Home ଓଡ଼ିଶା ମହାନ୍ ସ୍ୱତନ୍ତ୍ରତା ସେନାନୀ : ବିର୍ସା ମୁଣ୍ଡା

ମହାନ୍ ସ୍ୱତନ୍ତ୍ରତା ସେନାନୀ : ବିର୍ସା ମୁଣ୍ଡା

386

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୁର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଂକୃତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା’ (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ)। ଯାହା ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ମହାନ୍ ସ୍ୱତନ୍ତ୍ରତା ସେନାନୀ ବିର୍ସା ମୁଣ୍ଡା। ଯାହାଙ୍କୁ ଅନେକ ଭଗବାନ ବିର୍ସା ମୁଣ୍ଡା ବୋଲି କୁହନ୍ତି।

ବିର୍ସା ମୁଣ୍ଡା ଜଣେ ମହାନ୍ ସ୍ୱତନ୍ତ୍ରତା ସେନାନୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ି ସାରିଥିଲେ। ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ ବିର୍ସା ମୁଣ୍ଡା।

ମୁଣ୍ଡା ଏକ ଆଦିବାସୀ ସମ୍ପ୍ରଦାୟ। “ଟୁଟୁ” ଓ “ନାଗୁ” ନାମକ ଦୁଇଭାଇ ବିର୍ସା ମୁଣ୍ଡାଙ୍କ ପୂର୍ବପୁରୁଷ ଥିଲେ। ସେମାନେ ବିହାରର ରାଞ୍ଚି ନିକଟବର୍ତ୍ତୀ “ତୋମଦଗା” ନଦୀ କୂଳରେ ଘର କରି ରହିଥିଲେ। ପରେ ସେମାନଙ୍କ ନାମ ଅନୁସାରେ ସେହି ଜାଗାର ନାଁ “ଛୋଟନାଗପୁର” ହୋଇଥିଲା। ସେମାନଙ୍କ ବଂଶଧର ଥିଲେ ବିର୍ସା ମୁଣ୍ଡା ବୋଲି କୁହାଯାଏ। ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥିକୁ ନେଇ ଭିନ୍ନ ଭିନ୍ନ ମତ ରହିଛି। କେତେକଙ୍କ ମତରେ ୧୮୭୪ ମସିହା ଏବଂ ଆଉ କେତେକଙ୍କ ମତରେ ୧୮୭୫ ମସିହା ନଭେମ୍ବର ମାସ ୧୫ ତାରିଖରେ ବିର୍ସା ମୁଣ୍ଡା ଜନ୍ମଗ୍ରହଣ କରିଥିଲେ। ବିର୍ସା ଅଧୁନା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ଖୁଣ୍ଟି ସବ୍ ଡିଭିଜନ୍ ଅନ୍ତର୍ଗତ ବାମ୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା ଓ ମାତାଙ୍କ ନାମ ଥିଲା କରମୀ ମୁଣ୍ଡା। ବିର୍ସା ମୁଣ୍ଡାଙ୍କର ଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା। ବିର୍ସା ମହାନ ଗ୍ରନ୍ଥ ରାମାୟଣ ଓ ମହାଭାରତର ବିଷୟବସ୍ତୁ ସଂପର୍କରେ ଜ୍ଞାନ ଆହରଣ କରିଥିଲେ। ଏହାପରେ ସେ ବୁରୁଜ ପ୍ରାଇମେରୀ ସ୍କୁଲରେ ଅଧୟନ କରିବା ସହିତ ଚାଇଁବସାର ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ। ଏହି ସମୟରେ ସେ ଜଣେ ଜର୍ମାନୀ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିଲେ। ସରଳ ବିଶ୍ୱାସୀ ଆଦିବାସୀ ମାନଙ୍କ ଉପରେ ଗୋରା ଇଂରେଜ ଶାସକ ମାନଙ୍କ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ବିର୍ସାଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା।

