Home ଓଡ଼ିଶା ଅଦୃଶ୍ୟ ମେଣ୍ଟ; ବିଜେପି ତୁଣ୍ଡ ଏବେ ଲକ୍ ଡାଉନ୍: ଭାଙ୍ଗି ଯାଉଛି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ..

ଅଦୃଶ୍ୟ ମେଣ୍ଟ; ବିଜେପି ତୁଣ୍ଡ ଏବେ ଲକ୍ ଡାଉନ୍: ଭାଙ୍ଗି ଯାଉଛି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ..

643

ଭୁବନେଶ୍ୱର: ବିଜେପି – ବିଜେଡି ଭିତରେ ଏକ ଅଦୃଶ୍ୟ ମେଣ୍ଟ ରହିଛି। ଏହି ମେଣ୍ଟ କାହାରିକୁ ଦେଖାଯାଉନି। ଓଡ଼ିଶା ରାଜନୀତିରେ ଐର ଖାରବେଳ ସ୍ବାଇଁ କେବଳ ଜଣେ ନେତା ଯିଏ ଏହି ଅଦୃଶ୍ୟ ମେଣ୍ଟକୁ ଦେଖି ପାରିଛନ୍ତି, ଏବଂ ଏହି କଥା ସେ ପୂର୍ବରୁ ବାରମ୍ବାର କହି ସାରିଛନ୍ତି। ଏହି ଅଦୃଶ୍ୟ ମେଣ୍ଟ ବାସ୍ତବରେ କେନ୍ଦ୍ର ବିଜେପି ଏବଂ ନବୀନଙ୍କ ମଧ୍ୟରେ। ଓଡ଼ିଶା ବିଜେପି ନେତାନେତ୍ରୀ ମାନେ କିନ୍ତୁ ଏହା ବୁଝି ନପାରି ନବୀନ ସରକାରଙ୍କ ବିରୋଧରେ ଅଯଥା ଚିତ୍କାର କରୁଥିଲେ। ଏବେ କିନ୍ତୁ ସେହି ଓଡ଼ିଶା ବିଜେପି ନେତାଙ୍କ ପାଟି ଖନି ମାରି ଯାଇଛି। ଆଉ ‘ଜବାବ ମାଗୁଛି ଓଡ଼ିଶା’ ବୋଲି ଓଡ଼ିଶା ବିଜେପି ନେତାନେତ୍ରୀ ରାଜ୍ୟ ସରକାରଙ୍କୁ ଜବାବ ମାଗୁ ନାହାଁନ୍ତି। ବରଂ ପ୍ରଶଂସା କରୁଛନ୍ତି। ସେମାନଙ୍କୁ ବୋଧେ ଆଗକୁ ଏକ ଅଦୃଶ୍ୟ ମେଣ୍ଟ ଦିଶୁଛି। ପୁଣି ବୋଧେ ନବୀନଙ୍କ ଉପରେ ଲାଉ ହେବା ଆଶାରେ ସେମାନେ ଏବେ ନୀରବ ହୋଇ ଯାଇଛନ୍ତି। ଏପରିକି ସମର୍ଥନ ଦେଉଛନ୍ତି, ବେଳେବେଳେ ନେହୁରା ମଧ୍ୟ ହେଉଛନ୍ତି। ଆଉ ଏଥିରେ ଆଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରବର ଷ୍ଟାମ୍ପ ସଭାପତି କୁହାଯାଉଥିବା ସମୀର ମହାନ୍ତି।

