Home ଓଡ଼ିଶା ଅଟଳ କମ୍ୟୁନିଟି ନବସୃଜନ କେନ୍ଦ୍ରର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଅଟଳ କମ୍ୟୁନିଟି ନବସୃଜନ କେନ୍ଦ୍ରର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

139

– ଦେଶରେ ପାରମ୍ପରିକ ଜ୍ଞାନର ଉପଯୋଗ ଓ ସମର୍ଥନ ଲାଗି ଅଭିନବ ବ୍ୟବସ୍ଥା ପାଇଁ ଆହ୍ୱାନ
– ଆକାଂକ୍ଷୀ ଜିଲ୍ଲା, ଟାୟାର-୨ ଓ ୩ ସହର, ଉତର-ପୂର୍ବାଂଚଳ ଏବଂ ଜମ୍ମୁ ଓ କାଶ୍ମୀର ପ୍ରତି ବିଶେଷ ଧ୍ୟାନ
– ଏଆଇଏମକୁ ସର୍ବାଧିକ ୨.୫ କୋଟି ଟଙ୍କାର ସହାୟତା

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ଦେଶରେ ଏବଂ ସାମାଜିକ ସ୍ତରରେ ନବସୃଜନ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଅଟଳ କମ୍ୟୁନିଟି ନବସୃଜନ କେନ୍ଦ୍ର (ଏସିଆଇସି)ର ଶୁଭାରମ୍ଭ କରିଛନ୍ତି। ସମାଧାନ ପ୍ରକ୍ରି୍ରୟା ସହିତ ନବସୃଜନର ପ୍ରକ୍ରିୟାକୁ ପ୍ରୋତ୍ସାହିତ କରି ସମାଜର ସେବା କରିବା ଏହି ପଦକ୍ଷେପର ଲକ୍ଷ୍ୟ।

ଏହି ଅବସରରେ ବକ୍ତବ୍ୟ ରଖି ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୨୫ ସୁଦ୍ଧା ପାଂଚ ଟି୍ରଲିଅନ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ କରିବା ପାଇଁ ଅଟଳ ନବସୃଜନ ମିଶନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଂଚଳିକ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ସମସ୍ତ ଗ୍ରାମ ପଂଚାୟତରେ ନବସୃଜନ କେନ୍ଦ୍ର ଖୋଲିବା ପାଇଁ ସେ ନୀତି ଆୟୋଗକୁ ଆହ୍ୱାନ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ, ନବସୃଜନ ହେଉଛି ପ୍ରତ୍ୟେକ ଭାରତୀୟଙ୍କର ଦୈନଦିନ ଜୀବନର ଅଂଶବିଶେଷ ଏବଂ ଏହାକୁ ଅଭିନବ ବ୍ୟବସ୍ଥା ମାଧ୍ୟମରେ ସମର୍ଥନ ଏବଂ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।

ଏସିଆଇସି ଯୋଜନା ଆରମ୍ଭ କରିବା ପାଇଁ ନୀତି ଆୟୋଗର ପଦକ୍ଷେପକୁ ପ୍ରଶଂସା କରି ମନ୍ତ୍ରୀ କହିଲେ ଯେ, ଏହା ଦେଶର ସମସ୍ତ ଭାଗରେ ଅତ୍ୟାଧୁନିକ ନବସୃଜନ ଭିତିଭୂମି ନିର୍ମାଣ କରିବାରେ ସହାୟକ ହେବ। ଫଳରେ ଆକାଂକ୍ଷୀ ଜିଲ୍ଲା, ଟାୟାର-୨ ଓ ୩ ସହର, ଉତର-ପୂର୍ବାଂଚଳ ଏବଂ ଜମ୍ମୁ ଓ କାଶ୍ମୀର ଉପରେ ବିଶେଷ ଧ୍ୟାନ ଦିଆଯାଇପାରିବ, ଯାହାଦ୍ୱାରା ଏହି ଅଂଚଳରେ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ହୋଇପାରିବ। ଏସିଆଇସିର ତୃଣମୂଳସ୍ତରୀୟ କାର୍ଯ୍ୟଧାରା ଛୋଟ ଚିନ୍ତାଧାରା ଏବଂ ବଡ ଧରଣର ପ୍ରଭାବ ସହିତ ବିଭିନ୍ନ ସମ୍ପ୍ରଦାୟଭିତିକ ସମସ୍ୟାର ସମାଧାନ କରିପାରିବ। ଏସିଆଇସି ଘରୋଇ ଏବଂ ରାଷ୍ଟ୍ରାୟତ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଥିବା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନୁଦାନର ବାହକ ହେବ ଏବଂ ଅଟଳ ନବସୃଜନ ମିଶନ (ଏଆଇଏମ୍ ) ମାଧ୍ୟମରେ ପ୍ରତ୍ୟକ୍ଷ ଅନୁଦାନ ଆସିବ।