ବିର୍ସାଙ୍କ ପାଇଁ ପ୍ରମାଦ ଗଣିଲେ ଇଂରେଜ ଶାସକ –

ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ଭିତରେ ବିର୍ସା ମୁଣ୍ଡା ଅନ୍ୟତମ। ଗୋରା ଶାସକମାନେ ସେବକ ପଟ୍ଟା ଲେଖାଇ ସରଳ ଗ୍ରାମବାସୀ ମାନଙ୍କୁ ଗୋତି ଓ ବେଠି ଖଟାଇବା ଏବଂ ଜୋର ଜବରଦସ୍ତ ଧର୍ମାନ୍ତରୀକରଣ କରିବାକୁ ସହ୍ୟ କରି ପାରୁନଥିଲେ ବିର୍ସା। ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢ଼ୁଥିଲା ବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଏବଂ ସ୍କୁଲରୁ ବହିସ୍କାର କରି ଦେଇଥିଲେ। ସେହି ଦିନଠାରୁ ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପକାଇ ଇଂରେଜ ଶାସନ କବଳରୁ ମାତୃଭୂମିକୁ ମୁକ୍ତ କରିବା ପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଥିଲେ। ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନଲେଖିବା, ଖଜଣା ନଦେବା ଏବଂ ବନ୍ଧୁକ ମୁନକୁ ଡରି ଧର୍ମ ପରିବର୍ତ୍ତନ ନକରିବାକୁ ସେ ଆଦିବାସୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ। ୧୮୯୫ ମସିହା ଅଗଷ୍ଟ ୧୬ ଦିନ ଇଂରେଜ ସିପାହୀ ବିର୍ସା ମୁଣ୍ଡାଙ୍କ ସମେତ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରିଥିଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ଏଥିପାଇଁ ତାଙ୍କୁ ରାଞ୍ଚି ଜେଲ୍‌କୁ ପଠାଇ ଦିଆଗଲା। ତେବେ, ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀମାନଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ଏମିତିରେ ବିର୍ସା ଏବଂ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ।

ଇଂରେଜଙ୍କୁ ପାଣି ପିଆଇ ଦେଇଥିଲେ ବିର୍ସା –

ତେବେ, ଏତିକିରେ ଅଟକି ଯାଇ ନଥିଲେ ବିର୍ସା। ଏହାପରେ ବିର୍ସା ମୁଣ୍ଡାଙ୍କ ଆହ୍ୱାନରେ ଶହଶହ ଆଦିବାସୀ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍‌ରେ ନିଆଁ ଲଗାଇଦେଲେ। ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନୀକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ ଜଣ ଶହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ ଦୁଇଜଣ ସିପାହୀଙ୍କୁ ପଠାଗଲା। ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଏଇ କନେଷ୍ଟବଳ ଦ୍ୱୟଙ୍କୁ ହତ୍ୟା କରି ଦିଆଗଲା। ଏହାର ପ୍ରତିଶୋଧ ନେଇ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ହତ୍ୟା କରାଗଲା। ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟି ଥାନାକୁ ନିଆଁ ଲଗାଇଦେଲେ। ଜଣେ ସିପାହୀକୁ ହତ୍ୟାକଲେ ଏବଂ ଅନ୍ୟ ସିପାହୀ ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାପରେ ଏକ ପାହାଡ଼ ଉପରେ, ଯେଉଁଠି ବିର୍ସା ସଂଗ୍ରାମୀ ମାନଙ୍କୁ ଉଦ୍‌ବୋଧନ ଦେଉଥିଲେ ଇଂରେଜ ସିପାହୀ ସେମାନଙ୍କୁ ଘେରିଯାଇ ଆତ୍ମସମର୍ପଣ କରିବାକୁ କହିଲେ। ତେବେ ବିର୍ସା ଏଥିରେ ରାଜି ନହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥର ଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଇଂରେଜ ମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ବିର୍ସାଙ୍କ ପ୍ରମୁଖ ସହଯୋଗୀ ନରସିଂହ ମୁଣ୍ଡାଙ୍କ ସମେତ ପ୍ରାୟ ଦୁଇଶହ ସଂଗ୍ରାମୀ ଶହୀଦ୍ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।

