Home ଓଡ଼ିଶା କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

168

– ଏହି ଆଇନ ଅନୁସାରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଗଠନ ଓ ଅସାଧୁ ବାଣିଜ୍ୟ କାରବାର ନିରାକରଣ ପାଇଁ ଇ-କମର୍ସ ପ୍ଲାଟଫର୍ମର ବ୍ୟବସ୍ଥା
– ୨୦୧୯ ଖାଉଟି ସୁରକ୍ଷା ଆଇନ ଖାଉଟିଙ୍କ ଅଧିକାରର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ; ଏହାଦ୍ୱାରା ଖାଉଟି ବିବାଦ ସମାଧାନ ପ୍ରକ୍ରିୟା ସରଳ ହେବା ସହିତ ଉତ୍ପାଦ ନିମନ୍ତେ ଉତ୍ତର ଦାୟିତ୍ୱ ବହନ ନୀତି ମଧ୍ୟ ପ୍ରବର୍ତ୍ତିତ ହେବ: ରାମବିଳାସ ପାଶୱାନ

ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ଖାଉଟି ସୁରକ୍ଷା ଆଇନ ୨୦୧୯ ଆଜିଠାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି। ଏ ସଂପର୍କରେ ମଙ୍ଗଳବାରଦିନ ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ ୨୦୨୦ ଜୁଲାଇ ୨୦ ଅର୍ଥାତ୍‌ ମଙ୍ଗଳବାରଦିନଠାରୁ କାର୍ଯ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ। ଏହି ଆଇନରେ ଖାଉଟିଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବିଧିବିଧାନ ରହିଛି। ସେଥିମଧ୍ୟରେ ଖାଉଟି ସୁରକ୍ଷା ପରିଷଦ, ଖାଉଟି ବିବାଦ ସମାଧାନ ଆୟୋଗ ବା କମିସନ, ମଧ୍ୟସ୍ଥ ବ୍ୟବସ୍ଥା, ଉତ୍ପାଦ ବା ଜିନିଷପତ୍ର ପାଇଁ ଉତ୍ପାଦନକାରୀଙ୍କୁ ଉତ୍ତରଦାୟୀ କରିବା ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ କୌଣସି ଭେଜାଲ ବା ବିଷାକ୍ତ ସାମଗ୍ରୀ ପ୍ରସ୍ତୁତି ଏବଂ ଏହାର ବିକ୍ରିବଟା କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସେମାନେ ନୂଆ ଆଇନ ଅନୁସାରେ ସାମଗ୍ରୀର ଗୁଣ ଓ ମାନ ପାଇଁ ଉତ୍ତରଦାୟୀ ରହିବେ।

