Home ଓଡ଼ିଶା ସାଂସଦଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ଜାଜନକ: ତୁରନ୍ତ ଇସ୍ତଫା ଦିଅନ୍ତୁ, ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ;...

ସାଂସଦଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ଜାଜନକ: ତୁରନ୍ତ ଇସ୍ତଫା ଦିଅନ୍ତୁ, ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ; ନଚେତ୍ ଆନ୍ଦୋଳନ: ମହିଳା ମୋର୍ଚ୍ଚା

219

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଉପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଆଦୈା ଉଚିତ୍ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ କିମ୍ବା ରୋଲ୍ ମଡେଲଙ୍କ ଏଭଳି କିଛି ମହିଳା ହିଂସାରେ ଲିପ୍ତ ଥିବା ଘଟଣା ଲୋକଲୋଚନକୁ ଆସିବ ସେତେବେଳେ ମହିଳା ସୁରକ୍ଷା ଦୃଷ୍ଟିରୁ ଏହାକୁ ମହିଳା ମୋର୍ଚ୍ଚା ତରଫରୁ ପ୍ରତିବାଦ କରିବା ଆମର ପ୍ରାଥମିକ ଦାୟୀତ୍ୱ। ବିଶେଷ ଭାବେ ଲୋକ ପ୍ରତିନିଧି କିମ୍ବା ସାମ୍ବିଧାନିକ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷ ଏଭଳି ଘଟଣାରେ ସଂପୃକ୍ତ ରହିଲେ ଏହାର ଦୃଢ଼ ବିରୋଧ କରାଯିବ। ଓଡ଼ିଶାର ଜଣାଶୁଣା ଓ ପ୍ରସିଦ୍ଧ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜଣେ ସାମ୍ବିଧାନିକ ପଦାଧିକାରୀ, ଲୋକ ପ୍ରତିନିଧି ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା କାରଣରୁ ବିଜେପି ମହିଳା ମୋର୍ଚ୍ଚା ବାଧ୍ୟ ହୋଇ ଘଟଣାରେ ହସ୍ତକ୍ଷେପ କରୁଛି।

ମହିଳା ବିରୋଧୀ ଏବଂ ଅତ୍ୟାଚାରୀ ମାନେ କେବେ ହେଲେ ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ପଦବୀରେ ରହିବା ଅନୁଚିତ୍। ଯଦି କେହି ଏଭଳି କାର୍ଯ୍ୟରେ ସଂପୃକ୍ତ ଥାଆନ୍ତି କିମ୍ବା ଅଭିଯୋଗ ଆସେ, ତା’ହେଲେ ସେ ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦେବା ଉଚିତ୍। ନହେଲେ ସମାଜକୁ ଏକ ଭୁଲ୍ ସମ୍ବାଦ ଯିବ। ଘଟଣାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୋଇଛି ଯେ, ସାଂସଦ ଅନୁଭବ ମହାନ୍ତି ଘରୋଇ ଅତ୍ୟାଚାର ଏବଂ ନିଜ ପତ୍ନୀଙ୍କୁ ଅତ୍ୟାଚାର ଦେବାରେ ଚରମ ସୀମା ଉଲ୍ଲଂଘନ କରିଛନ୍ତି। ପତ୍ନୀ ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ପତି ଅନୁଭବ ମହାନ୍ତି ତାଙ୍କୁ ଯୈାତୁକ, ଶାରୀରିକ, ମାନସିକ ଅତ୍ୟାଚାର କରିବା ସହ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଛନ୍ତି। ଏପରିକି ସେ ଜଣେ ଅଭ୍ୟାସଗତ ମଦ୍ୟପ ବୋଲି ମଧ୍ୟ କହିଛନ୍ତି। ସାଂସଦ ଭଳି ସାମ୍ବିଧାନିକ ପଦରେ ଥିବା ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କର ଏଭଳି କାର୍ଯ୍ୟକଳାପ ସମଗ୍ର ରାଜ୍ୟବାସୀଙ୍କୁ ଲଜ୍ଜିତ ଓ ନିନ୍ଦିତ କରିଛି।

ରାଜ୍ୟର ମା’ ଓ ଭଉଣୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କୁ ମହିଳା ବିରୋଧୀ ବୋଲି ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଏବଂ ପୋଲିସକୁ ବ୍ୟବହାର କରି ଘଟଣା ଗୁଡ଼ିକୁ ଚାପି ଦେଉଥିଲେ। ଏହି ଘଟଣାଟି ରାଜ୍ୟ ସରକାରଙ୍କ ମହିଳା ବିରୋଧି ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ଶାସକ ବିଜେଡି ମୁଖିଆଙ୍କ ନିଜ ପରିବାର ସଦସ୍ୟଙ୍କ ଘରେ ଏଭଳି ମହିଳା ଅତ୍ୟାଚାର ଏବଂ ହିଂସା ଘଟଣା ଘଟି ଚାଲିବା ରାଜ୍ୟରେ ମହିଳା ସୁରକ୍ଷାକୁ ଦର୍ଶାଉଛି। ନିଜ ଦଳର ସାଂସଦଙ୍କ ମହିଳା ହିଂସା ଘଟଣାଟି ବର୍ତ୍ତମାନ ହାଟ ଓ ଦାଣ୍ଡରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଯେଉଁଭଳି ମନୁଷ୍ୟାକୃତ ବନ୍ୟା ଜଳ ମାଡ଼ିଯାଇ କ୍ଷୟକ୍ଷତି ଘଟାଉଛି, ସେହିପରି ରାଜ୍ୟ ସରକାରଙ୍କ ଅପାରଗତା ଏବଂ ପ୍ରତ୍ୟକ୍ଷ ପ୍ରୋତ୍ସାହନ କାରଣରୁ ମହିଳା ଅତ୍ୟାଚାର ଓ ହିଂସାର ବନ୍ୟାଜଳ ବର୍ତ୍ତମାନ ଶାସକ ବିଜେଡିର ଘର ଭିତରେ ପଶି ସାରିଛି। ତଥାପି ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କରି ‘ମା’କୁ ସମ୍ମାନ’ର ନାରା ପ୍ରତି ଏକ ଖୋଲା ଉପହାସ।

ଘରୋଇ ଏବଂ ମହିଳା ହିଂସା ଅଭିଯୋଗ କାରଣରୁ ନୈତିକତା ଓ ମାନବିକତା ଦୃଷ୍ଟିରୁ ଏବଂ ପଦ ମର୍ଯ୍ୟାଦା ହରାଇଥିବା ସାଂସଦ ଶ୍ରୀ ମହାନ୍ତି ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ। ନିଜ ଦଳର ଜଣେ ମହିଳା ବିରୋଧୀ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ଦଳରୁ ବହିଷ୍କାର କରନ୍ତୁ। ନଚେତ୍ ଏହା ବିରୋଧରେ ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। / – ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.