Home ଜିଲ୍ଲା ପରିକ୍ରମା ନିର୍ମାଣର ଦୁଇ ମାସ ନପୂରୁଣୁ ଭୁଶୁଡ଼ିଲା ଗ୍ରାମ୍ୟ ଉନ୍ନୟନ ରାସ୍ତା, ମରାମତି ପାଇଁ ଆସିଥିବା ଠିକାଦାରଙ୍କ...

ନିର୍ମାଣର ଦୁଇ ମାସ ନପୂରୁଣୁ ଭୁଶୁଡ଼ିଲା ଗ୍ରାମ୍ୟ ଉନ୍ନୟନ ରାସ୍ତା, ମରାମତି ପାଇଁ ଆସିଥିବା ଠିକାଦାରଙ୍କ ମେସିନକୁ ଅଟକାଇଲେ ଉତ୍ୟକ୍ତ ଗ୍ରାମବାସୀ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ କୈଫିୟତ ଦାବିରେ ଅଡ଼ି ବସିଲେ ଅଂଚଳବାସୀ

1

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାତାୟାତର ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଲା, କିନ୍ତୁ କାମ ସରିବାର ମାତ୍ର ଦୁଇ ମାସ ନପୂରୁଣୁ ତାହା ମାଟିରେ ମିଶିଗଲା। ଏଭଳି ନିମ୍ନମାନର କାମକୁ ନେଇ ଧୂଷୁରୀ-ହସନାବାଦ ଭାୟା ପଙ୍ଗଟା ରାସ୍ତାର ନାୟକ ସାହି ପୋଲ ନିକଟରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଭୁଶୁଡ଼ି ପଡ଼ିଥିବା ଆପ୍ରୋଚ୍ ରାସ୍ତାକୁ ତରବରିଆ ଭାବେ ଭାଙ୍ଗି ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଠିକାଦାରଙ୍କ କର୍ମଚାରୀଙ୍କୁ ଆଜି ଗ୍ରାମବାସୀ ଘେରିବା ସହ କାମ ବନ୍ଦ କରିଦେଇଛନ୍ତି।ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ଗତବର୍ଷଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନାୟକ ସାହି ନିକଟସ୍ଥ ପୋଲର ଆପ୍ରୋଚ୍ ରାସ୍ତା ଗତ ସେପ୍େଟମ୍ବର ମାସରେ ଶେଷ ହୋଇଥିଲା। ମାତ୍ର ଦୁଇ ମାସ ମଧ୍ୟରେ ରାସ୍ତାର ସ୍ଥାୟିତ୍ୱ ପଦାରେ ପଡ଼ିଯାଇଥିଲା। ପାଂଚ ଦିନ ତଳେ ଏହି ରାସ୍ତା ଦେଇ ମାଲ୍ ବୋଝେଇ ହାଇୱା ଓ ଟ୍ରାକ୍ଟର ଯାଉଥିବା ବେଳେ ହଠାତ୍ ରାସ୍ତାଟି ଦବି ଯାଇ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଡ଼ିଗୁଡ଼ିକ ସେଠାରେ ଫସି ରହିବା ସହ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ନବନିର୍ମିତ ରାସ୍ତାର ଏଭଳି ଦୁରବସ୍ଥା ଦେଖି ନାୟକ ସାହି, ପଙ୍ଗଟା ଓ ହସନାବାଦ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଦେଇଥିଲା। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଉଚ୍ଚ ଶିକ୍ଷମନ୍ତ୍ରୀ ତୁରନ୍ତ ସଂପୃକ୍ତ ଠିକାଦାର ସୁବାସ ଚନ୍ଦ୍ର ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଧୂଷୁରୀ ଜୋନ୍ କନିଷ୍ଠ ଯନ୍ତ୍ରୀ ରୂପ କୁମାର ମୁଣ୍ଡା ଧୂଷୁରୀ ଥାନାରେ ଠିକାଦାରଙ୍କ ବିରୋଧରେ ଏତଲା ଦାୟର କରିଥିଲେ।ଥାନାରେ ମାମଲା ରୁଜୁ ହେବା ପରେ ଛାନିଆ ହୋଇପଡ଼ିଥିବା ଠିକାଦାର ଆଜି ସକାଳୁ ଶ୍ରମିକ ଓ ହାଇଡ୍ରୋଲିକ୍ ବ୍ରେକର ମେସିନ୍ ପଠାଇ ଭୁଶୁଡ଼ିଥିବା ରାସ୍ତାକୁ ଭାଙ୍ଗିବା ଆରମ୍ଭ କରିଥିଲେ। ତେବେ ଖବର ପାଇ ନାୟକ ସାହି, ପଙ୍ଗଟା ଓ ହସନାବାଦ ଗ୍ରାମର ଶତାଧିକ ଲୋକ ଘଟଣାସ୍ଥଳରେ ପହଂଚି କାମକୁ ବିରୋଧ କରିଥିଲେ। କାମର ମାନ ଯାଂଚ ନକରି ତରବରିଆ ଭାବେ ପୁଣି ଥରେ ତାଳିପକା କାମ କରିବାକୁ ଗ୍ରାମବାସୀ ସିଧାସଳଖ ମନା କରିଦେଇଛନ୍ତି। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏବଂ ସଂପୃକ୍ତ ଠିକାଦାର ଘଟଣାସ୍ଥଳକୁ ଆସି ଲୋକଙ୍କ ଆଗରେ କୈଫିୟତ ନଦେବା ପର୍ଯ୍ୟନ୍ତ ରାସ୍ତା ମରାମତି କରାଇ ଦିଆଯିବ ନାହିଁ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.