ଶ୍ରୀ ପାଶୱାନ କହିଛନ୍ତି ଯେ ଏହି ଆଇନ ଅନୁସାରେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ବା ସିସିପିଏ ଗଠନ କରାଯିବ। ଏହି ପ୍ରାଧିକରଣ ଖାଉଟିଙ୍କ ଅଧିକାରର ସୁରକ୍ଷାକୁ କାର୍ଯ୍ୟକାରୀ କରିବା ସହ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦିଗରେ ଧ୍ୟାନ ଦେବ। ସିସିପିଏ ଖାଉଟି ସୁରକ୍ଷା ଅଧିକାରର ଉଲ୍ଲଂଘନ ମାମଲାର ତଦନ୍ତ କରିବ। ଆବଶ୍ୟକସ୍ଥଳେ ଏସବୁ ମାମଲାର ବିଚାର କରି ଅଭିଯୁକ୍ତ ପକ୍ଷଙ୍କ ବିରୋଧରେ ଦଣ୍ଡବିଧାନ କରିପାରିବ। ଦ୍ରବ୍ୟର ଗୁଣମାନ ନେଇ ଆପତ୍ତି ଅଭିଯୋଗ ମିଳିଲେ ତାହାର ତଦନ୍ତ କରି ସତ୍ୟାସତ୍ୟ ଭିତ୍ତିରେ ଏହି ସଂସ୍ଥା ଅସୁରକ୍ଷିତ ସଂପୃକ୍ତ ସାମଗ୍ରୀ ବା ସେବାକୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇପାରିବେ। ଯେଉଁମାନେ ଅସାଧୁ ବାଣିଜ୍ୟ କାରବାର କରୁଥିବେ କିମ୍ବା ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବେ ସେମାନଙ୍କ ବେପାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ମଧ୍ୟ ଏହି ସଂସ୍ଥାର ଅଧିକାର ରହିଛି। ଯେଉଁସବୁ ଉତ୍ପାଦକ ପ୍ରଚାରକ ଓ ପୃଷ୍ଠପୋଷକ ଅଥବା ପ୍ରକାଶକ ବିଭ୍ରାନ୍ତିକର ବିଜ୍ଞାପନ ଛାପୁଥିବେ ସେମାନଙ୍କ ଉପରେ ସିସିପିଏ ଜରିମାନା ଲଗାଇପାରିବେ। ଶ୍ରୀ ପାଶୱାନ କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକରେ ଅସାଧୁ ବାଣିଜ୍ୟ କାରବାରର ନିରାକରଣ ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି। କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ଗଠନ ଏବଂ ଇ-କମର୍ସରେ ଅସାଧୁ ବାଣିଜ୍ୟ କାରବାର ନିରାକରଣ ଆଇନ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ଖୁବ୍‌ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି।

ସେ ଆହୁରି କହିଛନ୍ତି ଯେ ଏହି ଆଇନ ଅନୁସାରେ ପ୍ରତ୍ୟେକ ଇ-କମର୍ସ ସଂସ୍ଥାକୁ ନିଜର ରିଟର୍ଣ୍ଣ, ରିଫଣ୍ଡ, ଏକ୍ସଚେଞ୍ଜ, ୱାରେଣ୍ଟି, ଗ୍ୟାରେଣ୍ଟି, ଡେଲିଭରି, ସିପ୍‌ମେଣ୍ଟ, ପେମେଣ୍ଟର ମାଧ୍ୟମ, ଅଭିଯୋଗ ନିରାକରଣ ବ୍ୟବସ୍ଥା, ପେମେଣ୍ଟ ମେଥଡ, ପେମେଣ୍ଟ ମେଥଡର ନିରାପତ୍ତା, ଚାର୍ଜବ୍ୟାକ୍‌ଅପ୍‌ସନ ଆଦି ସଂପର୍କରେ ସୂଚନା ଦେବାକୁ ପଡିବ। କେଉଁ ଦେଶରୁ ବା କେଉଁ ସ୍ଥାନରୁ ସେମାନେ ସାମଗ୍ରୀ ଓ ସେବା କିଣୁଛନ୍ତି ସେ କଥା ମଧ୍ୟ ସେମାନଙ୍କୁ ଦର୍ଶାଇବାକୁ ହେବ। ଏହା ଫଳରେ ଜିନିଷ କିଣିବା ପୂର୍ବରୁ ଗ୍ରାହକ ନିଜ ପସନ୍ଦ ଅନୁସାରେ ତାହା କିଣିପାରିବେ। ଶ୍ରୀ ପାଶୱାନ କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକୁ ଖାଉଟିଙ୍କ ଅଭିଯୋଗ ଉପରେ ରସିଦ ଦେବା ବାଧ୍ୟତାମୂଳକ ହେବ। ସେମାନେ ୪୮ ଘଣ୍ଟା ମଧ୍ୟରେ ଏହି ଅଭିଯୋଗର ପ୍ରାପ୍ତିସ୍ୱୀକାର କରିବେ ଏବଂ ତ୍ରୁଟିପୂର୍ଣ୍ଣ ସାମଗ୍ରୀ ଓ ସେବା ପାଇଁ ପ୍ରାପ୍ତିସ୍ୱୀକାରର ଏକମାସ ମଧ୍ୟରେ ପ୍ରତିକାର ବ୍ୟବସ୍ଥା କରିବାକୁ ବାଧ୍ୟ। ନୂଆ ଆଇନରେ ସାମଗ୍ରୀର ଉତ୍ତରଦାୟିତ୍ୱ ବା ପ୍ରଡକ୍ଟ ଲାଏବଲିଟି ଭଳି ନୂଆ ନୀତି ସ୍ଥାନ ପାଇଛି। ତଦନୁସାରେ ସାମଗ୍ରୀ ବା ସେବା ତ୍ରୁଟିପୂର୍ଣ୍ଣ ହେଲେ ଏହାର ଉତ୍ପାଦକ, ସେବା ପ୍ରଦାନକାରୀ, ବିକ୍ରେତା ଓ ଏଥିସହ ସଂପୃକ୍ତ ପକ୍ଷ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ।

