Home ଜିଲ୍ଲା ପରିକ୍ରମା ଶିଶୁଙ୍କ ଯୌନ ଶୋଷଣ ରୋକିବାକୁ ସଚେତନତା ଜରୁରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ...

ଶିଶୁଙ୍କ ଯୌନ ଶୋଷଣ ରୋକିବାକୁ ସଚେତନତା ଜରୁରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ବଚପନ ଅଭିଯାନ’

2

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁଙ୍କ ଯୌନ ଶୋଷଣ ରୋକିବା ସହ ସେମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ବଚପନ ଅଭିଯାନ’ ଅନ୍ତର୍ଗତ ‘ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଚିଙ୍ଗୁଡ଼ିପୁରସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ତଥା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ମନୋଜ ଦାସ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଗୁଇନ୍ଦା) ଅଂଶୁମାନ ଦ୍ୱିବେଦୀ, ସାମାଜିକ ଶିଶୁ ଆଇନ ଅଧିକାରୀ ସୁବ୍ରତ ଦାସ ଏବଂ ପ୍ୟାନେଲ ଅଧିବକ୍ତା ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ଓ ଏ ସମ୍ପର୍କିତ ଆଇନଗତ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଜେନା ନିଜ ଅଭିଭାଷଣରେ ଶିଶୁଙ୍କ ମୌଳିକ ଅଧିକାର ଏବଂ ଯୌନ ଅପରାଧରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଣୀତ ଆଇନ ସମ୍ପର୍କରେ ବୁଝାଇଥିଲେ। ପ୍ରାଧିକରଣର ସଚିବ ଶ୍ରୀ ରଥ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ତଥା ଆଇନ ସହ ସଂଘର୍ଷରେ ଥିବା ଶିଶୁଙ୍କ ଅଧିକାର ଓ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ଏଥିସହ ବିପଦରେ ଥିବା ଶିଶୁଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବରର ବ୍ୟବହାର ସମ୍ପର୍କରେ ସଚେତନ କରାଇଥିଲେ। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ଦାସ ମହାପାତ୍ର ଶିଶୁଙ୍କ ସୁରକ୍ଷା ପାଇଁ ରହିଥିବା ଆଇନଗତ ବ୍ୟବସ୍ଥା ସହ ସେମାନଙ୍କ ମର୍ଯ୍ୟାଦା ଓ ଗୋପନୀୟତା ଅକ୍ଷୁଣ୍ଣ ରଖିବାର ଗୁରୁତ୍ୱ ଉପରେ ମତ ରଖିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦ୍ୱିବେଦୀ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର, ସାଇବର ଅପରାଧ ଏବଂ ଅନଲାଇନ୍ ବିପଦରୁ ଶିଶୁଙ୍କୁ ସୁରକ୍ଷା ଦେବା ସମ୍ପର୍କରେ ଆଲୋଚନା କରିଥିଲେ। ସାମାଜିକ ଶିଶୁ ଆଇନ ଅଧିକାରୀ ଶ୍ରୀ ଦାସ ଶିଶୁଙ୍କ ମୌଳିକ ଅଧିକାର, ଶିକ୍ଷା ଓ ସଚେତନତା ସହ ଶିଶୁ ସୁରକ୍ଷା କ୍ଷେତ୍ରରେ ଶିକ୍ଷକ ଓ ପରିବାରର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ୟାନେଲ ଅଧିବକ୍ତା ଶ୍ରୀ ମହାନ୍ତି ଶିଶୁଙ୍କ ସୁରକ୍ଷା ପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସଚେତନ ଓ ଦାୟିତ୍ୱବାନ ହେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ଖିଲାରଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମକର୍ତାଙ୍କ ସହଯୋଗରେ ଏହି ଅଭିଯାନକୁ ଆଗେଇ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.