Home ଅପରାଧ ଚାନ୍ଦବାଲି ଆଇଆଇସିଙ୍କ ଦବଙ୍ଗଗିରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଚାନ୍ଦବାଲି ଆଇଆଇସିଙ୍କ ଦବଙ୍ଗଗିରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

290

ଭୁବନେଶ୍ୱର: ଦୀର୍ଘ କିଛିଦିନ ଧରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସା ଲାଗି ରହିଛି। ଏହି ହିଂସାରେ ଗ୍ରାମ ପଞ୍ଚାୟତର ମହିଳାମାନେ ଶିକାର ହେଉଛନ୍ତି। ବିଜେଡି ଦଳର ସମର୍ଥକମାନେ ତଥା କର୍ମକର୍ତ୍ତାମାନେ ଗ୍ରାମର ମହିଳା ମାନଙ୍କ ଉପରେ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଚାଲିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଉକ୍ତ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଏବଂ ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆଙ୍କୁ ନେଇ ଗଠିତ ଏକ ତଦନ୍ତକାରୀ ଦଳ ଗତ ୧୦ ତାରିଖରେ ଉକ୍ତ ପଞ୍ଚାୟତକୁ ଗସ୍ତ କରିଥିଲା। ସେଠାରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବଦ୍ରି ନାରାୟଣ ଧଳ ଏବଂ ସ୍ଥାନୀୟ ବିଜେପି ନେତା ଶଶିକାନ୍ତ ବିଶ୍ୱାଳଙ୍କ ସମେତ ମହିଳା ମୋର୍ଚ୍ଚାର ସ୍ଥାନୀୟ ନେତ୍ରୀ ମାଳତିଲତା ସାହୁ, ସୁମିତ୍ରା ପାଣି, କଳ୍ପନା ଜେନା, ହରପ୍ରିୟା ସାହୁ ଏବଂ ତପସ୍ୱିନୀ ମହାପାତ୍ର ପ୍ରମୁଖ ସାମିଲ ହୋଇ ତଦନ୍ତକାରୀ ଦଳ ସହିତ ସରଜମିନ ତଦନ୍ତ ପାଇଁ ଘଟଣା ସ୍ଥଳକୁ ଯାଇଥିଲେ।

ବିଜେପିର କହିବା ଅନୁଯାୟୀ, ଉକ୍ତ ପଞ୍ଚାୟତକୁ ଯିବା ବାଟରେ ଅନେକ ସ୍ଥାନରେ ଶତାଧିକ ମହିଳା ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ଘଟଣା ପ୍ରତିନିଧୀ ଦଳକୁ ଜଣାଇବା ସହ ପୋଲିସର ନିଷ୍କ୍ରିୟତା ବିଷୟରେ ଅବଗତ କରାଇଥିଲେ। ବିଜେପି ପ୍ରତିନିଧୀ ଦଳ ଉତୁକୁଡ଼ା ପଞ୍ଚାୟତର ବୁରୁଜାଲ ଗ୍ରାମରେ ପହଞ୍ଚି ଶତାଧିକ ମହିଳାଙ୍କୁ ଭେଟିି ହିଂସାକାଣ୍ଡର ତଥ୍ୟ ସଂଗ୍ରହ କରିଛି। ପ୍ରତିନିଧୀ ଦଳ କହିବା ଅନୁସାରେ ବିଜେଡିର ଗୁଣ୍ଡାମାନେ ଉକ୍ତ ଗ୍ରାମର କେଉଁ ମହିଳାଙ୍କୁ ବାଡ଼େଇ ତାଙ୍କ ହାତ ଭାଙ୍ଗିଛନ୍ତି ତ’ କାହାକୁ ଧାରୁଆ ଅସ୍ତ୍ରରେ ପ୍ରହାର କରି ଲହୁଲୁହାଣ କରିଛନ୍ତି। ପୁଣି ଜଣେ ଗର୍ଭବତୀ ମହିଳାଙ୍କୁ ପେଟକୁ ଗୋଇଠା ମାରିବା ଦ୍ୱାରା ତାଙ୍କର ପ୍ରିମାଚ୍ୟୁର ଡେଲିଭରି ମଧ୍ୟ ହୋଇଛି। ମହିଳାମାନେ ଏକୁଟିଆ ଥିବାର ସୁଯୋଗ ନେଇ ବିଜେଡିର ଗୁଣ୍ଡାମାନେ ଶାବଳ ଓ ଧାରୁଆ ଅସ୍ତ୍ରଶସ୍ତ୍ରରେ କବାଟ ଝରକା ଭାଙ୍ଗି ଜୋର ଜବରଦସ୍ତି ତାଙ୍କ ଘରେ ପଶି ମହିଳାମାନଙ୍କୁ ଅସଦ ବ୍ୟବହାର କରିବା ସହିତ ମାଡ଼ ମାରିଛନ୍ତି। କାହାର ଲାଟିନ ଭାଙ୍ଗିଛନ୍ତି ତ’ କାହାର ଚାଳଛପର ଘର ଓଲାରିଛନ୍ତି, ପୁଣି କାହାର ଆଜବେଷ୍ଟସ ଭାଙ୍ଗି ଗୃହରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି।

