Home Top News ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ମହିଳା...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ନବୀନ ନିବାସ ଘେରାଓ

68

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ସ୍ପଷ୍ଟ ହେବାରେ ଲାଗିଛି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ, ମନ୍ତ୍ରୀ ଶ୍ରୀ ମିଶ୍ର ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲକୁ ନିୟମିତ ଭାବେ ଆସିବା, ରାଜ୍ୟ ସରକାରଙ୍କ ବହୁ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ଶାସକ ବିଜେଡି ନେତାମାନେ ସେହି ସ୍କୁଲକୁ ବାରମ୍ବାର ଆସିବା, ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ତ୍ୱେ ସନସାଇନ ସ୍କୁଲକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅଜସ୍ର ପରିମାଣର ଆର୍ଥୀକ ଅନୁଦାନ ପ୍ରଦାନ କରିବା, ‘ସନସାଇନ ସ୍କୁଲକୁ ଆସିଲେ, ମୁଁ ଯୁବକ ହୋଇଯାଏ’ ଭଳି ମନ୍ତ୍ରୀଙ୍କ ବିବୃତି ଆଦି ପ୍ରସଙ୍ଗସବୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତିକୁ ସ୍ପଷ୍ଟ ପ୍ରମାଣିତ କରୁଛି। କ୍ଷମତାର ଅପବ୍ୟବହାର କରି ମନ୍ତ୍ରୀ ଶ୍ରୀ ମିଶ୍ର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସୁରକ୍ଷା ଯୋଗାଇ ଦେବା ସହ ହତ୍ୟାକାଣ୍ଡ ସଂପର୍କରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାର ଷଡ଼ଯନ୍ତ୍ର କରିଛନ୍ତି। ‘ମାର୍ ମାର୍ ଭଣ୍ଡାରିଆକୁ ମାର୍‌’ ନୀତିରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରି ଏହି ଘଟଣାର ମାଷ୍ଟରମାଇଣ୍ଡ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଖସାଇ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କଳକୈାଶଳକୁ ଆପଣାଇଛନ୍ତି। ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ। ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ କରାଯିବା ସହ ଏଭଳି ସ୍ପର୍ଶକତା ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯିବା ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ତରଫରୁ ନବୀନ ନିବାସ ଘେରାଓ କରାଯାଇଥିଲା। ମମିତା ହତ୍ୟାକାଣ୍ଡ ଘଟିଯିବାର ଦୀର୍ଘ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି। ‘ଆଇନ ତା ବାଟରେ ଯିବ’ ବୋଲି ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଇନ ବାଟରେ ଛିଡ଼ା ହୋଇ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି। ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ରାଜ୍ୟର ଗୃହ ରାଷ୍ଟମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଯୋଗାଉଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା କାର୍ଯ୍ୟକର୍ତ୍ତାମାନେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଅଭିମୁଖେ ବାହାରିଥିଲେ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧ ଏବଂ ଶାସକ ବିଜେଡି ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ରାଜ୍ୟରେ ଘଟିଯାଉଥିବା ଜଘନ୍ୟ ଅପରାଧକୁ ବିରୋଧ କରି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ କୋକେଇ ଶୋଭାଯାତ୍ରାରେ ଯାଇଥିଲେ। ମାତ୍ର ରାଜ୍ୟ ସରକାର ପୋଲିସ ଛାଉଣୀ କରି ବିକ୍ଷୋଭକାରୀ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଅଧା ବାଟରେ ଜୋର ଜବରଦସ୍ତ ଅଟକାଇବା ସହ ଟଣାଓଟରା କରିଥିଲା। ପୋଲିସର ମାତ୍ରାଧିକ ବଳପ୍ରୟୋଗ କାରଣରୁ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶାସକ ବିଜେଡିର ପ୍ରରୋଚନାରେ ଏଭଳି ଅମାନବୀୟ ଘଟଣା ଭିଆଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଅତ୍ୟନ୍ତ ଦୁଃଖଦାୟକ। ରାଜ୍ୟର ମା’ ଓ ଭଉଣୀମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ କ୍ଷମତାର ଅପବ୍ୟବହାର କରି ନିଜ ଦଳ ଏବଂ ଦଳର ଅପରାଧିକ ତତ୍ୱଙ୍କ ସୁରକ୍ଷାରେ ପୋଲିସ ବିଭାଗକୁ ନିୟୋଜିତ କରୁଛି ଶାସକ ବିଜେଡି। ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ଶାସକ ବିଜେଡି ହିଂସାର ଆଶ୍ରୟ ନେଉଛି। ଏହି ଘଟଣାକୁ ବିରୋଧ କରାଯିବାରୁ ଶାସକ ବିଜେଡି ହିଂସାର ଆଶ୍ରୟ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗତକାଲି ମୟୁରଭଞ୍ଜ ଜିଲ୍ଲାରେ ଶାସକ ବିଜେଡି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ, କଟକ ଜିଲ୍ଲା ବଡମ୍ବାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସର ମାଡ଼ ଓ ଗିରଫ କରାଯିବା ଘଟଣା ଏବଂ ମହିଳା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସର ମାତ୍ରାଧିକ ବଳପ୍ରୟୋଗ କରାଯିବା ଆଦି ଘଟଣା ଶାସକ ବିଜେଡିର ଦୋ ମୁହାଁ ଚରିତ୍ରର ଖୁଲାସା କରିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବସି ଅହିଂସାର ନାଟକ କରୁଛନ୍ତି, ମାତ୍ର ରାଜ୍ୟ ସାରା ବୁଲି ବୁଲି ଶାସକ ବିଜେଡି ହିଂସାର ତାଣ୍ଡବ କରୁଛି। ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବାରମ୍ବାର ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବିଜୁ ଜନତା ଦଳର ଏଭଳି ଆଚରଣ ଆଦୈା ଗ୍ରହଣୀୟ ନୁହେଁ ବୋଲି ଆଜି ବିକ୍ଷୋଭ ବେଳେ ବିଜେପି ନେତ୍ରୀବୃନ୍ଦ ପ୍ରକାଶ କରିଛନ୍ତି। ମହିଳା ମୋର୍ଚ୍ଚା ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନୀରେ ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.