Home Top News ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

111

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି। ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଅଭିଯୁକ୍ତ ମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସି ରହି ଅପରାଧକୁ ଆହୁରି ଅଧିକ ପ୍ରୋତ୍ସାହିତ କରିଛନ୍ତି। ଘଟଣା ଘଟିବାର ଏତେ ଦିନ ବିତି ଯାଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ପଦୁଟିଏ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନକହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ୟ ପଟେ ଶାସକ ବିଜେଡି ନେତୃବୃନ୍ଦ ଘଟଣାର ତଥ୍ୟ ଓ ପ୍ରମାଣ ଦେବାକୁ ବିଜେପିକୁ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ କହିଛନ୍ତି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି। ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରିବାକୁ ବିଜେପି ତରଫରୁ ବାରମ୍ବାର ଦାବୀ କରାଯିବା ସତ୍ତ୍ୱେ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି। ମମିତାଙ୍କୁ ନ୍ୟାୟ ପ୍ରଦାନ, ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ଥାନା ଘେରାଉ, ଏସ୍‌ପି କାର୍ଯ୍ୟାଳୟ ଘେରାଉ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇ ଆନ୍ଦୋଳନ ହୋଇଥିଲା। ତଥାପି ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ରହିଛି। ଏହି ଆନ୍ଦୋଳନକୁ ଆହୁରି ଅଧିକ ଶାଣିତ କରିବା ପାଇଁ ଓ ତୃଣମୂଳ ସ୍ତରକୁ ପହଁଚାଇବା ପାଇଁ ଯୁବମୋର୍ଚ୍ଚା ତରଫରୁ ଆସନ୍ତା ୯ ତାରିଖ ଦିନ ବିଧାନସଭା ଘେରାଉ କରାଯିବ ବୋଲି ଇରାସିସ୍ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଆସନ୍ତା ୯ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଯୋଗଦେବେ। ଯେଉଁ ପର୍ଯ୍ୟନ୍ତ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବେ, ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଏହି ଲଢ଼େଇ ଜାରୀ ରଖିବ ବୋଲି ଇରାସିସ୍ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରକାଶ ଦଳେଇ, ମନୋଜ ପଶ୍ଚିମ କବାଟ, ରାଜ୍ୟ ସଂଯୋଜକ ସଂଗ୍ରାମ ପାତ୍ର, ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.