Home ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା: ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂଙ୍କୁ ଏକାଡେମୀ ରତ୍ନ

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା: ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂଙ୍କୁ ଏକାଡେମୀ ରତ୍ନ

227

– ଓଡିଶୀ ନୃତ୍ୟଶିଳ୍ପୀ ସୁରୁପା ସେନଙ୍କୁ ନୃତ୍ୟ ପାଇଁ ଏକାଡେମୀ ପୁରସ୍କାର
– ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକଙ୍କୁ ସମ୍ମାନ
– ଓଡିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିଶମିଲ୍ଲା ଖାଁ ଯୁବ ପୁରସ୍କାର

ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆସାମର ଗୌହାଟୀଠାରେ ଜୁନ ୨୬, ୨୦୧୯ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋ (ଏକାଡେମୀ ରତ୍ନ) ପାଇଁ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂ, ଜାକିର ହୁସେନ, ଜତିନ ଗୋସ୍ୱାମୀ ଓ କେ କଲ୍ୟାଣସୁନ୍ଦରମ ପିଲ୍ଲାଇଙ୍କୁ ନିର୍ବିବାଦୀୟ ଭାବେ ନିର୍ବାଚିତ କରାଯାଇଛିି। ଓଡିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିଶମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ବାଦ୍ୟ, ସଂଗୀତ, ନୃତ୍ୟ, ଥିଏଟର, ପାରମ୍ପରିକ/ଲୋକକଳା/ ତଫସିଲ ଭୁକ୍ତ ଜନଜାତିର ବାଦ୍ୟ/ ନୃତ୍ୟ/ ଥିଏଟର/ ଆଦି କ୍ଷେତ୍ରରେ ଅବଦାନପାଇଁ ୪୪ ଜଣ କଳାକାରଙ୍କୁ ୨୦୧୮ ପାଇଁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ନିର୍ବାଚିତ କରାଯାଇଛି। ଏହି ୪୪ଟି ପୁରସ୍କାର ମଧ୍ୟରେ ରହିଛି ୩ଟି ଯୁଗ୍ମ ପୁରସ୍କାର। ଏଥିସହିତ ୩୨ଜଣ କଳାକାରଙ୍କୁ ଉସ୍ତାଦ ବିଶମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ।

ନୃତ୍ୟ କ୍ଷେତ୍ରରେ ଓଡିଶୀରେ ସୁରୁପା ସେନ ଓ ଛଉରେ ତପନ କୁମାର ପଟ୍ଟନାୟକଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ସେହିପରି ଭାରତନାଟ୍ୟମରେ ରାଧା ଶ୍ରୀଧର, କଥକ ପାଇଁ ଯୁଗ୍ମ ଭାବେ ଇଶିରା ଓ ମୌଲିକ ଶାହ, ମଣିପୁରୀରେ ଅଖାମ ଲକ୍ଷ୍ମୀ ଦେବୀ, କୁଚିପୁଡିରେ ପାଶୁମୂର୍ତି ରାମଲିଙ୍ଗ ଶାସ୍ତ୍ରୀ, ସତ୍ରୀୟରେ ତାନକେଶ୍ୱର ହଜାରିକା ବୋରବାୟାନ ଓ ସମକାଳୀନ ନୃତ୍ୟରେ ଦୀପକ ମଜୁମଦାରଙ୍କୁ ପୁରସ୍ପାର ପାଇଁ ଚୟନ କରାଯାଇଛି।

ସଙ୍ଗୀତ କ୍ଷେତ୍ରରେ ୧୧ଜଣ ପ୍ରଖ୍ୟାତ କଳାକାରଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ହିନ୍ଦୁସ୍ଥାନୀ ଭୋକାଲରେ ମଣି ପ୍ରସାଦ ଓ ମଧୁପ ମୁଦଗଲ, ହିନ୍ଦୁସ୍ଥାନୀ ଇନଷ୍ଟ୍ର‌୍ୟୁମେଂଟାଲ ପାଇଁ ସନ୍ତୁରରେ ତରୁଣ ଭଟ୍ଟାଚାର୍ଯ୍ୟ, ସରୋଦ ପାଇଁ ତେଜେନ୍ଦ୍ର ନାରାୟଣ ମଜୁମଦାର, କର୍ଣ୍ଣାଟକି ଭୋକାଲରେ ଅଲାମେଲୁ ମନି ଓ ମାଲ୍ଲାଡି ସୁରିବାବୁ, କର୍ଣ୍ଣାଟିକ ଇନଷ୍ଟ୍ର‌୍ୟୁମେଂଟାଲରେ ଏସ କାସିମ ଓ ଏସ ବାବୁଙ୍କୁ ଯୁଗ୍ମ ପୁରସ୍କାର, କର୍ଣ୍ଣାଟିକ ଇନଷ୍ଟ୍ର‌୍ୟୁମେଂଟାଲର ବେହେଲାରେ ନାଗେଶ୍ୱରମ, ଗଣେଶ ଏବଂ କୁମାରେଶଙ୍କୁ ଯୁଗ୍ମ ପୁରସ୍କାର, ଅନ୍ୟାନ୍ୟ ପାରମ୍ପରିକ ସଂଗୀତ (ସୁଗମ ସଂଗୀତ) କ୍ଷେତ୍ରରେ ସୁରେଶ ୱାଡେକର, ମଣିପୁର ନାଟ ସଂକୀର୍ତନ କ୍ଷେତ୍ରରେ ଏଚ ଆଶାଂଗବି ଦେବୀଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।