ବିଶ୍ୱାସଘାତକତା ଏବଂ ବିର୍ସାଙ୍କ ଉପରେ ଅକଥନୀୟ ଅତ୍ୟାଚାର –
ଇଂରେଜ ସରକାର ବିର୍ସାଙ୍କ ସନ୍ଧାନ ନପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏଥିରୁ ସେମାନଙ୍କୁ ରକ୍ଷା କରିବା ପାଇଁ ବିର୍ସାଙ୍କ ଦୁଇ ସହଯୋଗୀ ଡେନକା ମୁଣ୍ଡା ଏବଂ ମାଝିଆ ମୁଣ୍ଡା ଇଂରେଜ ସରକାରଙ୍କ ପାଖରେ ଆତ୍ମସମର୍ପଣ କଲେ। ଏହି ଦୁଇ ଜଣଙ୍କୁ ପରବର୍ତ୍ତୀ ସମୟରେ ଦେଶରୁ ନିର୍ବାସିତ କରିଦିଆ ଯାଇଥିଲା। ତଥାପି ବିର୍ସାଙ୍କ ମନରେ ସ୍ୱାଧୀନତାର ଆଶା ମଉଳି ନ ଥିଲା। ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ତେବେ ଦୁଇଜଣ ବିଶ୍ୱାସଘାତକ ଶଶୀଭୂଷଣ ରାୟ ଏବଂ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ। ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ବିର୍ସାଙ୍କୁ ଗିରଫ କରି ରାଞ୍ଚି ଜେଲ୍‌କୁ ନିଆଗଲା। ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍‌କୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍‌କୁ ଅଣାଗଲା। କିନ୍ତୁ, ଅସୁସ୍ଥ ଥିବା ସତ୍ତ୍ୱେ ବିର୍ସାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆ ଯାଇଥିଲା। ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା ଏବଂ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା। ଏସବୁର ମୂକସାକ୍ଷୀ ଥିଲେ ଜେଲ୍‌ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା। ତାଙ୍କ ଅପରାଧର ବିଚାରପାଇଁ ତାଙ୍କୁ ବିଚାରାଳୟକୁ ନିଆଯାଇଥିଲା। ଇଂରେଜ ମାନଙ୍କ ଭୟରେ ସେଠାରେ କେହି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇନଥିଲେ। ବିଚାରାଳୟ କୋଠରୀରେ ବିର୍ସା ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତ ରଖି ତାଙ୍କୁ ପୁନଃ ଜେଲ୍‌କୁ ପଠାଇଦେଲେ। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍‌ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗକଲେ। ବିର୍ସାଙ୍କ ମୃତ୍ୟୁ ପରେ ତାଙ୍କର କିଛି ସହକର୍ମୀ ମାନଙ୍କୁ ନିର୍ବାସିତ କରି ଦିଆଗଲା ଓ କେତେକଙ୍କୁ ଫାସୀ ଦିଆଗଲା। ହଇଜାରେ ପଡ଼ି ବିର୍ସାଙ୍କ ମୃତ୍ୟୁ ହୋଇଛି ବୋଲି ଇଂରେଜଙ୍କ ଡରରେ ମିଥ୍ୟା ରିପୋର୍ଟ ଦେଇଥିବାରୁ ଡାକ୍ତର ଅମୂଲ୍ୟ ଚାକିରି ଛାଡ଼ିଦେଲେ। ମେହେନ୍ତର ଶିବନା ବିର୍ସାଙ୍କ ମୃତ୍ୟୁକୁ ଗ୍ରହଣ କରିନପାରି ମାନସିକ ଭାରସାମ୍ୟ ହରାଇ ବସିଲେ। ବିର୍ସା ମୁଣ୍ଡା, ଯାହାଙ୍କୁ ଅନେକ ଭଗବାନ ବିର୍ସା ମୁଣ୍ଡା ବୋଲି କୁହନ୍ତି, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ତଥା ମହାନ୍ ସ୍ୱତନ୍ତ୍ରତା ସେନାନୀ, ଯାହାଙ୍କ ସାହସ ଏବଂ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରେ। ମହାନ୍ ସ୍ୱତନ୍ତ୍ରତା ସେନାନୀ ବିର୍ସା ମୁଣ୍ଡାଙ୍କୁ ଶତଶତ ନମନ। -ଦେବଦତ୍ତ ରଥ 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.