Home ଓଡ଼ିଶା ବିଜେପି ଏବଂ ଅପରାଜିତା : ଉଭୟଙ୍କୁ ଉଭୟଙ୍କର ଆବଶ୍ୟକ – ଏକ ବିଶ୍ଳେଷଣ

ବିଜେପି ଏବଂ ଅପରାଜିତା : ଉଭୟଙ୍କୁ ଉଭୟଙ୍କର ଆବଶ୍ୟକ – ଏକ ବିଶ୍ଳେଷଣ

1952

ଭୁବନେଶ୍ୱର:ବିଜେପିକୁ ଅପରାଜିତା ଏବଂ ଅପରାଜିତାଙ୍କୁ ବିଜେପି,ଉଭୟଙ୍କୁ ଉଭୟଙ୍କର ଆବଶ୍ୟକତା ରହିଛି।ବିଜେପି ଯଦି ଓଡ଼ିଶାରେ ନିଜ ମିଶନ ଉଦ୍ଦେଶ୍ୟରେ ଅଛି,ତେବେ ବିଜେପିକୁ ଅପରାଜିତା ଷଡ଼ଙ୍ଗୀଙ୍କ ପରି ଚେହେରାର ଆବଶ୍ୟକତା ରହିଛି।ଠିକ୍ ସେହିପରି ଅପରାଜିତାଙ୍କର ଯେଉଁ ଅଭିଳାଷ ରହିଛି ତାଙ୍କୁ ବିଜେପି ପରି ହିଁ ଏକ ପ୍ଲାଟଫର୍ମର ଆବଶ୍ୟକତା ରହିଛି।