ଶ୍ରୀ ପ୍ରଧାନ କହିଲେ ଯେ, ପରୀକ୍ଷାଗାରରୁ ଜମିର ଦୂରତ୍ୱକୁ ହ୍ରାସ କରିବା ଏଆଇଏମର ଏକ ପ୍ରମୁଖ ଉଦ୍ଦେଶ୍ୟ ଏବଂ ଭାରତରେ ଉଦ୍ୟମିତା ପରିସ୍ଥାନକୁ ସୁଦୃଢ଼ କରିବାରେ ଅଟଳ ସାମାଜିକ ନବସୃଜନ କେନ୍ଦ୍ରର ବଡ ଭୂମିକା ରହିବ। ଭାରତର ନବସୃଜନ କାହାଣୀରେ ଏସିଆଇସିଏସ ଏକ ନୂତନ ଅଧ୍ୟାୟ ଯୋଗ କରିବ। ଏପରି ଏକ ଭିତିଭୂମି ଯେଉଁଠାରେ ଦେଶର ଅଧିକାଂଶ ଅଭିନବ ମସ୍ତିଷ୍କକୁ ଅତ୍ୟାଧୁନିକ ଉଦ୍ୟମିତା ଆହ୍ୱାନର ସମାଧାନ ପାଇଁ ସୂତ୍ର ମିଳିପାରିବ।

