Home ଓଡ଼ିଶା ୮୦ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଆପାତତଃ ଚୁଡାନ୍ତ !

୮୦ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଆପାତତଃ ଚୁଡାନ୍ତ !

107

ଭୁବନେଶ୍ୱର ୧୧ ମଇ (ଓଡିଆ ପୁଅ-ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୮୦ ବିଧାନସଭା ଆସନରେ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଆପାତତଃ ଚୁଡାନ୍ତ କରି ସାରିଥିବା ଏକ ବିଶ୍ୱସ୍ତ ସୁତ୍ରରୁ ଜଣା ପଡିଛି। ତନ୍ମଧ୍ୟରୁ ୪୨ ଜଣ ବିଧାୟକଙ୍କ ଟିକଟ କଟାଯାଇଛି। ଏହା ଏତେ ଗୁପ୍ତ ଭାବରେ କରାଯାଉଛି ଯେ, ବିଜୁ ଜନତା ଦଳର କୌଣସି ନେତା, ବିଧାୟକ, ସାଂସଦ ଏହାର ପତ୍ତା ପାଉ ନାହାଁନ୍ତି। ଯେଉଁ ନିର୍ବାଚନମଣ୍ଡଳୀରେ ନୂଆ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ କିଛି କୁହା ନ ଯାଇଥିଲେ ବି ନିଜ ଏରିଆରେ ଯାଇ ନିର୍ବାଚନ କାମକୁ ତ୍ୱରାନ୍ୱିତ କର ବୋଲି ତୃତୀୟ ମହଲାରୁ ନିର୍ଦ୍ଦେଶ ମିଳି ସାରିଛି। ଅତି ସତର୍କତାର ସହିତ ଏହାକୁ ପରିଚାଳନା କରୁଛି ତୃତୀୟ ମହଲା। ୮୦ ବିଧାନସଭା ଆସନରୁ ଅଧିକାଂଶ ହେଉଛି ପଶ୍ଚିମାଞ୍ଚଳ ଆସନ। କାରଣ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ସଭାପତି ହେବା ପରେ ଗୁଇନ୍ଦା ରିପୋର୍ଟ ଅନୁସାରେ ପଶ୍ଚିମ ଓଡିାାରେ କଂଗ୍ରେସ ଦୃତ ଗତିରେ ବଢି ଚାଲିଛି। ବିଜେପୁର ନିର୍ବାଚନ ପରେ ସେଠାକାର ଜନସାଧାରଣ ଭାରତୀୟ ଜନତା ପାର୍ଟୀ ଉପରେ ଆସ୍ଥା ତୁଟାଇ ସାରିଛନ୍ତି। ନିରଞ୍ଜନ ସଭାପତି ହେବା ପରେ ଜନସାଧାରଣ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବା ଆରମ୍ଭ କରିଛନ୍ତି। ତେଣୁ ବିଜେଡି ଏବେ ଠାରୁ ପଶ୍ଚିମ ଓଡିଶାରେ ତାର ରଣନିତୀ ଆରମ୍ଭ କରି ଦେଲାଣି। ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଝାରସୁଗୁଡା ଏପରିକି ବଲାଙ୍ଗିର ଆଦି ଜିଲ୍ଲାମାନଙ୍କରେ ବିଜେଡି ତାର ପ୍ରାର୍ଥୀ ତାଲିକାରେ ଆମୂଳଚୂଳ ପରିବର୍ତ୍ତନ କରିବ ବୋଲି ନିଷ୍ପତି ନେଇଛି। ଏହି ସବୁ ସ୍ଥାନମାନଙ୍କରେ ଯୁବ ପ୍ରାର୍ଥୀତ୍ୱକୁ ଗୁରୁତ୍ୱ ଦେଇଛି ଦଳ।

