Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେପିର ଦୁଇ ଗୋଷ୍ଠୀଙ୍କ କନ୍ଦଳ ପଦାରେ ପଡିଲା, ଶତାଧିକ ସମର୍ଥକଙ୍କ ଗହଣରେ ବ୍ଲକ୍ ଅଧ୍ୟକ୍ଷାଙ୍କ...

ଭଦ୍ରକରେ ବିଜେପିର ଦୁଇ ଗୋଷ୍ଠୀଙ୍କ କନ୍ଦଳ ପଦାରେ ପଡିଲା, ଶତାଧିକ ସମର୍ଥକଙ୍କ ଗହଣରେ ବ୍ଲକ୍ ଅଧ୍ୟକ୍ଷାଙ୍କ ଶକ୍ତି ପ୍ରଦର୍ଶନ

1

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ରାଜନୀତି ଏକ ରୋଚକ ମୋଡ ନେଇଛି। ଆଜି ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଦେଖାଇଛନ୍ତି ନିଜର ଶକ୍ତି। ନିଜର ଶତାଧିକ ସମର୍ଥକଙ୍କୁ ନେଇ ଆଜି ବ୍ଲକ ଅଫିସ ଆସି ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି। ତେବେ ବ୍ଲକ୍ ଅଧ୍ୟକ୍ଷା ଆଜି ପଂଚାୟତ ସମିତି କାର୍ଯ୍ୟାଳୟକୁ ଆସିବା ସମୟରେ ଶହ ଶହ ବିଜେପି କର୍ମୀଙ୍କ ନାରାବାଜି ଓ ଶକ୍ତି ପ୍ରଦର୍ଶନକୁ ନେଇ ରାଜନୀତି ସରଗରମ ହୋଇଛି। ଏଠାରେ ସୂଚନାଯୋଗ୍ୟ ଗତ ଶନିବାର ଦିନ ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷାଙ୍କୁ ଦଳରୁ ବହିଷ୍କାର ଦାବିରେ ବିଜେପିର ଏକ ଗୋଷ୍ଠୀ ପକ୍ଷରୁ ତାଲାପକା ଆନ୍ଦୋଳନ କରାଯାଇଥିଲା। ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକାରୀମାନେ ଶ୍ରୀମତୀ ନାୟକଙ୍କ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ବିଭିନ୍ନ ପ୍ଲା କାର୍ଡ ଧରି ନାରାବାଜି କରିଥିଲେ। ଏପରିକି ପଂଚାୟତ ସମିତି କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଥିଲା ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ପୂର୍ବରୁ ବିଜେଡିରେ ଥାଇ ଅଧ୍ୟକ୍ଷା ପଦ ହାତେଇଥିବାବେଳେ ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ବ୍ଲକରେ ବିନା ଗ୍ରାମସଭା ଓ ପଲ୍ଲି ସଭା କରି ତାଙ୍କ ଅଗୋଚରରେ କେତେକ କାର୍ଯ୍ୟ ହେଉଥିବା ଅଭିଯୋଗ ମୂଳେ ସେ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ସେ ବିଜେପି ଦଳରେ ଥାଇ ପଂଚାୟତ ସମିତିର କୌଣସି ସମସ୍ୟାକୁ ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କ ନଜରକୁ ନଆଣି ଏଭଳି ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିବା ଫଳରେ ସାଧାରଣ ଲୋକଙ୍କ ସ୍ୱାର୍ଥ ହାନି ହେଉଥିବାରୁ ବିଜେପି ସମର୍ଥକ ମାନେ ତାଙ୍କର ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇବା ସହ ଭଦ୍ରକ ବ୍ଲକ୍ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଯାହା ଭଦ୍ରକରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା।ତେବେ ଭଦ୍ରକ ବ୍ଲକ ଅଧକ୍ଷା ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ଓ ଦଳ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ କରି ଶନିବାର ଦିନ ଯେଉଁ ବିଜେପି ନେତା ଓ କର୍ମୀ ମାନେ ବ୍ଲକ ଅଧକ୍ଷାଙ୍କ କାର୍ଯ୍ୟାଳୟ ରେ ଚାବି ପକାଇ ଦେଇ ତାଙ୍କୁ ଆଉ ବ୍ଲକ ଭିତରେ ପ୍ରବେଶ କରାଇ ଦିଆ ଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ, ତାହାର ବିରୋଧାଭାସର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି।ଏହାକୁ ନେଇ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏବଂ ବେଶ ରୋଚକ ମୋଡ଼ ନେଇଛି। ତେବେ ଆଜି ନିଜର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି ନିଜ ଅଫିସରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସେ ବିଜେପିରେ ଅଛନ୍ତି ଏବଂ ଶୀର୍ଷ ନେତୃବୃନ୍ଦ ଙ୍କ ସହିତ ଅଛନ୍ତି। ସେ ଲୋକଙ୍କ ସରକାର ରେ ଲୋକଙ୍କ ପାଇଁ କାମ କରୁଛନ୍ତି ଓ ଆଗକୁ କରିବେ ମଧ୍ୟ। ତାଙ୍କ ବିନା ଅନୁମୋଦନରେ ଯେଉଁ କୁଚକ୍ରୀ ଗୋଷ୍ଠି ଏଭଳି ଜନ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିଛନ୍ତି, ସେ ବିଷୟରେ ସେ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ଠାରୁ ସାଂସଦଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ଥିଲେ ମଧ୍ୟ କୌଣସି ସୁଫଳ ନ ପାଇବାରୁ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ତେବେ ଆଜି କୌଣସି ଗଣ୍ଡଗୋଳ ଆଶଙ୍କା କରି ବ୍ଲକ ପରିସରରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.