ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ମାଟି ପାଇଁ ଗୌରବ ଆଣିଛନ୍ତି ଭଗବାନପୁର ପଂଚାୟତର ଯୁବ ଗୀତିକାର ଗୁରୁଦତ ବେହେରା। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଠାରେ ଆୟୋଜିତ ହ୍ୟୁମାନ ସାଗର ସ୍ମୃତି ସମ୍ମାନ ସମାରୋହରେ ତାଙ୍କୁ ‘ହ୍ୟୁମାନ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଛି। ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ କଣ୍ଠରେ ଗୁରୁଦତଙ୍କ ଲିଖିତ ହୃଦୟସ୍ପର୍ଶୀ ଗୀତ ‘ମାଆ ତୋ ବିନା ମୁଁ ରହି ପାରିବିନି’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏକ ଗୀତର ସଫଳତା ପଛରେ ଥିବା ଗୀତିକାରଙ୍କ ସୃଜନଶୀଳତା ଓ ଅବଦାନକୁ ଏହି ସ୍ୱୀକୃତି ନୂଆ ପରିଚୟ ଦେଇଛି। ଗୁରୁଦତଙ୍କ ସଙ୍ଗୀତ ଯାତ୍ରା କୌଣସି ଛୋଟ ପରିସରରେ ସୀମିତ ନୁହେଁ। ସେ ଆଲବମ୍, ସିନେମା ଓ ଯାତ୍ରା ଜଗତ ପାଇଁ ଏଯାବତ୍ ସହସ୍ରାଧିକ ଗୀତ ରଚନା କରିଛନ୍ତି। ସେଥିମଧ୍ୟରୁ ହ୍ୟୁମାନ ସାଗରଙ୍କ କଣ୍ଠରେ ତାଙ୍କ ଲେଖାରେ ଅଧିକାଂଶ ଗୀତ ଶ୍ରୋତାଙ୍କ ମନ ଜିଣିଛି। ‘ମାଆ ତୋ ବିନା ମୁଁ ରହି ପାରିନି’, ‘ଦୁଲୁକୁଡୁମା’, ‘କ୍ୟୁଟ୍ ଲଭର’, ‘ଗୋଟାପାନ’, ‘ମୋ ଜଗା କାଳିଆ’, ‘ରେ କଳା ଠାକୁର’, ‘ଫେରିଆସ ବାପା’, ‘ମାଆ ତୁ ମୋ ଜୀବନ’, ‘ମୁଁ ଖୁଦାକୁ ମାଗିନି କିଛି’, ‘ରାଗିଛ କି ବାପା ତୁମେ’ ଓ ‘ତୁ ମୋ ଜଗା’ ଭଳି ଗୀତ ତାଙ୍କ ଲେଖନୀର କୃତିତ୍ୱ ଦାବି ରଖେ। ଗୁରୁଙ୍କ ଏହି ସଫଳତା ଧାମନଗର ଅଞ୍ଚଳ ପାଇଁ ଗୌରବର ବିଷୟ ହୋଇଥିବାବେଳେ ଏହି ସମ୍ମାନ ତାଙ୍କ ସଙ୍ଗୀତ ସାଧନାକୁ ଆହୁରି ଆଗକୁ ନେବାରେ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।