ଖବରରୁ ଯାହା ଜଣା ପଡିଛି ବିଜୁ ଜନତା ଦଳର କିଛି ଯୁବ ପାୱାରଫୁଲ ବିଧାୟକ ଏଥର ସାଂସଦ ଯିବେ। ଦିଲ୍ଲୀ ରାଜନିତୀକୁ ଆହୁରି ସୁଦୃଢ କରିବା ପାଇଁ ଏମାନଙ୍କୁ ଦିଲ୍ଲୀ ପଠାଯିବ। କଟକ, କେନ୍ଦ୍ରାପଡା, କନ୍ଧମାଳ, କେନ୍ଦୁଝର, ଭଦ୍ରକ, ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, ନବରଙ୍ଗପୁର, ବ୍ରହ୍ମପୁର, ସୁନ୍ଦରଗଡ ଆଦି ସାଂସଦ କ୍ଷେତ୍ରରେ ନୂଆ ସାଂସଦ ପ୍ରାର୍ଥୀଙ୍କ ନାମ ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ। ଏସବୁ ସ୍ଥାନରେ କିଛି ଯୁବ ବିଧାୟକ, କିଛି ନିର୍ବିବାଦୀୟ ଚେହେରାଙ୍କ କଥା ବିଚାରକୁ ନିଆଯାଇଛି। ରାଜ୍ୟମନ୍ତ୍ରୀମଣ୍ଡଳରୁ ପ୍ରାୟ ୭୦ ପ୍ରତିଶତ ମନ୍ତ୍ରୀଙ୍କ ଟିକଟ ଏଥର କଟୁଛି। ଅଧିକାଂଶ ସ୍ୱାସ୍ଥ୍ୟଗତ କାରଣକୁ ବାଦ୍ ପଡିବେ। କାହାକୁ ହାଇ ବ୍ଲଡ ପ୍ରେସର ତ କାହାକୁ ଡାଇବେଟିସ ତ କାହାର ହାର୍ଟ ପ୍ରୋବ୍ଲେମ। ଏମାନଙ୍କୁ ଧରି ଆଗକୁ ବଢିବା ଆଉ ତୃତୀୟ ମହଲାର ଅଫିସରମାନେ ଚାହୁଁ ନାହାଁନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରୁଛନ୍ତି। ତା ପରେ ସେହି ବିଭାଗର ମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ ଡାକି ଏହାକୁ ବଖାଣୁଛନ୍ତି। ମାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ କାହାର ହାତ ଥରୁଛି ତ କାହାର ପାଟି ଖନି ମାରୁଛି। କାଗଜରେ ଯାହା ଲେଖା ହୋଇ ଆସୁଛି ତାକୁ ଠିକ୍ ଭାବରେ ପଢି ମଧ୍ୟ ପାରୁ ନାହାଁନ୍ତି। ଆଉ ହାତରେ ବର୍ଷେ ସମୟ। ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବା ଅସମ୍ଭବ। ତେଣୁ କୌଣସି ମତେ କାମ ଚଳେଇ ଦେଇ ଏମାନଙ୍କୁ ବିଶ୍ରାମ ଦେବା ପାଇଁ ଦଳ ଏକରକମ ମନସ୍ଥ କରି ସାରିଛି।

ଆସନ୍ତା ତିନି ମାସ ମଧ୍ୟରେ କଂଗ୍ରେସ ତାର ୮୦ ପ୍ରତିଶତ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କହି ସାରିଛନ୍ତି। ରାଜ୍ୟ ବିଜେପି ଏ କ୍ଷେତ୍ରରେ ବହୁ ପଛରେ ପଡି ଯାଇଛି। ରାଜ୍ୟ ରାଜନିତୀରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ନିରଞ୍ଜନ କଂଗ୍ରେସ ସଭାପତି ହେବା ପରେ ଆଶ୍ଚର୍ଯ୍ୟଜନକ ଭାବରେ ଜନସାଧାରଣଙ୍କ ତୃତୀୟ ପସନ୍ଦ ବନି ଯାଇଛି। ରାଜନୈତିକ ପାଣିପାଗ ଯାହା କହୁଛି ଆସନ୍ତା ନିର୍ବାଚନରେ ଲଢେଇ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ଭିତରେ ହେବ। ତେଣୁ ଆସନ୍ତା ନିର୍ବାଚନରେ ଏହି ଦୁଇ ଦଳର ପ୍ରାର୍ଥୀ ତାଲିକା ଉପରେ ଜନସାଧାରଣ ଆସ୍ଥା ପ୍ରକଟ କରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.