ଥିଏଟର କ୍ଷେତ୍ରରେ ୯ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କୁ ଏକାଡେମୀ ପୁରସ୍କାର ୨୦୧୮ ପାଇଁ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ନାଟକ ଲିଖନ କ୍ଷେତ୍ରରେ ଲାଲଟଲୁଆଙ୍ଗିଲାନା ଖିଆଙ୍ଗଟେ, ନିର୍ଦ୍ଦେଶନା କ୍ଷେତ୍ରରେ ସଞ୍ଜୟ ଉପାଧ୍ୟାୟ ଓ ଏସ ରଘୁନନ୍ଦନ, ଅଭିନୟ କ୍ଷେତ୍ରରେ ସୁହାଶ ଯୋଶୀ, ଅଙ୍ଗବିପେକ୍ଷ କ୍ଷେତ୍ରରେ ସ୍ୱପନ ନାନ୍ଦି, ଥିଏଟରର ଅନ୍ୟାନ୍ୟ ପ୍ରମୁଖ ପରମ୍ପରା ୟାକଶାଗନା କ୍ଷେତ୍ରରେ ଭଗବତ ଏ ଏସ ନାଞ୍ଜପ୍ପା ଏବଂ କୁଟିୟାଟ୍ଟମ କ୍ଷେତ୍ରରେ ଏଏମ ପରମେଶ୍ୱରନ କୁଟ୍ଟାନ ଚକ୍କିୟାର।

ପାରମ୍ପରିକ/ଲୋକକଳା/ ତଫସିଲ ଭୁକ୍ତ ଜନଜାତିର ବାଦ୍ୟ/ ନୃତ୍ୟ/ ଥିଏଟର/ ସଖି ନୃତ୍ୟ ଆଦି କ୍ଷେତ୍ରରେ ୧୦ ଜଣ କଳାକାରଙ୍କୁ ଏକାଡେମୀ ପୁରସ୍କାର ୨୦୧୮ ପାଇଁ ଚୟନ କରାଯାଇଛି। ଏମାନେ ହେଲେ ଲୋକ ବାଦ୍ୟ କ୍ଷେତ୍ରରେ ମାଳିନୀ ଅୱସ୍ଥି ଓ ଗାଜୀ ଖାନ ବର୍ନା ଏବଂ ନରେନ୍ଦ୍ର ସିଂ ନେଗୀ। ଲୋକସଂଗୀତ କ୍ଷେତ୍ରରେ ମହମ୍ମଦ ସାଦିକ ଭଗତ ଓ ଲୋକ ନାଟକ କ୍ଷେତ୍ରରେ କୋଟା ସଚିଦାନନ୍ଦ ଶାସ୍ତ୍ରୀ, ଅର୍ଜୁନ ସିଂ ଧ୍ରୁବେ, ଲୋକନୃତ୍ୟ କ୍ଷେତ୍ରରେ ସୋମନାଥ ବଟୁ ଓ ସଖିନାଟ କ୍ଷେତ୍ରରେ ଅନୁପମା ହାସକେରେ ଏବଂ ହେମ ଚନ୍ଦ୍ର ଗୋସ୍ୱାମୀ।

ପ୍ରଦର୍ଶନୀୟ କଳାରେ ସେମାନଙ୍କର ସାମଗ୍ରୀକ ଯୋଗଦାନ ପାଇଁ ଦିୱାନ ସିଂ ବାଜେଲି ଏବଂ ପୁରୁ ଦଧିଚଙ୍କୁ ଏକାଡେମୀ ପୁରସ୍କାର ୨୦୧୮ ପାଇଁ ମନୋନୀତ କରାଯାଇଛି।

୧୯୫୨ ମସିହା ଠାରୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଏକାଡେମୀ ଫେଲୋ ସମ୍ମାନରେ ୩, ୦୦, ୦୦୦ ଏବଂ ଏକାଡେମୀ ପୁରସ୍କାରରେ ୧, ୦୦, ୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ସହ ତାମ୍ରପତ୍ର ଏବଂ ଅଙ୍ଗବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥାଏ। ବିଶମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ୨୫, ୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.