ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ମୋ ଭାରତ ବିଭାଗ ପକ୍ଷରୁ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବା ଗଠନ ଲକ୍ଷ୍ୟରେ ଧାମନଗର ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଅସୁରାଳିସ୍ଥିତ ଷ୍ଟ୍ରକଚର ପଡିଆରେ ଆରମ୍ଭ ହୋଇଛି।ଯୁବ ସାମାଜିକ କର୍ମୀ ଇଂ କିଶୋର କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସରପଞ୍ଚ ମିନତୀ ସାହୁ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହୃଷିକେଶ ରାଉତ,ଧାମନଗର ପ୍ରେସ କ୍ଲବର ପୂର୍ବତନ ସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ,କ୍ରୀଡା ଶିକ୍ଷୟିତ୍ରୀ ସଂଯୁକ୍ତା ଦଳାଇ,ଶ୍ରୀଜଗନ୍ନାଥ ସେବା ସମିତିର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ କ୍ରୀଡ଼ା ମନସ୍କ ଯୁବବର୍ଗ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି କହିଥିଲେ।ସ୍ଥାନୀୟ ଗଣେଶ ନଗରସ୍ଥିତ ତରୁଣ ଯୁବ ପରିଷଦ ସହଯୋଗରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ବ୍ଳକର ବିଭିନ୍ନ ସ୍କୁଲ କଲେଜ କ୍ଲବର କ୍ରୀଡା ପ୍ରତିଭା ବ୍ୟାଡମିଣ୍ଟନ,କବାଡି,ଭଲିବଲ,ଶହେ ଏବଂ ଦୁଇ ଶହ ମିଟର ଦୌଡ଼,ଲମ୍ବ ଓ ଉଚ୍ଚ ଡିଆଁ ଆଦି ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାଯାଇଛି।ପ୍ରଥମ ଦିନର କାର୍ଯ୍ୟକ୍ରମକୁ ତରୁଣ ଯୁବ ପରିଷଦର ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ।








