୍ମଦିନ। ନାଁ, ମୁହଁରେ ମାସ୍କ ନାଁ, ସାମାଜିକ ଦୂରତା ରକ୍ଷା। ଅପରାଜିତାଙ୍କ ବାର୍ଥ ଡେ’ ସେଲିବ୍ରେସନ୍‌ରେ ମସଗୁଲ ଥିଲେ ଶତାଧିକ ସମର୍ଥକ। ନାଚଗୀତରେ ବିଭୋର ହୋଇଥିଲେ ମହିଳା, ପୁରୁଷ ଏବଂ ଯୁବକ। ଏହାକୁ ନେଇ କେନ୍ଦ୍ରକୁ ଫେରାଦ ହୋଇଥିଲା ରାଜ୍ୟ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏ’ ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ଅପରାଜିତାଙ୍କୁ ତାଗିଦ୍‌ କରିବା ପାଇଁ ଦାବି କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ଅପରାଜିତା କହିଲେ, ମୁଁ ଭାବିଥିଲି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୋ ଜନ୍ମଦିନରେ ମୋ ପାଖକୁ ଶୁଭେଚ୍ଛା ବାର୍ତ୍ତା ପଠାଇବେ ଏବଂ ଆଶୀର୍ବାଦ ଦେବେ, କିନ୍ତୁ ସେ ମୋ ବିରୋଧରେ ଚିଠି ଲେଖିଲେ। ସ୍ୱର୍ଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷ ଦର୍ଶନ କରିବାକୁ ମନ୍ତ୍ରୀ ସମୀର ଦାଶ ଏବଂ ଜଣେ କରୋନା ଆକ୍ରାନ୍ତ ବିଧାୟକ ଉମା ସାମନ୍ତରାୟ ଯାଇଥିଲେ। ମାତ୍ର ସେମାନେ ମାସ୍କ ପିନ୍ଧି ନଥିଲେ। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏ’ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଚିଠି ଲେଖିଲେ ନାହିଁ ବୋଲି ଅପରାଜିତା ପ୍ରଶ୍ନ କରିଥିଲେ।

ଏହାପରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ ବିଏମସି ସିଲ୍ କରିଦେଲା। ବିଏମସିର ଏକ ଟିମ୍‌ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍‌ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍‌କୁ ସିଲ୍‌ କରିଦେଲା। ଏହାପରେ ଆରମ୍ଭ ହେଲା ବିବାଦ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅପରାଜିତା କହିଲେ ସେ ସବୁବେଳ କୋଭିଡ୍ ନିୟମ ପାଳନ କରି ଆସିଛନ୍ତି। ତେବେ, କିଛିଦିନ ତଳେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ କୋଭିଡ୍ ପଜିଟିଭ୍ ଥିବା ଜଣେ ମନ୍ତ୍ରୀ ଏବଂ ଜଣେ ବିଧାୟକ ଯୋଗ ଦେଇଥିବା କଥା ଉଠାଇ ଗୋଟିଏ ରାଜ୍ୟରେ ଦୁଇ ଜଣଙ୍କ ପାଇଁ ଅଲଗା ଅଲଗା ନିୟମ କ’ଣ ପାଇଁ ବୋଲି ପାଲଟା ପ୍ରଶ୍ନ କରିଥିଲେ ଅପରାଜିତା। ତିର୍ତ୍ତୋଲ ବିଜେଡି ମିଟିଂରେ ନେତାଙ୍କ ସହ ୩୦୦ ଲୋକ ମାସ୍କ ପିନ୍ଧିନଥିଲେ। ସେହିପରି