Home ଜିଲ୍ଲା ପରିକ୍ରମା ରାସ୍ତା ନାଁରେ ଖଳା ନିର୍ମାଣ; କଂକ୍ରିଟ୍ ଉପରେ କଂକ୍ରିଟ୍ ଢାଳି ସରକାରୀ ଅର୍ଥ ହରିଲୁଟ୍‌!, ସ୍କୁଲ...

ରାସ୍ତା ନାଁରେ ଖଳା ନିର୍ମାଣ; କଂକ୍ରିଟ୍ ଉପରେ କଂକ୍ରିଟ୍ ଢାଳି ସରକାରୀ ଅର୍ଥ ହରିଲୁଟ୍‌!, ସ୍କୁଲ ଓ ଡାକଘର ଆଗରେ ଆଣ୍ଠୁଏ ପାଣି, ନିମ୍ନମାନର କାମ ଯୋଗୁଁ ଏବେଠୁ ବାହାରିଲାଣି ଚିପ୍ସ

1

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଭିତିଭୂମି ବିକାଶର ଡିଣ୍ଡିମ ଭିତରେ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତରୁ ଏକ ସାଂଘାତିକ ଅନିୟମିତତାର ଚିତ୍ର ସାମ୍ନାକୁ ଆସିଛି। ଲୋକଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ରାସ୍ତା ମରାମତି ନାଁରେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ବିନା ଅନୁମୋଦନ ଏବଂ ବୈଷୟିକ ମାନଦଣ୍ଡକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ମାନଲାପୁର ଦିହୁଡ଼ି କଚେରୀ ନିକଟରେ ରାସ୍ତା ବଦଳରେ ଏକ ବିଶାଳ ପାଲା ମଣ୍ଡପ ସଂଲଗ୍ନ ଖଳା ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ଜୁନ୍ ମାସରେ ଏଲ୍‌-୫୫ରୁ ଉତେଇପୁର ରାସ୍ତାର ମରାମତି ପାଇଁ ୨୧ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ମାତ୍ର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଠାରେ ରାସ୍ତା ନିର୍ମାଣ ବଦଳରେ ୩୦ ଫୁଟ୍ ଚଉଡ଼ା ଓ ୪୦ ଫୁଟ୍ ଲମ୍ବର ଏକ ଖଳା ନିର୍ମାଣ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଗ୍ରାମ୍ୟ ଉନ୍ନୟନ ବିଭାଗର ନିୟମାବଳୀ ଅନୁସାରେ ୪୦ ଫୁଟ୍ (ପ୍ରାୟ ୧୨.୨ ମିଟର) ଚଉଡ଼ା ରାସ୍ତା କେବଳ ଦୁଇ ଲେନ୍ ବିଶିଷ୍ଟ ରାଜ୍ୟ ରାଜପଥ କିମ୍ବା ଜାତୀୟ ରାଜପଥ କ୍ଷେତ୍ରରେ ହିଁ ନିର୍ମାଣ ହୋଇଥାଏ। ଦୈନିକ ମାତ୍ର ୫ରୁ ୧୦ଟି ହାଲୁକା ଯାନ ଚଳାଚଳ କରୁଥିବା ଗାଁ ଭିତର ରାସ୍ତା ପାଇଁ ୩.୦ରୁ ୩.୭୫ ମିଟର (୧୦ରୁ ୧୨.୫ ଫୁଟ୍‌) ପକ୍କା ରାସ୍ତା ଯଥେଷ୍ଟ। ଠିକାଦାର ଏଠାରେ ୧୦ ଫୁଟ୍ ଚଉଡ଼ା ରାସ୍ତା ସହ ୪୦ ଫୁଟ୍ ଚଉଡ଼ାର ଖଳା ନିର୍ମାଣ କରି ସରକାରୀ ନିୟମକୁ ପରିହାସ କରିଛନ୍ତି। କେବଳ ନିୟମ ଉଲ୍ଲଂଘନ ନୁହେଁ, ସରକାରୀ ଅର୍ଥର ଦୁରୁପଯୋଗର ଏକ ନଗ୍ନ ନମୁନା ମଧ୍ୟ ଏଠାରେ ଦେଖିବାକୁ ମିଳିଛି। ଯେଉଁ ପାଲା ମଣ୍ଡପ ଖଳାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଂକ୍ରିଟ୍ କରାଯାଇଛି, ସେହି ସ୍ଥାନଟିକୁ ଗତ ଜୁନ୍ ମାସରେ ପଂଚାୟତ ପାଣ୍ଠିରୁ କଂକ୍ରିଟ୍ କରାଯାଇଥିଲା। ମାତ୍ର ଠିକାଦାର ବିଲ୍ ହାତେଇବା ଉଦ୍ଦେଶ୍ୟରେ ସେହି ଭଲ କଂକ୍ରିଟ୍ ଉପରେ ପୁଣିଥରେ ୪ ଇଂଚ ଉଚ୍ଚର କଂକ୍ରିଟ୍ ଢାଳି ଦେଇଛନ୍ତି। ଅନ୍ୟପଟେ, ଏହି ନବନିର୍ମିତ ଢଳେଇର ମାନ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏବେଠାରୁ ରାସ୍ତାର ଉପର ସ୍ତର ନଷ୍ଟ ହୋଇ ଚିପ୍ସ ଓ ବାଲି ବାହାରି ପଡ଼ିଛି। ଢଳେଇ ସମୟରେ ସିମେଂଟ ଭାଗ କମ୍ ରଖିବା ଏବଂ ମେକାନିକାଲ୍ ଭାଇବ୍ରେଟର ବ୍ୟବହାର କରି ସଠିକ୍ କମ୍ପାକ୍ସନ୍ କରାଯାଇନଥିବାରୁ ପୃଷ୍ଠଭାଗ ଖଦଡ଼ା ଓ ଦୁର୍ବଳ ହୋଇପଡ଼ିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଗୋଟିଏ ପଟେ ଅନାବଶ୍ୟକ ସ୍ଥାନରେ କଂକ୍ରିଟ୍ ଉପରେ କଂକ୍ରିଟ୍ ଢାଳି ସରକାରୀ ଅର୍ଥ ବରବାଦ କରାଯାଉଥିବା ବେଳେ, ଅନ୍ୟପଟେ ଆନନ୍ଦପୁର ପଂଚାୟତର ପ୍ରମୁଖ ଜନଗହଳିପୂର୍ଣ୍ଣ ରାସ୍ତାଗୁଡ଼ିକ ମରଣଯନ୍ତା ପାଲଟିଛି। ଏଲ୍‌-୫୫ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଆନନ୍ଦପୁର ପଂଚାୟତ ଶୁକଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି, ଯାହାଫଳରେ ଛାତ୍ରୀମାନେ ଯାତାୟାତରେ ଘୋର ଅସୁବିଧା ଭୋଗୁଛନ୍ତି। ସେହିପରି ଏଲ୍‌-୫୫ରୁ ପାହାଡ଼ପୁରକୁ ଲମ୍ବିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଭାଗବତ ସାହୁଙ୍କ ଘର ପାଖ ଏବଂ ଦିହୁଡ଼ି ଆନନ୍ଦପୁର ଡାକଘର ସମ୍ମୁଖରେ “ବେଙ୍ଗ ମୁତିଲେ ବନ୍ୟା’ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଲୋକଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ସରକାର ଓ ପ୍ରଶାସନ ପାଖରେ ଅର୍ଥର ଅଭାବ ରହୁଥିବା ବେଳେ, ଠିକାଦାର ପୋଷଣ ନୀତିରେ କିଭଳି କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି, ତାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.