ମନ୍ତ୍ରୀ ଶ୍ରୀ ପାଶୱାନ ଆହୁରି କହିଛନ୍ତି ଯେ ନୂଆ ଆଇନରେ ଖାଉଟି ବିବାଦ ସମାଧାନ ପ୍ରକ୍ରିୟାକୁ ସରଳ କରାଯାଇଛି। ଏହା ଫଳରେ ଖାଉଟି ଆୟୋଗଗୁଡିକର କାର୍ଯ୍ୟ ପରିସର ଓ କ୍ଷମତା ବଢିଛି। ଏହି ବ୍ୟବସ୍ଥାରେ ରାଜ୍ୟ ଏବଂ ଜିଲା ଖାଉଟି ଆୟୋଗଗୁଡିକୁ ନିଜ ନିର୍ଦ୍ଦେଶର ସମୀକ୍ଷା କରିବା ପାଇଁ ଅଧିକାର ପାଇଛନ୍ତି। ଜଣେ ଖାଉଟି ମଧ୍ୟ ଏହି ଆୟୋଗକୁ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ନିଜର ଅଭିଯୋଗ ପଠାଇପାରିବେ। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ହୋଇପାରିବ। ଅଭିଯୋଗ ଦାଖଲର ୨୧ ଦିନ ମଧ୍ୟରେ ଏହାର ଗ୍ରହଣଯୋଗ୍ୟତା ନେଇ କୌଣସି ନିଷ୍ପତ୍ତି ହୋଇନପାରିଲେ ତାହାକୁ ଆୟୋଗ ଗ୍ରହଣ କରିଛନ୍ତି ବୋଲି ବିଚାର କରାଯିବ।

