Home ଜିଲ୍ଲା ପରିକ୍ରମା ଗୋପାଳଦୋହରା ପ୍ରାଥମିକ ସ୍କୁଲ ପିଲାଙ୍କୁ ବସାଇ ରାସ୍ତା ଅବରୋଧ କରିବା ପ୍ରସଙ୍ଗ, ଶିକ୍ଷକଙ୍କୁ ବିଇଓଙ୍କ କାରଣ...

ଗୋପାଳଦୋହରା ପ୍ରାଥମିକ ସ୍କୁଲ ପିଲାଙ୍କୁ ବସାଇ ରାସ୍ତା ଅବରୋଧ କରିବା ପ୍ରସଙ୍ଗ, ଶିକ୍ଷକଙ୍କୁ ବିଇଓଙ୍କ କାରଣ ଦର୍ଶାଅ ନୋଟିସ ଜାରୀ

1

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସାହାପୁର ପଂଚାୟତ ଅଧୀନ ଗୋପାଳଦୋହରା ପ୍ରାଥମିକ ସ୍କୁଲର ଶିକ୍ଷକ କମଳାକାନ୍ତ ମହାକୁଡ଼ ସ୍କୁଲ ପାଠପଢା ସମୟରେ ଛାତ୍ରଛାତ୍ରୀଙ୍କୁ ବସାଇ ରାସ୍ତା ଅବରୋଧ କରିବା ସହିତ ଗଣ୍ଡଗୋଳ କରିଥିଲେ । ଗତ ୧୩ତାରିଖରେ ଘଟିଥିବା ଏହି ଘଟଣା ସମ୍ପର୍କରେ ତିହିଡି଼ ବ୍ଲକ ଅଧୀନ ଫତେପୁର ଗ୍ରାମର ରୁଚିସ୍ମିତା ମହାପାତ୍ର ବ୍ଲକ ଶିକ୍ଷାଧିକାରୀ(ବିଇଓ )ଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ । ଏହି ଅଭିଯୋଗ କ୍ରମେ ବିଇଓ ଚକ୍ରଧର ମଲ୍ଲିକ ସୋମବାର ଶିକ୍ଷକ ମହାକୁଡ଼ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଆସନ୍ତା ୩ଦିନ ମଧ୍ୟରେ ସେହି ଶିକ୍ଷକଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆନଯିବ ତାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ରୁଚିସ୍ମିତା ଗୋପାଳଦୋହରା ମୌଜାରେ ଜମି କିଣିଛନ୍ତି । ଗତ ୧୩ ତାରିଖରେ ସେ ତାଙ୍କ ସ୍ୱାମୀ ଦେବାଶିଷ ଦାସଙ୍କ ସହିତ ବାସ୍ତୁ ପୂଜା କରିବା ପାଇଁ ଗୋପାଳଦୋହରାସ୍ଥିତ ତାଙ୍କ ଜମି ପାଖକୁ ଯାଇଥିଲେ । ସେଠାରୁ ସେମାନେ ଚାରିଚାକିଆ ଯାନରେ ଫେରିବା ସମୟରେ ଗୋପାଳଦୋହରା ସ୍କୁଲ ନିକଟ ରାସ୍ତା ଉପରେ ପାଲ ପକାଇ ସ୍କୁଲ ପିଲାମାନେ ଓ ଶିକ୍ଷକ ମହାକୁଡ଼ ଏକ ଚେୟାର ପକାଇ ରାସ୍ତା ଅବରୋଧ କରି ବସିରହିଥିବା ରୁଚିସ୍ମିତା ଓ ତାଙ୍କ ସ୍ୱାମୀ ଦେଖିବାକୁ ପାଇଥିଲେ । ଏସମ୍ପର୍କରେ ରୁଚିସ୍ମିତା ତାଙ୍କୁ ପଚାରିବା ସହ ରାସ୍ତା ଫାଙ୍କା କରିବାକୁ କହିବାରୁ ଶିକ୍ଷକ ମହାକୁଡ଼ ତାଙ୍କୁ ଗାଳିଗୁଲଜ କରିବା ସହ ରୁଚିସ୍ମତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ସେ ଏହାର ପ୍ରତିବାଦ କରିବାରୁ କମଳାକାନ୍ତଙ୍କ ପରିବାର ଲୋକେ ଦମ୍ପତିଙ୍କ ଉପରେ ଆକ୍ରମଣ କରିଥିବାବେଳେ ସେମାନେ ସେହି ଦମ୍ପତିଙ୍କ କାରକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ରୁଚିସ୍ମିତା ଓ ତାଙ୍କ ସ୍ୱାମୀ ଭୟଭୀତ ହୋଇ ସେଠାରୁ ଚାଲି ଆସି ପୀରହାଟ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୬୯/୨୬) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.