Home ଅପରାଧ ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଅପରାଜିତା: ସଂସଦରେ ଉଠିଲା ବୀରମିତ୍ରପୁର, ମାଲକାନଗିରି...

ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଅପରାଜିତା: ସଂସଦରେ ଉଠିଲା ବୀରମିତ୍ରପୁର, ମାଲକାନଗିରି ଦୁଷ୍କର୍ମ ପ୍ରସଙ୍ଗ

247

ଭୁବନେଶ୍ୱର: ଗତ କିଛି ବର୍ଷ ଧରି ବିରୋଧୀ ବିଜେପି ଯେଉଁ କେତେ ଗୁଡ଼ିଏ ଘଟଣାକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରି ଆସୁଛି ତା’ ମଧ୍ୟରେ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଅନ୍ୟତମ। ଦେଖିବାକୁ ଗଲେ ଅନେକ ଗୁଡ଼ିଏ ଆନ୍ଦୋଳନ ଏବଂ ବିକ୍ଷୋଭ ଆଦି ମାଧ୍ୟମରେ ମହିଳା ସୁରକ୍ଷା ପ୍ରସଙ୍ଗରେ ହିଁ ରାଜ୍ୟ ସରକାରଙ୍କୁ ଅଧିକ ଘେରିଛି ବିଜେପି। ଯାହା ଏବେ ମଧ୍ୟ ଦେଖିବାକୁ ମିଳୁଛି। ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ଘଟଣାକୁ ନେଇ ଓଡ଼ିଶାରେ ମହିଳା ସୁରକ୍ଷା ପ୍ରସଙ୍ଗ ସଂସଦରେ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମାଲକାନଗିରି ଆଦିବାସୀ ମହିଳା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଏବଂ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି ଅପରାଜିତା। ତେବେ, ଏହାକୁ କାଉଣ୍ଟର କରିବାକୁ ଯାଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି। ସଂସଦରେ ଅନୁଭବ ଅଜବ ଯୁକ୍ତି କରିଥିଲେ ମଧ୍ୟ କାହିଁକି କେଜାଣି ଏ’ ପ୍ରସଙ୍ଗରେ ନୀରବ ରହିଛି ଓଡ଼ିଶା ବିଜେପି।

ଅପରାଜିତାଙ୍କ ଉଦ୍ବେଗ –
ଓଡ଼ିଶାରେ ମହିଳାଙ୍କ କ୍ଷେତ୍ରରେ ବୃଦ୍ଧି ପାଉଥିବା ଅପରାଧିକ ଘଟଣାକୁ ନେଇ ସଂସଦରେ ଉଦ୍ବେଗ ପ୍ରକାଶ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ୨୨ ତାରିଖରେ ସଂସଦରେ ଅପରାଜିତା କହିଥିଲେ, ଓଡ଼ିଶାରେ ମହିଳା ମାନଙ୍କ ପ୍ରତି ହେଉଥିବା ଅପରାଧିକ ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ମୁଁ ଜଣେ ମହିଳା, ଓଡ଼ିଶା ମୋର କର୍ମଭୂମି। ସେଥିପାଇଁ ବହୁତ ଚିନ୍ତିତ ଏବଂ ଉଦ୍ବିଘ୍ନ। ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟକୁ ଆଧାର କରି ଅପରାଜିତା କହିଥିଲେ, ଏନସିଆରବି- ୨୦୧୮ ରେକର୍ଡ ଅନୁଯାୟୀ ଓଡ଼ିଶାରେ ପ୍ରତି ୧ ଲକ୍ଷ ଜନ ସଂଖ୍ୟାରେ ମହିଳା ଅପରାଧିକ ଘଟଣା ୯୧.୩। ଯାହା ଦିନକୁ ଦିନ ବୃଦ୍ଧି ପାଉଛି। ଯେଉଁଥିରୁ ମାତ୍ର ୮.୩ ଘଟଣାରେ ଅପରାଧୀ ଦୋଷୀ ସାବ୍ୟସ୍ତ ହେଉଛି ଅଥବା ଦଣ୍ଡ ପାଉଛି। ଯାହାର ପେଣ୍ଡିଂ (ଅଟକି ରହିଥିବା) ମାମଲା ସଂଖ୍ୟା ଶତକଡ଼ା ୯୪.୭। ଯାହା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ ଏବଂ ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ପ୍ରତି ଅପରାଧିକ ଘଟଣାରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ। ଓଡ଼ିଶାରେ ଥିବା (ଓମେନ୍ସ ସ୍ଲେଟର ହୋମ) ମହିଳା ଅନ୍ତବାସୀ ଗୃହ ଗୁଡ଼ିକରେ ଏପରି ଘଟଣା ସବୁ ବୃଦ୍ଧି ପାଉଛି। ଏ’ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା କଥା, ତାହା ନିଆଯାଉ ନାହିଁ। ସ୍ଥିତି ବହୁତ ଗମ୍ଭୀର, ଚିନ୍ତାଜନକ ଏବଂ ଦୁଃଖଦ। କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରନ୍ତୁ, ଯାହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହୁ ବୋଲି ଅପରାଜିତା ଷଡ଼ଙ୍ଗୀ ଦାବୀ ଉପସ୍ଥାପନ କରିଥିଲେ।

