Home ଅପରାଧ ବିଜେପି ଗୁଣ୍ଡାଙ୍କ ଗୁଣ୍ଡାରାଜ୍ ବିରୋଧରେ ସ୍ୱର ଉତ୍ତୋଳନ କଲା ମହିଳା ମୋର୍ଚ୍ଚା: କହିଲେ କୂଳ କୁଟୁମ୍ବକୁ...

ବିଜେପି ଗୁଣ୍ଡାଙ୍କ ଗୁଣ୍ଡାରାଜ୍ ବିରୋଧରେ ସ୍ୱର ଉତ୍ତୋଳନ କଲା ମହିଳା ମୋର୍ଚ୍ଚା: କହିଲେ କୂଳ କୁଟୁମ୍ବକୁ ଲାଜ, ନକହିଲେ କୂଳ ..

230

ଭୁବନେଶ୍ୱର: ଖବରଟି ପଢ଼ି ଆଶ୍ଚର୍ଯ୍ୟ ଅନୁଭବ ହେଉଥିବ ନିଶ୍ଚିତ। ତେବେ ଗତ କାଲିର ଖବରକାଗଜ ଗୁଡ଼ିକୁ ଦେଖିଲେ ଏହିପରି ଏକ ଖବର ପ୍ରକାଶ ପାଇଛି। ଘଟଣା ସତ୍ୟ ନୁହେଁ। ଏହା ଏକ ତୃଟି। ତେବେ ଏହି ତୃଟି ଗଣମାଧ୍ୟମର ନୁହେଁ, ତୃଟି ଖୋଦ୍ ବିଜେପିର।

