Home ଆମ ପର୍ବ ପର୍ବାଣୀ “ବୋଲ୍ ବମ୍ – ହର ହର ବମ୍” : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର

“ବୋଲ୍ ବମ୍ – ହର ହର ବମ୍” : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର

444

ଜି ଶ୍ରାବଣ ମାସ ପ୍ରଥମ ସୋମବାର।”ବୋଲ୍ ବମ୍ – ହର ହର ବମ୍” ଧ୍ୱନୀରେ ପ୍ରକମ୍ପିତ ପରିବେଶ ମଧ୍ୟରେ କାଉଡ଼ିଆ ମାନେ ଆଜି ମହାଦେବଙ୍କ ମସ୍ତକରେ ପାଣି ଢାଳିବେ।ନିଜ ନିଜ ମାନସିକ ଭିତରେ ଥିବା ପବିତ୍ର ନଦୀରୁ ଦୁଇ, ଚାରି ଦିନ ପୂର୍ବରୁ କିମ୍ୱା ତା’ ପୂର୍ବରୁ ଜଳ ଉଠାଇ କାଉଡ଼ିଆମାନେ ବାହାରି ପଡ଼ିଥିବେ।ଏବଂ ଆଜି ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରାତଃ କାଳରେ ଜଳସାୟୀ କରିଥିବେ (ପାଣି ଢାଳିବେ)।ଏହିପରି ଶ୍ରାବଣ ମାସର ପ୍ରତ୍ୟକ ସୋମବାର କିଏ କେଉଁ ପାଳିରେ କିମ୍ବା କେହି କେହି ଏକାଧିକ ପାଳି ପାଣି ଢାଳିବେ।

https://odiapua.com/22th-july-horoscope/

“ବୋଲ ବମ” କହିଲେ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଶିବ ମନ୍ଦିର ଉଦ୍ଦେଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଯାଏ।ଭାରତରେ ବିଭିନ୍ନ ପ୍ରାନ୍ତରେ ଏହା ପାଳନ କରାଯାଏ।ଓଡ଼ିଶାର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ।ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି।ବୋଲ ବମ ଯାତ୍ରାରେ ଭାଗନେଉଥିବା ଭକ୍ତମାନଙ୍କୁ “କାଉଡ଼ିଆ” କୁହାଯାଏ।ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି।

ପୌରାଣିକ ମତ : –

ଦେବତା ଓ ଅସୁରମାନଙ୍କଦ୍ୱାରା କରାଯାଇଥିବା ସମୁଦ୍ରମନ୍ଥନ ଯୋଗୁଁ , ଶ୍ରାବଣ ମାସ ଅମାବାସ୍ୟା ଦିନ ସମୁଦ୍ରରୁ ଅମୃତ ଓ ବିଷ ପ୍ରାପ୍ତ ହୋଇଥିଲା।ଦେବତାମାନଙ୍କ ଅନୁରୋଧ କ୍ରମେ ମହାଦେବ ସେହି ହଳାହଳ ବିଷପାନ କରିଥିଲେ।ବିଷର ଉତ୍କଟ ଜ୍ୱାଳାରେ ତାଙ୍କ କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା।ସେ ପାଲଟି ଯାଇଥିଲେ ନୀଳକଣ୍ଠ।ବିଷପାନ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଦେବତାଗଣ ମହାଦେବଙ୍କ ମସ୍ତକରେ ସୁବାସିତ ଜଳ ଢାଲିଥିଲେ।ଏହାକୁ ମନେପକାଇବା ପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ ବୋଲି ବିଶ୍ୱାସ ରହିଛି।

କେବେଠୁ ଆରମ୍ଭ: –

ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ।ଏହି ମାସରେ କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଏହି ଯାତ୍ରା ଶହ ଶହ ବର୍ଷ ଧରି ଚାଲି ଆସୁଛି।ଯାତ୍ରାର ଆରମ୍ଭ କେବେ ଓ କିଏ କରିଥିଲେ ସେ ନେଇ ପୁରାଣରେ ଅନେକ ବର୍ଣ୍ଣନା ରହିଛି। ସର୍ବପ୍ରଥମ କାଉଡିଆ ଭାବେ କେତେକ ଭଗବାନ ଶ୍ରୀରାମଙ୍କୁ କହିଥାନ୍ତି।ଶ୍ରୀରାମ ସୁଲତା ନଦୀରୁ ଜଳ ଉଠାଇ ବାବାଧାମରେ ଥିବା ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ବୋଲି ପୁରାଣରେ ବର୍ଣ୍ଣନା ରହିଛି।ଭଗବାନ ଶିବଙ୍କ ପରମଭକ୍ତ ପର୍ଶୁରାମ ସର୍ବପ୍ରଥମେ ଏହି ଯାତ୍ରା ଆରମ୍ଭ କରିଥିଲେ ବୋଲି କେତେକ କହିଥାନ୍ତି।ସେହିପରି ଶ୍ରବଣ କୁମାର ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି ମଧ୍ୟ କିଛି ଲୋକେ ମତ ଦିଅନ୍ତି।ସେ ହରିଦ୍ୱାରରେ ନିଜ ଦୃଷ୍ଟିହୀନ ମାତାପିତାଙ୍କ ଗଙ୍ଗାସ୍ନାନ କରିବାର ଇଚ୍ଛା ପୂରଣ କରିବା ପାଇଁ ସେମାନଙ୍କୁ ଭାରରେ ବୋହିଥିଲେ।ହରିଦ୍ୱାରରେ ମାତାପିତାଙ୍କୁ ଗଙ୍ଗାସ୍ନାନ କରାଇଥିଲେ।

ଓଡ଼ିଶାର ପ୍ରସିଦ୍ଧ ସ୍ଥଳୀ: –

ଓଡ଼ିଶାରେ ବହୁ ଭକ୍ତ କଟକରୁ ମହାନଦୀର ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଢାଳନ୍ତି।ଏହା ବ୍ୟତିତ ଓଡ଼ିଶାର ଅନ୍ୟାନ ସ୍ଥାନ ଯଥା, ପୁରୀର ଲୋକନାଥ ମନ୍ଦିର, ଆଖଣ୍ଡଳମଣି ମନ୍ଦିର, ଢେଙ୍କାନାଳର କପିଳାସ ଶିବ ମନ୍ଦିର, ବ୍ରହ୍ମପୁର ଗୋପାଳପୁର ଧବଳେଶ୍ୱର ମନ୍ଦିର ଆଦିରେ ମଧ୍ୟ ଭକ୍ତମାନେ ପାଣି ଢାଳନ୍ତି।ଏହି ଧାର୍ମିକ ଯାତ୍ରାରେ ଆଜିକାଲି ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ଭାଗ ନେଲେଣି।ଯାତ୍ରା ସମୟରେ “କାଉଡ଼ିଆ” ମାନଙ୍କର ସେବା ଶୁଶ୍ରୂଷା ତଥା ଯାତ୍ରା କଷ୍ଟ ଲାଘବ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ସାଧାରଣ ଜନତା ରାସ୍ତାକଡ଼ରେ ବିଶ୍ରାମ ଓ ଜଳଯୋଗର ବ୍ୟବସ୍ଥା କରିଥାଆନ୍ତି।// – ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.