ମଧ୍ୟସ୍ଥତା ମାଧ୍ୟମରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ଶ୍ରୀ ପାଶୱାନ କହିଛନ୍ତି ଯେ ନୂଆ ଆଇନରେ ଏ ସଂପର୍କରେ ସ୍ପଷ୍ଟ ନୀତିନିୟମ ରହିଛି। ମଧ୍ୟସ୍ଥତା ମାଧ୍ୟମରେ ମଧ୍ୟ ମାମଲାର ସମାଧାନ ହୋଇପାରିବ। ଖାଉଟି କମିସନ ଚାହିଁଲେ ଏକ ଅଭିଯୋଗକୁ ମଧ୍ୟସ୍ଥତା ଜରିଆରେ ସମାଧାନ କରିବାକୁ ସୁପାରିସ କରିପାରିବେ। ତେବେ ଯେଉଁଠି ଉଭୟ ପକ୍ଷ ଏଥିପାଇଁ ରାଜି ଏବଂ କମ୍‌ସମୟ ମଧ୍ୟରେ ବିବାଦ ସମାଧାନର ସମ୍ଭାବନା ଥିବ କେବଳ ସେହି କ୍ଷେତ୍ରରେ ଏହି ମଧ୍ୟସ୍ଥତା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ। ଖାଉଟି କମିସନଗୁଡିକରେ ମଧ୍ୟସ୍ଥତା ସେଲ୍‌ପ୍ରତିଷ୍ଠା କରାଯିବ। ମଧ୍ୟସ୍ଥତା ମାଧ୍ୟମରେ ହୋଇଥିବା ସମାଧାନ ଉପରେ ଆଉ ଅପିଲ କରିହେବ ନାହିଁ। ଶ୍ରୀ ପାଶୱାନ କହିଛନ୍ତି ଯେ ଖାଉଟି ବିବାଦ ସମାଧାନ କମିସନ ନିୟମ ଅନୁସାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାମଲାରେ କୌଣସି ଫି ଲାଗିବ ନାହିଁ। ଚିହ୍ନଟ ହୋଇନଥିବା ଖାଉଟି ଯିଏ କି ଅବସ୍ଥାଚକ୍ରରେ କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବେ, ସେ ପାଇବାକୁ ଥିବା ଅର୍ଥ ଖାଉଟି କଲ୍ୟାଣ ପାଣ୍ଠିକୁ ଯିବ। ରାଜ୍ୟ କମିସନ କେନ୍ଦ୍ର ସରକାରଙ୍କୁ ନିଜର ରିକ୍ତପଦ, ଶୁଣାଣି ହୋଇଥିବା ମାମଲାର ସଂଖ୍ୟା, ବିଚାରାଧୀନ ମାମଲା ସଂଖ୍ୟା ଏବଂ ଅନ୍ୟାନ୍ୟ ବିଷୟରେ ନିୟମିତ ତଥ୍ୟ ପ୍ରଦାନ କରିବେ।

ସେ କହିଛନ୍ତି ଯେ ଉତ୍ପାଦ ଉତ୍ତରଦାୟିତ୍ୱ ବା ପ୍ରଡକ୍ଟ ଲାଏବଲିଟି ବ୍ୟବସ୍ଥାରେ ସାମଗ୍ରୀର ଉତ୍ପାଦକ, ସାମଗ୍ରୀ ସେବା ପ୍ରଦାନକାରୀ ଏବଂ ବିକ୍ରେତା ତ୍ରୁଟିବିଚ୍ୟୁତି ତଥା ଗୁଣମାନ ପ୍ରସଙ୍ଗରେ କ୍ରେତାଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ। ସେହିଭଳି ନକଲି, ଅପମିଶ୍ରିତ କିମ୍ବା ବିଷାକ୍ତ ସାମଗ୍ରୀ ପ୍ରସ୍ତୁତ କରୁଥିବା ଉତ୍ପାଦକ କିମ୍ବା ବିକ୍ରେତାଙ୍କ ବିଚାର ଯଥାଯୋଗ୍ୟ ଅଦାଲତରେ କରାଯାଇ ସେମାନଙ୍କୁ ଦଣ୍ଡିତ କରିବାର ନିୟମ ରହିଛି। ଅଦାଲତ ଚାହିଁଲେ ପ୍ରଥମ ଥର ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ କାରବାରକୁ ନିଲମ୍ବିତ ପାରିପାରିବେ କିମ୍ବା ତାଙ୍କ ଲାଇସେନ୍ସକୁ ଦୁଇବର୍ଷ ପର୍ଯ୍ୟନ୍ତ ରଦ୍ଦ କରିପାରିବେ। ଦ୍ୱିତୀୟଥର ବା ଏକାଧିକ ବାର ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କର ଲାଇସେନ୍ସ ସ୍ଥାୟୀଭାବେ ରଦ୍ଦ ହେବ। ଏହି ନୂଆ ଆଇନ ବଳରେ ସାଧାରଣ ନିୟମ ବ୍ୟତୀତ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ନିୟମ, ଖାଉଟି ବିବାଦ ସମାଧାନ କମିସନ ନିୟମ, ରାଜ୍ୟ, ଜିଲା କମିସନର ଅଧ୍ୟକ୍ଷ ଓ ସଭ୍ୟ ନିଯୁକ୍ତି ଏବଂ ସେଗୁଡିକର ନୀତିନିର୍ଦ୍ଧାରଣ ନିୟମ, ମଧ୍ୟସ୍ଥ ଆଇନ ନିୟମ, ଆଦର୍ଶ ଆଇନ, ଇ-କର୍ମସ ଆଇନ, ଖାଉଟି କମିସନ ପ୍ରସିଡ୍ୟୁୟର ନିୟନ୍ତ୍ରଣ ବ୍ୟବସ୍ଥା, ମେଡିଏସନ ରେଗୁଲେସନ ଏବଂ ରାଜ୍ୟ କମିସନ ଓ ଜିଲା କମିସନ ରେଗୁଲେସନ ଉପରେ ପ୍ରଶାସନିକ ନିୟନ୍ତ୍ରଣ ଆଦି ଧାର୍ଯ୍ୟ ହୋଇଛି।