କିଛିଦିନ ହେଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସା ଲାଗି ରହିଛି। ବିଜେପିର ଅଭିଯୋଗ ଅନୁଯାୟୀ, ବିଜେଡି ଦଳର ସମର୍ଥକ ଏବଂ ଗୁଣ୍ଡାମାନେ ବିଜେପି ସମର୍ଥକ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଶାସକ ବିଜେଡି ଦଳ ଚାପରେ ସ୍ଥାନୀୟ ଥାନା ଅଧିକାରୀ ପକ୍ଷପାତିତା କରି କେବଳ ବିଜେପି ସମର୍ଥକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଗିରଫ କରୁଛନ୍ତି। ଏହାର ସୁଯୋଗ ନେଇ ବିଜେଡି ସମର୍ଥିତ ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଘର ଉପରେ ଏବଂ ମହିଳା ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧି ଦଳ ଘଟଣା ସ୍ଥଳକୁ ଯାଇଥିଲା। ଏହାପରେ ଏହା ଉପରେ ବିଜେପି ପକ୍ଷରୁ ଏକ ପ୍ରେସ ରିଲିଜ କରାଯାଇଥିଲା ଏବଂ ଏହା ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ହୋଇଥିଲା। ଯେଉଁଥିରେ ଭୁଲ ବଶତଃ ବିଜେଡି ଗୁଣ୍ଡା ବଦଳରେ ବିଜେପି ଗୁଣ୍ଡାଙ୍କ ଆକ୍ରମଣ ବୋଲି ଲେଖା ଯାଇଥିଲା। ବାସ୍ତବରେ ବିଜେପି ପକ୍ଷରୁ ଦିଆଯାଇ ଥିବା ପ୍ରେସ ବିଜ୍ଞପ୍ତିରେ ଏହି ପରି ତୃଟିପୂର୍ଣ୍ଣ ଲେଖା ଗଣମାଧ୍ୟମ ଗୁଡ଼ିକୁ ପ୍ରଦାନ କରାଯାଇଥିଲା। ଯାହାକୁ ହୁଏତ ଠିକ୍ ଭାବରେ ନପରଖି ବିଜେପିର ଏହି ତୃଟିପୂର୍ଣ୍ଣ ପ୍ରେସ ବାର୍ତ୍ତାକୁ ଗଣମାଧ୍ୟମ ଗୁଡ଼ିକରେ ଅବିକଳ ଛାପି ଦିଆଯାଇଥିଲା। ଖବରକାଗଜ ଗୁଡ଼ିକରେ ପ୍ରକାଶିତ ଏହି ତୃଟିପୂର୍ଣ୍ଣ ଲେଖାର କଟିଂକୁ ମଧ୍ୟ ମହିଳା ମୋର୍ଚ୍ଚା ନେତ୍ରୀ ନିଜ ଆକାଉଣ୍ଟରେ ସେୟାର କରିଥିଲେ। ଏହାର ସୁଯୋଗ ନେଇ ବିଜେଡି ସମର୍ଥକ ମାନେ ସେହି ତୃଟିପୂର୍ଣ୍ଣ ଲେଖାକୁ ସୋସିଆଲ ମିଡିଆରେ ସେୟାର କରି ବିଜେପିକୁ ତାତ୍ସଲ୍ୟ ଏବଂ କଟାକ୍ଷ କରୁଛନ୍ତି। ଯାହାକୁ ନେଇ ବିଜେପିକୁ ଅପଦସ୍ତ ହେବାକୁ ପଡ଼ିଛି। କେବଳ ଯେ ଏହି ଗୋଟିଏ ତୃଟି ନୁହେଁ। ବିଜେପିର ଏହି ପ୍ରେସ ବାର୍ତ୍ତାରେ ଏବଂ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ଖବରରେ ଅନେକ ତୃଟି ରହିଛି। ଯାହାକୁ ଦେଖିବା ପରେ ସଂପୃକ୍ତ ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଯେପରି ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ପଦବୀ ଜିଲ୍ଲା ସମ୍ପାଦକ ବୋଲି ଲେଖାଯାଇଛି। ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନାମ ହେମନ୍ତ ନନ୍ଦ ଲେଖାଯାଇଛି। ଅବଶ୍ୟ ଏପରି ପ୍ରେସ ରିଲିଜ୍ ପାର୍ଟି ପକ୍ଷରୁ କରାଯାଇଥିବ। କିନ୍ତୁ, ଏହାକୁ ନେଇ ନିର୍ଦ୍ଦିଷ୍ଟ କିଛି ଦିଗ ଯେପରି, କ୍ଷମତା ଗର୍ବ ଏବଂ ଆତ୍ମପ୍ରଚାର ନିଶାରେ ଦାୟିତ୍ୱହୀନତା, ମିଶ୍ରଣ ନାମରେ ଅପମିଶ୍ରଣ ଏବଂ ରାଜ୍ୟ ବିଜେପିରେ ଚାଲିଥିବା ଗୋଲକ ଧନ୍ଦାକୁ ନେଇ ସାଧାରଣରେ ଆଲୋଚନା ଏବଂ ଦୋଷାରୋପ କରାଯାଉଛି।

