Home ଅପରାଧ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତକୁ ବିରୋଧ: ପୋଲିସ୍ ଉପସ୍ଥିତିରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ; ଲାଇଭ୍ ଭିଡିଓ...

ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତକୁ ବିରୋଧ: ପୋଲିସ୍ ଉପସ୍ଥିତିରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ; ଲାଇଭ୍ ଭିଡିଓ କରି ପୋଲିସକୁ ପ୍ରଶ୍ନବାଣରେ ଘାଇଲା କଲେ ବିଜେପି ନେତ୍ରୀ

64

ଭୁବନେଶ୍ୱର/ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାରିପଦାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପାଖାପାଖି ୨,୫୦୦ କୋଟି ଟଙ୍କାର ୫୩୪ଟି ଜନ କଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ସଡକ ଓ ପୋଲ ନିର୍ମାଣ, ବିଦ୍ୟୁତ୍‌ ଶକ୍ତି ସହ ନଗର ଉନ୍ନୟନ ବିଭାଗର ପ୍ରକଳ୍ପ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏ’ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ କରିବାକୁ ଯାଇଥିବା କିଛି ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ୍ ଉପସ୍ଥିତିରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବାର ଅଭିଯୋଗ ଆସିଛି। ଯାହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବିଜେପି ପକ୍ଷରୁ ଏପରି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ତେଣେ, ବାରିପଦା ଅଭିମୁଖେ ଯାଉଥିବା ସମୟରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ଗାଡ଼ିକୁ ପୋଲିସ୍ ଅଟକାଇବା ସହିତ ତାଙ୍କୁ ପ୍ରାୟ ୨/୩ କିଲୋମିଟର ଚଲାଇ ଚଲାଇ ନେଇ ଥାନାରେ ଅଟକ ରଖି ପରେ ପିଆର ବଣ୍ଡରେ ଛାଡ଼ିଥିଲା। ଚାଲିଚାଲି ଯାଉଥିବା ସମୟରେ ହରପ୍ରିୟା ସାହୁ ଭିଡିଓ ଲାଇଭ୍ କରି ପୋଲିସକୁ ପ୍ରଶ୍ନ ପରେ ପ୍ରଶ୍ନବାଣ କରି ଅସ୍ତବ୍ୟସ୍ତ କରିଦେଇଥିଲେ। ତେବେ, ସୂଚନା ମୁତାବକ ପୋଲିସ୍ ଗାଡ଼ିରେ ଯିବାକୁ ହରପ୍ରିୟା ଅଗ୍ରାହ୍ୟ କରିଦେବା ପରେ ପୋଲିସ୍ ତାଙ୍କୁ ଚଲାଇ ଚଲାଇ ଥାନାକୁ ନେଇଥିଲା। ଏହାକୁ ନେଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଯଦି ସେମିତି ବିରୋଧ କରିବାର ଥାଆନ୍ତା ତେବେ, ସଭାନେତ୍ରୀ ମହିଳା ମୋର୍ଚ୍ଚା ଟିମ୍ ସହ ସଦଳବଳେ ସେଠାକୁ ଯାଇଥାଆନ୍ତେ। ପୋଲିସର ଏପରି ଆଚରଣକୁ ଆଦୌ ବରଦାସ୍ତ କରାଯିବନି ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲିପିକା ବାରିକ କହିବା ସହ ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସମ୍ପାଦିକା ବିଷ୍ଣୁପ୍ରିୟା ଜେନା, ଚୈତାଳି ଖିଲାର ପ୍ରମୂଖ ପୋଲସର କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି।

ଗଣତନ୍ତ୍ରରେ ବିରୋଧୀ ଦଳର ବଡ଼ ଭୂମିକା ରହିଛି। ସରକାରଙ୍କ ଭୁଲ୍ ନୀତିକୁ ବିରୋଧ କରିବା ବିରୋଧୀ ଦଳର ବଡ଼ ଭୂମିକା। ଯାହା ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ ଓଡ଼ିଶାରେ ବିଜେପି କରି ଆସୁଛି। କିନ୍ତୁ, ସରକାର ତାଙ୍କର ଦୋଷତୃଟିକୁ ଲୁଚାଇବାକୁ ଦମନଲୀଳା ଚଲାଇଛନ୍ତି। ଆଜି ଶାନ୍ତିପୂର୍ଣ ଭାବରେ ବିରୋଧ ପ୍ରଦର୍ଶନ କରିବାକୁ ଯାଇଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ୍ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ ଦୟନୀୟ ଭାବରେ ଆକ୍ରମଣ କରିଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ହରପ୍ରିୟା ସାହୁ। ସନସାଇନ୍ ସ୍କୁଲ ନଥିଲା ଏକ ପାଠଶାଳା। ତାହା ଥିଲା ଏକ ରଙ୍ଗଶାଳା। ଯାହାର ମାଲିକ ନୁହେଁ, ବରଂ ଗୁମାସ୍ତା ଥିଲେ ଗୋବିନ୍ଦ ସାହୁ। ସେହି ରଙ୍ଗଶାଳାର ମାଲିକ ଥିଲେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଆଉ ଏଥିରେ ମାହାଙ୍ଗା ଡବଲ୍ ମଡ଼ର୍ର କେସର ୧୩ ନମ୍ବର ମୁଦଲା, ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କର ମଧ୍ୟ ସଂପୃକ୍ତି ରହିଛି। ରାତିରେ ଯାଇ ସେଇ ରଙ୍ଗମହଲରେ ଦିବ୍ୟଶଙ୍କର ମିଶ୍ରଙ୍କ ପରି ପ୍ରତାପ ଜେନା ଏବଂ ଆଉ କିଛି ନେତାମନ୍ତ୍ରୀ ମଧ୍ୟ କରୁଥିଲେ ରାତ୍ରୀଯାପନ ବୋଲି ଘଟଣା ଏବେ ପଦାକୁ ଆସୁଛି। ଏବେ ଜଣେ ନିରୀହ ଶିକ୍ଷିତ ଆତ୍ମନିର୍ଭରଶୀଳ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ସହ ମନ୍ତ୍ରୀଙ୍କ ସମ୍ପୃକ୍ତି ଜଣାପଡ଼ିଛି। ତେଣୁ, ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ଏବଂ ଗିରଫ କରାଯିବା ସହ ଏହାର ତଦନ୍ତ ଦାୟିତ୍ବ ସିବିଆଇକୁ ପ୍ରଦାନ କରାଯାଉ। ନିଆଁକୁ ଅଣ୍ଟିରେ ପୁରେଇ ରଖିଲେ ଅଣ୍ଟି ପୋଡ଼ିଯିବ। କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କୁକର୍ମ କରିଛନ୍ତି। ଅପରାଧୀ ଏବଂ ଅପରାଧର ସାଥ୍ ଦେଇଛନ୍ତି। ନିଆଁକୁ ଅଣ୍ଟିରେ ଆଉ ଲୁଚାନ୍ତୁନି ଆଜ୍ଞା, ଅଣ୍ଟି ପୋଡ଼ିଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ହରପ୍ରିୟା ସାହୁ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.