କରୋନା ମୁକାବିଲା ଦିଗରେ କେନ୍ଦ୍ରରେ ମୋଦି ସରକାର ତାଙ୍କ କାମ କରୁଛନ୍ତି ଆଉ ରାଜ୍ୟରେ ନବୀନ ସରକାର ତାଙ୍କ କାମ କରୁଛନ୍ତି। ଏହାକୁ ନେଇ ମୋଦୀ ସରକାରଙ୍କୁ ବିଶ୍ଵ ସ୍ତରରେ ଏବଂ ନବୀନ ସରକାରଙ୍କୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି। କିନ୍ତୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଚାଟୁକାରୀ କରି ଦଳ ଭିତରେ ନିଜର ଆଧିପତ୍ୟ ବିସ୍ତାର କରି ବସିଥିବା କେତେକ ନେତାନେତ୍ରୀଙ୍କୁ କରୋନା ମୁକାବିଲା ଦିଗରେ ନିଜକୁ ପ୍ରତ୍ୟେକ୍ଷ ଭାବରେ ସେପରି କୌଣସି ସେବା କିମ୍ୱା ସାହାଯ୍ୟ କାର୍ଯ୍ୟରେ ନିୟୋଜିତ ଥିବାର ଦେଖିବାକୁ ମିଳୁନି। ଏହିସବୁ କୁହାଳିଆ ନେତାନେତ୍ରୀ ମାନେ ସୋସିଆଲ୍ ମିଡିଆରେ କରୋନା ମୁକାବିଲା କରୁଛନ୍ତି। କାମ କମ୍ ପ୍ରଚାର ଅଧିକ। ଘନଘନ ଖାଲି ଭିଡିଓ କନ୍ଫରେନ୍ସିଂ ମିଟିଂ କରୁଛନ୍ତି। ନ’ହଲେ ମୋଦୀ ସରକାରଙ୍କ କୌଣସି ଯୋଜନାରେ ଟାଣିଓଟାରି ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଯୋଡ଼ି ନିଜ ଫଟୋ ଛାପି ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତି ନବୀନ ସରକାରଙ୍କ ବିରୋଧରେ କହିବାରେ ମୁହଁରେ ତ’ ତୁଣ୍ଡି ବାନ୍ଧି ଦେଇଛନ୍ତି, ଏହା ସହ ଏବେ ନବୀନ ସରକାରଙ୍କୁ ନେହୁରା ମଧ୍ୟ ହେଉଛନ୍ତି। କରୋନା ଏବଂ ଅମ୍ପାନ୍ ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବାକୁ ନେହୁରା ହୋଇ ଚିଠି ଲେଖୁଛନ୍ତି ସମୀର। ଯାହାର ଉତ୍ତର କିନ୍ତୁ, ଦେଉ ନାହାଁନ୍ତି, କି ଖାତିର କରୁନାହାଁନ୍ତି ନବୀନ ପଟ୍ଟନାୟକ।

ଯେଉଁ ଓଡ଼ିଶା ବିଜେପି ଏଇ କିଛି ଦିନ ତଳେ ନବୀନ ସରକାରଙ୍କୁ କଥା କଥାକେ ଗାଳି କରୁଥିଲା, ସତେ ଯେପରି ଏବେ ପ୍ରଶଂସା କରିବାକୁ ଅନେଇ ବସିଛି। ବିଶେଷ କରି ଏବେ କରୋନା ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ମୁହଁରେ ମାସ୍କ୍ ପିନ୍ଧିବା ସହ ନବୀନଙ୍କ ବିରୋଧରେ କହିବାରେ ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ଓଡ଼ିଶା ବିଜେପିର ନେତାନେତ୍ରୀ। ନବୀନଙ୍କ ବିରୋଧରେ ଏମାନେ ନିଜ ପାଟିକୁ ଲକ୍ ଡାଉନ୍ କରିଦେଇଛନ୍ତି। ଆଗ ଭବିଷ୍ୟତକୁ ଦେଖିନପାରି ବିଜେପିର କେତେକ ତଳତଳିଆ ନେତାନେତ୍ରୀ ବା କର୍ମୀ ଅଯଥାଟାରେ ନବୀନଙ୍କୁ ଗାଳି କରୁଥିବା ବେଳେ କଥା କଥାକେ ନବୀନଙ୍କୁ ଗାଳି କରୁଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏବେ ନବୀନ ପଟ୍ଟନାୟକଙ୍କ ବିରୋଧରେ କହିବାରେ ନିଜ ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି। ମୋଦୀ – ନବୀନଙ୍କ ସମୀକରଣ ତଥା ଓଡ଼ିଶା ରାଜନୀତିର ଆଗାମୀ ଭବିଷ୍ୟତକୁ ଦେଖି ବୋଧେ ନିଜ ଭବିଷ୍ୟତ ଯୋଜନା କରୁଛନ୍ତି ଧର୍ମେନ୍ଦ୍ର। ଏବେ ଓଲଟି ନବୀନଙ୍କୁ ପ୍ରଶଂସା କରିବା ପାଇଁ ଓର ଉଣ୍ଡୁଛନ୍ତି ଧର୍ମେନ୍ଦ୍ର। ତେଣୁ ଓଡ଼ିଶା ବିଜେପିରେ ପତିଆରା ଜାହିର କରି ବସିଥିବା ତାଙ୍କ ଚେଲା ଚାମୁଣ୍ଡାମାନେ ମଧ୍ୟ ତାଙ୍କ ବାଟ ଅନୁସରଣ କରୁଛନ୍ତି। କିନ୍ତୁ, ଏଣେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଏବଂ ଅମ୍ପାନ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବାକୁ ନେହୁରା ହୋଇ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖୁଥିବା ବେଳେ ତେଣେ ନବୀନଙ୍କୁ ଗାଳି କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି କୁହାଳିଆ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଆଉ ଏହାକୁ ନେଇ ଏବେ ଭାଙ୍ଗିଯାଉଛି ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ମନୋବଳ। /-ଦେବଦତ୍ତ ରଥ

ଲେଖା କରୁଛନ୍ତି କଳି; ସମୀର କରୁଛନ୍ତି ଅଳି: ଦ୍ଵନ୍ଦରେ କର୍ମୀ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.