ଅପମିଶ୍ରଣର ସାଇଡ୍ ଇଫେକ୍ଟ୍ –

ବିଜେପି ପକ୍ଷରୁ ଏପରି ତୃଟି ସାଧାରଣତଃ ଦେଖାଯାଏ ନାହିଁ। ତେବେ, କୁହାଯାଉଛି ଏବେ ଏପରି ତୃଟି ପରିଲିକ୍ଷିତ ହେବାର ହୁଏତ ଭିର୍ଣ୍ଣ କାରଣ ରହିଛି। କୁହାଯାଏ ଯାହା ମନରେ ଥାଏ ତାହା ପାଟିରୁ ବାହାରି ଯାଏ। ଯେଉଁ କଥାକୁ ଜଣେ ବାରମ୍ବାର କହି ଆସୁଥିବ, ନିଜକୁ ବଦଳେଇ ଦେଲେ ମଧ୍ୟ ବେଳେବେଳେ ମନରେ ଥିବା ସେହି ପୂରୁଣା କଥା ପାଟିରୁ ବାହାରିଯାଏ। ଘଟଣା ସ୍ଥଳକୁ ଯାଇଥିବା ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସାଙ୍ଗରେ ଥିଲେ ରାଜ୍ୟ ପ୍ରବକ୍ତା ସୋନାଲି ସାହୁ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ। ଘଟଣା ସ୍ଥଳରୁ ଫେରିବା ପରେ ଏହି ଘଟଣାକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ କରାଯାଇ ଥିଲା ଏକ ସାମ୍ବାଦିକ ସମ୍ମିଳନୀ। ଯେଉଁଠି ଉପସ୍ଥିତ ଥିଲେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ସାଙ୍ଗରେ ଥିଲେ ରାଜ୍ୟ ପ୍ରବକ୍ତା ସୋନାଲି ସାହୁ। କିନ୍ତୁ, ଉପସ୍ଥିତ ନଥିଲେ ଭଦ୍ରକ, ଚାନ୍ଦବାଲି ଅଞ୍ଚଳର କୌଣସି ନେତୃତ୍ୱ। ଯାହାକୁ ଏକ ତୃଟି ବୋଲି କୁହାଯାଇ ପାରେ। ଏହା ସହିତ ହୁଏତ ଆଉ ଏକ ବଡ଼ ତୃଟି ଥିଲେ ରାଜ୍ୟ ପ୍ରବକ୍ତା। ଯିଏ ଏଇ ବର୍ଷକ ତଳେ ବିଜେପିକୁ ଗୁଣ୍ଡା ଦଳ ବୋଲି କହୁଥିଲେ। ବର୍ଷେ ତଳେ ସେ ଥିଲେ କଂଗ୍ରେସ ପ୍ରବକ୍ତା। ବିଜେପି, ମୋଦି, ଶାହା, ଯୋଗୀ ଆଦିତ୍ୟନାଥଙ୍କୁ କେବଳ ଆକ୍ଷେପ କରୁନଥିଲେ, ଏମାନଙ୍କ ପାଇଁ କଡ଼ାଶବ୍ଦ ମଧ୍ୟ ପ୍ରୟୋଗ କହୁଥିଲେ। ସଂଘ (ଆରଏସଏସ)କୁ ଶକୁନି ମାମା ବୋଲି କହୁଥିଲେ। ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟୁଥିଲେ। କିନ୍ତୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଫୁଲ ତୋଡ଼ା ଦେଇ ଦଳ ଭିତରକୁ କୋଳେଇ ଆଣିଲେ। ଆସୁ ଆସୁ ଏବେ ସେ ହୋଇଗଲେ ରାଜ୍ୟ ପ୍ରବକ୍ତା। ସତେ ଯେପରି ଦଳ ଏକ କମ୍ପାନୀ ଏବଂ ପ୍ରବକ୍ତା ଏକ ଚାକିରୀ। ସେଥିପାଇଁ ତଥ୍ୟ ଅନୁସନ୍ଧାନ ପାଇଁ ଚାନ୍ଦବାଲି ଗସ୍ତ ସମୟରେ ଯେତେବେଳେ ଏମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଗଲା, ତାଙ୍କୁ ଫୁଲ ତୋଡ଼ା ଦେବାକୁ କେତେକଙ୍କର ହାତ ଯାଉନଥିଲା। ମନେପଡ଼ି ଯାଉଥିଲା ଏହି କିଛି ଦିନ ତଳେ ଯେତେବେଳେ ସେ ବିଜେପିକୁ କଟାକ୍ଷ କରୁଥିଲେ ଏବଂ ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟୁଥିବାର ଫଟୋର ଦୃଶ୍ୟ।