ମନ୍ତ୍ରୀ ମଧ୍ୟ କହିଲେ ଯେ ବିଭିନ୍ନ ଫାର୍ମରୁ ବାହାରୁଥିବା ବର୍ଜ୍ୟବସ୍ତୁ ଦ୍ୱାରା ଭାରତ ପାଖାପାଖି ୬୦୦ ମିଲିଅନ ମେଟି୍ରକ ଟନ ଅଣଜୀବାଷ୍ମ ବାୟୋମାସ ଉତ୍ପାଦନ କରୁଛି। ଏହାକୁ ଶକ୍ତିରେ ରୂପାନ୍ତରିତ କରିପାରିଲେ ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହୋଇପାରିବ, ଭବିଷ୍ୟତ ପାଇଁ ସ୍ଥାୟୀ ଇନ୍ଧନ ମିଳିପାରିବ ଏବଂ ଏହା ଫଳରେ ଆମର ଅନ୍ନଦାତା ଏବଂ ଉର୍ଜାଦାତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୃଷ୍ଟି – ବର୍ଜ୍ୟରୁ ସମ୍ପଦ ସୃଷ୍ଟିରେ ସାମିଲ କରାଯାଇପାରିବ। ପ୍ରକୃତରେ ଏହା ହେଉଛି ଏକ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ। ଦେଶରେ ସାଂସ୍କୃତିକ ନବସୃଜନ ପାଇଁ ସେ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଥିଲେ ଏବଂ ଆଶ୍ୱାସନା ଦେଇଥିଲେ ଯେ, ଇସ୍ପାତ ଓ ପେଟ୍ରୋଲିୟମ କ୍ଷେତ୍ରର ରାଷ୍ଟ୍ରାୟତ କମ୍ପାନୀ ଏହି ଅଭିନବ ମିଶନକୁ ସହାୟତା ପ୍ରଦାନ କରିବେ। “ଏହି ପଦକ୍ଷେପକୁ ସମର୍ଥନ କରିବା ପାଇଁ ମୁଁ ରାଷ୍ଟ୍ରାୟତ କ୍ଷେତ୍ରର କମ୍ପାନୀମାନଙ୍କୁ କହିଛି। ଦେଶରେ ଉପଲବ୍ଧ ବାୟୋମାସରୁ ଶକ୍ତି ଉତ୍ପନ୍ନ ପାଇଁ ଅଭିନବ ସମାଧାନର ପନ୍ଥା ନିର୍ଦ୍ଧାରଣ ଲାଗି ଏସିଆଇସିର ନବସୃଜନ ଲାଗି ମୁଁ ମଧ୍ୟ ନୀତି ଆୟୋଗ ଓ ଏଆଇଏମକୁ ଅନୁରୋଧ କରିଛି, ” ବୋଲି ଶ୍ରୀ ପ୍ରଧାନ କହିଥିଲେ। ମନ୍ତ୍ରୀ ପୁନଶ୍ଚ କହିଲେ ଯେ ଏସିଆଇସି ଦ୍ୱାରା ପ୍ରଦାନ କରାଯାଉଥିବା ବିଶେଷ ଓ ପ୍ରୋତ୍ସାହନମୂଳକ ସମାଧାନ ମାଧ୍ୟମରେ ନୂତନ ପ୍ରକ୍ରିୟା ଓ ବ୍ୟବସ୍ଥା ସୃଷ୍ଟି ପାଇଁ ଛାତ୍ର, ଗବେଷକ, ବିଭିନ୍ନ ବ୍ୟକ୍ତିବିଶେଷ ଓ ଗ୍ରୁପ ଉତ୍ସାହିତ ହେବେ। ଏସିଆଇସିଗୁଡିକ ମଧ୍ୟ ଅଭିନବ ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ଆମ ବଜାର ଏବଂ ଅର୍ଥବ୍ୟବସ୍ଥାର ମୁଖ୍ୟସ୍ରୋତ ସହିତ ଯୋଡିବେ।

ଦେଶରେ ବିଭିନ୍ନ ସମ୍ପ୍ରଦାୟ ଦ୍ୱାରା ନିଆଯାଉଥିବା ନବସୃଜନ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଏସିଆଇସି ହେଉଛି ଅଟଳ ନବସୃଜନ ମିଶନର ଏକ ନୂତନ ପଦକ୍ଷେପ। ସମାଧାନ ବ୍ୟବସ୍ଥା ଥିବା ପ୍ରକ୍ରିୟା ମାଧ୍ୟମରେ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରି ସମାଜର ସେବା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱାରା ଉନ୍ନତ ଷ୍ଟାର୍ଟ-ଅପ୍ ଓ ପରିସ୍ଥାନ ବ୍ୟବସ୍ଥା ନଥିବା ଦେଶର ଅନୁନ୍ନତ ଅଂଚଳ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ। ଘରୋଇ – ରାଷ୍ଟ୍ରାୟତ ଉଦ୍ୟୋଗରେ କିମ୍ବା ପିଏସୟୁ ଓ ଅନ୍ୟାନ୍ୟ ଏଜେନ୍ସି ସହାୟତାରେ ଏସିଆଇସି ପ୍ରତିଷ୍ଠା କରାଯିବ। ଏସିଆଇସି ନିର୍ଦ୍ଦେଶାବଳୀ ମୁତାବକ ଓ ଅନୁଦାନ ପ୍ରଦାନ କରୁଥିବା ବିଭିନ୍ନ ଯୋଗଦାନକାରୀ ଅନୁଷ୍ଠାନ ଏବଂ ସେମାନଙ୍କ ଅଂଶୀଦାରଙ୍କ ସହମତି କ୍ରମେ ଏଆଇଏମକୁ ସର୍ବାଧିକ ୨.୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିବ।

ଏହି ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ କାନ୍ତ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.