ବିଜେଡିର ଆହୁରି କିଛି ନେତାଙ୍କ କୋଭିଡ୍ ନିୟମ ଉଲଘଂନ କରିବାର ଫଟୋ ସହ ବିଜେଡି କାର୍ଯ୍ୟଳୟରେ କୋଭିଡ୍ ନିୟମ ଉଲଘଂନ କଥା ଉଠାଇ ବିଜେଡି କାର୍ଯ୍ୟାଳୟ କେବେ ସିଲ୍ ହେବ ବୋଲି ପ୍ରଶ୍ନ ଉଠାଇଥିଲେ ଅପରାଜିତା ଷଡ଼ଙ୍ଗୀ। ମୁଁ ଦୈନିକ ୧୩ରୁ ୧୪ ଘଣ୍ଟା କାମ କରୁଛି। ଲୋକଙ୍କ ପାଖକୁ ଯାଉଛି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ୭ ମାସ ନିବାସରେ ରହି ଶାସନ ଚାଲିପାରିବ ନାହିଁ। ୭ ମାସରେ ୨/୩ଟି ଭର୍ଚୁଆଲ ମିଟିଂ କରିଦେଲେ ଶାସନ ଚାଲିପାରିବ ନାହିଁ। ବିଜେଡି ଅଫିସ୍ କେବେ ସିଲ୍ ହେବ, ଯେଉଁମାନେ ପାର୍ଟି ଅଫିସ୍‌ରେ ଥିଲେ ସେମାନଙ୍କ ବିରୋଧରେ କେବେ କାର୍ଯ୍ୟନୁଷ୍ଠାନ ହେବ, ଏମିତି ଡବଲ୍ ଷ୍ଟାଣ୍ଡାର୍ଡ କାହିଁକି ଆଦି ପ୍ରଶ୍ନ ଉଠାଇ ସେ ସବୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି କହି ୧୭ ଫଟୋ, ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ। ଅଫିସ୍‌ ସିଲ୍‌ ଥିବା ଯାଏଁ ରାଜରାସ୍ତାରେ ବସି କାର୍ଯ୍ୟାଳୟ ଚାଲୁ ରଖିବି। ଅଫିସ ସିଲ୍‌ କରନ୍ତୁ, ବିକାଶ କାର୍ଯ୍ୟ ବନ୍ଦ ହେବ ନାହିଁ ବୋଲି କହି ରାସ୍ତା କଡ଼ରେ ଟେଣ୍ଟ ଟାଣି ଜନ ଶୁଣାଣି ଆରମ୍ଭ କଲେ ଅପରାଜିତା। ଦିନ ସାରା ଏଣେ ଏ’ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ସନ୍ଧ୍ୟା ପରେ ଆସିଲେ ନ୍ୟାସନ୍ୟାଲ୍ ଟିଭି ଚ୍ୟାନେଲ୍ ଡିବେଟକୁ। ଏହାପରେ ୧୫ ଦିନ ନ’ପୁରଣୁ ମାତ୍ର ୮ ଦିନରେ ଅପରାଜିତାଙ୍କ ଅଫିସ୍ ସିଲ୍ ଖୋଲିଦେଲା ବିଏମସି। ଏକ ପ୍ରକାର ନବୀନ ସରକାରଙ୍କ ହାର୍ ଏବଂ ଅପରାଜିତଙ୍କ ଜିତ୍ ହେଲା ବୋଲି କୁହାଗଲା।

ବାସ୍ତବରେ ଅପରାଜିତାଙ୍କ ଅଫିସ୍ ସିଲ୍ କରିବା ପରେ ହିଁ ରାଜ୍ୟ ସରକାରଙ୍କ ପାଇଁ ଆରମ୍ଭ ହୋଇଗଲା ସମସ୍ୟା। ଅଫିସ୍ ସିଲ୍ ହେବା ପରେ ଅପରାଜିତା ଯେଉଁଭଳି ଭାବରେ ଆର୍ଟାକିଂ ମୋଡକୁ ଆସିଲେ ପ୍ରତିପକ୍ଷ ସତେ ଯେପରି ବିଚଳିତ ହୋଇଗଲା। ବିଜେଡି ନେତା ଏବଂ ବିଜେଡି ଅଫିସରେ କୋଭିଡ୍ ନିୟମ ଭଙ୍ଗ କଥା ଉଠାଇ, ଫଟୋ ଜାରୀ କରି ସଂପୃକ୍ତ ନେତା ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏବଂ ବିଜେଡି ଅଫିସ୍ ସିଲ୍ କଥା ଅପରାଜିତା କହିବା ପରେ ବିଜେଡି ଏବଂ ରାଜ୍ୟ ସରକାର ବ୍ୟାକଫୁଟକୁ ଚାଲିଗଲା ପରି ଅନୁଭବ ହେଲା। ଅପରାଜିତାଙ୍କ ଅଭିଯୋଗ ପରେ ସଫେଇ ଦେବାକୁ ଆସି ପ୍ରେସ୍ ମିଟ୍ କରିଥିବା ବିଜେଡି ନେତ୍ରୀ ସୁଲତା ଦେଓଙ୍କ କଥାରୁ ମଧ୍ୟ ସେପରି ଲାଗିଲା। ସବୁବେଳେ ବିପକ୍ଷକୁ ତାତ୍ସଲ୍ୟ କରି, କଟାକ୍ଷ କରି କହୁଥିବା ସୁଲତା ଦେଓଙ୍କ ପାଟିରେ କଥା ନଥିଲା। ସରକାର ଏବଂ ଦଳ ଉପରୁ ଦୋଷ ଛଡ଼ାଇ ଏହା ବିଏମସି ନିଷ୍ପତି କହି ଏବଂ ଅପରାଜିତଙ୍କୁ କୌଣସି ପ୍ରକାର ଆକ୍ଷେପ ନକରି ଚାଲି ଯାଇଥିଲେ ସୁଲତା ଦେଓ। ଏଣେ ଅପରାଜିତାଙ୍କ ପଦକ୍ଷେପରେ ଓଡ଼ିଶା ବିଜେପିରେ ଅପରାଜିତାଙ୍କ ସମର୍ଥକ ଏବଂ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ନୂଆ ଜୋଶ୍ ଆସିଗଲା। ପ୍ରଥମ ଥର ପାଇଁ ବିଜେପିର କେହି ନବୀନ ପଟ୍ଟନାୟକଙ୍କୁ ଓପନ୍ ଚ୍ୟାଲେଞ୍ଜ୍ କଲା ବୋଲି ସେମାନେ ଅନୁଭବ କଲେ। ବିଶେଷ କରି ବିଜେଡି କାର୍ଯ୍ୟାଳୟ କେବେ ସିଲ୍ ହେବ ପ୍ରଶ୍ନ ଏବଂ ରାସ୍ତା ଉପରେ ଅସ୍ଥାୟୀ କାର୍ଯ୍ୟାଳୟ କରି ଜନ ଶୁଣାଣୀ କରିବା କାର୍ଯ୍ୟକ୍ରମ ବିଜେପିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ମନକୁ ଛୁଇଁଗଲା। କାର୍ଯ୍ୟକର୍ତ୍ତା ମାନେ ସେମାନଙ୍କ ନିଜ ଘରକୁ ସାଂସଦଙ୍କ କାର୍ଯ୍ୟାଳୟ କରିବାକୁ ପ୍ରସ୍ତାବ ଦେଲେ। ଏହାପରେ ୧୫ ଦିନ ନ’ପୁରୁଣୁ ମାତ୍ର ୮ ଦିନରେ ଅଫିସ୍ ସିଲ୍ ଖୋଲିଯିବା ପରେ ଅପରାଜିତଙ୍କର ଏକ ବଡ଼ ବିଜୟ ହେଲା ବୋଲି କୁହାଗଲା।

ତେବେ, ଟିକେ ଗହୀରତାକୁ ଯାଇ ଅନୁଧ୍ୟାନ କଲେ ଅପରାଜିତାଙ୍କ ପଦକ୍ଷେପ ବିପକ୍ଷ ବିଜେଡି କିମ୍ବା ନବୀନ ସରକାରଙ୍କ ଅପେକ୍ଷା ସପକ୍ଷ ଅର୍ଥାତ୍ ନିଜ ଦଳ ବିଜେପିର ନିର୍ଦ୍ଧିଷ୍ଟ ଜଣେ ନେତୃତ୍ୱ ତଥା ତାଙ୍କ ଗୋଷ୍ଠୀଙ୍କୁ ବୋଧେ ଅଧିକ ଘାଇଲା କଲା ପରି ଅନୁଭବ ହେଲା। “ଗୁଆ ଗଛକୁ ଚଡ଼କ ମାରିଲା, ତାଳ ଗଛ ପୋଡ଼ିଗଲା”। ଏ’ ସବୁ ଯାହା ଘଟିଗଲା ଏଥିରେ ନବୀନ ବା ବିଜେଡିର ଯେତେ କ୍ଷତି ହେଲା ନାହିଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ବିଜେପିରେ ତାଙ୍କ ସମର୍ଥିତ ଗୋଷ୍ଠୀଙ୍କର କ୍ଷତି ଅଧିକ ହେଲା ପରି ଅନୁଭବ ହେଲା। କୁହାଗଲା “ଶହେ ନେତ୍ରୀଙ୍କୁ ଶହେ ନେତା, ଏକା ଲଢ଼ିଲେ ଅପରାଜିତା”। ବାସ୍ତବରେ ଅପରାଜିତା ଏ’ ଲଢ଼େଇ ଏକୁଟିଆ ଲଢ଼ିବାର ଦେଖାଗଲା। ଏ’ ବିବାଦରେ ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ, ରବର ଷ୍ଟାମ୍ପ୍ ବୋଲାଉଥିବା ରାଜ୍ୟ ସଭାପତି ସମୀର ମହାନ୍ତି, କଥା କଥାକେ ପ୍ରେସ୍ ବାଇଟ୍ ଦେଉଥିବା, ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ଏବଂ ଲାଇଭ୍ ଆସୁଥିବା ଓଡ଼ିଶା ବିଜେପିର କୁହାଳିଆ ନେତାନେତ୍ରୀ ମାନଙ୍କ ତୁଣ୍ଡରେ ତାଲା ପଡ଼ିଗଲା। ଏପରିକି ଦଳର ଜଣେ ମହିଳା ନେତ୍ରୀଙ୍କ ପ୍ରସଙ୍ଗ ହୋଇ ମଧ୍ୟ ରାଜ୍ୟ ମହିଳା ମୋର୍ଚ୍ଚା ମଧ୍ୟ ମୌନ ରହିଲା। ଯାହାକୁ ନେଇ ରାଜ୍ୟ ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀ ସୀମନ୍ତିନୀ ଜେନା ପ୍ରଶ୍ନ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ। ଅଭିଯୋଗ ନେଇ ବିଏମସି କାର୍ଯ୍ୟଳୟକୁ ଯାଇଥିବା ଅବସରରେ, “ଏ’ ବିରୋଧ ବେଶୀ ଦୃଢ଼ ହୋଇଥାନ୍ତା ଯଦି ବର୍ତ୍ତମାନ ମହିଳା ମୋର୍ଚ୍ଚା ଏ’ କାମକୁ ହାତକୁ ନେଇଥାଆନ୍ତା। ପବ୍ଲିକକୁ ଭଲ ମେସେଜ୍ ଯାଇଥାଆନ୍ତା। ଭୁଲ କହିଲିକି ଆଜ୍ଞା। ବିଷୟ ଅପରାଜିତା ନୁହେଁ, ମୁଖ୍ୟ ବିଷୟ ହେଲା ସେ ଜଣେ ମହିଳା ଏବଂ ଆମ ଦଳର। ତା’ ପରେ ଅନ୍ୟ କଥା। ମାନିବେ ନାଁ, ନାହିଁ” ବୋଲି ପ୍ରଶ୍ନ କରି, ସୀମନ୍ତିନୀ ଜେନା ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ। ସୂଚନାଯୋଗ୍ୟ ଯେ ସୀମନ୍ତିନୀ ବିଗତ ଥର ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଥିଲେ। ଏ’ ସବୁ ଭିତରେ ଓଡ଼ିଶା ବିଜେପିରେ ଚାଲିଥିବା ଗୋଲକଧନ୍ଦା କଥା ପଦାରେ ପଡ଼ିଗଲା। ଏ’ ବିବାଦ ଭିତରେ ଏମାନେ ସବୁ ନୀରବ ରହିଥିବା ବେଳେ ବିଜେପିର ସେହି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସମର୍ଥକ ତଳତଳିଆ ମାନେ ପରୋକ୍ଷରେ ଅପରାଜିତାଙ୍କୁ ଆକ୍ଷେପ କଲା ପରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ। ଏଥିରେ ମଙ୍ଗୁଆଳ ଏବଂ ତାଙ୍କ ଗୋଷ୍ଠୀର ନିଜକୁ ବରିଷ୍ଠ ବୋଲାଉଥିବା କିଛି ନେତୃତ୍ୱଙ୍କ ପରୋକ୍ଷ ପ୍ରୋତ୍ସାହନ ରହିଥିବା କୁହାଗଲା। ଏଣେ ଅପରାଜିତାଙ୍କ ସମର୍ଥକ ମାନେ ସୋସିଆଲ୍ ମିଡିଆରେ ଲେଖିଲେ, “ରାଜନୀତିର ସଂଜ୍ଞା ବଦଳାଇ ଇତିହାସ ରଚିବାକୁ ଯାଉଛନ୍ତି ଅପରାଜିତା ଷଡ଼ଙ୍ଗୀ। ସାଥିରେ ଅଛନ୍ତି ଲକ୍ଷଲକ୍ଷ ଓଡ଼ିଶାବାସୀ। ସୁଧୁରିବା ନେତା ସୁଧୁରି ଯାଆନ୍ତୁ, ଯେଉଁ ଦଳର ହୁଅନ୍ତୁ ନାଁ, କାହିଁକି। ନ’ହେଲେ ଇତିହାସରେ ଚିତ୍ରିତ ହେବେ ଏକ କଳଙ୍କିତ ନେତା ଭାବେ। ଏ’ ସବୁ ନାଟକ ଦେଖି ଅନୁଭବ ହେଲା, “ଗୁଆ ଗଛକୁ ଚଡ଼କ ମାରିଲା, ତାଳ ଗଛ ପୋଡ଼ିଗଲା”।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.