କଂଗ୍ରେସକୁ ମୂଳ ଶତୃ ଭାବରେ ବିବେଚନା କରି ବିଜେପି ଓଡ଼ିଶାରେ ନବୀନ/ବିଜେଡି ପ୍ରତି କୋହଳ ମନୋଭାବ ପୋଷଣ କରି ଆସିଛି।ବିଜେପି, ବିଜେଡି ସହ ହିଁ ମେଣ୍ଟ କରି ଓଡ଼ିଶାରୁ କଂଗ୍ରେସର ଦୀର୍ଘ ଦିନର ରାଜ୍’କୁ ହଟାଇ ପାରିଛି।କେନ୍ଦ୍ର ବିଜେପିର ମୂଳ ଉଦ୍ଦେଶ୍ୟ କଂଗ୍ରେସକୁ ଶାସନରୁ ଦୂରେଇ ରଖିବା ସଫଳ ହୋଇଛି।ଏହା ପରେ ଉଦ୍ଦେଶ୍ୟ ନିଜେ ଶାସନକୁ ଆସିବା।କିନ୍ତୁ ମେଣ୍ଟ ଭାଙ୍ଗିଯାଇଛି।ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ବିଜେପି ଓଡ଼ିଶାରେ ସେପରି କିଛି ପ୍ରାପ୍ତ କରି ପାରିନି।ରାଜ୍ୟ ବିଜେପି ନେତୃତ୍ୱ ଫେଲ ମାରିଛନ୍ତି।କଷ୍ଟେ ମଷ୍ଟେ ଗୋଟାଏ ଏମପି ଏବଂ ହାତ ଗଣତି କେଇଟା ବିଧାୟକ ଜିତି ପାରିଛନ୍ତି।ତଥାପି ସୁଯୋଗ ଦେଇଛନ୍ତି ମୋଦୀ।ଗୋଟାଏ ବଦଳରେ ଦୁଇ ଦୁଇଟା କେନ୍ଦ୍ରମନ୍ତ୍ରୀ କରାଇଛନ୍ତି।କିନ୍ତୁ ଫଳ କିଛି ମିଳିନି।ବିଜେପିର ସଙ୍ଗଠନରେ ସେପରି କିଛି ବୃଦ୍ଧି ପାଇନି।କେବଳ ଯାହା ବୃଦ୍ଧି ପାଇଛି ତାହା ହେଲା ଧର୍ମେନ୍ଦ୍ରଙ୍କ ପତିଆରା।କେବଳ ତାଙ୍କର ହିଁ ପ୍ରଚାର ଚାଲିଛି,ବିଜେପିର ନୁହେଁ।ମିଶ୍ରଣ ନାଁ’ରେ ଅପମିଶ୍ରଣ ଚାଲିଛି।ଏହାକୁ ମଧ୍ୟ ଆଖି ବୁଜି ଦେଖି ରହି ବିଜେପୁର ନିର୍ବାଚନ ଫଳ ମାଧ୍ୟମରେ କେନ୍ଦ୍ର, ଧର୍ମେନ୍ଦ୍ର ଏବଂ ରାଜ୍ୟ ନେତୃତ୍ୱଙ୍କ ଔକାତ ଦେଖିଦେଇଛି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସି ମିଶନ ୧୨୦ କଥା କହୁଥିବା ବେଳେ ଧର୍ମେନ୍ଦ୍ର କାଉଣ୍ଟର କରି ଏକ ଅଲଗା ସଂଖ୍ୟା କହୁଛନ୍ତି।ସରକାର ଗଢ଼ିବା ଦିଗରେ ନଯାଇ ଦୂତୀୟ ସ୍ଥାନରେ ରହିବାକୁ ନେଇ ଗର୍ବ କରୁଛନ୍ତି।ଏଣେ ଗୋଷ୍ଠୀ କନ୍ଦଳ ପ୍ରାୟ ସବୁ ଜିଲ୍ଲାରେ ଉତ୍କଟ ରୂପ ନେଲାଣି।ନିଜ ଗୋଷ୍ଠୀ ଏବଂ ଚାଟୁକାରଙ୍କୁ ଛାଡ଼ିଦେଲେ, ତୃଣମୂଳ ସଙ୍ଗଠନ ସ୍ତରରେ ଧର୍ମେନ୍ଦ୍ରଙ୍କ ପ୍ରତି ପ୍ରବଳ ଅସନ୍ତୋଷ ରହିଛି।ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ବିକଳ୍ପ ଭାବରେ ତାଙ୍କର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରଚାର କରାଉଥିଲେ ମଧ୍ୟ ସାଧାରଣରେ ଗ୍ରହଣୀୟ ହେଉନି।ଓଲଟି ବିଜେପିର ଗୁରୁତ୍ୱ କମି ଯାଉଛି।ସଂପର୍କ ଫର ସମର୍ଥନ ଅଭିଯାନ ବେଳେ ପ୍ରତିଷ୍ଠିତ, ବୁଦ୍ଧିଜୀବୀ ଲୋକଙ୍କ ସହ ସାକ୍ଷାତ ସମୟରେ ଅନେକ ଏହିପରି ଉତ୍ତର ପାଇ ସାରିଛନ୍ତି।ସେମାନେ ସିନା ମୋଦୀ,କେନ୍ଦ୍ର ବିଜେପିକୁ ପସନ୍ଦ କରୁଛନ୍ତି,କିନ୍ତୁ ଧର୍ମେନ୍ଦ୍ର କିମ୍ବା ଓଡ଼ିଶା ବିଜେପିକୁ ନୁହେଁ।ଏଣେ ଅନେକ ରାଜ୍ୟରେ ବିଜେପି କୌଣସି ଚେହେରାକୁ ନେଇ ନୁହେଁ, ବରଂ ସଙ୍ଗଠନ ଶକ୍ତିରେ ଜିତି ପାରିଛି।ନିର୍ବାଚନ ପୂର୍ବରୁ ବିଜେପି କାହାକୁ ଚେହେରା କରିବା ନଗଣ୍ୟ।କିନ୍ତୁ ଓଡ଼ିଶାରେ ବୋଧେ ସେପରି ହେଇ ପାରୁନି।ଏଠି ଲୋକେ ଚେହେରା ଖୋଜୁଛନ୍ତି।ଏଣେ ଅନ୍ୟ ରାଜ୍ୟ ଏବଂ ଓଡ଼ିଶା କଥା ଭିର୍ଣ୍ଣ।ନବୀନଙ୍କର ଏକ ସ୍ୱତନ୍ତ୍ର ଚେହେରା ରହିଛି।ଅନ୍ୟାନ୍ୟ ରାଜ୍ୟରେ କିଏ କାହା ସହ ମେଣ୍ଟ କରିବା ପ୍ରୟାସରେ ଥିଲା ବେଳେ ନବୀନ ସମଦୂରତା ରଖୁଛନ୍ତି।ନିଜ ଉପରେ ନିଜର ବିଶ୍ୱାସ ରଖୁଛନ୍ତି।ବିଜେପି ଏବଂ ମୋଦୀ ପସନ୍ଦ ଥାଇ ମଧ୍ୟ ନବୀନଙ୍କ ଭାବମୂର୍ତ୍ତୀ ଏବଂ ଧର୍ମେନ୍ଦ୍ର ଏବଂ ରାଜ୍ୟ ବିଜେପି ନେତାଙ୍କୁ ଅପସନ୍ଦ କରୁଥିବା କାରଣରୁ ଅନେକ ବିଜେପିକୁ ସମର୍ଥନ ନଦେଇ ବିଜେଡିକୁ ଦେଉଛନ୍ତି ବା ନିରବ ରହୁଛନ୍ତି।ତେଣୁ ବିଜେପିକୁ ଓଡ଼ିଶାରେ ନବୀନଙ୍କୁ ଟକ୍କର ଦେଲା ପରି ଏକ ଚେହେରାର ଆବଶ୍ୟକତା ରହିଛି।ଅପରାଜିତା ଷଡ଼ଙ୍ଗୀ ଏଥିପାଇଁ ଉପଯୁକ୍ତ।ତାଙ୍କ ପାଖରେ ଏକ ପରିଚିତ ଚେହେରା ସହିତ ସ୍ଵଛ ଭାବମୂର୍ତ୍ତି,ପ୍ରଶାସନିକ ଦକ୍ଷତା ସମେତ କିଛି କରି ଦେଖାଇବାର ଜୁନୁନ ରହିଛି।ପୂର୍ବରୁ ତାଙ୍କର କାର୍ଯ୍ୟଶୈଳୀ,ଏବେକାର ଟ୍ୱିଟ ସଂଘ ଏବଂ ବିଜେପିର ବିଚାରଧାରା ସହ ମେଳ ଖାଉଛି।ସଂଘ ଏବଂ ସଙ୍ଗଠନ କେବେ ଜଣେ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଏନି,ବିଚାରଧାରାକୁ ନେଇ କାମ କରେ।ଏହି ବିଚାରଧାରାକୁ ଆଗକୁ ବଢ଼ାଇବାରେ ଅପରାଜିତା ସହାୟକ ହୋଇପାରନ୍ତି।ଏଣେ ଅପରାଜିତାଙ୍କ ବିଜେପିକୁ ଆସିବା ଆଲୋଚନାକୁ ନେଇ ରାଜ୍ୟ ବିଜେପିର କିଛି ସ୍ୱାର୍ଥବାଦୀ ନେତା/ନେତ୍ରୀ ସିନା ଅସହ୍ୟ ଜଣାପଡ଼ୁଛନ୍ତି,କିନ୍ତୁ ଅପରାଜିତାଙ୍କ ସେହି “ମୁଁ ନୁହେଁ,ଆମେ” ଟ୍ୱିଟ ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ମନରେ ଉତ୍ସାହ ଆଣିଦେଇଛି।ଏବେଠୁ ସଭିଏଁ ଅପରାଜିତାଙ୍କୁ ସ୍ୱାଗତ କରୁଛନ୍ତି।ଆଉ ଏକ ବଡ଼ କଥା ଅପରାଜିତାଙ୍କୁ ନେଇ ନିଷ୍କ୍ରିୟ ରହୁଥିବା ବଡ଼ ସଂଖ୍ୟାରେ ଏକ ଶିକ୍ଷିତ ସମାଜ ରାଜନୀତି ଏବଂ ଭୋଟ ଦାନ ପାଇଁ ଆଗ୍ରହ ପ୍ରକାଶ କରି ପାରନ୍ତି।ଯାହାର ବହୁତ ଅଭାବ ଦେଖାଯାଉଛି।ବିଜେପି ପାଇଁ ଏହାର ନିହାତି ଆବଶ୍ୟକତା ରହିଛି।ବିଜେପି ମଧ୍ୟ ସେଥିପ୍ରତି ଚିନ୍ତିତ ଅଛି। ତେଣୁ ଉଭୟ ବିଜେପି ସମେତ ମୂଳ ବିଚାରଧାରା (ସଂଘ),ଶିକ୍ଷିତ ସମାଜ ସହ ଭୋଟ ଦାନରୁ ବିରତ ରହୁଥିବା ଲୋକଙ୍କ ଭିତରେ ଅଧିକ ସଂଖ୍ୟାରେ ଭୋଟ ଦାନ ପାଇଁ ଜାଗ୍ରତତା ସୃଷ୍ଟି କରାଇ ଆସୁଛି।

