Home ଓଡ଼ିଶା ବିଜେପିର ଆପାତତଃ ଜଣଙ୍କ ଟିକେଟ ଏବେଠୁ ଥୟ!

ବିଜେପିର ଆପାତତଃ ଜଣଙ୍କ ଟିକେଟ ଏବେଠୁ ଥୟ!

1480

ଭୁବନେଶ୍ୱର:ରାଜ୍ୟ ବିଜେପିରେ ଏବେ ଆପାତତଃ ଜଣଙ୍କର ଟିକେଟ ଫାଇନାଲ୍ ହୋଇଯାଇଛି!ଏପରି କହିଛନ୍ତି ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା।ଟିକେଟଟି ଏକ ବିଧାନସଭା କ୍ଷେତ୍ର ପାଇଁ।ସ୍ଥିର ହୋଇଥିବା ଆସନଟି ଏପରି ଏକ ନିର୍ବାଚନ ମଣ୍ଡଳୀ ଯେଉଁଠି ବିଜେପି ପକ୍ଷରୁ କରାଯାଇଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ହୋଇପାରିନି।କିନ୍ତୁ ଟିକେଟ ଫାଇନାଲ୍ ହୋଇଯାଇଛି!

ଆସନଟି ହେଲା ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ।ପାର୍ଥି ହେଲେ ବିଜେପି ରାଜ୍ୟ ସମ୍ପାଦକ ପୃଥ୍ବୀରାଜ୍ ହରିଚନ୍ଦନ।ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ପୁଅ।ଆଉ କେହି ନୁହେଁ,ବିଶ୍ୱ ଭୂଷଣ ହିଁ କହିଛନ୍ତି ତାଙ୍କ ପୁଅ ପୃଥ୍ବୀରାଜଙ୍କର ଏଥର ଚିଲିକା ଟିକେଟ ଆପାତତଃ ସ୍ଥିର ହୋଇ ଯାଇଛି।

ଅପରାଜିତାଙ୍କ ବିଜେପିକୁ ଆସିବା ପ୍ରସଙ୍ଗ କଥା ଉପରେ ବିଶ୍ୱ ଭୂଷଣ ଏପରି କହିଛନ୍ତି।ଏବେ ଏହି ଆସନଟି ବିଶ୍ୱ ଭୂଷଣଙ୍କ ଭାଇ ବିଭୂତି ଭୂଷଣଙ୍କ ହାତରେ ଅଛି।ସତେ ଯେପରି ଜାଗିର ସୂତ୍ରରେ ଆସନଟି ବଡ଼ ଭାଇଙ୍କ ପୁଅ ପୃଥ୍ବୀରାଜଙ୍କୁ ଅର୍ପଣ କରାଯିବ।ଯେଉଁ କଂଗ୍ରେସର ପରିବାର ବାଦକୁ ବିଜେପି ସବୁଠାରୁ ଅଧିକ ସମାଲୋଚନା କରୁଛି,ସେଇ କଥା ନିଜେ କରିବ।

ରାଜ୍ୟରେ ଅନେକ ନେତା ଅନେକ ସ୍ଥାନରେ ଆଶାୟୀ ଅଛନ୍ତି।କିନ୍ତୁ ଟିକେଟ କଥା ସମୟ ଆସିଲେ ଦଳ ନିଷ୍ପତି ନେବ।ଏବେଠୁ କିଏ ଟିକେଟ ପାଇବ କହି ହବନି।ରାଜସ୍ଥାନ,ମଧ୍ୟ ପ୍ରଦେଶ ପରି ସ୍ଥାନରେ ଅନେକ ନିର୍ବାଚିତ ପ୍ରତିନିଧିଙ୍କର ମଧ୍ୟ ଟିକେଟ କଟିଯାଇଛି।କିନ୍ତୁ ଏବେ ବିଶ୍ୱ ଭୂଷଣ ଦାବି କରୁଥିବା ତାଙ୍କ ପୁଅ ଯେ ଜଣେ ପରାଜିତ ପାର୍ଥି।କେବଳ ଏତିକି ନୁହେଁ,ଆଲୋଚନା ହେଉଛି ଚିଲିକା ବିଜେପି ଭିତରେ ଥିବା ବିବାଦ ସମାଧାନ ହେଇଯାଇଛି।ତେବେ କଥା ହେଲା ଏ ବିବାଦ ଆଉ କାହା ଭିତରେ ନଥିଲା,ବିବାଦ ଥିଲା ଦାଦା/ପୁତୁରାଙ୍କ ମଧ୍ୟରେ,ଟିକେଟ ପାଇଁ।କୁହାଯାଉଛି,ଚିଲିକା ବିଜେପିକୁ ଏ ହରିଚନ୍ଦନ ପରିବାର ଏପରି କବ୍ଜାରେ ରଖିଛନ୍ତି,ଏଠି ଆଉ କାହାରିକୁ ମୁଣ୍ଡ ଟେକିବାକୁ ଦେଉ ନାହାଁନ୍ତି।ସଙ୍ଗଠନ କାମ କରାଯାଉନି।ସେଇଥିପାଇଁ ବୋଧେ ଚିଲିକାରେ ବ୍ଲକ ଘେରାଉ ଆଦି ପରି କାର୍ଯ୍ୟକ୍ରମ କରାଯାଉନି।ଯେତେବେଳେ କି ପୃଥ୍ବୀରାଜ ଅଛନ୍ତି କଟକ ଲୋକସଭା ମଣ୍ଡଳୀର ପାଳକ।ଅର୍ଥାତ୍ କଟକ ଦାୟିତ୍ୱରେ।ନିଜ ପାଳନ ଅସମ୍ଭବ,,ସେ ପୁଣି ଅନ୍ୟକୁ ପାଳନ କରିବ!

