Home ଜିଲ୍ଲା ପରିକ୍ରମା ଡ଼ରାଉଛି ବାତ୍ୟା ‘ଅକ୍ୱାନ’,ବନ୍ୟାରେ ବଂଚିଥିବା ଧାନକୁ ଏବେ ବର୍ଷା ଭୟ, ଅମଳ ବେଳେ ଉଜୁଡ଼ିବ କି...

ଡ଼ରାଉଛି ବାତ୍ୟା ‘ଅକ୍ୱାନ’,ବନ୍ୟାରେ ବଂଚିଥିବା ଧାନକୁ ଏବେ ବର୍ଷା ଭୟ, ଅମଳ ବେଳେ ଉଜୁଡ଼ିବ କି ଭାତହାଣ୍ଡି

1

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକୃତିର ଦାଉରୁ ମୁକୁଳିବାର ନାଁ ଧରୁନି ଧାମନଗରର ଚାଷୀଙ୍କ ଦୁର୍ଦ୍ଦଶା। ଗୋଟିଏ ପଟେ ଲଗାତାର ବନ୍ୟାର ଦାଉ, ଅନ୍ୟପଟେ ଏବେ ବାତ୍ୟା ‘ଅକ୍ୱାନ’ ଆଣିଛି ନୂଆ ବିପଦର ଆଶଙ୍କା। ଅମଳ ସମୟରେ ସମ୍ଭାବ୍ୟ ପାଗ ଓ ବର୍ଷା ଆଶଙ୍କା ଚାଷୀକୂଳଙ୍କ ମନରେ ଛନକା ପଶାଇ ଦେଇଛି। ଆକାଶ ମେଘାଚ୍ଛନ୍ନ ରହିବା ସହ କିଛି ଅଂଚଳରେ ଝିପିଝିପି ବର୍ଷା ଓ ହାଲକା ପବନ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଧାମନଗର ବ୍ଲକର ବିଭିନ୍ନ ଅଂଚଳରେ ଖରିଫ ଧାନ ଫସଲ ଏବେ ଅମଳ ଉପଯୋଗୀ ହୋଇପଡ଼ିଛି। ଆଉ କିଛି ଦିନ ପରେ ଚାଷୀ ଖଳାକୁ ଧାନ ଆଣିବାକୁ ଯୋଜନା କରିଥିବାବେଳେ ବାତ୍ୟାଜନିତ ବର୍ଷା ସେମାନଙ୍କ ସ୍ୱପ୍ନରେ ପାଣି ପକାଇବାକୁ ବସିଛି। ସବୁଠାରୁ ଦୁଃଖଦ କଥା ହେଉଛି, ଚଳିତ ଖରିଫ ଋତୁରେ ୫ରୁ ୭ ଥର ବନ୍ୟା ଓ ବନ୍ୟାଜନିତ ଜଳମଗ୍ନତାର ମାଡ଼ ସହି ଯେଉଁ କିଛି ଫସଲ ବଂଚି ରହିଛି, ତାହା ମଧ୍ୟ ଏବେ ବିପଦରେ। ବର୍ଷା ପବନ ହେଲେ ପାଚିଲା ଧାନ ଜମିରେ ପାଣି ବୁଡ଼ିବା ସହ ଗଛ ଶୋଇଯିବାର ଆଶଙ୍କା ରହିଛି। ଫଳରେ ଧାନର ଗୁଣବତା ହ୍ରାସ ପାଇବା ସହ ଅମଳ ମଧ୍ୟ ପ୍ରଭାବିତ ହୋଇପାରେ। ବର୍ଷକର ପରିଶ୍ରମ, ଋଣ ଓ ଖର୍ଚ୍ଚ କରିଥିବା ଅର୍ଥକୁ ନେଇ ଚାଷୀ ଯେଉଁ ଆଶା ବାନ୍ଧିଥିଲା, ତାହା ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ପ୍ରକୃତିର ଲଗାତାର ଆଘାତରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଅମଳ ପୂର୍ବରୁ ଏହି ନୂଆ ସଙ୍କଟ ସେମାନଙ୍କୁ ହତାଶ କରିଛି।ପ୍ରକାଶ ଯେ ଚଳିତ ବର୍ଷ ଧାମନଗର ଅଂଚଳରେ ପ୍ରାୟ ୧୭ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। ଏଭଳି ପରିସ୍ଥିତିରେ ଚାଷୀଙ୍କ ଫସଲ ସୁରକ୍ଷା, କ୍ଷୟକ୍ଷତିର ଆକଳନ ଏବଂ ଆବଶ୍ୟକ ସହାୟତା ପାଇଁ କୃଷି ବିଭାଗ ଓ ପ୍ରଶାସନ ତତ୍ପର ହେବା ଜରୁରୀ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି। ବନ୍ୟା ପରେ ବାତ୍ୟାର ଏହି ଆଶଙ୍କା ଧାମନଗର ଚାଷୀଙ୍କ ପାଇଁ ଆଉ ଏକ ଅଗ୍ନିପରୀକ୍ଷା ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.