ଓଡ଼ିଶା ବିଜେପିରେ ଗୋଲକ ଧନ୍ଦା –

ତଥ୍ୟ ଅନୁସନ୍ଧାନ ପାଇଁ ବିରମିତ୍ରପୁର ଯିବା ବେଳେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କାହାର ଆବଶ୍ୟକତା ଅନୁଭବ ନକରି ଭୁବନେଶ୍ୱର ଆସିଥିବା ସେଠାକାର ବିଧାୟକଙ୍କ ସାଙ୍ଗରେ ଏକାଏକା ଚାଲି ଯାଇଥିଲେ। ବାକି ସେଠାକାର ନେତୃତ୍ୱ ସେଠାରେ ଏମାନଙ୍କ ସହିତ ସାମିଲ ହୋଇଥିଲେ। କିନ୍ତୁ, ମାଲକାନଗିରି ଘଟଣାରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳରେ ମହିଳା ମୋର୍ଚ୍ଚାର ବରିଷ୍ଠ ନେତ୍ରୀ ବବିତା ପାତ୍ରଙ୍କ ସହିତ ମଧ୍ୟ ଏହି ପ୍ରବକ୍ତା ଜଣଙ୍କ ମଧ୍ୟ ସାମିଲ ଥିଲେ। ଏହାସହ ସେଠାକାର ନେତୃତ୍ୱ ସେଠାରେ ଏମାନଙ୍କ ସହିତ ସାମିଲ ହୋଇଥିଲେ। ତେବେ, ବର୍ଷକ ତଳେ ଯେତେବେଳ ବିଜେପି ମହିଳା ମୋର୍ଚ୍ଚା ନାରୀ ସୁରକ୍ଷା ନେଇ ଆନ୍ଦୋଳନ କରୁଥିଲା, ରାଜ୍ୟରେ ମହିଳା ଅସୁରକ୍ଷିତ ନେଇ ନବୀନ ସରକାରଙ୍କୁ ଆକ୍ଷେପ କରୁଥିଲା, ସେତେବେଳେ ଏହି କଂଗ୍ରେସ ପ୍ରବକ୍ତା ଜଣଙ୍କ ଟିଭିରେ ବସି ୟୁପିର ଉଦାହରଣ ଦେଇ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରୁଥିଲେ। କିନ୍ତୁ, ଏବେ ମାଲକାନଗିରି ଘଟଣାରେ କହିଲେ ୟୁପିରେ ନାରୀ ନିର୍ଯ୍ୟାତନା ଘଟଣା ଅଧିକ ଥିଲେ ମଧ୍ୟ ଓଡ଼ିଶା ତୁଳନାରେ ୟୁପିର ଭୌଗଳିକ ପରିସୀମା ବ୍ୟାପକ। ତେଣୁ, ଭୌଗଳିକ ପରିସୀମାକୁ ଦେଖିଲେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି ଘଟଣାରେ ତୁଳନାତ୍ମକ ଭାବରେ ୟୁପିଠାରୁ ଓଡ଼ିଶା ଆଗରେ। ତେବେ କ’ଣ ଏଇ ବର୍ଷକ ଭିତରେ ଉତ୍ତରପ୍ରଦେଶର ଭୌଗଳିକ ସୀମା ବଢ଼ିଗଲା। ଏପରି କଥାକୁ ଶୁଣି ସାଧାରଣରେ ଲୋକ ଏହାକୁ ଗ୍ରହଣ କରିବେ କିପରି। ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର ଅନେକ ନେତ୍ରୀ ବିଗତ କିଛି ବର୍ଷ ଧରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ନାରୀ ସୁରକ୍ଷା ଆନ୍ଦୋଳନରେ ପ୍ରମୁଖତାର ସହ ଅଂଶ ଗ୍ରହଣ କରି ଆସିଛନ୍ତି। କିନ୍ତୁ, ସେମାନଙ୍କର ଆବଶ୍ୟକତାକୁ ଅନୁଭବ ନକରି କାଲି ବିଜେପିକୁ ଆକ୍ଷେପ କରି ଆଜି ଦଳକୁ ଆସିଥିବା ଜଣେ ନେତ୍ରୀଙ୍କୁ ଏତେ ପ୍ରାଧ୍ୟାନ ଦେଇ ଲଗାତାର ଦୁଇ ଦୁଇଟି ଘଟଣାରେ ତାଙ୍କୁ ହିଁ ସାମିଲ କରାଇବାକୁ ନେଇ ରାଜ୍ୟ ବିଜେପିରେ ଏକ ଅଜବ ଗୋଲକ ଧନ୍ଦା ଚାଲିଥିବା କୁହାଯାଉଛି। ଏହିପରି କାରଣରୁ ଓଡ଼ିଶାରେ ବିଜେପି ଗ୍ରହଣୀୟ ହୋଇପାରୁନି। ତେବେ, ଯେତେ କହିଲେ ବା କ’ଣ ହେବ, ବୁଝୁନି ଗୋଲକ ଧନ୍ଦା ଭିତରେ ଛନ୍ଦି ହୋଇ ରହିଥିବା ଓଡ଼ିଶା ବିଜେପି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.