ଠିକ୍ ସେହିପରି ଅପରାଜିତାଙ୍କ ପାଇଁ ବିଜେପି ହିଁ ଉପଯୁକ୍ତ ପ୍ଲାଟଫର୍ମ।କେତେକ କହୁଛନ୍ତି ସେ ବିଜେପିକୁ ଯିବେ ନାଁ ବିଜେଡିକୁ ଯିବେ ଚିନ୍ତା କରୁଛନ୍ତି।କେତେକ କହୁଛନ୍ତି ସେ ସ୍ୱାଧୀନ ଭାବରେ ଲଢ଼ି ଦଳତନ୍ତ୍ରକୁ ଛାଡ଼ି ଲୋକତନ୍ତ୍ରଙ୍କୁ ଆପଣାନ୍ତୁ।କିନ୍ତୁ ଏମିତିରେ କ’ଣ ଅପରାଜିତାଙ୍କ ଉଦ୍ଦେଶ୍ୟ ସଫଳ ହୋଇ ପାରିବ?ସେ ଯେ’ କେବଳ ଏମିତି ରାଜନୀତିକୁ ଆସୁନାହାଁନ୍ତି।କିଛି କିଛି କରାଇ ଦେଖାଇବାର ତାଙ୍କର ଜୁନୁନ ରହିଛି।ସେ ତାଙ୍କ ପ୍ରଥମ ଟ୍ୱିଟରେ ତାଙ୍କ ବିଚାର ରଖି ସାରିଛନ୍ତି।