ଅନୁଭବଙ୍କ କାଉଣ୍ଟର –
ତେବେ, ଏହାପରେ ଏହା ଉପରେ ମତ ରଖିଥିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି। ହାତଯୋଡ଼ି ବିନତି କରୁଛି, ବହୁତ ଗମ୍ଭୀର ପ୍ରସଙ୍ଗ କହି ଓଡ଼ିଶା ମୋ ମା’। ମୋ ସାମ୍ମାରେ, ମୋ ମା’ ନାମରେ ଏହି ସଂସଦରେ ଫେକ୍ ନ୍ୟୁଜ୍ କୁହାଗଲା। ଓଡ଼ିଶା ଜଗନ୍ନାଥଙ୍କ ସ୍ଥାନ। ଏଠି ପ୍ରଭୁ ରଥଯାତ୍ରା ବେଳେ ଭଉଣୀଙ୍କୁ ସାଙ୍ଗରେ ନେଇ ଯାଆନ୍ତି, ମାଉଷୀଙ୍କ ଘରକୁ ଯାଆନ୍ତି ଏବଂ ଘରକୁ ପ୍ରବେଶ କରିବା ପୂର୍ବରୁ ଲକ୍ଷ୍ମୀଙ୍କ ଅନୁମତି ନେଇ ପ୍ରବେଶ କରନ୍ତି। ଏଠି ମା’, ଭଉଣୀ, ପତ୍ନୀ, ମହିଳାଙ୍କୁ ବହୁତ ସମ୍ମାନ ଦିଆଯାଏ। କିନ୍ତୁ, ଏଠି ମାନନୀୟା ସଦସ୍ୟା (ଅପରାଜିତା ଷଡ଼ଙ୍ଗୀ) ଜଣେ ଶିକ୍ଷିତ ଲୋକ ହୋଇ ଯେଉଁ ଭୁଲ୍ ତଥ୍ୟ ରଖିଲେ, ସେଥିପାଇଁ ମତେ ଦୁଃଖ ଲାଗୁଛି, ଲଜ୍ଜା ଲାଗୁଛି। ଛୋଟ କଥା, ତାଙ୍କୁ ବୁଝିବାର ଥିଲା, ଆମ ଓଡ଼ିଶା ପ୍ରସଙ୍ଗ ଏଠି କହିବାର ନଥିଲା। ମହିଳାଙ୍କ ପ୍ରତି ଅପରାଧ ଘଟଣାରେ ଓଡ଼ିଶାର ସ୍ଥାନ ତୃତୀୟ ବୋଲି ଯେଉଁ କହିଲେ, ଦେଖିବାକୁ ଗଲେ ଉତ୍ତର ପ୍ରଦେଶର ସ୍ଥାନ ୧ ନମ୍ବର, ଯେଉଁଠି ତାଙ୍କ ସରକାର ଅଛି ବୋଲି କହିଥିଲେ ଅନୁଭବ। ଏପରି ଫେକ୍ ନ୍ୟୁଜ ଯୁବ ସମାଜକୁ ଭୁଲ୍ ସନ୍ଦେଶ ଦେଉଛି, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି କହି ତାଙ୍କ ଦଳ (ବିଜେପି)ର ଜଣେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କର ଏକ ସଂସ୍ଥାରେ ଜଣେ ନାବାଳିକା ଝିଅ ସହିତ ତାଙ୍କ କର୍ମଚାରୀ ଗଣଦୁଷ୍କର୍ମ କରୁଛନ୍ତି, ନିର୍ଯ୍ୟାତନା ଦେଉଛନ୍ତି କହି ବୈଜୟନ୍ତ ପଣ୍ଡା ଏବଂ ଓଟିଭିକୁ ଆକ୍ଷେପ କରିଥିଲେ ଅନୁଭବ। ଛୋଟ କଥା, ତାଙ୍କୁ ବୁଝିବାର ଥିଲା ଆମ ରାଜ୍ୟ (ଓଡ଼ିଶା) ପ୍ରସଙ୍ଗ ଏଠି (ସଂସଦରେ) କହିବାର ନଥିଲା ବୋଲି ଅପରାଜିତାଙ୍କୁ ପରାମର୍ଶ ଦେଇ ନିଜେ ହିଁ ଆମ ରାଜ୍ୟ ପ୍ରସଙ୍ଗ ସେହି ସଂସଦରେ କହି ପକାଇଲେ ଅନୁଭବ। ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ କୌଣସି ଦୁର୍ବଳତା କିମ୍ବା ରାଜ୍ୟ ସରକାରଙ୍କ କୌଣସି ତଦନ୍ତକାରୀ ସଂସ୍ଥା ବାବଦରେ ବିରୋଧୀ ଦଳ ନେତ୍ରୀ ହିସାବରେ ସଂସଦରେ ଅପରାଜିତା ଉଠାଇ ପାରନ୍ତି। କିନ୍ତୁ, କେବଳ ବୈଜୟନ୍ତଙ୍କୁ ଆକ୍ଷେପ କରିବାକୁ ଯାଇ ଯେଉଁ ଘଟଣା ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା, ରାଜ୍ୟ ପୋଲିସ ଦ୍ୱାରା ଏବେ ତଦନ୍ତ ଅଧୀନରେ ଅଛି ସେ କଥା ସଂସଦରେ ଉଠାଇ ଅନୁଭବ କ’ଣ କହିବାକୁ ଚାହୁଁଥିଲେ ବୋଲି ପ୍ରଶ୍ନ ଉଠୁଛି। କ’ଣ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଉପରେ ଭରଷା ନକରି କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ଦ୍ୱାରା ତା’ର ତଦନ୍ତ କରାଯାଉ ବୋଲି ଚାହୁଁଛନ୍ତି କି ଅନୁଭବ ମହାନ୍ତି ବୋଲି ପ୍ରଶ୍ନ ଉଠୁଛି।