ତେବେ ଏଠି ଆଉ ଏକ କଥା।ବିଶ୍ୱ ଭୂଷଣ ପୂର୍ବରୁ ଭୁବନେଶ୍ୱରରୁ ବିଧାୟକ ଥିଲେ।ମନ୍ତ୍ରୀ ଥିଲେ।ତାଙ୍କ ଭାଇ ଚିଲିକା ବିଧାୟକ।ପରେ ପୁଣି ପୁଅ ପୃଥ୍ବୀରାଜ ଭୁବନେଶ୍ୱରରୁ ଏମପି ପାର୍ଥି ହେଲେ।ଅର୍ଥାତ୍ ଦୀର୍ଘଦିନ ହେଲା ହରିଚନ୍ଦନ ପରିବାର ଭୁବନେଶ୍ୱରଠାରୁ ଚିଲିକା ପର୍ଯ୍ୟନ୍ତ ରାଜ୍ ଚଳାଇଥିଲେ।ଏବେ କିନ୍ତୁ ଏମାନେ ଭଲ ଭାବରେ ଜାଣନ୍ତି,ଭୁବନେଶ୍ୱର ଲୋକସଭା ଆସନ ପାଇଁ ପୃଥ୍ବୀରାଜ ଆଶା କରିବା ବୃଥା।ତେଣୁ ସେ ଚିଲିକା ମୁହାଁ।ଯେତେବେଳେ ଏବେ ଅପରାଜିତାଙ୍କ ନାମ ଭୁବନେଶ୍ୱର ଏମପି ପାଇଁ ଉଠିଲାଣି,ଆଗୁଆ ଏପରି କହି ନିଜ ମହତ ବଞ୍ଚାଇ ଦେବା କଥା।ଅପରାଜିତା ୨୭ ତାରିଖରେ ଦିଲ୍ଲୀରେ ବିଜେପିରେ ମିଶିବା କଥା ଗୁରୁବାରଠାରୁ ଜଣା ପଡ଼ିଗଲାଣି।ଟିଭିରୁ ଶୁଣି ଟିଭିକୁ ବାଇଟ ଦେଲା ପରି ହେଇଗଲା ବିଶ୍ୱ ଭୂଷଣଙ୍କ କଥା।ଅପରାଜିତାଙ୍କ ଯୋଜନା ସିଧା କେନ୍ଦ୍ର ନେତୃତ୍ୱଙ୍କ ସହିତ।ରାଜ୍ୟ ନେତୃତ୍ୱ ଆଦୌ ଜାଣି ନଥିଲା ପରି ଜଣାପଡ଼ି ଯାଉଛି।ମିଛକୁ କହିବା କଥା।ଏ ତ’ ରାଜନୀତି।ଏପରିକି,ବିଶ୍ୱ ଭୂଷଣ କହିଲେ ଏଇ ଅଳ୍ପ ସମୟ ତଳେ ଅପରାଜିତା ତାଙ୍କ ସହ ଫୋନରେ କଥା ହେଉଥିଲେ।ସନ୍ଦେହ ହେଉଛି,କଥାରେ କଥା ଅଛି।ଲାଗୁଛି ଅପରାଜିତା ନୁହେଁ,ବରଂ ବିଶ୍ୱ ଭୂଷଣ ଫୋନରେ ଅପରାଜିତାଙ୍କ ସହ କଥା ହେଇଥିବେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.