ଏହି ସବୁ ହିଂସାର ଶିକାର ହୋଇଥିବା ମହିଳାମାନେ ଯେତେବେଳେ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବାକୁ ଗଲେ ସେତେବେଳେ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ସେମାନଙ୍କ ଏତଲା ଗ୍ରହଣ ନକରି ଓଲଟା ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମୋବାଇଲ ଛଡ଼ାଇ ଥାନାରୁ ଧକ୍କା ଦେଇ ବାହାର କରିଦେଇଥିଲେ। ଖାଲି ସେତିକି ନୁହେଁ ଅଭିଯୋଗ କରିଥିବା ମହିଳାମାନଙ୍କ ଉପରେ ଆକ୍ରୋଶ ମନୋଭାବ ରଖି କାହାର ଭାଇ, କାହାର ସ୍ୱାମୀ, କାହାର ବାପାଙ୍କୁ ଗିରଫ କରି ନେଇଥିଲେ। ଏଠି ପଶ୍ନ ଉଠୁଛି ଯେ, ମାଡ଼ ଖାଇଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିବା ବେଳେ ମାଡ଼ ମାରିଥିବା ବ୍ୟକ୍ତିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ତଥା ଚାନ୍ଦବାଲି ଥାନାକୁ ଶାସକ ଦଳର ଅଫିସ ଭାବେ ବ୍ୟବହାର କରିବା କେଉଁଠି ନା କେଉଁଠି ସନ୍ଦେହ ଦୃଢ଼ୀବୁତ କରୁଛି କି, ଆଇଆଇସି ପ୍ରଜ୍ଞା ମହାନ୍ତି ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ବିଜେଡିର କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହ ଆମ ପାଖରେ ଏ’ ଖବର ମଧ୍ୟ ରହିଛି କି ଆଇଆଇସି ବିଭିନ୍ନ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ସହିତ ଦଳୀୟ ପାଣ୍ଠି ସଂଗ୍ରହ କାରବାରରେ ଲିପ୍ତ ଅଛନ୍ତି ବୋଲି ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଆଇଆଇସିଙ୍କ ଏଭଳି କାରନାମାର ସମସ୍ତ ସଦସ୍ୟ ତଥ୍ୟ ଦଳର ନେତା ମନମୋହନ ସାମଲ ଓ ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ ଗତ ୪ ତାରିଖରେ ଏସପିଙ୍କୁ ଭେଟି ସବିଶେଷ ବିବରଣୀ ଦେଇଥିଲେ। କିନ୍ତୁ, ଏତେ ଦିନ ବିତିଯାଇଥିଲେ ମଧ୍ୟ ଏସପି ଏ’ ପର୍ଯ୍ୟନ୍ତ ଆଇଆଇସିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିବା ଆଇନକୁ ଆଖିଠାର ସଦୃଶ୍ୟ। ଏସପିଙ୍କ ନୀରବତା ଏବଂ ବିଧାୟକଙ୍କ ସମର୍ଥନରେ ଆଇଆଇସିଙ୍କର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଛି। ଏକଥା ମଧ୍ୟ ସ୍ପଷ୍ଟ ହୋଉଛି କି ଗୃହ ବିଭାଗର ମନ୍ତ୍ରୀ ତଥା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏସବୁ ଘଟଣା ଘଟୁଛି। ବିଭାଗୀୟ ଅଫିସର ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କର ସମସ୍ତ କଳାକାରନାମାର କଥା ମୁଖ୍ୟମନ୍ତ୍ରୀ ଜାଣିଶୁଣି ନିରବ ରହିବା ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ପୋଲିସର ସଂପୃକ୍ତି ରହିବା, ମାଲକାନଗିରି ପୋଲିସ କ୍ୟାଣ୍ଟିଂନରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା ହେଉ କି ଚାନ୍ଦବାଲି ଥାନାର ଆଇଆଇସିଙ୍କ ଦବଙ୍ଗଗିରି, ସବୁ ସ୍ଥାନରେ ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜୁଥିବାର ନଜର ଆସୁଛି। ଏହି ଘଟଣାରେ ଜିଲ୍ଲା ଏସପି ତୁରନ୍ତ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ବିଭାଗୀୟ ମନ୍ତ୍ରୀ ହିସାବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏ’ ସଂପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ। ଯଦି ୪୮ ଘଣ୍ଟା ଭିତରେ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ମହିଳା ମୋର୍ଚ୍ଚା ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହେବା ସହିତ କୋଭିଡ ନିୟମ ପାଳି ଆନ୍ଦୋଳନକୁ ଓହ୍ଲାଇବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଚେତାବନୀ ଦେଇଛନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.