ବିଜେପି ନିରବ –
ତେବେ, ଏ’ ତ’ ଗଲା ଦୁଇ ଦଳର ଦୁଇ ନେତାନେତ୍ରୀଙ୍କ କଥା। କିନ୍ତୁ, ଆଶ୍ଚର୍ଯ୍ୟ ଲାଗିଲା ଓଡ଼ିଶା ବିଜେପିର ନୀରବତା। ଯେଉଁ ମହିଳା ସୁରକ୍ଷା ପ୍ରସଙ୍ଗ ନେଇ ନବୀନ ସରକାରଙ୍କୁ ସବୁଠାରୁ ଅଧିକ ଟାର୍ଗେଟ୍ କରୁଛି ବିଜେପି, ଯେଉଁ ମାଲକାନଗିରି ଘଟଣାକୁ ନେଇ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ବିରମିତ୍ରପୁର ଘଟଣାକୁ ନେଇ ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳକୁ ଯାଇଥିଲା, ପୋଲିସ ମହାନିର୍ଦ୍ଦେଶକ ଏବଂ ମାନବାଧିକାର କମିଶନଙ୍କୁ ଭେଟିଥିଲା, ସାମ୍ବାଦିକ ସମ୍ମିଳନୀ କରି ନବୀନ ସରକାରଙ୍କ ଉପରେ ବର୍ଷିଥିଲା, ଆଜି ଯେତେବେଳେ ତାଙ୍କ ଦଳର ଜଣେ ସାଂସଦ ସେହି ପ୍ରସଙ୍ଗ ନେଇ ସଂସଦରେ କଥା ଉଠାଇଲେ ଏବଂ ବିଜେଡିର ଜଣେ ସାଂସଦ ତାଙ୍କୁ କାଉଣ୍ଟର କଲେ, ଆଶ୍ଚର୍ଯ୍ୟର କଥା ଓଡ଼ିଶା ବିଜେପି କିନ୍ତୁ, ନିରବ ରହିଲା। ସାଧାରଣ କଥାରେ ଏବଂ କଥା କଥାରେ ମିଡିଆ ଆଉ ସୋସିଆଲ୍ ମିଡିଆରେ ପ୍ରଳାପ କରୁଥିବା ଓଡ଼ିଶା ବିଜେପିର ସେହି କିଛି ନେତାନେତ୍ରୀ ଗଣ ଏଠି କିନ୍ତୁ ପ୍ରାୟ ନିରବ ରହିଲେ। କାରଣ କ’ଣ, ବୁଝି ହେଉନି ନାଁ, ବୁଝିବା ଲୋକ ଠିକ୍ ବୁଝୁଥିବେ ନିଶ୍ଚିତ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.