Home ଓଡ଼ିଶା ଜନଜାତି କଲ୍ୟାଣ ଯୋଜନା ପାଇଁ ଇ-ଗଭର୍ଣ୍ଣାନ୍ସ ଉପକ୍ରମର ଶୁଭାରମ୍ଭ କଲେ ଶ୍ରୀ ଅର୍ଜୁନ ମୁଣ୍ଡା

ଜନଜାତି କଲ୍ୟାଣ ଯୋଜନା ପାଇଁ ଇ-ଗଭର୍ଣ୍ଣାନ୍ସ ଉପକ୍ରମର ଶୁଭାରମ୍ଭ କଲେ ଶ୍ରୀ ଅର୍ଜୁନ ମୁଣ୍ଡା

489

ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଆଜି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତଫସିଲଭୁକ୍ତ ଜନଜାତି କଲ୍ୟାଣ ଯୋଜନା ପାଇଁ ଇ-ଗଭର୍ଣ୍ଣାନ୍ସ ଉପକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା। ଏହି ଅବସରରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ସରୁତା, ଏନସିଏସଟିର ଉପାଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ଉୟିକେ, ଟ୍ରାଇଫେଡର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ ମୀନା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୀପକ ଖାଣ୍ଡେକର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ନୂତନ ଇ-ଗଭର୍ଣ୍ଣାନ୍ସ ଉପକ୍ରମଗୁଡ଼ିକର ଏକ ପାୱାର ପଏଂଟ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା।

ତଫସିଲଭୁକ୍ତ ଜନଜାତି କଲ୍ୟାଣ ଯୋଜନା ପାଇଁ ଏହି ପ୍ରଶାସନିକ ଉପକ୍ରମଗୁଡ଼ିକ ପ୍ରସ୍ତୁତ କରିବା ଲାଗି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସମ୍ମିଳିତ ପ୍ରୟାସକୁ ଶ୍ରୀ ମୁଣ୍ଡା ପ୍ରଶଂସା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ “ସବକା ସାଥ, ସବ୍କା ବିକାଶ ଏବଂ ସବକା ବିଶ୍ୱାସ” ନୀତି ଆଧାରରେ ଏହି ଇ-ଗଭର୍ଣ୍ଣାନ୍ସ ଉପକ୍ରମଗୁଡ଼ିକ ଦ୍ୱାରା ଦେଶବ୍ୟାପୀ ଜନଜାତି ସମ୍ପ୍ରଦାୟର କଲ୍ୟାଣ ହୋଇପାରିବ। ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ସାମିଲ ପୂର୍ବ ହିତାଧିକାରୀମାନଙ୍କୁ ନେଇ ଏକ ଡାଟାବ୍ୟାଙ୍କ ପ୍ରାଥମିକତା ଭିତିରେ ପ୍ରସ୍ତୁତ କରିବା ଲାଗି ସେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ। ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ଲକ୍ଷ୍ୟ ହାସଲ କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ।

ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଜନଜାତି କଲ୍ୟାଣ ଯୋଜନା ପାଇଁ ଏହି ଉପଯୋଗୀ ସରକାରୀ ଉପକ୍ରମଗୁଡ଼ିକ ମାଇଲଖୁଂଟ ସାବ୍ୟସ୍ତ ହେବ।

ଜନଜାତି କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନରେ ବ୍ୟାପକ ଇ-ଗଭର୍ଣ୍ଣାନ୍ସ ଆଣିବା ଲାଗି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଡିବିଟି ଟ୍ରାଇବାଲ (https://dbttribal.gov.in/) ଏବଂ ଏନଜିଓ ଅନୁଦାନ ଅନଲାଇନ ଆବଦେନ ଓ ଟ୍ରାକିଂ ବ୍ୟବସ୍ଥା (https://ngograntsmota.gov.in/) ବିକଶିତ କରିଛନ୍ତି। ଡିବିଟି ଟ୍ରାଇବାଲ ପୋର୍ଟାଲରେ ମାଟ୍ରିକ ପୂର୍ବ ଏବଂ ମାଟ୍ରିକ ପରବର୍ତ୍ତୀ ବୃତି ଲାଗି ୩ଟି ମୁଖ୍ୟ ମଡ୍ୟୁଲ ରହିଛି। ଡାଟା ଶେୟାରିଂ ମଡ୍ୟୁଲ ମୁଖ୍ୟତଃ ରାଜ୍ୟଗୁଡ଼ିକ ଦ୍ୱାରା ହିତାଧିକାରୀଙ୍କ ତଥ୍ୟ ଦାଖଲ କରିବା ଲାଗି ଉଦ୍ଦିଷ୍ଟ। ଯୋଗାଯୋଗ ମଡ୍ୟୁଲରେ କାଗଜପତ୍ର ଅପଲୋଡ କରିବା, ପ୍ରଶ୍ନ ପଚାରିବା ଏବଂ ଡିବିଟି ଡାଟା ଅପଲୋଡ୍ କରିବାର ସୁବିଧା ରାଜ୍ୟଗୁଡ଼ିକ ପାଇଁ ଉପଲବ୍ଧ ରହିଛି। ତୁରନ୍ତ ପାଣ୍ଠି ଜାରି କରିବା ଲାଗି ରାଜ୍ୟଗୁଡ଼ିକ ଏହି ତଥ୍ୟ ଅପଲୋଡ୍ କରିପାରିବେ। ଅନୁଧ୍ୟାନ ମଡ୍ୟୁଲରେ ଏମଆଇସ ରିପୋର୍ଟ ଓ ଡ୍ୟାଶବୋର୍ଡ ସୁବିଧା ରହିଛି।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି ଏକ ତଥ୍ୟ ଯାଂଚ ମଡ୍ୟୁଲ ବିକଶିତ କରାଯାଇଛି। ଏହାକୁ ଉପଯୋଗ କରି ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ତଥ୍ୟ ଅନୁଧ୍ୟାନ କରିପାରିବେ। ସେହିପରି ତିନୋଟି କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ସଂସ୍ଥାନରେ ହିତାଧିକାରୀ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କ ପାଇଁ ଏକ ଅଭିଯୋଗ ମଡ୍ୟୁଲ ମଧ୍ୟ ବିକଶିତ କରାଯାଇଛି।

ଅନୁଦାନ ଯୋଜନା କାର୍ଯ୍ୟାନ୍ୱୟନ ଲାଗି ଏକ ଏନଜିଓ ପୋର୍ଟାଲ ବିକଶିତ କରାଯାଇଛି। ଏହା ଜନଜାତିଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ପାଇଁ ଉଦ୍ଦିଷ୍ଟ। ଏହି ପୋର୍ଟାଲକୁ ସମ୍ପୂର୍ଣ୍ଣ ଭାବେ ନୂଆ ରୂପ ଦିଆଯାଇଛି ତଥା ପୁନଃବିକଶିତ କରାଯାଇଛି। ଏଥିରେ ସହଜ ଆବେଦନ ଫର୍ମ, ନିରୀକ୍ଷଣ ରିପୋର୍ଟ ଏବଂ ଫାଣ୍ଠି ପ୍ରକ୍ରିୟାକରଣ ମଡ୍ୟୁଲ ବ୍ୟବସ୍ଥା ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଅନଲାଇନ ଆବେଦନ କରିବା ନିମନ୍ତେ ରାଜ୍ୟ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପାଇଁ ଆଜି ଏହି ପୋର୍ଟାଲକୁ ପୁନଃ ଖୋଲାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.