ଅପରାଜିତା ଲେଖିଥିଲେ:“ମୋ ଜୀବନର ମିଶନ କେବଳ ବଞ୍ଚି ରହିବା ପାଇଁ ନୁହେଁ,ବରଂ କିଛି ଉନ୍ନତି ସାଧନ ପାଇଁ।କିଛି ଜୁନୁନ,କିଛି କରୁଣା,କିଛି ଖୁସି ଏବଂ କିଛି ଶୈଳୀ ସହିତ ଏପରି କରିବା ପାଇଁ।ମାୟା ଏଞ୍ଜୋଲିଙ୍କର ଏହି ଶବ୍ଦ ମୋ ଜୀବନ ଦର୍ଶନକୁ ଯୋଡୁଛି। ଏବଂ ମୋର ସବୁ ପ୍ରୟାସର ମର୍ମକୁ ରେଖାଙ୍କିତ କରୁଛି। “

ଅପରାଜିତାଙ୍କ ଏପରି ବିଚାରକୁ ଚରିତାର୍ଥ କରିବା ପାଇଁ ସବୁଠାରୁ ଭଲ ବିକଳ୍ପ ବିଜେପି।ସ୍ୱାଧୀନ ଭାବରେ ସେପରି କରିବା ସହଜସାଧ୍ୟ ନୁହେଁ।ଏଣେ ବିଜେଡି ପାଖରେ ସେପରି କିଛି ବିଚାରଧାରା ନାହିଁ। କେବଳ ନବୀନ ଅଛନ୍ତି।ଅପରାଜିତାଙ୍କ ଚିନ୍ତନ ସାମୟିକ ନୁହେଁ,ଦୂରଦର୍ଶୀ।ସଂଘ ଏବଂ ବିଜେପିର ଚିନ୍ତନ ମଧ୍ୟ ଦୂରଦର୍ଶୀ।ଏ ଦୃଷ୍ଟିକୋଣରୁ ବିଜେପି ଏବଂ ଅପରାଜିତା ଉଭୟଙ୍କର ଉଭୟଙ୍କ ପାଇଁ ଆବଶ୍ୟକତା ରହିଛି।ବାକି ରହିଲା ଦଳ ଭିତରେ ଗ୍ରହଣୀୟ କଥା।ଏମିତିରେ ତ’ ଅପରାଜିତା ନ’ଆସୁଣୁ ସମର୍ଥନ ପ୍ରକାଶ ପାଉଛି।ଆଉ ଯାହା ବି କିଛି ଅଗ୍ରହଣ ଥିବ,ସମାଧାନ ହୋଇଯିବ।ଯେପରି ଦିନେ ଆଡ଼ଭାନୀ କିଛି ନେତାଙ୍କ ଭିତରେ ଗ୍ରହଣୀୟ ଥିଲେ,କିନ୍ତୁ ମୋଦୀ ସଂଘ,ସଙ୍ଗଠନ ଏବଂ ତୃଣମୂଳ ସ୍ତରରୁ ଗ୍ରହଣୀୟ ଥିଲେ। ଯେତେବେଳେ ଥରେ ଘୋଷଣା ହୋଇଗଲା,ସମସ୍ତେ ପରିବର୍ତ୍ତନ ହୋଇଗଲେ।ଧର୍ମେନ୍ଦ୍ରଙ୍କ ପରି ଅନେକ ମଧ୍ୟ ପଟ ପରିବର୍ତ୍ତନ କରିଦେଲେ।/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.