ଶ୍ରୀ ପାଶୱାନ କହିଛନ୍ତି ଯେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ଆଇନ ଅନୁସାରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ଗଠିତ ହେବ। ଏହା ଖାଉଟି ବ୍ୟାପାରର ଏକ ପରାମର୍ଶଦାତା ମଣ୍ଡଳୀଭାବେ କାର୍ଯ୍ୟ କରିବ। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଏହାର ମୁଖ୍ୟଭାବେ କାର୍ଯ୍ୟ କରିବେ। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଏହି ପରିଷଦର ଉପାଧ୍ୟକ୍ଷ ହେବେ। ସମାଜର ବିଭିନ୍ନ କ୍ଷେତ୍ରରୁ ୩୪ ଜଣ ଏହି ପରିଷଦର ସଦସ୍ୟଭାବେ ଅବସ୍ଥାପିତ ହେବେ। ପରିଷଦର କାର୍ଯ୍ୟକାଳ ୩ବର୍ଷ ରହିବ। ଏଥିରେ ମଧ୍ୟ ଦେଶର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଉତ୍ତର ପୂର୍ବାଞ୍ଚଳ ଏହି ୫ଟି ଭାଗରୁ ଦୁଇଜଣ ଲେଖାଏଁ ପ୍ରାଦେଶିକ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଦସ୍ୟଭାବେ ରହିବେ। କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ପରିଷଦର ସଦସ୍ୟମାନଙ୍କୁ ନେଇ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇପାରିବ।

ଶ୍ରୀ ପାଶୱାନ କହିଛନ୍ତି ଯେ ୧୯୮୬ରେ ପ୍ରଣୀତ ଖାଉଟି ସୁରକ୍ଷା ଆଇନରେ ନ୍ୟାୟ ପାଇଁ କେବଳ ଗୋଟିଏ ବାଟ ଥିଲା। ତାହା ବାହାରେ ଖାଉଟିମାନଙ୍କୁ ଅନ୍ୟ ବାଟରେ ନ୍ୟାୟ ମିଳିବା ବ୍ୟବସ୍ଥା ନଥିଲା। ପୁରୁଣା ବ୍ୟବସ୍ଥାରେ ବିବାଦ ସମାଧାନ ପାଇଁ ଦୀର୍ଘ ସମୟ ଲାଗୁଥିଲା। ବହୁ ପରୀକ୍ଷା ନିରୀକ୍ଷା ଓ ସଂଶୋଧନ ପରେ ଏହି ନୂଆ ଆଇନ ପ୍ରସ୍ତୁତ କରାଯାଇଛି। କେବଳ ପାରମ୍ପରିକ ବିକ୍ରେତା ନୁହନ୍ତି, ନୂଆ ଇ-କମର୍ସ ବେପାରୀ ଓ ପ୍ଲାଟଫର୍ମ କବଳରୁ ଖାଉଟିଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଆଇନ ଉଦ୍ଦିଷ୍ଟ। ସେ କହିଛନ୍ତି ଯେ ଏହି ଆଇନ ଦେଶରେ ଖାଉଟିଙ୍କ ଅଧିକାର ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.